ଆର୍ତ୍ତଜନଙ୍କ ବନ୍ଧୁ : ଡା.ଆଇଜାକ ସାନ୍ତ୍ରା
ନର ସେବା ହିଁ ନାରାୟଣଙ୍କ ସେବା । ଦୁର୍ଲଭ ମଣିଷ ଜୀବନ ନିଃସ୍ୱାର୍ଥପର ଓ ଉତ୍ସର୍ଗୀକୃତ ସେବା ପରାୟଣତାର ସହ ଅସହାୟ ଓ ପୀଡ଼ିତଙ୍କ ସେବାରେ ବିନିଯୋଗ କଲେ ନିଶ୍ଚିନ୍ତ ଭାବରେ ଈଶ୍ୱର ଖୁସି ହେବେ ଏହି ମହାମନ୍ତ୍ରକୁ ଜୀବନରେ କେବଳ ଧର୍ମ ଚିନ୍ତନ ନୁହେଁ ଜୀବନର ମୁଖ୍ୟ କର୍ମ ଭବେ ଗ୍ରହଣ କରି ସମସ୍ତଙ୍କ ପାଇଁ ସେବା ମହନୀୟତାର ଆଦର୍ଶଣୀୟ ପାଲଟିଥିଲେ ଡାକ୍ତର ଆଇଜାକ ସାନ୍ତ୍ରା । କୁଷ୍ଠରୋଗ ନିରାକରଣ ଓ କୁଷ୍ଠ ରୋଗୀଙ୍କ ସେବାରେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ସକ୍ରିୟ ଥିଲେ ଡାକ୍ତର ଆଇଜାକ ସାନ୍ତ୍ରା । ସୁଦୀର୍ଘ କର୍ମମୟ ଜୀବନର ଶେଷ ଦୁଇ ଦିନକୁ ଛାଡ଼ି ଅବଶିଷ୍ଟ ସମସ୍ତ ଦିନରେ ସେ କୁଷ୍ଠ ରୋଗୀଙ୍କ ସେବା କରି ଏକ ଅନନ୍ୟ ଦୃଷ୍ଟାନ୍ତ ହୋଇରହିଛନ୍ତି । ସେ ଆଜି ନାହାନ୍ତି । ତେବେ ତାଙ୍କର ଅବିସ୍ମରଣୀୟ ସ୍ମୃତି ବହନ କରୁଛି, ତାଙ୍କର ଅକ୍ଷୟ କୀର୍ତ୍ତି, ହାତୀବାଡ଼ି ସ୍ୱାସ୍ଥ୍ୟ ନିବାସ । ସେ କହୁଥିଲେ, ଦୀନ ହିଁ ମୋର ଭଗବାନ, ଦରିଦ୍ର ହିଁ ମୋର ଭଗବାନ, ଆଉ ଆର୍ତ୍ତ ହିଁ ମୋର ଭଗବାନ । ଏହା ସେ କେବଳ କହୁ ନଥିଲେ, କାର୍ଯ୍ୟରେ କରିଦେଖାଇଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ରୋଗୀ ସେବାରେ ନିୟୋଜିତ ରହିଥିଲେ । ତାଙ୍କ ପାଖରୁ କାହାକୁ ନିରାଶ ହୋଇ ଫେରିବାକୁ ପଡ଼ୁ ନଥିଲେ । ନିଜ ଜୀବନର ପ୍ରତି କ୍ଷଣ ସେ ଏପରି ଅସହାୟଙ୍କ ପାଇଁ ଉତ୍ସର୍ଗୀକୃତ କରି ପ୍ରଚାର ପ୍ରସାର ଠାରୁ ନିଜକୁ ଦୂରେଇ ରଖି ବେଶ ନିରାଡ଼ମ୍ବର ଓ ସାତ୍ତ୍ୱିକ ଜୀବନ ଅତିବାହିତ କରୁଥିଲେ । ତାଙ୍କ ଜୀବନର ଯତ୍କିଞ୍ଚôତ ଆୟ ସେ ସେହି ରୋଗୀ ସେବାରେ ହିଁ ବିନିଯୋଗ କରିଦେଉଥିଲେ । ଖଣ୍ଡିଏ ଖଦି ବସ୍ତ୍ର ଓ ମୁଠାଏ ଖାଦ୍ୟ ହିଁ ଥିଲା ତାଙ୍କ ନିରାଡ଼ମ୍ବର ଜୀବନର ପ୍ରତୀକ ।
