ମାର୍ଟିନ୍ ଙ୍କ ଇତିବୃତ୍ତ

ମାର୍ଟିନ୍ ଙ୍କ  ଇତିବୃତ୍ତ


ନିର୍ବାଚନ କମିଶନ ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଇଥିବା ବ୍ୟକ୍ତିବିଶେଷ/ସଂସ୍ଥାର ନାମ ୧୪ ମାର୍ଚ୍ଚରେ ଜାରି କରିଛନ୍ତି, ୭୬୩ ପୃଷ୍ଠାର ତାଲିକାରେ ହଜାରେ କୋଟିରୁ ଅଧିକ ଚାନ୍ଦା ଦେଇଥିବା ଜଣେ ମାତ୍ର ବ୍ୟକ୍ତି ଅଛନ୍ତି ଓ ସେହି ବ୍ୟକ୍ତିଙ୍କ ନାମ ହେଉଛି ମାର୍ଟିନ ସେଟିୟାଗୋ । ୫୯ ବର୍ଷ ମାର୍ଟିନ୍ଙ୍କ କମ୍ପାନୀ ୨୦୧୯ ମସିହା ଏପ୍ରିଲ୍ ୧୨ ତାରିଖଠାରୁ ୨୦୧୪ ଜାନୁୟାରୀ ୧୧ ମଧ୍ୟରେ ରାଜନୈତିକ ଦଳମାନଙ୍କୁ ସର୍ବାଧିକ ୧୩୬୮ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ମାର୍ଟିନ ଦେଶରେ ଲଟେରୀ କିଙ୍ଗ୍ ନାମରେ ପରିଚିତ । ଦକ୍ଷିଣ ତାମିଲନାଡୁର ରାମନାଥପୁରମ ଜିଲ୍ଲାରେ ୧୯୬୫ ମସିହାରେ ମାର୍ଟିନ ଜନ୍ମଗ୍ରହଣ କରିଥିଲେ । ଏକ ମଧ୍ୟମ ବର୍ଗୀୟ ପରିବାରରେ ଜନ୍ମ ନେଇଥିବା ମାର୍ଟିନଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା । ଦାରିଦ୍ର୍ୟ ଭିତରେ ପିଲାବେଳ କଟିଥିଲା । ଦୈନଦିନର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିବାରୁ ମାର୍ଟିନଙ୍କୁ କାମ କରିବା ପାଇଁ ମିଁୟାମାରର ୟାଙ୍ଗୁନ ସହରକୁ ଯିବାକୁ ପଡ଼ିଥିଲା । ୧୯୮୮ ମସିହାରେ ମାର୍ଟିନ ମିଁୟାମାରରୁ ତାମିଲନାଡୁ ଫେରି ଆସିଥିଲା । ତାମିଲନାଡୁର କୋଏମ୍ବାଟୁରଠାରେ ସେ ମାର୍ଟିନ ଲଟେରୀ ଏଜେନ୍ସୀ ଲିମିଟେଡ ନାମରେ ଲଟେରୀ ବ୍ୟବସାୟ ଆରମ୍ଭ କରିଥିଲେ । ବ୍ୟବସାୟ ତାଙ୍କର ଭଲ ଚାଲିଥିଲା । ଧୀରେ ଧୀରେ ମାର୍ଟିନ ଦକ୍ଷିଣ ଭାରତର କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ଲଟେରୀ ବ୍ୟବସାୟକୁ ଆରମ୍ଭ କରିଥିଲେ ।
ମାର୍ଟିନ ଲଟେରୀ ମାର୍ଟିନ ଓ ଲଟେରୀ କିଙ୍ଗ ନାମରେ ପରିଚିତ ହେଲେ । ବର୍ତ୍ତମାନ ମାର୍ଟିନ ଅନେକ କମ୍ପାନୀର ମାଲିକ । ମାର୍ଟିନଙ୍କର ମାଲିକାନାରେ ଥିବା କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀ ହେଉଛି ଫୁ୍ୟଚର ଗେମିଙ୍ଗ ଆଣ୍ଡ ହୋଟେଲ ସର୍ଭିସେସ୍ ପ୍ରାଇଭେଟ ଲିିମିଟେଡ । ୧୯୯୧ ମସିହା ଡିସେମ୍ବର ୩୦ ତାରିଖରେ ସ୍ଥାପିତ  ହୋଇଥିବା ଏହି କମ୍ପାନୀ ଏବେ ସିକିମ୍, ନାଗାଲ୍ୟାଣ୍ଡ ଏବଂ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ଲଟେରୀ ବ୍ୟବସାୟ ଚଳାଇଛି । ଏହି କମ୍ପାନୀ ୧୩୬୮ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡ କିଣିଛି । ଅନ୍ୟ ଅର୍ଥରେ ଏହି କମ୍ପାନୀ ବିଭିନ୍ନ ରାଜେନ÷ତିକ ଦଳମାନଙ୍କୁ ୧୩୬୮ କୋଟି ଟଙ୍କା ଚାନ୍ଦା ଦେଇଛି । ବିଜିନେସ୍ ଓ୍ୟାର୍ଲଡ ଏବଂ ଇକୋନିମିକ୍ ଟାଇମସ ଭଳି ସମ୍ବାଦପତ୍ରରେ ଅନେକବାର ମାର୍ଟିନ ବାବଦରେ ଖବର ପ୍ରକାଶ ପାଇଛି ଓ ଭାରତର ସବୁଠାରୁ ବଡ଼ ବ୍ୟକ୍ତିଗତ କରଦାତା ବୋଲି