୩୨ବର୍ଷ ପରେ ବି ହେଉନି କୃଷିର ପ୍ର୍ରଗତି: ଯାଜପୁରରେ ଜଳ ପରିଚାଳନା ନୈରାଶ୍ୟଜନକ
ଯାଜପୁର : କୃଷି ବହୁଳ ଯାଜପୁର ଦେଶ ବିଦେଶରେ ଆଜି ଶିଳ୍ପ ବହୁଳ ଜିଲ୍ଲା ଭାବେ ବିଦିତ ହେଉଛି । ରାଜ୍ୟ ଏବଂ ଦେଶର ଆର୍ଥିକ ବିକାଶରେ ଶିଳ୍ପର ଆବଶ୍ୟକତା ଯେତିକି ରହିଛି, କୃଷିର ମଧ୍ୟ ଆବଶ୍ୟକତା ସେତିକି ରହିଛି । ୯୦ ଦଶକରେ କୃଷି ବହୁଳ ଯାଜପୁରରେ ଶିଳ୍ପର ପ୍ରବେଶ ପରେ ଆାର୍ଥିକ ପ୍ରଗତିରେ ପରିବର୍ତ୍ତନ ଘଟିଛି ସତ କିନ୍ତୁ ଯାଜପୁର ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବାର ୩୨ବର୍ଷ ଅତିକ୍ରାନ୍ତ କରି ଯାଇଥିଲେ ହେଁ କୃଷିର ପ୍ରଗତି ଘଟିପାରିନି । ଅବିଭକ୍ତ କଟକ ଜିଲ୍ଲାରୁ ଅଲଗା ହୋଇ ଜନ୍ମ ନେଇଥିବା ଯାଜପୁର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ସ’ତ ହେଲେ କୃଷି ବିକାଶ ଶିଳ୍ପ ବିକାଶ ଠାରୁ ପଛରେ ପଡ଼ିଯାଇଛି ।
ଏହି ୩୨ବର୍ଷ ମଧ୍ୟରେ ଜିଲ୍ଲାର ରାଜନୀତି, ଶିଳ୍ପ, ସ୍ୱାସ୍ଥ୍ୟ, ଗମନା ଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି । କିନ୍ତୁ ନଦନଦୀ ଭରା ଯାଜପୁରରେ କୃଷିର ଉନ୍ନତି କେତେ ଘଟିଛି ତାହାର ସମୀକ୍ଷା କରିବା ଆବଶ୍ୟକତା ଦେଖାଦେଇଛି । ଜିଲ୍ଲାରେ ବୈତରଣୀ, ବ୍ରାହ୍ମଣୀ, ବିରୂପା, କେଲୁଅ, ବୁଢା, ଖରସୋ୍ରତା, କାଣୀ ନଦୀ ସହିତ ବହୁତ ଗୁଡିଏ ଶାଖା ନଦୀ ପ୍ରବାହିତ ହୋଇଛି । ଅତୀତରେ ଏହି ଜିଲ୍ଲାରେ କୃଷି ସମ୍ପଦ ସମ୍ପୂର୍ଣ୍ଣ ରୂପେ ଏହି ନଦୀ ଜଳ, ନାଳ ଓ ପୋଖରୀରେ ଥିବା ସଂରକ୍ଷିତ ଜଳ ଉପରେ ନିର୍ଭରଶୀଳ ଥିଲା । ସଂରକ୍ଷିତ ଜଳ ଉପଯୋଗ କରି କୃଷକ ମନଭରି ଫସଲ, ପନିପରିବା, ତୈଳବୀଜ ଫସଲ ଉତ୍ପାଦନ କରୁଥିଲେ । କିନ୍ତୁ ସମୟକ୍ରମେ କୃଷି କ୍ଷେତ୍ରକୁ ସହାୟ ହେବା ଭଳି ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଭଳି ଯୋଜନା ଗୁଡିଏ ମୁଣ୍ଡ ଟେକି ଉଠିଲା । ତାପରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, ଜଳଭଣ୍ଡାରରେ ଜଳ ସଂରକ୍ଷଣ ପ୍ରକଳ୍ପ ବଡବଡ ଯୋଜନା ସୃଷ୍ଟି ହେଲା । ସେଥିରେ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ ରହିଲା । ଉଠା ଜଳସେଚନ ପରେ ପାଣି ପଂଚାୟତ ଆରମ୍ଭ ହେଲା । ଯେଉଁଥିରେ ବହୁଅର୍ଥ ବ୍ୟୟ କରାଗଲା ସତ କିନ୍ତୁ ତାହା ଠପ୍ ହୋଇଗଲା । ଜିଲ୍ଲାରେ ମୁଣ୍ଡ ଟେକିଥିବା ଅନେକ ପ୍ରକଳ୍ପ ଥାଇ ମଧ୍ୟ ନଥିଲା ପରି । ମଣିଷକୃତ ହେଉ କିମ୍ବା ପ୍ରକୃତିଗତ ହେଉ ଗତ ୨୮ବର୍ଷ ହେଲା ମାଟିର ଆଦ୍ରତା ଏବଂ ଗ୍ଲାସିଆରରେ ଗଚ୍ଛିତ ଜଳର ପରିମାଣ କ୍ରମାଗତ ଭାବେ କମିବାରେ ଲାଗିଛି । ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ବ୍ୟବସ୍ଥା ଜିଲାକୁ ଅନେକ ସମୟରେ ମରୁଡି ପ୍ଲାବିତ କରିପାରିଛି । ଜିଲ୍ଲାରେ ୧ଲକ୍ଷ ୪୪ ହଜାର ହେକ୍ଟର ଚାଷ ଜମି ଅଛି । ସେଥି ମଧ୍ୟରୁ ମାତ୍ର ୩୩ ପ୍ରତିଶତ ଜଳସେଚିତ ଜମି ଥିବା ବେଳେ ଅବଶିଷ୍ଟ ମରୁଡି ପ୍ରବଣ ଜମି ଅଛି । ଜିଲ୍ଲାର ଚାଷ ଜମିକୁ ଭରସାଥିଲା ଏକମାତ୍ର ଷଠିପୁର ବା ଆଖୁଆପଦା ବ୍ୟାରେଜ । କାହିଁ କେଉଁ କାଳରୁ ଯାଜପୁର, ଭଦ୍ରକ ଜିଲାର ସୀମାରେ ଏହି ବ୍ୟାରେଜ ବ୍ରିଟିଶ ଅମଳରୁ ତିଆରି ହୋଇଥିଲା । ସେତେ ବେଳେ ଏଭଳି ସରକାରୀ ପ୍ରକଳ୍ପ ନଥିଲା । ବୈତରଣୀରେ ବହି ଆସୁଥିବା ବନ୍ୟା ଜଳକୁ ରୋକିବା ସହିତ ଉଭୟ ଯାଜପୁର ଜିଲ୍ଲାର ୫୦ଭାଗ ଅଞ୍ଚଳକୁ ପାଣିି ଯୋଗାଇ ଆସୁଥିଲା । ଯାହାର କ୍ଷମତା ଥିଲା ୫,୫୦୦ ମିଲିଅନ ଘନ ମିଟର । ଯାହା ପାଣିକୁ ଅଟକାଇ ରଖାଯାଉଥିଲା । ଏହି ବ୍ୟାରେଜରୁ ଆସୁଥିବା ପାଣି ଖରା, ବର୍ଷା ଓ ଶୀତ ଦିନେ ଯାଜପୁର