ଜାତସ୍ୟ ହି ଧ୍ରୁବୋ ମୃତୁ୍ୟଧ୍ରୁବଂ ଜନ୍ମ ମୃତସ୍ୟ ଚ


ପ୍ରଦୀପ୍ତ କୁମାର ଜେନା : ସନାତନ ସଂସ୍କୃତିର ପରମଶାସ୍ତ୍ର ଭଗବଦ୍ ଗୀତା ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟଯୋଗର ୨୭ନମ୍ବର ଶ୍ଳୋକରେ ଉଲ୍ଲେଖ ଅଛି “ଜାତସ୍ୟ ହି ଧ୍ରୁବୋ ମୃତୁ୍ୟର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ । ତସ୍ମାଦପରିହାର୍ଯେ୍ୟ ଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।” । ଏହାର ଅର୍ଥ ଜୀବ ଜନ୍ମ ନେଲେ ମୃତୁ୍ୟ ନିଶ୍ଚିତ ଓ ମୃତୁ୍ୟ ହେଲେ ଜନ୍ମ ନିଶ୍ଚିତ । ସନାତନ ଧର୍ମର ଶାସ୍ତ୍ର ଯଥା– ବେଦ, ଉପନିଷଦ, ଗୀତା, ଭାଗବତ ଆଦି ଗ୍ରନ୍ଥଗୁଡିକ ପୁନର୍ଜନ୍ମକୁ ବିଶ୍ୱାସ କରନ୍ତି । ଶଙ୍କରାଚାର୍ଯ୍ୟ ଭଗବାନ ତାଙ୍କ ମୋହ ମୁଦ୍ଗରରେ ଲେଖିଛନ୍ତି
“ଯାବତ ଜନମଂ ତାବତ ମରଣଂ
ତାବତ ଜନନୀ ଜଠରେ ଶୟନମଂ
ଇହ ସଂସାରେ ବହୁଦୁସ୍ଥରେ
କୃପୟା ମମ ପାହି ମୁରାରେ ।”
ଶଙ୍କରାଚାର୍ଯ୍ୟ ଭଗବାନ ପୁନର୍ଜନ୍ମ ଦର୍ଶନ ଉପରେ ନିଜର ସକାରାତ୍ମକ ମତ ଦେଇଛନ୍ତି । ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ କଥୋପକଥନ ସମୟରେ ଭଗବାନ ଭଗବଦ୍ ଗୀତାର ଅନେକ ସ୍ଥାନରେ ପୁନର୍ଜନ୍ମ କଥା କହିଛନ୍ତି । ଯେତେବେଳେ ଅର୍ଜୁନ ଭଗବାନଙ୍କୁ ଗୀତାର ଚତୁର୍ଥ ଅଧ୍ୟାୟ ଶ୍ଳୋକ ନମ୍ବର-୪ରେ ପଚାରିଛନ୍ତି “ଆପଣ ତ ମୋର ସମସାମୟିକ । ଅର୍ଥାତ ମୋ ଜନ୍ମର କିଛି ବର୍ଷ ପୂର୍ବରୁ ଆପଣ ଜନ୍ମ ନେଇଛନ୍ତି । ଆପଣ କିପରି ସୂର୍ଯ୍ୟଦେବଙ୍କୁ ଗୀତା କହିଥିଲେ? ସୂର୍ଯ୍ୟ ଦେବ ତ ସୃଷ୍ଟି ଆରମ୍ଭରୁ, କେଉଁ ଅନାଦି କାଳରୁ ଆଲୋକ ପ୍ରଦାନ କରୁଛନ୍ତି ।” ସେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ ୫ନମ୍ବର