ମୁକ୍ତ ଓ ଅବାଧ ନିର୍ବାଚନ

ମୁକ୍ତ ଓ ଅବାଧ ନିର୍ବାଚନ


ଭାରତ ହେଉଛି ବିଶ୍ୱର ଅନ୍ୟତମ ସର୍ବବୃହତ ଗଣତନ୍ତ୍ର । ମୁକ୍ତ ଓ ଅବାଧ ଜନମତ ସଂଗ୍ରହ ଭିତ୍ତିରେ ସ୍ୱଚ୍ଛ ନିର୍ବାଚନ ମାଧ୍ୟମରେ ଗଣତାନ୍ତ୍ରିକ ଶାସନର ସାମ୍ବିଧାନିକ ମୂଳଦୁଆ ତିଆରି ହୋଇଥାଏ । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ କେବଳ ନିର୍ବାଚନ ହିଁ ଗଣତନ୍ତ୍ରର ମୁଖ୍ୟ ଆଧାର ବା ମୁଖ୍ୟ ଉଦେ୍ଦଶ୍ୟ । ଲୋକାଭିମୁଖୀ ଗଣତନ୍ତ୍ର ଶାସନର ପ୍ରଥମ କ୍ଷେତ୍ର ହେଉଛି ସୁସ୍ଥ ଓ ସ୍ୱଚ୍ଛ ଜନମତ । ତେଣୁ ଗଣତନ୍ତ୍ରରେ ସୁସ୍ଥ ଓ ମୁକ୍ତ ବାତାବରଣରେ ନିର୍ବାଚନର ପ୍ରାସଙ୍ଗିକତାର ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଏହା ସୁସ୍ଥ ଜନାଦେଶ ଭିତ୍ତିରେ ଗଠିତ ସରକାର ରାଷ୍ଟ୍ରର ପ୍ରଭୁତ୍ୱ ବିକାଶ ତଥା ଜନସମୂହର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଶାସନ ପରିଚାଳନା କରିବା । ତେଣୁ ନିର୍ବାଚନ ପ୍ରକରଣରେ ରାଜନୈତିକ ଦଳ ଦ୍ୱାରା ସର୍ବସମ୍ମତିକ୍ରମେ ଆଦର୍ଶ ଆଚରଣ ବିଧିର ଗ୍ରହଣୀୟତା ରହିଛି । ତେଣୁ ଦୀର୍ଘ ୬୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଭାରତୀୟ ନିର୍ବାଚନ ଆୟୋଗ ଯେଉଁ ଆଦର୍ଶ ଆଚରଣ ବିଧି ଘୋଷଣା କରିଆସିଛନ୍ତି ତାହା ଆମ ଗଣତନ୍ତ୍ରର ସ୍ୱଚ୍ଛତା ପ୍ରକି୍ରୟାର ଏକ ଶ୍ରେଷ୍ଠ ନିଦର୍ଶନ କହିଲେ ଅତୁ୍ୟକ୍ତି ହେବନାହିଁ । କିନ୍ତୁ ଅନେକ ସମୟରେ ଦେଖାଯାଏ ଆଦର୍ଶ ଆଚରଣ ବିଧି ପାଳନରେ ଉଲ୍ଲଘଂନ ଦେଖାଯାଉଛି ।
ଏଠାରେ ସୂଚନା ଥାଉକୁ ମାର୍ଚ୍ଚ ୧୬ ତାରିଖରୁ ଦେଶରେ ନିର୍ବାଚନ ବିଧିବଦ୍ଧ ଘୋଷଣା ହୋଇସାରିଥିଲା ବେଳେ ଜୁନ୍ ୪ ତାରିଖରେ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମଗ୍ର ଭାରତରେ ଓ ୪ଟି ନୂଆ ରାଜ୍ୟରେ ଗଣତାନ୍ତ୍ରିକ ପଦ୍ଧତିରେ ସରକାର ଗଠନ ହେବାକୁ ଯାଉଛି । ଅନେକ ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନେକ ସମୟରେ ନିର୍ବାଚନ ପରିଚାଳନା ସମୟରେ ସ୍ୱଚ୍ଛତା, ନିରପେକ୍ଷତା ଓ ପବିତ୍ରତା କ୍ଷୁଣ୍ଣ ହୋଇଥିବାର ଅଭିଯୋଗ ନିର୍ବାଚନ ପରିଚାଳନା ପ୍ରକି୍ରୟାକୁ ଆହ୍ୱାନପୂର୍ଣ୍ଣ କରିଦେଇଥାଏ । ସାଧାରଣ ନିର୍ବାଚନ ସମେତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସର୍ବସାଧାରଣ ସ୍ଥାନମାନଙ୍କରୁ ରାଜନୈତିକମାନଙ୍କର ନିର୍ବାଚନୀ ଚିହ୍ନ, ସ୍ଲୋଗାନ, ଫଟୋ, ପୋଷ୍ଟର ଆଦି ତୁରନ୍ତ ହଟାଇବାକୁ ନିର୍ବାଚନ ଆୟୋଗ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାରମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେବେ ଏହି ନିଦେ୍ର୍ଦଶନାମା ସଠିକ୍ ଭାବେ ପାଳନ ହୋଇଛି କି ନାହିଁ ତାହା ପୁନଃ ନିଦେ୍ର୍ଦଶନାମା ଦ୍ୱାରା ତଥ୍ୟ ସଂଗ୍ରହ କରିବାକୁ ପଡ଼ିଲା ।
