କାର୍ତ୍ତିକ ବ୍ରତ
ବର୍ଷକ ବାର ମାସ ଛଅ ଋତୁ । ମାତ୍ର ସବୁ ମାସ ମଧ୍ୟରେ କାର୍ତ୍ତିକକୁ ଶ୍ରେଷ୍ଠ ମାସ ଭାବେ ବିବେଚନା କରାଯାଏ । କୁମାର ପୂର୍ଣ୍ଣିମା ପରଦିନ ଠାରୁ ଆରମ୍ଭ ହୁଏ ଧର୍ମ ମାସ କାର୍ତ୍ତିକ । ଏହି ମାସରେ ଲୋକମାନେ ନିଷ୍ଠାର ସହ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ସାରା ମାସ ଆମିଷ ବର୍ଜନ କରି ଶୁଦ୍ଧ ଶାକାହାରୀ ଖାଦ୍ୟକୁ ଆପଣାଇଥାନ୍ତି । ବିଶେଷ କରି ବିଧବା ମହିଳାମାନେ ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବା ସହ ସନ୍ଧ୍ୟାରେ ଆକାଶ ଦୀପ ଉଠାଇ ନୈବେଦ୍ୟ ଅର୍ପଣ କରିଥାନ୍ତି । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ହୋଇଥାଏ । ପ୍ରାତଃରୁ ଉଠି ମହିଳାମାନେ ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ତୁଳସୀ ମୂଳରେ ରାଇଦାମୋଦର ପୂଜା କରିଥାନ୍ତି । କାର୍ତ୍ତିକ ମାସର ମାହାତ୍ମ୍ୟ ବ୍ୟାସଦେବ ବିରଚିତ ପଦ୍ମପୁରାଣରେ ବର୍ଣ୍ଣିତ ହୋଇଛି । ସୁତମୁନି ଅନ୍ୟ ମୁନି ମାନଙ୍କୁ ଏହା କହିଛନ୍ତି ବର୍ଣ୍ଣିତ ଅଛି “ଏମନ୍ତେ ମୁନିଙ୍କର ପାଶେ । ସୁତ କହନ୍ତି ମନ ତୋଷେ । । ବୋଲନ୍ତି ଶୁଣ ବୁଧଗଣେ, ଯେ ଧର୍ମ ପଙ୍କଜ ପୁରାଣେ । । ଉତ୍ତରଖଣ୍ଡେ ଯେଉଁ ବାଣୀ, ବ୍ୟାସଙ୍କ ମୁଖୁଁ ଅଛି ଶୁଣି । ।’ କାର୍ତ୍ତିକରେ ତୁଳସୀ ପୂଜାର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ତୁଳସୀ ଚଉରା ମୂଳରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ ଧୂପ, ଦୀପ, ଅକ୍ଷତ ପ୍ରଦାନ ସ୍ୱରୂପ ହିବଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି । ଏ ଅବସରରେ ସୂର୍ଯ୍ୟ ପୂଜା ମଧ୍ୟ କରାଯାଏ । ଏହା ସଂପୂର୍ଣ୍ଣ ଆମିଷ ବର୍ଜନର ମାସ । ମାସ ତମାମ୍ ହବିଷ ଭୋଜନ ଓ ଶ୍ରୀଦାମୋଦରଙ୍କ ପୂଜାର୍ଚ୍ଚନାର ବିଧି ପ୍ରଚଳିତ । ଶ୍ରଦ୍ଧାର ସହିତ ତପ, ପୂଜା ପାଠ ଓ ଉପବାସ ପାଳନ ଦ୍ୱାରା ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ଓ ଜୀବ ମୋକ୍ଷ ଲାଭ କରେ । କାର୍ତ୍ତିକରେ ବ୍ରାହ୍ମ ମୁହୂର୍ତ୍ତର ସ୍ନାନ ଏକ ହଜାର ଥର ଗଙ୍ଗା ସ୍ନାନ ସହିତ ସମାନ । ଶିବ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ମହାପ୍ରଭୁ ରତ୍ନସିଂହାସନ ଉପରେ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି ।
ବାଦଲ ଭୂଇାଁ