ବିଶ୍ୱର ସବୁଠାରୁ ବଡ଼ ଜୋରିମାନା

ୟୁଟୁ୍ୟବ୍ର ମୂଳ କମ୍ପାନୀ ଗୁଗୁଲ୍ ଉପରେ ଋଷ୍ରେ ଏକ କୋର୍ଟ୍ ୨୦ ଡ଼ିସିଲିୟନ୍ ଡ଼ଲାର୍ ଜୋରିମାନା ଲଗାଇଛନ୍ତି । ଏହି ଜୋରିମାନାର କାରଣ ହେଉଛି ୟୁକ୍ରେନ୍ ସହିତ ଯୁଦ୍ଧ ଲାଗିଥିବା ବେଳେ ୟୁଟୁ୍ୟବ୍ ଋଷିଆର ସରକାରୀ ଚ୍ୟାନେଲ୍କୁ ବନ୍ଦ କରି ଦେଇଛି । ଏହା ଫଳରେ ଋଷ୍ର ନାଗରିକମାନେ ୟୁକ୍ରେନ୍ ବିରୁଦ୍ଧରେ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପାଇପାରୁନାହାନ୍ତି । ଏଭଳି ଏକ କାର୍ଯ୍ୟରୁ ସିଧାସଳଖ ଋଷ୍ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି ହୋଇଯାଉଛି । ଗୋଟିଏ ପକ୍ଷରେ ୟୁକ୍ରେନ୍ ସହ ଦୁଇ ବର୍ଷରୁ ଅଧିକ ସମୟ ହେଲା ଋଷିଆ ଲଢ଼େଇ କରୁଥିବା ବେଳେ ଯୁଦ୍ଧର ପରିଣତି, କ୍ଷୟକ୍ଷତି ଆଦି ସମ୍ପର୍କରେ ଏବଂ ଲୋକମାନଙ୍କ ପାଇଁ ସରକାର ଦେଉଥିବା ନିଦେ୍ର୍ଦଶାବଳୀ ସମ୍ପର୍କରେ ତଥ୍ୟ ଗୁଡ଼ିକ ନାଗରିକମାନଙ୍କ ପାଖରେ ପହଞ୍ଚିପାରୁନାହିଁ । ଏହି କାରଣକୁ ନେଇ ଋଷ୍ର ଏକ କୋର୍ଟ୍, ଗୁଗୁଲ୍ ଉପରେ ଏ ପ୍ରକାରର ଏକ ଜୋରିମାନା ଲଗାଇଛନ୍ତି । ଏହି ଜୋରିମାନାର ପରିମାଣ ହେଉଛି ୨ରେ ୩୪ଟି ଶୂନ ଲଗାଇଲେ ଯେତିକି ହେବ ସେତିକି । ସମଗ୍ର ବିଶ୍ୱର ମୋଟ୍ ଜିଡ଼ିପି ଠାରୁ ଏହା ୬୨୦ ଗୁଣା ଅଧିକ । ଦେଖିବାକୁ ଗଲେ ସମଗ୍ର ବିଶ୍ୱରେ ଯେତିକି ସମ୍ପତ୍ତି ରହିଛି ଏହି ମୋଟ୍ ସମ୍ପତ୍ତିର ଅନେକ ଗୁଣା ଅଧିକ ପରିମାଣର ଜୋରିମାନା ଲଗାଯାଇଛି । ଏ ପ୍ରକାରର ଏକ ଜୋରିମାନା କାର୍ଯ୍ୟକାରୀ କରିବା ସମ୍ଭବ ହେବ କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ଉଠିଲାଣି । ତେବେ ଏହି ଜୋରିମାନାକୁ ନେଇ ଗୁଗୁଲ୍ କଣ ପଦକ୍ଷେପ ନେବ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହି ଜୋରିମାନାର ପରିମାଣ ସମଗ୍ର ବିଶ୍ୱକୁ ସୂଚାଇ ଦେଉଛି ଯେ କୌଣସି ଗୋଟିଏ ଦେଶରେ କୌଣସି ଗୋଟିଏ ପକ୍ଷର ସମର୍ଥନ କରି ଯଦି ଗୁୁଗୁଲ୍ ପକ୍ଷରୁ ତଥ୍ୟକୁ ବ୍ଲକ୍ କରିବାର ଚେଷ୍ଟା କରାଯାଏ, ତା’ହେଲେ ଏହି ପ୍ରକାରର