ନିର୍ବାଚନ ଆଚରଣ ବିଧି ଅଧୀନରେ ରାଜନୈତିକ ଦଳ ଓ ନିର୍ବାଚନରେ ଭାଗ ନେଉଥିବା ଅନେକ ରାଜନେତାଙ୍କ ପାଇଁ କଟକଣା ଗ୍ରହଣ କରାଯାଇଥାଏ । ସେମାନେ ସେମାନଙ୍କ ରାଜନୈତିକ ଭାଷଣରେ ଯେପରି ଜାତିଗତ ଓ ସାମ୍ପ୍ରଦାୟିକ ବିଦ୍ୱେଷ, ଉତ୍ତେଜନା ଓ ଘୃଣା ସୃଷ୍ଟିକାରୀ ମନ୍ତ୍ରବ୍ୟ, ବ୍ୟକ୍ତିଗତ ଚରିତ୍ରର ଆରୋପ ଆଦି ନ ରହେ ସେ ଦିଗ ଉପରେ ସତର୍କ ଦୃଷ୍ଟି ରଖିବାର କଟକଣା ହୋଇଥାଏ । କାରଣ ଏହି ନିର୍ବାଚନ ସମୟରେ ପରସ୍ପର କାଦୁଅ ଫିଙ୍ଗା ରାଜନୀତି ଏକପ୍ରକାର ଅରାଜକତା ସୃଷ୍ଟି କରିଥାଏ । ଯାହାପାଇଁ କହିବାକୁ ଗଲେ ଆଦର୍ଶ, ଆଚରଣ ବିଧିର ତିଆରି ଓ ନିର୍ବାଚନ ଆୟୋଗକୁ ଏହାର ରେଫରି ଭାବେ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିଥାଏ । ନିକଟରେ ଭୋଟରମାନଙ୍କୁ ବିଭିନ୍ନ ମାଗଣା ଯୋଜନା ଦ୍ୱାରା ପ୍ରଲୋଭନ ଦେଖାଇ ଯେପରି ସବୁ ନୂଆ ନୂଆ ଘୋଷଣା କରାଯାଉଛି ଏ ଦିଗ ପାଇଁ ସତର୍କ ଦୃଷ୍ଟି ରଖିବାକୁ ରାଜନୈତିକ ଦଳମାନଙ୍କୁ ସର୍ତକତା ଅବଲମ୍ବନ ପାଇଁ ସୂଚିତ କରାଯାଇଛି । କାରଣ ଭାରତୀୟ ରାଜନୀତିରେ ଆଜି ପର୍ଯ୍ୟନ୍ତ “ହାତୀ ଦେବି, ଘୋଡ଼ା ଦେବି”... ପରି ପ୍ରଲୋଭନରେ ଭୋଟରଙ୍କୁ ମଧ୍ୟ ଭୁଆଁ ବୁଲାଇବାର ପ୍ରକି୍ରୟା ଚାଲୁରହିଛି । ସେହିପରି ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରକାରଙ୍କ କ୍ୟାବିନେଟର ସଦ୍ୟମାନେ ଯେପରି ସେମାନଙ୍କ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଯେପରି ସରକାରଙ୍କ ଯୋଜନା କିମ୍ବା କୌଣସି ଅନୁଦାନ ବା ନିଯୁକ୍ତି ଘୋଷଣା କରାନଯିବ ସେ ଦିଗ ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ଏଥିପାଇଁ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ନିଯୁକ୍ତିର ବ୍ୟବସ୍ଥା ମଧ୍ୟ ରହିଛି । ସରକାରୀ ୱେବସାଇଟରୁ ନେତାଙ୍କ ନାମ ଓ ଫଟୋ ହଟାଇବାର ଆଦେଶ ସହିତ ଏହାର ସଠିକ ଓ ତ୍ୱରିତ କଠୋର ଅନୁପାଳନ ପାଇଁ ନିର୍ବାଚନ କମିଶନ ଜିରୋ ଟଲରେନସ ବା ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ନିକଟରେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘନ ଅଭିଯୋଗକୁ ସାମ୍ନା କରି ତାଙ୍କ ବିରୁଦ୍ଧରେ ଶକ୍ତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରାଯାଇଛି ।
ନିର୍ବାଚନ ଆଦର୍ଶ, ଆଚରଣ ବିଧି ପାଳନ କ୍ଷେତ୍ରରେ କମିଶନ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗକୁ ପ୍ରାଧାନ ଦେଇଛନ୍ତି । “ସି-ଭିଜିଲ୍” ନାମରେ ଏକ ମୋବାଇଲ ଆପ୍ କାର୍ଯ୍ୟକାରୀ ହୋଇ ଏହାଦ୍ୱାରା ନାଗରିକମାନଙ୍କୁ ନିର୍ବାଚନ ବିଧି ଉଲ୍ଲଘଂନ ତଥା ଭୋଟ୍ ପାଇଁ କୌଣସି ପ୍ରଲୋଭନମୂଳକ ଟଙ୍କା କିମ୍ବା ମାଗଣା ସାମଗ୍ରୀ ବଣ୍ଟନ କାର୍ଯ୍ୟକଳାପ, ଭିଡ଼ିଓ ଚିତ୍ର କିମ୍ବା ଫଟୋ ବା କଥାବାର୍ତ୍ତାର ରେକର୍ଡିଂ ଆଦି ଅପ୍ଲୋଡ଼ କରି ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇ ଅଭିଯୋଗର ବ୍ୟବସ୍ଥା ରହିଛି । ଏଥିରେ ଅଭିଯୋଗ ପଠାଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବାର ବ୍ୟବସ୍ଥା ରହିଛି । ତେବେ ଖୁସିର କଥା ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ମାତ୍ର ପ୍ରାରମ୍ଭିକ ୧୦ ଦିନ ଭିତରେ ଏହି ଆପ୍ରେ ପାଖାପାଖି ୫୩,୦୦୦ରୁ ଊଦ୍ଧ୍ୱର୍ ଅଭିଯୋଗ ଆସିଥିବା ବେଳେ ମାତ୍ର ୧୦୦ ମିନିଟ୍ ଭିତରେ ଅଧିକାଂଶ ଅଭିଯୋଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି ।
ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଲଢ଼ିବା ପାଇଁ ୨୮୦୦ ରାଜନୈତିକ ଦଳ ପଞ୍ଜୀକୃତ ହୋଇଛନ୍ତି । ତେଣୁ ଏତେ ସଂଖ୍ୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ କାର୍ଯ୍ୟକଳାପ ଉପରେ ଟିକିନିଖି ଦୃଷ୍ଟି ରଖିବା ନିର୍ବାଚନ ଆୟୋଗ ଦ୍ୱାରା ସମ୍ଭବ ନ ହୋଇପାରେ । ସେହିପରି ନିର୍ବାଚନ କମିଶନ ପାଇଁ ଉଭୟ ଛପା ଓ ବୈଦୁ୍ୟତିକ ଗଣମାଧ୍ୟମରେ ନିର୍ବାଚନ, ଆଚରଣ, ଆଦଶ ବିଧି ଅନୁପାଳନ ତଦାରଖ ସହଜ ହେଲେ ମଧ୍ୟ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ବର୍ତ୍ତମାନ ସମୟରେ ସେତେଟା ସହଜ ଓ ସମ୍ଭବ ନୁହେଁ । ତମାମ ବିଶ୍ୱରେ ପ୍ରସାରିତ ହେଉଥିବା ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ମିଡ଼ିଆ ବିଭିନ୍ନ ଦେଶରେ ସେଠାକାର ନିର୍ବାଚନ ବ୍ୟବସ୍ଥାକୁ ଦୁଷିତ କରୁଥିବାର ଅଭିଯୋଗ ବାରମ୍ବାର ଆସୁଥିବା ବେଳେ ଆମ ନିର୍ବାଚନ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ପ୍ରକି୍ରୟା ହୋଇଥିବାରୁ ଏହାକୁ ମୁକ୍ତ ଓ ଅବାଧ୍ୟ ରଖିବା ପାଇଁ କେବଳ ନିର୍ବାଚନ କମିଶନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଦେଲେ ହେବ ନାହିଁ । ଏ କ୍ଷେତ୍ରରେ ଆମ ସମସ୍ତଙ୍କର ଏକ ସଜାଗ ଓ ସର୍ତକତାମୂଳକ ଗୁରୁଦାୟିତ୍ୱ ରହିଛି । ଦଳଗତ ରାଜନୀତିର ଅନୈତିକ ଚାପ ଆଜିର ନିର୍ବାଚନ ପ୍ରକି୍ରୟାକୁ ଯଥେଷ୍ଟ ପ୍ରଭାବିତ କରୁଥିବା ବେଳେ ନୈତିକତାପୂର୍ଣ୍ଣ ରାଜନୈତିକ ପ୍ରତିନିଧିତ୍ୱ ପସନ୍ଦ କରିବା ମଧ୍ୟ କମ୍ ବଡ଼ ଆହ୍ୱାନ ନୁହଁ । ତେଣୁ ଏ କ୍ଷେତ୍ରରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାରେ ଆମ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱ ରହିଛି ।
ମୋ: ୯୪୩୭୨୨୫୬୮୯