ନବରାତ୍ରି ନବଦୁର୍ଗା

ନବରାତ୍ରି ନବଦୁର୍ଗା

ନବରାତ୍ରି ଅବସରରେ ପୂଜା ପାଉଥିବା ନଅ ଦେବୀ ନବଦୁର୍ଗା ଭାବେ ଖ୍ୟାତ  । ଦେବୀ ମାହାତ୍ମ୍ୟ ଏବଂ ଦୁର୍ଗା ସପ୍ତସତୀରେ ସେମାନଙ୍କର କଥା ବର୍ଣ୍ଣିତ  । ନବଦୁର୍ଗା ହେଉଛନ୍ତି ଶକ୍ତିଙ୍କ ଭିନ୍ନ ଭିନ୍ନ ଅବତାର  । ସେମାନେ ହେଲେ - ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମଣ୍ଡା, ସ୍କନ୍ଦ ମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାୟିନୀ  । ନବରାତ୍ରିର ପ୍ରଥମ ଦିନରେ ପୂଜା ପାଆନ୍ତା ମାତା ଶୈଳପୁତ୍ରୀ  । "ଶୈଳ' ଅର୍ଥ ପାହାଡ଼ ଓ "ପୁତ୍ରୀ' ଅର୍ଥ କନ୍ୟା  । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ  । ଦକ୍ଷକନ୍ୟା ସତୀ ପ୍ରଥମ ପୁନର୍ଜନ୍ମ ନେଇଥିଲେ ଶୈଳପୁତ୍ରୀ ଭାବେ  । ଦ୍ୱିତୀୟ ପୁନର୍ଜନ୍ମ ନେଇଥିଲେ ହିମାଳୟପୁତ୍ରୀ ପାର୍ବତୀ ରୂପେ ଏବଂ ବିବାହ କରିଥିଲେ ମହାଦେବଙ୍କୁ  । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର  । ଦ୍ୱିତୀୟ ଦିନରେ ପୂଜା ପାଆନ୍ତି ମା'ବ୍ରହ୍ମଚାରିଣୀ  । ତାଙ୍କର ଅନ୍ୟ ନାମଗୁଡ଼ିକ ହେଲା ଉମା, ଅପର୍ଣ୍ଣା ଏବଂ ତପଶ୍ଚାରିଣୀ  । ବ୍ରହ୍ମଚାରିଣୀ ଅର୍ଥ ଚରମ ସତ୍ତାର ସାନ୍ନିଧ୍ୟ ପାଇବା ଲାଗି ସେ ସଦା ତପସ୍ୟାରତ  । ତୃତୀୟ ଦିନରେ ଆରାଧନା କରାଯାଏ ମା'ଚନ୍ଦ୍ରଘଣ୍ଟାଙ୍କୁ  । ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରିଥିବାରୁ ସେ ହେଲେ ଚନ୍ଦ୍ରଘଣ୍ଟା  । ଚତୁର୍ଥ ଦିନରେ ଆବାହନ କରାଯାଏ ମା'କୁଷ୍ମଣ୍ଡାଙ୍କୁ  । ସେ ଅଷ୍ଟଭୁଜା ଏବଂ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକତ୍ରୀ  । ନିଜ ହସ ଦ୍ୱାରା ସେ ଦୂର କରିଥିଲେ ଅନ୍ତହୀନ ଅନ୍ଧକାରକୁ ଏବଂ ଯାହା ଦ୍ୱାରା ସୃଷ୍ଟି ପର୍ବ ଆରମ୍ଭ ହୋଇଥିଲା  । ପଞ୍ଚମ ଦିନରେ ପୂଜା ପାଆନ୍ତି ସ୍କନ୍ଦ ମାତା  । ସେ ଦେବତାଙ୍କ ସେନାମୁଖ୍ୟ କାର୍ତ୍ତିକେୟ ବା ମୁରୁଗ ବା ସ୍କନ୍ଦଙ୍କ ମାତା  । ସେ ହେଉଛନ୍ତି ସକଳ ମାତୃତ୍ୱର ପରିପ୍ରକାଶ ଏବଂ ସ୍ନେହଶୀଳ କ୍ଷମାମୟୀ  । ଷଷ୍ଠ ଦିବସରେ ପୂଜା ପାଆନ୍ତି ମା'କାତ୍ୟାୟାନୀ  । କାତ୍ୟ ମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ  । ସେ ଦୁର୍ଗାଙ୍କର କନ୍ୟା ସ୍ୱରୂପ  । ସ୍ନେହ ଶ୍ରଦ୍ଧାର ପ୍ରତୀକ  । ତେବେ ଧର୍ମ ତଥା ନ୍ୟାୟ ନୀତିର ପ୍ରତିଷ୍ଠା ଲାଗି ସେ ଭୟଙ୍କର ମଧ୍ୟ ହୋଇପାରନ୍ତି  । ସପ୍ତମ ଦିବସରେ ପୂଜା ପାଆନ୍ତି ମା'କାଳରାତ୍ରି  । ତାଙ୍କୁ ମଧ୍ୟ କୁହାଯାଏ ଶୁଭଙ୍କରୀ  । ସେ ଅଜ୍ଞାନତା ଏବଂ ଅନ୍ଧକାରର ଧ୍ୱଂସକର୍ତ୍ତ୍ରୀ  । ଏହି ଅବତାରରେ ସେ ରକ୍ତବୀଜ ରାକ୍ଷସର ରକ୍ତ ଶୋଷି ତାହାକୁ ବଧ କରିଥିଲେ  । ଏହା ହେଉଛି ମା'ଦୁର୍ଗାଙ୍କ ସବୁଠାରୁ ଭୟଙ୍କର ରୂପ  । ଅଷ୍ଟମ ଦିନରେ ଆରାଧନା କରାଯାଏ ମା' ମହାଗୌରୀଙ୍କୁ  । ମହାଗୌରୀଙ୍କ ଅର୍ଥ ହେଉଛି ବିଜୁଳି ପରି ଉଜ୍ଜ୍ୱଳ  । ଶିବଙ୍କୁ ପ୍ରତି ରୂପେ ପାଇବା ପାଇଁ ମହାତପ କରିଥିଲେ ସେ  । ଶେଷରେ ଶିବ ପ୍ରସନ୍ନ ହୋଇ ତାଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇଥିଲେ  । ନବମ ଦିନରେ ପୂଜା ପାଆନ୍ତି ମା'ସିଦ୍ଧିଦାୟିନୀ  । ସେ ଜ୍ଞାନଦାତ୍ରୀ  । ବ୍ରହ୍ମଙ୍କୁ ଅନୁଭବ କରିବା ନିମନ୍ତେ ସେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି  । ସିଦ୍ଧ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଏବଂ ଦେବତାଙ୍କ ଗହଣରେ ସେ ବିଜେ ହୁଅନ୍ତି  । 
ଗୋପୀନାଥ ଦାଶ,ମୋ: ୮୮୯୫୨୯୬୧୬୭