ଜୀବନ ଜୀବିକା ଓ ମତଦାନ
୨୦୨୪ ସାଧାରଣ ନିର୍ବାଚନରେ ସର୍ବାଧିକ ଗୁରୁତ୍ୱ ନୂଆ ମତଦାତାଙ୍କ ଉପରେ ଦିଆଯାଉଛି । ନିର୍ବାଚନ୍ କମିଶନ୍ଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ହେବାକୁ ଥିବା ଭୋଟର୍ମାନଙ୍କୁ ସଚେତନ କରାଯାଉଛି । ଏହି ଭୋଟର୍ମାନେ ଜୀବନରେ ପ୍ରଥମ ଥର ଭୋଟ୍ ଦେବା ପାଇଁ ଉକ୍ରଣ୍ଠାର ସହିତ ମତଦାନ ଦିବସକୁ ଅପେକ୍ଷା କରିଛନ୍ତି । ଗୋଟିଏ ପକ୍ଷରେ ୧୮ ବର୍ଷରେ ପଦାର୍ପଣ କରିଥିବା ଯୁବଗୋଷ୍ଠୀ ଉକ୍ରଣ୍ଠିତ ଭାବରେ ମତଦାନ ଦିବସକୁ ଚାହିଁ ରହିଥିବା ବେଳେ ଏହିଭଳି ନୂଆ ଏବଂ ପୁୁରୁଣା ଭୋଟର୍ ପ୍ରବାସୀ ହୋଇ ରହି ଯାଇଛନ୍ତି । କିଏ ରାଜ୍ୟ ଭିତରେ ତ କିଏ ରାଜ୍ୟ ବାହାରେ ରୋଜଗାର ଆଶାରେ ଅଛନ୍ତି ।
ପୂର୍ବ ବର୍ଷ ମାନଙ୍କରେ ଗୋଟିଏ କଥା ଲକ୍ଷ୍ୟ କରାଯାଇଥିଲା ଯେ ପ୍ରବାସୀ ଭୋଟର୍ମାନଙ୍କୁ ଭୋଟ୍ ଦେବା ପାଇଁ ଗାଁକୁ ଅଣେଇବା ନିମିତ୍ତ ପ୍ରାର୍ଥୀମାନେ ବସ୍ ଯୋଗାଡ଼ କରି ବିପୁଳ ଅର୍ଥ ବ୍ୟୟ କରିଥିଲେ । ତେବେ ଚଳିତଥର ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଯେଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଠିକ୍ ସେହିପରି ପୋଷ୍ଟାଲ୍ ବାଲାଟ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ପୋଷ୍ଟାଲ୍ ବାଲାଟ୍ ବ୍ୟବସ୍ଥାରେ ମତଦାତାଙ୍କୁ ମତଦାନ କେନ୍ଦ୍ରକୁ ଆସିବାର ଆବଶ୍ୟକତା ପଡ଼ିବ ନାହିଁ । ଯିଏ ଯେଉଁଠାରେ ଅଛନ୍ତି ସେଇ ଠାରେ ଥାଇ ମତଦାନ ଅଧିକାରକୁ ସାବ୍ୟସ୍ତ କରି ପାରିବେ । ତେବେ ଏ ସମ୍ପର୍କରେ ଅନେକ ପ୍ରବାସୀଙ୍କ ନିକଟରେ ସୂଚନା ପହଞ୍ଚି ନଥିବାରୁ ସେମାନେ ପୋଷ୍ଟାଲ୍ ବାଲାଟ୍ ବ୍ୟବସ୍ଥାର ଉପଯୋଗ କରିପାରୁନାହାଁନ୍ତି । ଆଉ ଅପରପକ୍ଷରେ ପୂର୍ବବର୍ଷ ଭଳି ଭୋଟ୍ ଦେବା ପାଇଁ ସେମାନଙ୍କ ନିକଟରେ ବସ୍ ପହଞ୍ଚାଇ ଗାଁକୁ ଆଣିବା ମଧ୍ୟ ସହଜ ନୁହେଁ । କାରଣ ଏ ପ୍ରକାରର କାର୍ଯ୍ୟକ୍ରମ ଗୁଡ଼ିକୁ ନିର୍ବାଚନ କମିଶନ୍ ପକ୍ଷରୁ ଅତ୍ୟନ୍ତ କଠୋର ଭାବରେ ଦୃଷ୍ଟିରେ ରଖାଯାଇଛି । ତେଣୁ ବସ୍ରେ ହଜାର ହଜାର କିଲୋମିଟର୍ ଦୂରରେ ଥିବା ପ୍ରବାସୀମାନଙ୍କୁ ଅଣାଇ ନିଜ ସପକ୍ଷରେ ପ୍ରତ୍ୟେକ୍ଷ ଭୋଟ୍ ଦାନ ବର୍ତ୍ତମାନ ସମୟରେ ଅତ୍ୟନ୍ତ କଷ୍ଟକର ବ୍ୟାପାର । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ପୋଷ୍ଟାଲ୍ ବାଲାଟ୍ର ବ୍ୟବସ୍ଥା ଥାଇ ମଧ୍ୟ ଏହାର ଉପଯୋଗ ବ୍ୟାପକ ଭାବରେ ହୋଇ ପାରୁନାହିଁ । ଦାଦନ ଶ୍ରମିକ ଭାବରେ ରାଜ୍ୟ ବାହାରେ ଥିବା ଭୋଟର୍ମାନେ ଭୋଟ୍ ଦେବା ବାହାନାରେ ଚଳିତଥର କିଛି ଦିନ ପାଇଁ ଗାଁକୁ ଆସିବା ଭଳି ବ୍ୟବସ୍ଥା ସହଜ ହେଉନାହିଁ । ଜୀବନ ଜୀବିକାର ସଂଘର୍ଷରେ ଲକ୍ଷ ଲକ୍ଷ ଲୋକଙ୍କର ମତଦାନ ଅଧିକାର କେଉଁ ଆଡେ ହଜିଯାଉଛି । ଗାଁରୁ ସହରକୁ ଆସି କୌଣସି ଏକ ବୃତ୍ତିରେ ନିୟୋଜିତ ହୋଇଯିବା ପରେ ମତଦାନ ଆଉ ସେମାନଙ୍କ ପାଇଁ ଗୁରୁତ୍ୱ ବହନ କରୁନାହିଁ । ଏଭଳି ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ସରକାରୀ ଭାବରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ସୁଦ୍ଧା ପ୍ରାର୍ଥୀମାନେ ବ୍ୟକ୍ତିଗତ ଭାବରେ ଯେଭଳି କରିଥାନ୍ତେ, ସେଭଳି ହୋଇପାରୁନାହିଁ । କାରଣ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ୍ ମିଳିବା ଦିନ ଠାରୁ ମତଦାନ ଦିନ ମଧ୍ୟରେ ସମୟ ବ୍ୟବଧାନ ଏତେ କମ୍ ରହିଛି ଯେ ନିଜର ପ୍ରାର୍ଥୀତ୍ୱ ନେଇ ରାଜନେତାମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ । ତେଣୁ ସେମାନେ ଏକ ସଂଶୟ ଭିତରେ ରହି ନିଜ ଗାଁଠାରୁ ଦୂରରେ ରହୁଥିବା ମତଦାତାମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟ୍ର ବ୍ୟବସ୍ଥା କରାଇବା ପରିସ୍ଥିତିରେ ନଥିଲେ ।
ଯେତେ ଲୁଚେଇଲେ ବି ବର୍ତ୍ତମାନ ସମୟରେ ନିର୍ବାଚନ ହେଉଛି ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିବା ଏକ କାର୍ଯ୍ୟକ୍ରମ । ଏଥିରେ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ କାହା ପାଇଁ କେତେ ପରିମାଣର ଖର୍ଚ୍ଚ କରି ହେବ ତାର ସୀମା ନିର୍ଦ୍ଧାରଣ କରାଯାଇଛି ସତ, ହେଲେ ବାସ୍ତବିକତା ଭିନ୍ନ । ଜଣେ ଜଣେ ବିଧାନସଭା ପ୍ରାର୍ଥୀ ୫ କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଲୋକସଭା ପ୍ରାର୍ଥୀ ୧୫ରୁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । କଳାଧନର ଅପବ୍ୟବହାରକୁ ରୋକିବା ପାଇଁ ଯେତେ ଚେଷ୍ଟା କରାଯାଉଥିଲେ ବି ନିର୍ବାଚନ ସମୟରେ ହିଁ ଅଧିକ ଅର୍ଥ କଳାଧନ ଭାବରେ କାରବାର ହୁଏ । ଏବେ ନିଜର ପ୍ରାର୍ଥୀତ୍ୱ ନେଇ ସଂଶୟ ଲାଗି ରହିବାରୁ ପ୍ରବାସୀ ଭୋଟର୍ମାନଙ୍କର ମତଦାନର ଅଧିକାର ସାବ୍ୟସ୍ତ ହେବା କ୍ଷେତ୍ରରେ ସଂଶୟ ସୃଷ୍ଟି ହୋଇଛି ।