ମୁକ୍ତି ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧି

ଅକ୍ଷୟ କୁମାର ରାଉତ : ପୁଣ୍ୟ ଭୂମି ଭାରତ ।  ଏଠାରେ ଅନେକଧର୍ମ ,ସମ୍ପ୍ରଦାୟ, ଜାତି,ବର୍ଣ୍ଣ ଓ ବିଭିନ୍ନ ଭାଷାର ଲୋକ ବସବାସ କରନ୍ତି । ଏହି ପବିତ୍ର ଭୂମିରେ ଯେଉଁ କେତୋଟି ଉଜ୍ଜ୍ୱଳ ଜ୍ୟୋତିଷ୍କ ଉଦ୍ଭାସିତ ହୋଇ ସମଗ୍ର ବିଶ୍ୱକୁ ଦେଖାଇଥିଲେ ସତ୍ୟ, ଶାନ୍ତି,ଦୟା,କ୍ଷମା,ତ୍ୟାଗ ଓ ଅହିଂସାର ପଥ । ସେମାନଙ୍କ ମଧ୍ୟରୁ ସତ୍ୟ ଓ ଅହିଂସାର ପୂଜାରୀ, ଦୀନ ଦୁର୍ବଳର ବନ୍ଧୁ, ସ୍ୱାଧୀନ ଭାରତର ସ୍ରଷ୍ଟା, ଜାତିର ଜନକ, ଯୁଗ ମାନବ ମହାତ୍ମାଗାନ୍ଧି ୧୮୬୯ ଖ୍ରୀଷ୍ଟାଦ୍ଦ, ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦର ଠାରେ ଏକ ବୈଶ୍ୟ ବଣିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ସମୟରେ ମହାତ୍ମା ଗାନ୍ଧିଙ୍କର ନାମ ଥିଲା ‘ମୋହନ ଦାସ କରମଚାନ୍ଦ ଗାନ୍ଧି’ ।  ପିତା କରମଚାନ୍ଦ(କାବା) ଗାନ୍ଧି ଓ ମାଆଙ୍କର ନାମ ଥିଲା ପୁତ୍ଲୀବାଈ । କାବା ଗାନ୍ଧୀଙ୍କର ତିନୋଟି ସ୍ତ୍ରୀ ମରିଯିବା ପରେ ପୁତ୍ଲୀବାଇ ଥିଲେ ଚତୁର୍ଥ ସ୍ତ୍ରୀ ପୁତ୍ଲୀବାଇଙ୍କର ଚାରୋଟି ସନ୍ତାନ ମଧ୍ୟରୁ ମୋହନ ଥିଲେ ସବାସାନ  । କାବା ଗାନ୍ଧି ଥିଲେ ସାଧୁ ଓ ନୀତିନିଷ୍ଠ । ପୁତ୍ଲୀବାଈ ଥିଲେ ଧର୍ମ ପରାୟଣା, ସ୍ନେହ ବସôଳା, ତ୍ୟାଗମୟୀ ମାତା । ପିତାମାତାଙ୍କର ଏହି ସବୁ ସଦ୍ଗୁଣା ବଳି ଦ୍ୱାରା ମୋହନଦାସ ପ୍ରଭାବିତ ହୋଇଥିଲେ । ସମୟ କ୍ରମେ ମୋହନଦାସ ହେଲେ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ । ସତ, ଅହିଂସା ମହାମନ୍ତ୍ରରେ  କାଶ୍ମୀର ଠାରୁ କୁମାରୀକାଯାଏ ଭାରତୀୟମାନଙ୍କୁ ଏକତ୍ରୀତ କରିପାରିଥିଲେ ।