ବ୍ଲକ୍ର ୨ହଜାର ହେକ୍ଟର, ଜମିକୁ ପାଣି ଯୋଗାଉଥିଲା । ଏଥିରୁ ବାହାରିଥିବା କେନାଲଟି ମକେଇପୁର ଦେଇ ଚଇନପୁର, ବିଦ୍ୟାଧରପୁର, ସୁନିନ୍ଦା, ମଙ୍ଗଳପୁର, ବାରବାଟି ଦେଇ କଲେଜ ପାଖରୁ ବାହାରି ଗୋବିନ୍ଦପୁର, ବାସୁଦେବପୁର, ଜାଲପୁର, କମଳପୁର, ବନ୍ଧମୁଣ୍ଡା ଦେଇ ବିଞ୍ଝାରପୁର ବ୍ଲକ୍ର ଗୁହାଳୀ, ଘଂଟିଆଲି ଦେଇ ବାଙ୍କିପାଳ ଠାରେ ପହଁଚିଛି । ଏହିସବୁ ଅଞ୍ଚଳର ପ୍ରାୟତଃ ୨୦ହଜାର ହେକ୍ଟର ଜମିକୁ ସବୁଦିନିଆ ପାଣି କେନାଲରେ ଆସୁଥିଲା । ବିଜିପୁରଠାରୁ ଏହାର ଅନ୍ୟ ଏକ ଶାଖା କେନାଲ ଇନ୍ଦଇସ, ଶାସନ୍ଦା, ଅରେଇ, ଦେଇ ଲେଙ୍କା ସହିଠାରେ ପହଁଚିଛି । ଏଥିରୁ ଚାଷୀମାନେ ମନଇଚ୍ଛା ପାଣି ପାଇ ନିଜକୁ ଜମିରେ ବିଭିନ୍ନ ଋତୁରେ ଚାଷ କରୁଥିଲେ । ବିଞ୍ଝାରପୁର ବ୍ଲକର ଅଙ୍ଗାଳୋ ଘାଟଠାରେ ଉଠା ଜଳସେଚନ ବ୍ୟବସ୍ଥା ହୋଇ ନଦୀ ପାଶ୍ୱର୍ରେ ମେସିନ ବସି ବଡ ବଡ ପାଇପ ଯୋଗେ ଏ ଅଞ୍ଚଳର ମରୁଡି ପ୍ରବଣ ଜମିକୁ ପାଣିି ଯୋଗାଇ ଦେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ତାହା ଅଧପନ୍ତରିଆ ହୋଇ ଦୀର୍ଘ ୪୦ବର୍ଷ ହେବ ପାଇପ ଗୁଡିକ ପଡି ରହିଛି । ଯାଜପୁର ଓ ଭଦ୍ରକର ୬ଟି ଉପନଦୀର ପାଣି ବୈତରଣୀ ଦେଇ ବ୍ୟାରେଜରେ ମିଶିଥାଏ । ଆଖୁଆପଦା ବ୍ୟାରେଜ ପାଣି ଦ୍ୱାରା ଯାଜପୁର ଓ ବିଞ୍ଝାରପୁର ବ୍ଲକ୍ର ୧୨ହଜାର ହେକ୍ଟର ଜମିରେ ଧାନ ବ୍ୟତୀତ ପରିବା ଚାଷ ହେଉଥିଲା । ନଦୀକୂଳିଆ ଅଞ୍ଚଳରେ ବିଭିନ୍ନ ଋତୁର ପନିପରିବା ଚାଷ କରାଯାଇ ଜିଲ୍ଲାଟି ଆତ୍ମନିର୍ଭରଶୀଳ ଥିଲା । ମାତ୍ର ଏବେ ନଦୀର ଶୁଖିଲା ଶଯ୍ୟା ଯୋଗୁ ବିଭିନ୍ନ କୃଷି ସମସ୍ୟା ମୁଣ୍ଡ ଟେକିଛି । ଆଖୁଆପଦା ବ୍ୟାରେଜର ପୁନଃ ନିର୍ମାଣ ହୋଇ ପାରି ନ ଥିବାରୁ ତାର ଜଳଧାରଣ କ୍ଷମତା ମଧ୍ୟ ସଙ୍କୁଚିତ ହେବା ସହ ବ୍ୟାରେଜ ଭୁଷୁଡି ପଡିବାର