ପ୍ରଦୂଷିତ ପରିବେଶ ଓ ଏହାର ପ୍ରତିକାର
ଡ.ବିଜୟଲକ୍ଷ୍ମୀ ଭୂୟାଁ : ସମଗ୍ର ଜଗତ ପଞ୍ଚ ମହାଭୂତ ଦ୍ୱାରା ନିର୍ମିତ । ଏ ଗୁଡ଼ିକ ହେଲେ ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ । ବାୟୁ ବା ପବନ ପ୍ରକୃତିର ଏକ ମହାନ ଉପହାର । ବାୟୁ ବିନା ଜୀବ ଜଗତ ତିଷ୍ଠି ପାରିବ ନାହଁ । ବାୟୁରେ ଥିବା ଅମ୍ଳଜାନକୁ ଆମେ ନିଃଶ୍ୱାସରେ ଗ୍ରହଣ କରୁ । ବାୟୁ ଜରିଆରେ ହିଁ ଶବ୍ଦ ଯାତାୟାତ କରିଥାଏ ଓ ଆମେ ତାହା ଶୁଣିପାରୁ । ସୂର୍ଯ୍ୟ ଆମକୁ ଆଲୋକ ପ୍ରଦାନ କରେ । ଏହି ଆଲୋକ ବାୟୁ ମାଧ୍ୟମରେ ଯାତ୍ରା କରି ଆମ ପାଖରେ ପହଞ୍ଚେ ଓ ଆମେ ବିଭିନ୍ନ ବସ୍ତୁ ଦେଖିବାକୁ ସକ୍ଷମ ହେଉ । ଏହା ବ୍ୟତୀତ ବର୍ଷାପାତର ସମ୍ଭାବନା ନ ହୁଏ ଯେତେବେଳେ ମୌସୁମୀ ମେଘକୁ ଦୂର ଦୂରାନ୍ତକୁ ଉଡାଇ ନେବାରେ ବାୟୁ ତାର ଭୂମିକା ନିର୍ବାହ କରିଥାଏ । ସୁତରାଂ ବାୟୁ ବିନା ଜୀବନ କଥା କଳ୍ପନା ସୁଦ୍ଧା କରି ହେବନାହିଁ ।
ବାୟୁ ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ, ଧୂଳିକଣା ଓ ଜଳୀୟ ବାଷ୍ପର ଏକ ମିଶ୍ରଣ । ଏହି ଉପାଦାନଗୁଡ଼ିକ ସମାନୁପାତିକ ଭାବରେ ଥିଲେ ଏହାକୁ ଶୁଦ୍ଧ ବାୟୁ କୁହାଯାଏ । ଅନ୍ୟଥା ଏହା ଦୂଷିତ ବାୟୁ ଭାବରେ ପରିଚିତ ହୁଏ । ଯାହା ଆମକୁ ଚାରିପଟୁ ଘେରି ରହିଛି । ତାହା ହିଁ ପରିବେଶ । ଏହି ପରିବେଶରେ ଅତ୍ୟଧିକ ପରିମାଣରେ ପରିତ୍ୟକ୍ତ ଓ ଦୂଷିତ ପଦାର୍ଥ ମିଶ୍ରିତ ହେଲେ ପରିବେଶ ପ୍ରଦୂଷିତ ହୁଏ । ଶିଳ୍ପାୟନ, ପରିବହନ ବ୍ୟବସ୍ଥା ଓ ଜଙ୍ଗଲ ଧ୍ୱଂସଦ୍ୱାରା ମୁଖ୍ୟତଃ ବାୟୁ ପ୍ରଦୂଷଣ ହୋଇଥାଏ । ଏହାଦ୍ୱାରା ବାୟୁ ମଣ୍ଡଳକୁ କିଛି କ୍ଷତିକର ଓ ବିଷାକ୍ତ ପଦାର୍ଥ ପ୍ରବେଶ କରି ମଣିଷ, ଜୀବଜନ୍ତୁ ତଥା ଉଦ୍ଭିଦ ଜଗତର ପ୍ରଭୂତ କ୍ଷତି ସାଧନ କରେ ।