ଶ୍ଳୋକରେ କହିଛନ୍ତି “ହେ ଅର୍ଜୁନ! ତୁମର ମୋର କେତେ ଜନ୍ମ କଟିଛି ତୁମେ ଜାଣିନ । ହେଲେ ସେଗୁଡ଼ିକ ସବୁ ମୁଁ ମନେ ରଖିଛି । ପୁନର୍ଜନ୍ମ କଥାକୁ ଭଗବାନ ସ୍ପଷ୍ଟ ଭାବେ ଗୀତାର ଅନେକ ସ୍ଥାନରେ କହିଛନ୍ତି । ଏହି ସତ୍ୟର ଝଲକ ଭଗବଦ୍ ଗୀତାରେ ଦେଖିବାକୁ ମିଳେ । ଗୀତାର ଦ୍ୱିତୀୟ ଅଧ୍ୟାୟ ୨୦ ନମ୍ବର ଶ୍ଳୋକରେ କୁହାଯାଇଛି–
“ନ ଜାୟତେ ମ୍ରିୟତେ ବା କଦାଚିନ୍
ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ
ନ ହନ୍ୟତେ ହନ୍ୟମାନେ ଶରୀରେ ।”
ଅର୍ଥାତ୍ ଆତ୍ମାର ମୁତ୍ୟୁ ନାହିଁ କି ଜନ୍ମ ନାହିଁ । ଏପରି ସମୟ ନଥିଲା ଯେତେବେଳେ ତାହା ନଥିଲା ପୁଣି ଏପରି ସମୟ ହେବ ନାହିଁ ଯେତେବେଳ ତାହା ନଥିବ । ଆତ୍ମା ଗୋଟିଏ ଶରୀରକୁ ପରିତ୍ୟାଗ କରି ଅନ୍ୟ ଏକ ଶରୀରରେ ଅବସ୍ଥାନ କରେ । ଆତ୍ମା ଓ ଶରୀର ଏକ ନୁହେଁ ଅଭିନ୍ନ । ଆତ୍ମା ଶରୀରରେ ଥିବା ପର୍ଯ୍ୟନ୍ତ ଜୀବ ଚଳପ୍ରଚଳ କରୁଥାଏ । ପଞ୍ଚଭୂତର ଶରୀର ଜଡ । ଆତ୍ମା ଶରୀର ତ୍ୟାଗ କଲାପରେ ଶରୀର ନଷ୍ଟ ହୋଇଯାଏ । ଗୀତାରେ କୁହାଯାଇଛି ସତ୍ତ୍ୱ ଗୁଣଧାରୀ ବ୍ୟକ୍ତିଙ୍କ ମୃତୁ୍ୟ ହେଲେ ଊଦ୍ଧ୍ୱର୍କୁ ଅର୍ଥାତ ଦେବଲୋକକୁ ଗମନ କରନ୍ତି । ରଜୋଗୁଣ ଧାରୀ ବ୍ୟକ୍ତିମାନେ ମୃତୁ୍ୟବରଣ କଲେ ମଧ୍ୟରେ ରୁହନ୍ତି । ଅର୍ଥାତ ଏହି ପୃଥିବୀରେ ମଣିଷ ଦେହରେ ଜନ୍ମ ନିଅନ୍ତି ଓ ତମୋଗୁଣ ଧାରୀ ବ୍ୟକ୍ତି ମୂଢ଼ ଯୋନିରେ, ଅର୍ଥାତ ପଶୁ ପକ୍ଷୀ ଯୋନିରେ ଜନ୍ମ ନିଅନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ମଣିଷ ତା’ର କର୍ମ ଆଧାରରେ ଜନ୍ମ ପାଇଥାଏ । ମଣିଷ ଯେ ମଣିଷ ଜନ୍ମ ପାଇବ ଏଥିରେ ସତ୍ୟତା ନାହିଁ । ଗୀତାର ଅଷ୍ଟମ ଅଧୟ ୧୬ ନମ୍ବର ଶ୍ଳୋକରେ ଭଗବାନ କହିଛନ୍ତି “ଏହି ଭୌତିକ ବ୍ରହ୍ମାଣ୍ଡରେ ବାରମ୍ବାର ଜନ୍ମ ଓ ମୃତୁ୍ୟ ଲାଗିରହିଛି । କିନ୍ତୁ ଯେ ମୋର ପରାମଧାମ ପ୍ରାପ୍ତ ହୁଏ ସେ ଆଉ ପୁନର୍ଜନ୍ମ ଲାଭ କରେ ନାହିଁ ।” ପୁନର୍ବାର ଉଲ୍ଲେଖ ଅଛି ଯେତେବେଳେ ଆତ୍ମା ଘଟ ପରିବର୍ତ୍ତନ କରିଥାଏ ସେତେବେଳେ ସେ ସାଥିରେ ତା’ର ସୁକ୍ଷ୍ମ ଶରୀର ଓ କାରଣ ଶରୀରକୁ ନେଇକି ଯାଇଥାଏ । ଯେପରି ବାୟୁ ଗନ୍ଧ ସ୍ଥାନରୁ ଗନ୍ଧକୁ କିଛି ବାଟ ନିଜ ସାଥିରେ ନେଇଯାଇଥାଏ ଜୀବନ କାଳ ଭିତରେ ଜୀବ ଯେଉଁ ଭଲ ଓ ମନ୍ଦ କର୍ମ କରେ ସେ ତା’ର ଫଳ ଭୋଗ କରିଥାଏ । ତାଙ୍କୁ କ୍ରିୟମାନ କହନ୍ତି । ଯେଉଁ କର୍ମର ଫଳ ଭୋଗ ହୋଇ ନପାରେ ତାଙ୍କୁ ସଞ୍ଚôତ କର୍ମ କୁହାଯାଏ । ଜୀବ ତା’ର ପରଜନ୍ମରେ ଏହାକୁ ଭୋଗ କରେ । ଯାହାକୁ ପ୍ରାରବ୍ଧ କୁହାଯାଏ । ମଣିଷ ଇହକାଳ ଭିତରେ ଯଦି ପୁଣ୍ୟ କାର୍ଯ୍ୟ କରିଥାଏ ସେ ମୃତୁ୍ୟ ପରେ ଦେବଲୋକରେ ସ୍ଥାନ ପାଇଥାଏ । ତା’ର ପୁଣ୍ୟ ସାରିବା ପରେ ପୁଣି ଏହି ପୃଥିବୀକୁ ଫେରିଆସେ, ଅର୍ଥାତ ପୁଣି ଜନ୍ମ ନେଇଥାଏ । ଜୀବ ପରମ ସହିତ ନମିଶିବା ପର୍ଯ୍ୟନ୍ତ ଜନ୍ମ ମୃତୁ୍ୟ ଚକ୍ର ଭିତରେ ଘୂରି ବୁଲୁଥାଏ । ଯେତେବେଳ ସେ ମୋକ୍ଷ ଲାଭ କରିବ ଗୋଲକ ଧାମରେ ପହଞ୍ଚôବ ଯେଉଁଠି କି ଥରେ ଗଲେ ଜୀବ ଆଉ ଜନ୍ମ ଲାଭ କରେନି । ଗୀତାର ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗରେ ଉଲ୍ଲେଖ ଅଛି–
“ନ ତଦ୍ଭାସୟତେ ସୂର୍ଯେ୍ୟା ନ ଶଶାଙ୍କୋ ନ ପାବକଃ ।
ଯଦ୍ ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।ା”
ଆମର ସନାତନ ସଂସ୍କୃତିରେ କିଛି ନାସ୍ତିକ ବ୍ୟକ୍ତି ଓ ମୁନିଋଷି ଅଛନ୍ତି, ଉଦାହରଣ ସ୍ୱରୂପ ଚାର୍ବାକ ପୁନର୍ଜନ୍ମକୁ ବିଶ୍ୱାସ କରିନାହାନ୍ତି । ତାଙ୍କ ମତରେ– “ଯାବତ୍ ଜୀବେତ୍ ସୁଖଂ ଯିବେତ୍ ରୂଣଂ କୁତା ଶୁତଂ ପିବେତ୍, ଉସ୍ମରୂତସ୍ୟ ଦେହସ୍ୟ ପୁନରାଗମନଂ କୁତ ।” ସେମାନେ ପୁନର୍ଜନ୍ମ ବିଚାରଧାରାକୁ ବିଶ୍ୱାସକୁ ନେଇ ପାରିନାହାନ୍ତି । ବୈଦିକ ଯୁଗରେ ବ୍ରହ୍ମାଙ୍କ ପୁତ୍ର ରୁଷି ଭୃଗୁ ନିଜର ଭୃଗୁ ସଂହିତାରେ ପୁନର୍ଜନ୍ମ କଥାକୁ ସ୍ୱୀକାର କରିଛନ୍ତି । 
 ଭାଗବତରେ ଉଲ୍ଲେଖ ଅଛି ରାଜା ଭରତ ଯେକି ପରବର୍ତ୍ତୀ ଅବସ୍ଥାରେ ଭରତ ମୁନି ନାମରେ ପରିଚିତ ସେ ତାଙ୍କ ଆଶ୍ରମରେ ଗୋଟିଏ ମୃଗ ଶାବକକୁ ପାଳିଥିଲେ । ସେହି ଶିଶୁଟି ପ୍ରତି ତାଙ୍କର ଏତେ ଭଲ ପାଇବା ଓ ଶ୍ରଦ୍ଧା ବଢିଯାଇଥିଲା ଯେ ମୁନି ତାଙ୍କୁ ମୁହୂର୍ତ୍ତେ ନ ଦେଖିଲେ ରହି ପାରୁନଥିଲେ । ଶାବକଟି ଦିନେ ଜଙ୍ଗଲକୁ ଯାଇ ନଫେରିବାରୁ ମୁନି ଦୁଃଖରେ ଭାଙ୍ଗି ପଡିଲେ ଓ ସବୁ ସମୟରେ ସେହି ଶାବକକୁ ଝୁରି ହେଲେ । ଏପରିକି ମୁନି ଯେତେବେଳେ ଦେହ ତ୍ୟାଗ କଲେ ସେହି ମୃଗ ଶିଶୁ କଥା ଚିନ୍ତା କରି ଦେହ ତ୍ୟାଗ କଲେ । ଫଳରେ ପରବର୍ତ୍ତୀ ଜନ୍ମରେ ସେ ମୃଗ ଜନ୍ମ ପାଇଲେ । ତାଙ୍କର ଧର୍ମ ବଳ ଥିବାରୁ ସେ ପୂର୍ବ ଜନ୍ମ କଥା ମନେ ରଖିଥିଲେ । ଭଗବଦ୍ ଗୀତାର ଦ୍ୱିତୀୟ ଶ୍ଳୋକରେ କୁହାଯାଇଛି “ଯଂ ଯଂ ବାପି ସ୍ମରନଭାବଂ ତ୍ୟଜତ୍ୟନ୍ତେ କଳେବରମ୍, ତଂ ତମୈବେତ କୌନ୍ତେୟ ସଦା ତଦ୍ଭାବଭାବିତଃ ।” ଅର୍ଥାତ ଜୀବ ମୃତୁ୍ୟ ସମୟରେ ଯେଉଁ କଥା ଚିନ୍ତା କରୁଥାଏ କିମ୍ବା ଯାହାର ରୂପ ତା’ର ମାନସପଟକୁ ଆସୁଥାଏ ସେ ପରବର୍ତ୍ତୀ ଜନ୍ମରେ ସେହି ଭାବ ଓ ସେଇ ରୂପ ନେଇ ଜନ୍ମ ଗ୍ରହଣ କରିଥାଏ । ଠିକ ସେହିପରି ବୌଦ୍ଧ ଧର୍ମ, ଜୈନ ଧର୍ମ, ଶିଖ୍ ଧର୍ମ ପୁନର୍ଜନ୍ମକୁ ବିଶ୍ୱାସ କରନ୍ତି । ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନ, ଖ୍ରୀଷ୍ଟ ଧର୍ମର ଧର୍ମ ଗ୍ରନ୍ଥ ବାଇବେଲ୍ ପୁନର୍ଜନ୍ମକୁ ବିଶ୍ୱାସ କରନ୍ତି ନାହିଁ । ଓଡ଼ିଆରେ ‘ଜାତ ସ୍ମର’ ବୋଲି ଗୋଟିଏ ଶବ୍ଦ ଅଛି । ଏହି ଶବ୍ଦର ଅର୍ଥ ଯେ ଯେଉଁ ଶିଶୁଟି ଜନ୍ମ ହେବା ପରେ ଓ ତାହାର ହେତୁ ଆସିବା ପରେ ସେ ତା’ର ପୂର୍ବ ଜନ୍ମ ସମୟରେ ଘଟିଥିବା କିଛି ଘଟଣା ପ୍ରକାଶ କରିଥାଏ ଓ ସେହି ଘଟଣା ଓ ତା’ ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷ ସମ୍ପର୍କରେ ତନଖି କଲେ ତାହା ସତ୍ୟ ବୋଲି ଜଣା ପଡ଼େ । 
 ଭାରତରେ ଏଭଳି ଅନେକ ପୁର୍ବଜନ୍ମର ରହସ୍ୟର ପର୍ଦାଫାଶ କରୁଥିବା ଶିଶୁଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜଣାଯାଇଛି । ପୂର୍ବଜନ୍ମର ରହସ୍ୟ ଉନ୍ମୋଚନ କରିବା ପାଇଁ ଅନେକ ବୈଜ୍ଞାନିକ, ପ୍ରଫେସର ପୁର୍ବଜନ୍ମର କଥା କହୁଥିବା ଶିଶୁମାନଙ୍କ ଉପରେ ଗବେଷଣା କରି, ସେମାନଙ୍କ କଥା ସତ୍ୟ ବୋଲି ପ୍ରମାଣ ପାଇବା ସହିତ ସନାତନ ସଂସ୍କୃତିର ପୁନର୍ଜନ୍ମ ଦର୍ଶନକୁ ବିଶ୍ୱାସ କରିଛନ୍ତି । ଖ୍ରୀଷ୍ଟପୂର୍ବ ପଞ୍ଚମ ଓ ଚତୁର୍ଥ ଶତାବ୍ଦୀରେ ପ୍ରାଚୀନ ଇତିହାସକାର ପିଥାଗୋରସ ରହସ୍ୟକୁ ସ୍ୱୀକାର କରିଥିଲେ । ମନୋବିଜ୍ଞାନୀ ଲାନ୍ ଷ୍ଟିଭେନ୍ସନ୍ ପୂର୍ବଜନ୍ମ କଥା କହୁଥିବା ଅନେକ ଶିଶୁ ମାନଙ୍କ ଉପରେ ଗବେଷଣା କରିବା ସହିତ ସେମାନଙ୍କ କଥାର ସତ୍ୟତାକୁ ଉପଲବ୍ଧି କରିବା ପରେ ପୁନର୍ଜନ୍ମ ଦର୍ଶନକୁ ସ୍ୱୀକାର କରିଛନ୍ତି । ବହୁତ ଲୋକ ଆଧ୍ୟାତ୍ମିକ ଧାର୍ମିକ ଓ ଦାର୍ଶନିକ ଦୃଷ୍ଟି କୋଣରୁ ଆତ୍ମାର ଅବସ୍ଥିତିକୁ ସ୍ୱୀକାର କରିଥିବା ବେଳେ ଅନେକ ମଧ୍ୟ ଏହାକୁ ଆସ୍ୱୀକାର କରିଛନ୍ତି । ବିଜ୍ଞାନ ଏ ସମ୍ବନ୍ଧରେ କୌଣସି ସିଦ୍ଧାନ୍ତ ରେ ପହଞ୍ଚô ପାରିନାହିଁ କିମ୍ବା ଶରୀରରେ ଆତ୍ମାର ଅବସ୍ଥିତି ବିଷୟରେ କୌଣସି ପ୍ରମାଣିକ ତଥ୍ୟ ତା’ ନିକଟରେ ନାହିଁ । କିନ୍ତୁ ପରୋକ୍ଷରେ ଶକ୍ତି ବା ଏନର୍ଜିକୁ ‘ଗଡ ପାର୍ଟିକିଲ’ କହିବା ସହିତ ଏହାର ସୃଷ୍ଟି ସମ୍ଭବ ନୁହେଁ କିମ୍ବା କ୍ଷୟ ସମ୍ଭବ ନୁହେଁ ଓ ଏହା କେବଳ  ସ୍ଥାନାନ୍ତରଶୀଳ ବୋଲି କହିଛି । ‘ଶକ୍ତି’ର ଉତ୍ସ ସମ୍ପର୍କରେ କୌଣସି ତଥ୍ୟ ବିଜ୍ଞାନ ହାସଲ କରିପାରିନାହିଁ । ପରୋକ୍ଷରେ କହିଛି ଆତ୍ମା ହେଉଛି  ‘ରୂପାନ୍ତରଣଶୀଳ ଚୁମ୍ଭକୀୟ ଜାଗତିକ ଶକ୍ତି’ ବା  ମକ୍ଟଗ୍ଦଜ୍ଞସମ ଜ୍ଞବଶଦ୍ଭରଗ୍ଧସମ ମକ୍ଟଦ୍ଭଙ୍ଖରକ୍ସଗ୍ଧବଭକ୍ଷର ରଦ୍ଭରକ୍ସଶଚ୍ଚ । ବିଜ୍ଞାନ ମଧ୍ୟ ମାନିଛି ଯେ ପୃଥିବୀର ସମସ୍ତ ପଦାର୍ଥ ଶକ୍ତି ଦ୍ୱାରା ତିଆରି ହୋଇଛି । ଯଦିଓ ବିଜ୍ଞାନ ସିଧା ସଳଖ ଆତ୍ମାର ଅବସ୍ଥିତି ସମ୍ପର୍କରେ ନିଜର ସ୍ପଷ୍ଟ ମତ ଦେଇନାହିଁ କିନ୍ତୁ କହିଛି ଏ ଦିଗରେ ଅଧିକ ଗବେଷଣା ହେବା ସହିତ ତର୍କର ଆବଶ୍ୟକତା ରହିଛି । ସନାତନ ସଂସ୍କୃତିରେ ମୁନି ରୁଷି ମାନେ ହୁଅନ୍ତୁ ବା ସେମାନଙ୍କ ପ୍ରଣୀତ ଶାସ୍ତ୍ର ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାହା ସତ୍ୟ ଉପରେ ଆଧାରିତ । କାରଣ ଆଜିର ବୈଜ୍ଞାନିକମାନଙ୍କ ଠାରୁ ସେମାନେ ଜଣେ ଜଣେ ଶ୍ରେଷ୍ଠ ଓ ଉନ୍ନତ ବୈଜ୍ଞାନିକ ଥିଲେ । ସମୟ ଆସିବ ଆଜି ଯେଉଁ ବୈଜ୍ଞାନିକ ମାନେ ଆତ୍ମା ଓ ଶରୀର ଭିତରେ ପାର୍ଥକ୍ୟ ଓ ପୁନର୍ଜନ୍ମକୁ ବିଶ୍ୱାସ କରୁନାହାନ୍ତି ସେମାନେ ବିଶ୍ୱାସ କରିବାକୁ ବାଧ୍ୟ ହେବେ । ବେଦ ଉପନିଷଦରୁ ବିଜ୍ଞାନ ପ୍ରେରଣ ପାଇ ଆଗକୁ ଯାଇଛି । ଆଜି ବିଜ୍ଞାନ ଯେଉଁ ରହସ୍ୟ ଉନ୍ମୋଚନ କରୁଚି ତାହା ବହୁ ପୂର୍ବରୁ ଆମ ଶାସ୍ତ୍ରରେ ଉଲ୍ଲେଖ ଅଛି । ତେଣୁ ପୁନର୍ଜନ୍ମ ଦର୍ଶନ ସତ୍ୟ ଉପରେ ଆଧାରିତ କହିଲେ ଭୁଲ ହେବ ନାହିଁ । କାରଣ ଏହି ସତ୍ୟଟି ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀ ।
ଅବସରପ୍ରାପ୍ତ ପୋଲିସ୍ ଅଫିସର୍
ମୋ: ୮୨୪୯୨୮୧୫୬୭