ଆଶଙ୍କା ରହିଛି । କେନାଲ ଗୁଡିକ ପାଣି ଅଭାବରୁ ୧୦ମାସ ଶୁଖିଲା ହୋଇପଡିରହୁଛି । ଯାହାଫଳରେ ଜିଲାରୁ ପନିପରିବା ହ୍ରାସପାଇ ଏବେ ଲୋକମାନେ ଅନ୍ୟଜିଲା ଉପରେ ନିର୍ଭଶୀଳ ହୋଇପଡିଛନ୍ତି । ମାଛଚାଷ ମଧ୍ୟ ଲୋପ ପାଇଯାଇଛି । ଆନ୍ଧ୍ର ଉପରେ ଜିଲ୍ଲାଟି ନିର୍ଭରଶୀଳ ହୋଇ ପଡିଛି । ସ୍ଥାନୀୟ ଲୋକଙ୍କର କୁଟୀରଶିଳ୍ପ ବନ୍ଦ ହୋଇଯାଇଛି । ପନିପରିବା ମୂଲ୍ୟ ମାତ୍ରାଧିକ ବୃଦ୍ଧି ପାଇଚାଲିଛି । ତୈଳବୀଜ ଫସଲ ଲୋପ ପାଇଛି । ମରୁଡି ପ୍ରବଣ ଅଞ୍ଚଳର ଚାଷୀଙ୍କ ପାଇଁ ସରକାର ବର୍ଷକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି କିନ୍ତି ଫଳ କିଛି ନାହିଁ । ନଦୀରୁ ବାଲିଉଠାବା ଦିଗରେ ଟ୍ରାକ୍ଟର ଗୁଡିକୁ ଲଗାମ ନାହିଁ । ସରକାରଙ୍କର କୌଣସି ନିୟମ କରାଯାଉ ନାହିଁ । ଯାହାଫଳରେ ନଦୀ ଶଯ୍ୟାର ଭୂତଳଜଳ ହ୍ରାସ ପାଉଛି । ବର୍ଷାଦିନେ ବର୍ଷା ଜଳକୁ ଧରିରଖିବା ପାଇଁ କୌଣସି ଯୋଜନା କରାଯାଉ ନାହିଁ । ଧର୍ମଶାଳା, କୋରେଇ ଅଞ୍ଚଳରେ ଜଳର ସଙ୍କଟ ବହୁ ଦିନରୁ ଦେଖା ଦେଲାନି । ରେଙ୍ଗାଲୀ ପ୍ରକଳ୍ପ ଏଯାବତ ପୂର୍ଣ୍ଣାଙ୍ଗ ହୋଇ ନପାରିବା ଫଳରେ ପଶ୍ଚିମ ଯାଜପୁର ଅଞ୍ଚଳ ପ୍ରଭାବିତ ହୋଇଛି । ସେହିପରି ଡ୍ୟାମ ନିର୍ମାଣରେ ତୋଷରପାତ କୃଷି ବିକାଶରେ ଅନ୍ତରାୟ ସୃଷ୍ଟି କରିଛି । ସରକାରଙ୍କ ପକ୍ଷରୁ ୮୦କୋଟି ଟଙ୍କା ବ୍ୟୟରେ ୨୦ଟି ଜିଲ୍ଲାପାଇଁ ୧୦୦ଟି ଚେକ୍ଡ୍ୟାମ ଓ ୪ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିବାକୁ ଯାଉଥିବା ବେଳେ ଏହି ଜିଲାର ନାଁ ଗନ୍ଧ ନାହିଁ । ଜିଲ୍ଲା ଗଠନ ହେବାର ୩୨ବର୍ଷ ଅତିକ୍ରମ କରିଗଲାଣି । କିଛି ପ୍ରଗତୀ ହୋଇଛି, ଏହା ସ୍ୱୀକାର କରାଯାଇପାରେ । କିନ୍ତୁ କୃଷି କ୍ଷେତ୍ରର ଉନ୍ନତି ପାଇଁ ଜଳ ପରିଚାଳନା ଖୁବ ନୈରାଶ୍ୟଜନକ ରହିଛି ।