ଏହାଛଡ଼ା ତାପମାତ୍ରା, ଜଳବାୟୁ ଓ ଧୂଳିକଣା ଇତ୍ୟାଦି ମଧ୍ୟ ବାୟୁମଣ୍ଡଳକୁ ପ୍ରଭାବିତ କରିଥାଏ । ଯାବତୀୟ ମଇଳା ଆବର୍ଜନା, ନାଳନର୍ଦ୍ଦମାରୁ ନିର୍ଗତ ଅପରିଷ୍କାର ଜଳରୁ ନିର୍ଗତ ଗ୍ୟାସ, ପଚାସଢ଼ା ପଦାର୍ଥର ଦୁର୍ଗନ୍ଧ, ବିଭିନ୍ନ ଦହନଜାତ ପଦାର୍ଥ ଦହନ ଦ୍ୱାରା ଉତ୍ପନ୍ନ ହେଉଥିବା ଗ୍ୟାସ ଓ ବାୟୁମଣ୍ଡଳରେ ପ୍ରବେଶ କରୁଥିବା ତେଜଷ୍କ୍ରିୟ ରଶ୍ମୀ ବାୟୁମଣ୍ଡଳକୁ ବିଶେଷ ଭାବରେ ପ୍ରଦୂଷିତ କରିଥାଏ । ମୂର୍ତ୍ତିକାରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ ବିଷ, ପ୍ଲାଷ୍ଟିକ ପଲିଥିନ୍ ଓ ଗ୍ୟାରେଜ ମାନଙ୍କର ନିଗିଡ଼ା ତେଲ ଇତ୍ୟାଦି ବାୟୁମଣ୍ଡଳକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରଦୂଷିତ କରିଥାଏ । ପ୍ରାକୃତିକ ଭାବରେ ଆଗ୍ନେୟଗିରି ଉଦ୍ଗୀରଣ, ଜଙ୍ଗଲ ପୋଡ଼ି ଓ ଧୂଳିଝଡ଼ ଇତ୍ୟାଦି ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇପାରେ । ମଣିଷର ସ୍ୱାର୍ଥପର ପ୍ରକୃତି ହିଁ ଏଥିପାଇଁ ଅତିମାତ୍ରାରେ ଦାୟୀ । ଅତିମାତ୍ରାରେ ଜନସଂଖ୍ୟା ବୃଦ୍ଧି, ବୃକ୍ଷ ଛେଦନ, ସହରାଞ୍ଚଳ ବୃଦ୍ଧି ଓ ଅତ୍ୟଧିକ ଗାଡିମଟର ଚାଲିବା ଦ୍ୱାରା ବାୟୁମଣ୍ଡଳ ପ୍ରଭାବିତ ହୋଇଥାଏ । କଳକାରଖାନା ଓ ବିଭିନ୍ନ ଦହନ ପ୍ରକ୍ରିୟାରୁ ନିର୍ଗତ କେତେକ କ୍ଷତିକାରକ ଗ୍ୟାସ ଉପରେ ଆଲୋଚନା କରିବା । ତାପଜ ତଥା ପେଟ୍ରୋଲ ଜାତୀୟ ସାମଗ୍ରୀ ପ୍ରସ୍ତୁ୍ତ କେନ୍ଦ୍ରରେ ବ୍ୟବହୃତ ଜାଳେଣି ଓ କୋଇଲାରେ ସଲଫର ଥିବାରୁ ସଲଫର ଡାଇଅକ୍ସାଇଡ଼ ଗ୍ୟାସ ନିର୍ଗତ ହୋଇଥାଏ । ଏହା ହୃଦ୍ରୋଗ, ଆଖିରୋଗ, ଗଳାଫୁଲିବା ଓ ଚର୍ମରୋଗ ଇତ୍ୟାଦିର କାରଣ । କୋଇଲା, ଡିଜେଲ, ପେଟ୍ରୋଲ ଇତ୍ୟାଦି ଦହନ ହେଲେ ନାଇଟ୍ରୋଜେନ ଅକ୍ସାଇଡ ଗ୍ୟାସ ନିର୍ଗତ ହୁଏ । ଶ୍ୱାସରୋଗ, ଚକ୍ଷୁ ଜ୍ୱଳନ ଇତ୍ୟାଦି ରୋଗ ଏହି ଗ୍ୟାସ ଦ୍ୱାରା ହୋଇଥାଏ । ଗାଡ଼ି ମଟରରେ ବ୍ୟବହୃତ ପେଟ୍ରୋଲ, ଡିଜେଲର ଆଂଶିକ ଦହନ ହେତୁ କାର୍ବନ ମନୋକ୍ସାଇଡ଼ ଗ୍ୟାସ ନିର୍ଗତ ହୁଏ । ଏହାଛଡ଼ା ସିଗାରେଟ ଧୂଅାଁ, ଘରୋଇ ବ୍ୟବହୃତ ଫି୍ରଜ ଓ କାଠକୋଇଲା ଜାଳେଣିରୁ ମଧ୍ୟ ଏହି ଗ୍ୟାସ ନିର୍ଗତ ହୁଏ । ଏହି ଗ୍ୟାସ ଦ୍ୱାରା ଦୃଷ୍ଟିଶକ୍ତି କମିବା ସହ ପାରାଲିସିସ୍ ଓ ଅତିମାତ୍ରାରେ ହେଲେ ମୃତୁ୍ୟର କାରଣ ମଧ୍ୟ ହୋଇଥାଏ । କୋଇଲା, କାଠ, ପେଟ୍ରୋଲ, ଡିଜେଲ ଇତ୍ୟାଦିର ଜ୍ୱଳନ ଦ୍ୱାରା ଯେଉଁ ଧୂଅାଁ ବାୟୁମଣ୍ଡଳରେ ପ୍ରବେଶ କରେ ତାହା ଅନେକ ପରିମାଣରେ କାର୍ବନ ଡାଇଅକ୍ସାଇଡ଼ ଗ୍ୟାସ ଦହନ କରିଥାଏ ।
ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି, ଗାଡ଼ି ମଟର ସଂଖ୍ୟା ବୃଦ୍ଧି ଓ ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ । ଏହିସବୁ ବିଷାକ୍ତ ଅକ୍ସାଇଡ଼ମାନେ ବାୟୁମଣ୍ଡଳରେ ଅମ୍ଳ ବର୍ଷା କରନ୍ତି, ବାୟୁ ମଣ୍ଡଳରେ ଥିବା ଜଳକଣା ସହିତ ମିଶ୍ରିତ ହୋଇ ଏମାନେ ଅମ୍ଳ ସୃଷ୍ଟି କରନ୍ତି । ଯଥା ଏହି ଅମ୍ଳ ବର୍ଷା ଜଳରେ ଅମ୍ଳ ଅଂଶ ବଢ଼ାଏ ଯାହା ଜୀବଜଗତ ତଥା ଉଦ୍ଭିଦ ଜଗତରେ କ୍ଷତି ସାଧନ କରେ, ଧାତବ ଦ୍ରବ୍ୟର କ୍ଷୟ କରେ ଓ ପାହାଡ଼ ପର୍ବତ, ଘରଦ୍ୱାର ଇତ୍ୟାଦି ନଷ୍ଟ କରେ । ଆଗ୍ରା ନିକଟରେ ଅବସ୍ଥିତ ଅନେକ କଳକାରଖାନାରୁ ନିର୍ଗତ ଅକ୍ସାଇଡ ମାନଙ୍କ ଦ୍ୱାରା ଅମ୍ଳବର୍ଷା ହୋଇ ମାର୍ବଲ ନିର୍ମିତ ବିଶ୍ୱପ୍ରସିଦ୍ଧ ତାଜମହଲର ଅନେକ କ୍ଷତି ସାଧନ ହୋଇଛି । ସୂର୍ଯ୍ୟ କିରଣରୁ ଇନ୍ଫ୍ରାରେଡ ରଶ୍ମୀ ଗ୍ରହଣ କରି କାର୍ବନ ଡାଇଅକ୍ସାଇଡ଼ ବାୟୁ ମଣ୍ଡଳ ଉତ୍ତପ୍ତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହାକୁ ଗ୍ରୀନ୍ ହାଉସ ପ୍ରଭାବ କୁହାଯାଏ । ବାୟୁ ମଣ୍ଡଳର ଉପରିଭାଗରେ ଥିବା ବହଳିଆ ଓଜନ ଆସ୍ତରଣ ସୂର୍ଯ୍ୟ ଠାରୁ ଆସୁଥିବା କ୍ଷତିକାରକ ତେଜଷ୍କ୍ରିୟ ରଶ୍ମୀ ମାନଙ୍କୁ ପ୍ରବେଶ କରିବାକୁ ଦିଏ ନାହିଁ । ବର୍ତ୍ତମାନ ରାସାୟନିକ ଦ୍ରବ୍ୟ ପ୍ରସ୍ତୁତ କରାଖାନା, ଥଣ୍ଡାତାପ ନିୟନ୍ତ୍ରିତ ଯନ୍ତ୍ରରୁ ନିର୍ଗତ କ୍ଲୋରୋଫ୍ଲୋର କାର୍ବନ ଗ୍ୟାସ ଓଜୋନ ସହିତ ରାସାୟନିକ ପ୍ରକ୍ରିୟା ଦ୍ୱାରା ଏହାକୁ କ୍ରମଶଃ ନଷ୍ଟ କରେ । ଭୂପୃଷ୍ଠରୁ ବାରମ୍ବାର ଅନ୍ତରୀକ୍ଷ ଯାନ ପ୍ରେରଣ ଦ୍ୱାରା ମଧ୍ୟ ଓଜନସ୍ତର ଫାଟ ସୃଷ୍ଟି କରେ ।