ଗାନ୍ଧିଜୀଙ୍କ ବଂଶ ବିଭିନ୍ନ ରାଜ୍ୟରେ ଦେୱାନ ଭାବରେ କାମ କରୁଥିଲେ । ମୋହନ ଦାସ ପ୍ରଥମ ଲୁଲିଆ ମାଷ୍ଟ୍ରଙ୍କ ଚାଟଶାଳିରେ ପାଠ ପଢା ଆରମ୍ଭ କଲେ । ତାପରେ ବ୍ରାଂଚ ସ୍କୁଲରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପଢିଲେ । ୧୮୮୦ ମସିହାରେ ତାଲୁକ ସ୍କୁଲରୁ ପାଶ୍ କରି କାଥିଆ ୱାର୍ଡ଼ ହାଇସ୍କୁଲରେ ପାଠ ପଢିଲେ । ସେ ଭଲ ପାଠ ପଢୁନଥିଲେ ମଧ୍ୟ ଉତ୍ତମ ଚରିତ୍ର ପାଇଁ ଶିକ୍ଷକମାନଙ୍କ ଶୁଭ ଦୃଷ୍ଟିରେ ରହିଥିଲେ । ଏକଦା ଇନିସ୍ପେକ୍ଟର ସ୍କୁଲ ପରିଦର୍ଶନରେ ଆସିଥିଲେ । ପ୍ରଧାନ ଶିକ୍ଷକ ଗାନ୍ଧିଙ୍କୁ ପାଖ ପିଲାଠାରୁ ଠିକ୍ ଉତ୍ତର ଲେଖିବା ପାଇଁ ଯେତେ ଠାରିଲେ ମଧ୍ୟ ଗାନ୍ଧି କପି କରିନଥିଲେ । କାରଣ ତାଙ୍କ ଉପରେ ଶ୍ରବଣ କୁମାର ଓ ହରିଶ୍ଚନ୍ଦ୍ରଙ୍କର ନିଷ୍ଠା, ତ୍ୟାଗ, ସତ୍ୟର ପ୍ରଭାବ ପଡ଼ିଥିଲା । ପିଲା ସମୟରେ ସେ ସାଙ୍ଗମାନଙ୍କ ସାଙ୍ଗରେ ପଡ଼ି ବିଡ଼ି ଟାଣିବା ଅଭ୍ୟାସ ପ୍ରତିଜ୍ଞା ବଳରେ ଛାଡ଼ି ପାରିଥିଲେ । ପରବର୍ତ୍ତୀ ସମୟରେ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ  ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ମୁସଲମାନ ସାଙ୍ଗ ପରୋଚନାରେ ଥରେ ମାଂସ ଖାଇଥିଲେ । ମାତ୍ର ମୋହନ ଜୀବନରେ ଆଉ କେବେ ଆମିଷ ଛୁଇଁ ନଥିଲେ । ମୋହନଙ୍କର ଠିକ୍ ସାତବର୍ଷ ବେଲେ କସ୍ତୁରୀବାଇଙ୍କ ସହିତ ନିର୍ବଦ୍ଧ ଓ  ତେରବର୍ଷ  ବୟସରେ ବିବାହ ହୋଇଥିଲା । ପରଅବସ୍ଥାରେ ସେ ବାଲ୍ୟ ବିବାହ ସମାଜରୁ ଉଠାଇବାକୁ ଅନେକ ଉଦ୍ୟମ କରିଥିଲେ । ପିତାଙ୍କର ମୃତୁ୍ୟ ପରେ ମୋହନ ବାପ ଛେଉଣ୍ଡ ହୋଇଗଲେ । ତାଙ୍କର କାମ ଓ ଆଚରଣରେ ବହୁତ ପରିବର୍ତନ ଘଟିଲା । ମନଲଗାଇ ପାଠ ପଢି ୧୮୮୭ ମସିହାରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାସ୍ କରି ବୃତ୍ତି ପାଇଲେ । ଭାବନଗରସ୍ଥ ସାମଲ ଦାସ କଲେଜରେ ନାମ ଲେଖାଇଲେ । ସେଠାରେ ସେ ଇଂରାଜୀରେ ପାଠ ପଢିବାକୁ ଭୟକଲେ । ପାଠପଢି ପାସ୍ କଲେ ମଧ୍ୟ ଚାକିରି ମିଳି ବା କଷ୍ଟ ତେଣୁ ସେ ଲଣ୍ଡନ ଯାଇ ତିନି ବର୍ଷରେ ବାରିଷ୍ଟରୀ ପାସ୍ କରିଆସିଲେ ଭଲ ଦି ପଇସା ରୋଜଗାର କରିପାରିବେ । ଗାନ୍ଧି ପରିବାରର ଜଣେ ଦିଜଣ ବନ୍ଧୁଙ୍କର ପୁଅ ଲଣ୍ଡନରେ ପଢୁଥାନ୍ତି । ତେଣୁ ଗାନ୍ଧି ଲଣ୍ଡନ ରେ ରହି ପାଠ ପଢିବା ପାଇଁ ମନ ବଳାଇଲେ । ପୁଅର ଲଣ୍ଡନ ଯିବାକଥାଟା ମା ମନକୁ ପାଇଲା ନାହିଁ । ପରିଶେଷରେ ମାଆ ଗାନ୍ଧିଙ୍କୁ ମୁଣ୍ଡ ଛୁଆଁ ଶପଥ କରାଇନେଲେ, ତିନୋଟି କଥା ରକ୍ଷା କରିବା ପାଇଁ , ମଦ ପିଇବୁ ନାହିଁ, ମାଛ ମାଂସ ଖାଇବୁ ନାହିଁ, କୌଣସି ସ୍ତ୍ରୀ ଓ ଝିଅକୁ ଛୁଇଁବୁ ନାହିଁ । 
ମୋହନ ୧୮୮୮ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ ସ୍ତ୍ରୀ କସ୍ତୁରବା ଓ ପୁଅ ହରିଲାଲକୁ ଛାଡ଼ି ବମ୍ବେ ବନ୍ଦରରୁ ଜାହାଜରେ ଲଣ୍ଡନ ଯାତ୍ରା କଲେ । ଦୀର୍ଘ ପଚିଶ ଦିନର ଯାତ୍ରା ପରେ ମୋହନ ଲଣ୍ଡନରେ ପହଂଚିଲେ । ଭିକ୍ଟୋରିଆ ହୋଟେଲେରେ ତିନି ଦିନ ରହିବା ପରେ , ମୋହନ ଜଣେ ଭଦ୍ର ମହିଳାଙ୍କ ଘରେ ରହିଲେ । ସେ ଇଂରାଜୀରେ ଦୁର୍ବଳ ଥିବାରୁ ଶିକ୍ଷକଙ୍କ ଠାରୁ ଇଂରାଜୀ ଓ ଫରାସୀ ଶିକ୍ଷା କଲେ । ମନୋରଞ୍ଜନ ପାଇଁ ଭାୟୋଲିନ ତାଲିମ ନେଲେ । ସେଠାରେ ଆଉଥରେ ମାଟ୍ରିକ ପରୀକ୍ଷା ଦେଇ ପାଶ୍ କଲେ । ଲାଟିନ୍ ମଧ୍ୟ ଶିଖି ପାରିଲେ । ତାଙ୍କର ଘର କଥା ମନେପଡ଼ିବାରୁ ସେ ସାହେବୀ ଢଙ୍ଗ ଛାଡ଼ି ଖାଣ୍ଟି ଭାରତୀୟ ହୋଇଗଲେ । ନିଜ ଧର୍ମ ସହିତ ଅନ୍ୟ ଧର୍ମକୁ ମଧ୍ୟ ସମାନ ଦୃଷ୍ଟିରେ ଦେଖୁଥିଲେ । ୧୮୯୧ ମସିହାରେ ମେ ମାସରେ ବାରିଷ୍ଟରୀ ପାଶ୍ କରି ଜୁନ୍ ମାସରେ ବାରିଷ୍ଟରୀ ଅନୁମତି ପତ୍ର ହାସଲ କରି ଜନ୍ମ ମାଟିକୁ ଫେରି ଆସିଲେ । ଜନ୍ମ ମାଟିରେ ପହଂଚିଲା ବେଳକୁ ତାଙ୍କ ମା ଆଉ ଇହଧାମରେ ନଥିଲେ । ସେ ନିଜକୁ ଅନେକ ଧିକ୍କାର କଲେ । 