ଲଲ୍ଲେଖ କରାଯାଇଛି । ମାର୍ଟିନ ଏବେ ଅଲ୍ ଇଣ୍ଡିଆ ଫେଡେରେସନ ଅଫ ଲଟେରୀ ଟ୍ରେଡଆଣ୍ଡ ଆଲାଡେ ଇଣ୍ଡଷ୍ଟ୍ରିଜ୍ର ସଭାପତି ଅଛି । ତାଙ୍କର କମ୍ପାନୀ ଫୁ୍ୟଚର ଗେମିଂଙ୍ଗ ଓ୍ୟାର୍ଲଡ ଲଟେରୀ ଆସୋସିଏସନର ସଭ୍ୟ ଅଟେ । ମାର୍ଟିନର ୱେବସାଇଟ ଅନୁସାରେ ସେ ଦାନ କରିବା ଏବଂ ପରୋପକାର କରିବାକୁ ଭଲପାଇଥାନ୍ତି । ତାଙ୍କ ସ୍ତ୍ରୀ କରୋନା ସମୟରେ ତାମିଲନାଡୁ ସରକାରଙ୍କୁ ମାର୍ଟିନ ଗ୍ରୁପ ତରଫରୁ କୋଟି କୋଟି ଟଙ୍କା ଦାନ କରିଥିଲେ । କେରଳ ଲୋକଙ୍କର ଲଟେରୀ ଟିକଟ କିଣିବାର ଆଗ୍ରହ ଅଧିକ । ଏହି ଲଟେରୀରୁ ସରକାର ମଧ୍ୟ ଅଧିକ ରାଜସ୍ୱ ପାଇଥାନ୍ତି । ବିଗତ ଏକ ଦଶନ୍ଧି ମଧ୍ୟରେ ଲଟେରୀରୁ ରାଜ୍ୟସରକାରଙ୍କୁ ମିଳୁଥିବା ରାଜସ୍ୱ ୧୦ ଗୁଣ ବଢିଛି । ଇଣ୍ଡିଆନ ଏକ୍ସପ୍ରେସର ଏକ ଖବର ଅନୁସାରେ ୨୦୧୧ ମସିହାରେ ଲଟେରୀ ଧନ୍ଦାରୁ କେରଳ ସରକାର ୫୫୭ କୋଟି ଟଙ୍କାର ରାଜସ୍ୱ ପାଇଥିଲେ । ୨୦୧୫ ବେଳକୁ ଏହି ରାଜସ୍ୱ ବାବଦ ଅର୍ଥ ବଢିଯାଇ ୫୬୯୬କୋଟି ଟଙ୍କାରେ ପହଞ୍ଚିଥିଲା । ୨୦୨୦ ମସିହା ବେଳକୁ ଏହା ୯୯୭୪ କୋଟି ଟଙ୍କାରେ ପହଞ୍ଚିଥିଲା । କେରଳର ବାମପନ୍ଥୀ ସରକାରଙ୍କ ସହ ମାର୍ଟିନଙ୍କର ଭଲ ସମ୍ପର୍କ ଥିଲା । ଡିଏମ୍କେ ସହ ମଧ୍ୟ ସମ୍ପର୍କ ଭଲ ଥିଲା । ୨୦୧୧ରେ ମାର୍ଟିନ ୨୦ କୋଟି ଟଙ୍କା ବ୍ୟୟରେ ଏକ ତାମିଲ ଫିଲ୍ମର ପ୍ରଯୋଜନା କରିଥିଲା । ଏହାର କାହାଣୀ ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ।  ୨୦୦୮ ମସିହାରେ ସିକିମ ସରକାର ମାର୍ଟିନ ନାମରେ ୪୫୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଥିଲେ । ୨୦୧୧ରେ ତାମିଲନାଡ଼ୁ ସରକାର ଏବଂ କର୍ଣ୍ଣାଟକ ସରକାର ଅବୈଧ ଲଟେରୀ କାରବାର ବାବଦରେ ତଦନ୍ତ କରିଥିଲେ । ୨୦୧୩ରେ କେରଳ ପୋଲିସ ମାର୍ଟିନର ଘର ଉପରେ ଚଢଉ କରିଥିଲେ । ୨୦୧୫ରେ ଆୟକର ବିଭାଗ ମଧ୍ୟ ଚଢଉ କରିଥିଲେ । ୨୦୧୬ରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ପକ୍ଷରୁ ମଧ୍ୟ ମାର୍ଟିନର ଘର ଓ ଅଫିସ ଉପରେ ଚଢଉ ହୋଇଥିଲା । ୨୦୧୮ରେ ସିବିଆଇ ମଧ୍ୟ ମାର୍ଟିନ ସମ୍ପର୍କରେ ତଦନ୍ତ କରିଥିଲା ।୨୦୨୨ରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ମାର୍ଟିନର ୪୦୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲେ । ୨୦୨୩ରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ମଧ୍ୟ ମାର୍ଟିନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସିକିମ ସରକାର ମାର୍ଟିନର ୪୫୭ କୋଟି ଟଙ୍କା ମଧ୍ୟ ଜବତ କରିଥିଲେ । ଏ ହେଉଛି ରାଜନୈତିକ ଦଳମାନଙ୍କୁ ୧୩୬୮ କୋଟି ଟଙ୍କା ଚାନ୍ଦା ଦେଇଥିବା ମାର୍ଟିନ ସେଟିୟାଗୋଙ୍କ ଇତିବୃତ୍ତ । ଏକ ସମୟରେ କାମ କରିବା ପାଇଁ ମିଁଆମାର ଯାଇଥିବା ମାର୍ଟିନ ଏବେ ବହୁ କୋଟି ଟଙ୍କାର ମାଲିକ ।