ଏହିସବୁ ବାଷ୍ପ ପ୍ରଦୂଷଣ ବ୍ୟତୀତ ବାୟୁମଣ୍ଡଳରେ ପ୍ରବେଶ କରୁଥିବା ବିଭିନ୍ନ ଧୂଳିକଣା ଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ । ଖଣିଖାଦାନ ଖୋଳା ହେବା ସମୟରେ, ଯାନବାହାନ ଯାତାୟତ ଦ୍ୱାରା, କଳକାରଖାନାରୁ ନିର୍ଗତ ବାଷ୍ପରୁ, ଘରଦ୍ୱାର ରାସ୍ତାଘାଟ ଓଳାଇବା ସମୟରେ, ଧୂଳିଝଡ଼ ଦ୍ୱାରା ଏହା ବହୁ ପରିମାଣରେ ବାୟୁମଣ୍ଡଳରେ ପ୍ରବେଶ କରେ । ଧୂଳିକଣା ବିଭିନ୍ନ ପ୍ରକାର ଆଲର୍ଜି, ଶ୍ୱାସଜନିତ ରୋଗ, ଘରଦ୍ୱାର ଓ ଧାତବ ପଦାର୍ଥର କ୍ଷୟକ୍ଷତି କରେ । ଧୂଳିକଣା ବ୍ୟତୀତ କଳକାରଖାନା ଓ ଅନ୍ୟାନ୍ୟ ଦହନ ଦ୍ୱାରା ନିର୍ଗତ ଧୂଅାଁ ବାୟୁମଣ୍ଡଳକୁ ଦୂଷିତ କରିଥାଏ । ଏହା ବହୁ ପରିମାଣରେ ଅଙ୍ଗାର କଣିକା, ପାଉଁଶ ଓ ତୈଳ କଣିକା ବହନ କରିଥାଏ । ଆବଶ୍ୟକୀୟ ପରିମାଣରେ ଅମ୍ଳଜାନ ନପାଇ ଇନ୍ଧନର ଅସମାପ୍ତ ଦହନ ହେବା ଦ୍ୱାରା ଏହି ଧୂଅାଁ ସୃଷ୍ଟି ହୁଏ । ଏଥିରେ ଘରର ଲୁଗାପଟା ଓ ଆସବାପତ୍ର ନଷ୍ଟ ହେବା ସହ ଚକ୍ଷୁ, ଚର୍ମ ଇତ୍ୟାଦି ଅନେକ ରୋଗ ସୃଷ୍ଟି କରିଥାଏ । ଜଙ୍ଗଲ କ୍ଷୟ ବାୟୁମଣ୍ଡଳ ପ୍ରଦୂଷଣର ଅନ୍ୟ ଏକ କାରଣ । ଆମେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଛାଡ଼ି ଦେଇଥାଉ । ଉଦ୍ଭିଦମାନେ ବାୟୁରୁ ଅଙ୍ଗାରକାମ୍ଳ ଗ୍ରହଣ କରି ପତ୍ର ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରନ୍ତି ଓ ଅମ୍ଳଜାନ ଛାଡ଼ନ୍ତି । ଏହା ଭଗବାନଙ୍କର ଏକ ଅଦ୍ଭୁତ ସ୍ୱାଭାବିକ ଉପହାର । ଗଛ କାଟିବା ଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଇ ପରିବେଶର ତାପମାତ୍ରା ବଢ଼ାଇ ଦେଉଛି ।