୧୯୧୮ରେ ଡାକ୍ତର ସାନ୍ତ୍ରା କଟକ ଭେଷଜ ବିଦ୍ୟାଳୟରୁ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରିରେ ଯୋଗଦେଇଥିଲେ । କର୍ମମୟ ଜୀବନର ପ୍ରଥମ ଦୁଇବର୍ଷ ସାଧାରଣ ଚିକିତ୍ସା ଦାୟିତ୍ୱ ତୁଲାଇଥିଲେ । ୧୯୨୦ରେ କଟକ କୁଷ୍ଠାଶ୍ରମରୁ ଆରମ୍ଭ ହୋଇଥିଲା କୁଷ୍ଠରୋଗୀ ସେବା ଯାତ୍ରା । ତାଙ୍କ ଭାଷାରେ, କୌରବ ରୂପୀ କୁଷ୍ଠ ଯେତେବେଳେ ମଣିଷ ଶରୀରକୁ ଆକ୍ରମଣ କରେ, ରକ୍ଷା କରିବାକୁ ଆଗେଇଆସନ୍ତି ବିଶ୍ୱାସ, ଆନୁଗତ୍ୟ, ଉପଯୁକ୍ତ ଖାଦ୍ୟ, ଶ୍ରମ ଓ ଧୈର୍ଯ୍ୟ ରୂପୀ ପଞ୍ଚପାଣ୍ଡବ । ଡାକ୍ତରଙ୍କୁ ବିଶ୍ୱାସ କରିବା ଏବଂ ତାଙ୍କ ନିଦେ୍ର୍ଦଶ ପାଳନ କରିବା କୁଷ୍ଠ ରୋଗୀ ପାଇଁ ସବୁଠାରୁ ଜରୁରୀ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ କୁଷ୍ଠରୋଗୀଙ୍କ ପ୍ରତି ଯେଉଁପରି ଭଲପାଇବା ଓ ସେବା ତଥା ସନ୍ଥ ମଦର ଟେରେସାଙ୍କ ସମାଜରେ ଅଛୁଅାଁ ଓ ଅସ୍ପୃଶ୍ୟ କୁହାଯାଉଥିବା କୁଷ୍ଠରୋଗୀ ମାନଙ୍କ ପ୍ରତି ଯେଉଁପରି ଅସୀମ ଓ ଅକୃତ୍ରିମ ଭଲପାଇବା ଓ ସେବା ତା'ର ପ୍ରଭାବ ଡାକ୍ତର ସାନ୍ତ୍ରାଙ୍କ ଉପରେ ପଡ଼ିଥିଲା । ଭଗବାନ ଯୀଶୁଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଡାକ୍ତର ସାନ୍ତ୍ରା କୁଷ୍ଠରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । କହୁଥିଲେ, କନ୍ୟାଦାନ କଲେ ତଥା ଶିବଙ୍କ ଆସ୍ଥାନ କାଶୀରେ ରହିଲେ ଯେଉଁ ପୁଣ୍ୟ ମିଳେ, କୁଷ୍ଠ ରୋଗ ଦୂର କଲେ ସେତିକି ପୁଣ୍ୟ ମିଳେ । ୧୮୯୨ ନଭେମ୍ବର ୩ ତାରିଖରେ ସମ୍ବଲପୁରରେ ଜନ୍ମ ହୋଇଥିଲେ ଏହି ମହାନ ଚିକିତ୍ସକ । ଆଜିର ଚିକିତ୍ସା ସେବା କ୍ଷେତ୍ରରେ କିଛି ଅର୍ଥଲିପ୍ସୁ ଚିନ୍ତାଧାରାକୁ ଲକ୍ଷ୍ୟ କଲେ ଡାକ୍ତର ସାନ୍ତ୍ରାଙ୍କ ଉତ୍ସର୍ଗୀକୃତ ସେବା ପରାୟଣତା ସ୍ୱତଃ ମନକୁ ଚିନ୍ତାଗ୍ରସ୍ତ କରିପକାଏ । କେବଳ ଡାକ୍ତରମାନେ ନୁହଁନ୍ତି ଆମ ସମସ୍ତଙ୍କ ଭିତରେ କୁଷ୍ଠରୋଗୀ ହୁଅନ୍ତୁ ବା ଯେକୌଣସି ଅସହାୟ, ଅପରିଚିତ, ମୁର୍ମୁଷୁ, ସେମାନଙ୍କୁ ଭଲପାଇବା ଓ ନିଃସ୍ୱାର୍ଥପର ସେବା ଯୋଗାଇ ଦେଲେ ଏହି ଯୋଗଜନ୍ମା ଓ କୃତବିଦ୍ୟ ଡାକ୍ତରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୁଅନ୍ତା ।
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ: ୯୪୩୭୦୫୧୯୫୭