ବଡ଼ ଭାଇ ପରିବାର ପ୍ରତିପୋଷଣ ପାଇଁ ଅନେକ ଧାର କରଜ କରିଥିଲେ । ସେ ସବୁର ପରିଶୋଧ ପାଇଁ ମୋହନ ଆଇନ୍ ବ୍ୟବସାୟ ଆରମ୍ଭ କଲେ । ଆଇନ୍ ବ୍ୟବସାୟରେ ଅସଫଳ ହୋଇ ଶିକ୍ଷକତା ଆରମ୍ଭ କଲେ । ଶିକ୍ଷକତା ପାଇଁ ବିଶ୍ୱ ବିଦ୍ୟାଳୟରେ ଡ଼ିଗ୍ରୀ ନଥିବାରୁ ସେ କିରାଣି ଗିରିକୁ ଆଦରି ନେଲେ । ଅଳ୍ପ ରୋଜଗାରରେ ତାଙ୍କର ଗୁଜୁରାଣ ମେଣ୍ଟି ପାରୁନଥିଲା । ଏହି ସମୟରେ କାଥିଆୱାଡ଼ର ଏକ ମୁସଲମାନ ପ୍ରତିଷ୍ଠାନ ଦକ୍ଷିଣ ଆଫ୍ରିକାରେ ବ୍ୟବସାୟ କରୁଥାଏ  । ସେ ଜଣେ ସଚ୍ଚୋଟ ସାଧୁ ଓକିଲାତି ପାଶ୍ କରିଥିବା ବ୍ୟକ୍ତିର ଆବଶ୍ୟକତା ଲୋଡ଼ୁଥିଲେ । ମୋହନ ଏହି ପ୍ରତିଷ୍ଠାନରେ ଦକ୍ଷିଣ ଆଫ୍ରିକାରେ ଏକ ବର୍ଷ ପାଇଁ ଯୋଗ ଦେଲେ । ମାତ୍ର ସେଠାରେ ସେ ବହୁ ବର୍ଷ ରହିଗଲେ । ୧୮୯୩ ମସିହାରୁ ଯାଇ ଫେରିଲେ ୧୯୧୪ ମସିହାରେ । ମୋହନ ଦକ୍ଷିଣ ଆଫ୍ରିକାର ନାଟାଲ ପ୍ରଦେଶର ରାଜଧାନୀ ଡ଼ର୍ବାନ ସହରରେ ରହୁଥିଲେ । ଥରେ ମକଦ୍ଦମା କାମରେ ମୋହନ ଟ୍ରାନ୍ ସଭାଲର ରାଜଧାନୀ ପ୍ରିଟୋରିଆ କୁ ପ୍ରଥମ ଶ୍ରେଣୀ ଟିକଟ୍ କାଟି ଡ଼ର୍ବାନରୁ ଟ୍ରେନ ଯାତ୍ରା ଆରମ୍ଭ କଲେ । ମରିସବର୍ଗଷ୍ଟେସନରେ ଜଣେ ଗୋରା ସାହେବ ରେଳ କର୍ମଚାରୀ ମାନଙ୍କ ଦ୍ୱାରା ମୋହନଙ୍କୁ  ଡ଼ବା ତଳକୁ ଠେଲି ଦେଲେ ଓ ଜିନିଷ ପତ୍ର ପ୍ଲାଟ ଫର୍ମ ଉପରକୁ ଫୋପାଡ଼ି ଦେଲେ । ମରିସ ବର୍ଗ ଷ୍ଟେସନର ବିଶ୍ରାମ ଗୃହର, ଏକ ଶିତରାତ୍ରୀ ମୋହନଙ୍କ ଜୀବନର ଗତିପଥ ବଦଳାଇ ଦେଲା । ଡ଼ରକୁଳା ମୋହନ ଦୁଃସାହସୀ, ନିର୍ଭୀକ, ହୋଇଗଲେ । ସେ ଦଳିତ,ଅବହେଳିତ, ଅତ୍ୟାଚାରିତ, ସର୍ବ ହରାଙ୍କର ସାଥୀ, ମୁକ୍ତିଦାତା, ରକ୍ଷାକର୍ତ୍ତା, ଭାଗ୍ୟବିଧାତା ହୋଇ କଳା ଲୋକମାନଙ୍କ ପାଇଁ ଲଢେଇ ଆରମ୍ଭ କରି ଦେଲେ । ବ୍ୟବସାୟୀ ଅବଦୁଲ୍ଲାଙ୍କ ସାହାଯ୍ୟରେ ଭାରତୀୟମାନଙ୍କୁ ଏକତ୍ରୀତ କଲେ । ରେଳ ବିଭାଗରେ ମୋହନଙ୍କ ଯୋଗୁ କଳା ଲୋକମାନେ ପ୍ରଥମ ଶ୍ରେଣୀରେ ଯାତାୟତ କଲେ । ଭାରତରେ ଜାତୀୟ କଂଗ୍ରେସ ଗଠନକୁ ଦେଖି, ମୋହନ ନାଟାଲ ଠାରେ ନାଟାଲ କଂଗ୍ରସ ଗଠନ କଲେ । ନାଟାଲ କଂଗ୍ରେସ ମାଧ୍ୟମରେ ଭାରତୀୟମାନଙ୍କ ଦାବି ନାଟାଲ ସରକାରଙ୍କୁ ଜଣାଇଲେ ।