ମଣିଷ ଚାହିଁଲେ ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ହୋଇପାରିବ । ଗାଡ଼ି ମଟର, ଅଟୋରିକ୍ସା, ମଟରସାଇକେଲ ଇତ୍ୟାଦିରେ ଉନ୍ନତ ମାନର ଇଞ୍ଜିନ ବ୍ୟବହାର ହେବା ଉଚିତ । ଯଦ୍ୱାରା ଏଥିରେ ବ୍ୟବହୃତ ଇନ୍ଧନ ଓ ତହିଁରୁ ନିର୍ଗତ କାର୍ବନ, ହାଇଡ୍ରୋକାର୍ବନର ସମ୍ପୂର୍ଣ୍ଣ ଦହନ ହୋଇପାରିବ । କଳକାରଖାନାରେ ଅତି ଉଚ୍ଚ ଧୂଅାଁ ନିର୍ଗତ ନଳୀ (ଚିମିନି) ବ୍ୟବହାର କଲେ ବାୟୁମଣ୍ଡଳରେ ଉପରିଭାଗକୁ ଧୂଅାଁ ଚାଲିଯାଏ ଓ ପୃଥିବୀର ନିମ୍ନଭାଗରେ ଏହାର କମ ପ୍ରଭାବ ପଡ଼େ । ଜାଳେଣି ବ୍ୟବହାର ସମୟରେ ଅଧିକ ଉତ୍ତାପ ପ୍ରଦାନ ଓ ପ୍ରଚୁର ଅମ୍ଳଜାନ ଯୋଗାଇବା ଦ୍ୱାରା ଧୂଅାଁ ଓ କ୍ଷତିକାରକ ଗ୍ୟାସ ର ସମ୍ପୂର୍ଣ୍ଣ ଦହନ ହୋଇଥାଏ । ଫଳରେ ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ହୁଏ । ଆଜିର ଶକ୍ତି ସଂକଟକୁ ବାୟୁଚାଳିତ କଳ ତଥା ମୋଟର ଶକ୍ତିର ଉତ୍ସ ହେବା ସହ ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରେ । ଏବେ ଜାତିସଂଘ ବାୟୁ ପ୍ରଦୂଷଣ ତଥା ଉତ୍ତାପ ବୃଦ୍ଧି ଉପରେ ନଜର ରଖିବା ପାଇଁ ସମସ୍ତ ଦେଶକୁ ସତର୍କ କରିଛି । ଜାତୀୟ ସବୁଜ ଅଦାଲତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରହିଛି । ଏହାର ବିନା ଅନୁମତିରେ କୌଣସି ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ ନାହିଁ । ସରକାରୀ, ବେସରକାରୀ ତଥା ସାମାଜିକ ସଂସ୍ଥାମାନେ ବହୁ ପରିମାଣରେ ଗଛ ଲଗାଇବା ଓ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ । ଏ ସବୁ ସତ୍ତ୍ୱେ ମଣିଷ ସମାଜର ସଚେତନତା ନିତାନ୍ତ ଆବଶ୍ୟକ । ଆମେ ଯଦି ସଂଘବଦ୍ଧ ଭାବରେ ଏହାର ମୁକାବିଲା ପାଇଁ ହାତ ନ ମିଳାଇବା ପୃଥିବୀର ଏ ସୁନ୍ଦର ପରିବେଶ ଅଚିରେ ଧ୍ୱଂସ ପାଇଯିବ । ଆସନ୍ତୁ ଆମେ ଆମକୁ ଘେରି ରହିଥିବା ବାୟୁମଣ୍ଡଳକୁ ପ୍ରଦୂଷଣରୁ ରକ୍ଷା କରିବା ଏବଂ ଏକ ସୁସ୍ଥ ନିରାମୟ ଜୀବନଯାପନ କରିବା ।
କଟକ
ମୋ: ୯୮୬୧୩୫୫୬୨୮