ପରିସ୍ଥିତି ସୃଷ୍ଟି ହେବ । ଗୁଗୁଲ୍ ପକ୍ଷରୁ ସମଗ୍ର ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇ ସୂଚନା ପ୍ରଦାନ କରାଯାଉଥିବା ବେଳେ କୌଣସି ଗୋଟିଏ ମାତ୍ର ଦେଶ ପକ୍ଷରୁ ଏହାକୁ ଏକପାଖିଆ ସମର୍ଥନ କରାଯିବା ଏକ ଦଣ୍ଡନୀୟ ଅପରାଧ ବୋଲି ସମଗ୍ର ବିଶ୍ୱ ଜାଣିବ । ବିଭିନ୍ନ ସମୟରେ କେତେକ ରାଷ୍ଟ୍ରରେ ଗୁୁଗୁଲ୍ ସେବା ବିନା କାରଣରେ ବନ୍ଦ ହେଉଥିବାର ଅଭିଯୋଗ ଆସେ । ଆଉ କେତେକ ସମୟରେ ଅନ୍ୟ ଦେଶର ବିବାଦୀୟ ତଥ୍ୟକୁ ଗୋଟିଏ ଦେଶରେ ପ୍ରଦର୍ଶନ କରାଯାଉଥିବାର ବିବାଦ ମଧ୍ୟ ଆସେ । ଆମ ଦେଶରେ ମଧ୍ୟ ଏଭଳି ଘଟଣା ଘଟିଛି । ପାକିସ୍ତାନ୍ର ବିବାଦୀୟ ତଥ୍ୟ ସବୁର ପ୍ରସାରଣକୁ ଭାରତରେ ବନ୍ଦ କରିବା ପାଇଁ ଭାରତ ସରକାର ଗୁଗୁଲ୍କୁ ଅତୀତରେ ବାରମ୍ବାର ସତର୍କ କରାଇଛନ୍ତି । ତେଣୁ କୌଣସି ଗୋଟିଏ ଦେଶରେ ପ୍ରଚଳିତ ଆଇନ୍ ଏବଂ ସରକାର ଜାରି କରିଥିବା ନିଦେ୍ର୍ଦଶାନାମା ଭିତରେ ଗୁଗୁଲ୍ କାର୍ଯ୍ୟ କରିବା ଆବଶ୍ୟକ । ଏଥିରେ ବ୍ୟତିକ୍ରମ ହେଲେ ଭୁଲ୍ ବୁଝାମଣାରୁ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟ ଉପୁଜି ଯାଇପାରେ । 
ବର୍ତ୍ତମାନ ସମୟରେ ଲୋକମାନେ ପାଉଥିବା ସୂଚନାକୁ ତର୍ଜମା କରିବାକୁ ମଧ୍ୟ ଚାହୁଁନାହାନ୍ତି । ଇଣ୍ଟରନେଟ୍ ସେବା ମାଧ୍ୟମରେ ପାଉଥିବା ସୂଚନା ଉପରେ ତତ୍କ୍ଷଣାତ୍ ପ୍ରତିକ୍ରିୟା ପ୍ରକାଶ କରି ଦେଉଛନ୍ତି । ତଥ୍ୟ ଗୁଡ଼ିକର ଉତ୍ସ, ସତ୍ୟତା, ଡ଼ିପ୍ ଫେକ୍ ଭଳି ବଦମାସୀ ଆଦିରୁ ତଥ୍ୟଟି ମୁକ୍ତ କି ନୁହେଁ, ତାହା ଜାଣିବାର ଧୈର୍ଯ୍ୟ ଆଜି ଲୋକଙ୍କ ନିକଟରେ ନାହିଁ । ଲୋକଙ୍କର ଏ ପ୍ରକାରର ମାନିସକତା ଦିନକୁ ଦିନ ବଢୁଛି । ତେଣୁ କୌଣସି ଏକ ରାଷ୍ଟ୍ରରେ ସରକାର ଜାରି କରୁଥିବା ନିଦେ୍ର୍ଦଶାବଳୀକୁ ଗୁୁଗୁଲ୍ ମାନିବାକୁ ବାଧ୍ୟ । ଏହି ସେବାରୁ ଗୁଗୁଲ୍ ମଧ୍ୟ ଅର୍ଥ ପାଉଛି । ଏହା କୌଣସି ଏକ ମାଗଣା ସେବା ନୁହେଁ । ତେଣୁ ଋଷ୍ର ଗୁଗୁଲ୍ ଉପରେ ଲଗାଯାଇଥିବା ଜୋରିମାନାର ପରିମାଣ ଯାହାବି ହେଉନା କାହିଁକି ଏହା ଗୁଗୁଲ୍ ପାଇଁ ଏକ ବଡ଼ ସତର୍କବାଣୀ ।