ଭାରତରୁ ଯେଉଁ ଶ୍ରମିକମାନେ ପାଂଚ ବର୍ଷ ଚୁକ୍ତି ଭିତିରେ ଦକ୍ଷିଣ ଆଫ୍ରିକାର ନାଟାଲ ଅଂଚଳକୁ ଯାଉଥିଲେ ପାଂଚ ବର୍ଷିଆ ଚୁକ୍ତି ଶେଷ ପରେ ସେଠାରେ ରହିବାକୁ ହେଲେ ଜଣକୁ ବର୍ଷକୁ ପଚିଶ ପାଉଣ୍ଡ କର ଦେବାକୁ ପଡ଼ୁଥିଲା । ତେଣୁ ସେମାନେ ସାହେବଙ୍କର ଦାସ ପାଲଟିବାକୁ ବାଧ୍ୟ ହେଉଥିଲେ । ଦକ୍ଷିଣ ଆଫ୍ରିକାର କଳା ଗୋରା ମାନଙ୍କ ମଧ୍ୟରେ ଥିବା ବର୍ଣ୍ଣ ବୈଷମ୍ୟ ଓ ଶ୍ରମିକ ଶୋଷଣ ବାଦକୁ ଦୂରେଇବା ପାଇଁ ଗାନ୍ଧିଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି । ଦକ୍ଷିଣ ଆଫ୍ରିକାରେ ଗାନ୍ଧି ଶ୍ରମିକମାନଙ୍କର ତ୍ରାଣକର୍ତ୍ତା ପାଲଟି ଯାଇଥିଲେ । ଶେଷରେ ଗାନ୍ଧିଙ୍କ ନାଟାଲ କଂଗ୍ରେସ ପାଖରେ ନାଟାଲସରକାର ମୁଣ୍ଡ ନୂଆଁଇଲେ । 
୧୮୯୬ ମସିହାରେ ଗାନ୍ଧି ଭାରତକୁ ଫେରିଆସି ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ଦୁଃଖ ଦୁର୍ଦଶାକୁ ଏକ ପୁସ୍ତକ ମାଧ୍ୟମରେ ଲେଖି ି ଏହାର ଦଶ ହଜାର କପି ଛାପି ସବୁଆଡ଼କୁ ପଠାଇଲେ । ଲଣ୍ଡନରେ ଇଂରେଜ ସରକାର ଓଅଧିକାଂଶ ଭାରତୀୟ ଜାଣିଲେ । ଗାନ୍ଧିଙ୍କ ପାଇଁ ସଭା ସମିତି ·ରିଆଡ଼େ ଆୟୋଜନ ହେଲା । କିନ୍ତୁ କଲିକତାରେ ସଭା କରାଇବା ଆଗରୁ ଦକ୍ଷିଣ ଆଫ୍ରିକାର ଟେଲିଗ୍ରାମ ପାଇ ଗାନ୍ଧି, ସ୍ତ୍ରୀ, ଦୁଇପୁଅ ଓ ଜଣେ ଭଣଜାକୁ ଧରି ଅବଦୁଲାଙ୍କ ଜାହାଜରେ ଡ଼ର୍ବାନ ଅଭିମୁଖେ ଯାତ୍ରା କଲେ । ମାତ୍ର ଡ଼ର୍ବାନରେ କିଛି ଖଳପ୍ରକୃତିର ଗୋରା ମାନେ ପ୍ରଚାର କରିଦେଲେ ଯେ ଗାନ୍ଧି ଦୁଇଟି ଜାହାଜରେ ଭାରତୀୟ ଗୁଣ୍ଡା ମାନଙ୍କୁ ଧରି ଇଂରେଜମାନଙ୍କୁ ମାରିବା ପାଇଁ ଆସୁଛନ୍ତି । ଜାହାଜକୁ ବନ୍ଦÿର ମଧ୍ୟକୁ ପ୍ରବେଶ କରାଇ ଦେଲେ ନାହଁ । ୨୩ ଦିନପରେ ଇଂରେଜମାନେ ଜାଣିଲେ ଯେ ଜାହାଜରେ କେହି ଗୁଣ୍ଡା ନାହାଁନ୍ତି, ତାପରେ ଅନୁମତି ମିଳିଲା । ଲଫଟନ ସାହେବ ଏକ ଗାଡ଼ିରେ କସ୍ତୁରବା ଓ ପିଲାମାନଙ୍କୁ ଜଣେ ବନ୍ଧୁଙ୍କ ଘରକୁ ପଠାଇ ଦେଲେ । ନିଜେ ଓ ଗାନ୍ଧି ଚାଲି ଚାଲି ରାସ୍ତାରେ ବନ୍ଧୁଙ୍କ ଘରକୁ ଯିବା ସମୟରେ କିଛି ଇଂରେଜ ଗୁଣ୍ଡା ଲୋକ ଗାନ୍ଧିଙ୍କୁ ନିର୍ଦୟ ଭାବରେ ପିଟି ଚାଲିଥାନ୍ତି । ସେହି ରାସ୍ତା ଦେଇ ଏସ୍.ପି ଙ୍କ ସ୍ତ୍ରୀ ଯାଉଥିବାରୁ ଗୁଣ୍ଡାମାନେ ଦେଖି ଗାନ୍ଧିଙ୍କୁ ଛାଡ଼ି ପଳାଇଲେ । ପୋଲିସ ଆସି ଗାନ୍ଧିଙ୍କୁ ନେଇ ତାଙ୍କ ବନ୍ଧୁଙ୍କ ଘରେ ଛାଡ଼ି ଦେଇଥିଲେ । ଏହି ଖବର ଲଣ୍ଡନରେ ପହଂଚିଲା । ବ୍ରିଟିଶ ସରକାରଙ୍କ ପାଖରୁ, ନାଟାଲ ସରକାରଙ୍କ ପାଖକୁ ନିଦେ୍ର୍ଦଶ ଆସିଲା । ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଅନ୍ତୁ । କିନ୍ତୁ ଗାନ୍ଧି ସମସ୍ତଙ୍କୁ କ୍ଷମା କରିଦେଲେ । 
ଦକ୍ଷିଣ ଆଫ୍ରିକାରେ ଡ଼ଚ ଓ ଇଂରେଜ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଶାସନ କରୁଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଲାଗିଗଲା । ଗାନ୍ଧି ଏକ ଆମ୍ବୁଲାନ୍ସ ବାହିନୀ ଗଠନ କରି ଉଭୟ ଆହତ ସୈନ୍ୟମାନଙ୍କର ସେବା କଲେ । ଯୁଦ୍ଧରେ ବୁଅର ବା ଡ଼ଚ ମାନେ ହାରିଗଲେ । ଇଂରେଜ ସରକାର ଗାନ୍ଧିଙ୍କର ସେବା ପାଇଁ ତାଙ୍କୁ ଯୁଦ୍ଧ ପଦକ ପ୍ରଦାନ କଲେ । ୧୯୦୧ ମସିହା ଡ଼ିସେମ୍ବର ମାସରେ ଜାତୀୟ କଂଗ୍ରେସ ତରଫରୁ କଲିକତା ଠାରେ ଏକ ବିରାଟ ସଭା ହେଲା । ଏଥିରେ ଗାନ୍ଧି ଯୋଗ ଦେଲେ । ସେଠାରେ ଭାରତ ସେବକ ସଂଘର ସଭାପତି ଗୋପାଳ କୃଷ୍ଣ ଗୋଖଲେଙ୍କ ଆଚରଣରେ ମୁଗ୍ଧ ହୋଇ ତାଙ୍କୁ ରାଜନୈତିକ ଗୁରୁ ଭାବରେ ଗ୍ରହଣ କଲେ । ଆଣ୍ଠୁ ଲୁଚୁନଥିବା ଖଦି ବ୍ୟବହାର କରିବା ସଙ୍ଗେ ସଙ୍ଗେ ପ୍ରଥମ ଶ୍ରେଣୀରେ ଯାତ୍ରା ପରିବର୍ତ୍ତେ ତୃତୀୟ ଶ୍ରେଣୀରେ ଯିବା ଆସିବା କଲେ । ଗାନ୍ଧି ଦକ୍ଷିଣ ଆଫ୍ରିକା ଫେରିଆସିଲେ । ଗାନ୍ଧି ଇଂରେଜ ଯୁବକ ପୋଲାକ୍ଙ୍କୁ ନେଇ “ଇଣ୍ଡିଆନ ଓପିନିୟନ” ନାମକ ପତ୍ରକା ପ୍ରକାଶ କଲେ । ଡ଼ର୍ବାନ ଠାରୁ ପନ୍ଦର ମାଇଲ ଦୂରସ୍ଥ ଫିନିକ୍ସ ସହରର ଉପକଣ୍ଠରେ ଶହେ ଏକର ପରିମିତ ସ୍ଥାନରେ ଏକ ଆଶ୍ରମ ପ୍ରତିଷ୍ଠା କଲେ । ଏହିଫିକନ୍ସ ଆଶ୍ରମରେ ଇଣ୍ଡିଆନ ଓପିନିୟନ ପ୍ରେସ୍ କାର୍ଯ୍ୟ ଚାଲିଲା । ପ୍ରେସର ସବୁ କର୍ମଚାରୀଙ୍କ ଦରମା ସମାନ ସତେ ଯେମିତି ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ୧୯୦୪ ମସିହାରେ ଗାନ୍ଧି କସ୍ତୁରବା ଓ ପିଲାମାନଙ୍କୁ ଆଶ୍ରମକୁ ଅଣାଇଲେ । କସ୍ତୁରବା ଏହି ବିରାଟ ପରିବାରର ମା ରୂପେ ସମସ୍ତଙ୍କୁ ସମାନ ଭାବରେ ସ୍ନେହ ଓ ଶ୍ରଦ୍ଧା ପ୍ରଦାନ କଲେ ।  ଟଲଷ୍ଟୟଙ୍କ ଆଦର୍ଶରେ ଗାନ୍ଧି ପ୍ରଭାବିତ ହୋଇଥିଲେ । ଜୋହାନ୍ସବର୍ଗର ଅଳ୍ପ ଦୂରରେ ଏଗାରଶହ ଏକର ଜମି ଉପରେ ଗାନ୍ଧିଜୀ ଟଲଷ୍ଟୟଙ୍କ ନାମରେ ଟଲଷ୍ଟୟ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଗାନ୍ଧିଜୀ ନିଜ ରଚିତ ପୁସ୍ତକ “ହିନ୍ଦ ୍ସ୍ୱରାଜ” ସହିତ ଏକ ଚିଠି ଟଲଷ୍ଟୟଙ୍କ ପାଖକୁ ପଠାଇଥିଲେ । ଗାନ୍ଧିଙ୍କର ଚିଠି ପାଇ ଟଲଷ୍ଟୟ ୧୯୧୦ରେ ଏକ ଚିଠି ଲେଖିଲେ ଯେ ଭବିଷତ୍ୟରେ ଗାନ୍ଧି ବିଶ୍ୱର ଏକ ବିସ୍ମୟ ମହାମାନବ ହୋଇ ଉଦ୍ଭାସିତ ହେବେ । ତାଙ୍କର ଆଦର୍ଶ କାର୍ଯ୍ୟ ଧାରା ଜ ମାନସକୁ ଅନୁପ୍ରାଣିତ କରିବ ।  ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ଶ୍ରମିକ, କୃଷକ ଓ କୃଷ୍ଣକାୟ ମାନଙ୍କୁ ନେଇ ସତ୍ୟାଗ୍ରହ ଆରମ୍ଭ କରିଦେଲେ । ପରିଶେଷରେ ସତ୍ୟାଗ୍ରହରେ  ଚରମ ସଫଳତା ମିଳିଥିଲା । ଭାରତୀୟ ମାନଙ୍କ ଉପରୁ କର ଉଠିଲା । ରେଜେଷ୍ଟ୍ରୀ ଆଇନ୍ ରଦ୍ଦହେଲା । ଭାରତୀୟ ମାନଙ୍କର ବିବାହକୁ ସାମାଜିକ ସ୍ୱୀକୃତି ମିଳିଲା । ଦକ୍ଷିଣ ଆଫ୍ରିକାର ଅର୍ଥନୀତିକ,ସାମାଜିକ, ରାଜନୈତିକ ଅବସ୍ଥାକୁ ବଦଳାଇ ଦେବାକୁ ସକ୍ଷମ  ହେଲେ । ଦକ୍ଷିଣ ଆଫ୍ରିକାର ଅହିଂସା ସଂଗ୍ରାମ ତାଙ୍କୁ ଭାରତୀୟ ମୁକ୍ତ ସଂଗ୍ରାମର ମହାନାୟକ ରୂପେ ପ୍ରତି ପାଦିତ କରିପାରିଥିଲା ।
ପାରାଦ୍ୱୀପଗଡ଼, କୁଜଙ୍ଗଜଗତ୍ସିଂହପୁର
            ମୋ-୯୯୩୭୬୯୧୪୭୫