ଓଡ଼ିଆ ପର୍ବ ଓ କାର୍ତ୍ତିକ ମାହାତ୍ମ୍ୟ

ଓଡ଼ିଆମାନେ ବାର ମାସରେ ତେର ପର୍ବ ପାଳନ କରନ୍ତି । ହିନ୍ଦୁ ପଞ୍ଜିକାରେ ବାର ମାସ ମଧ୍ୟରୁ କାର୍ତ୍ତିକ ମାସକୁ ସର୍ବଶ୍ରେଷ୍ଠ ମାସ ବୋଲି ବିବେଚନା କରାଯାଏ । ସବୁଠୁ ଅଧିକ ଧର୍ମ ତଥା ପୁଣ୍ୟ ମାସ ମନେକରି ଲୋକମାନେ ଭଗବାନ ଶିବଙ୍କର ଆରାଧନା କରନ୍ତି । କଥିତ ଅଛି, ଉଭୟ ଶୈବ ଏବଂ ବୈଷ୍ଣବ ଭକ୍ତଗଣ ନିଜର ବିଶ୍ୱାସ ସହିତ ଏହି ମାସରେ ଜୀବନର ସବୁ ଶୃଙ୍ଖଳାକୁ କଠୋର ଭାବରେ ପାଳନ କରିବା ସହିତ ଆଧ୍ୟାତ୍ମିକ ଧାରାର ରୀତିନୀତିକୁ ବିଶେଷ ଗୁରୁତ୍ୱ ଦେଇଥାନ୍ତି । ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି, କାର୍ତ୍ତିକ ମାସରେ ବ୍ରତ ପାଳନ କଲେ ସୁଖମୟ ଓ ନିରାମୟ ଜୀବନଯାପନ ସହ ମୋକ୍ଷ ପ୍ରାପ୍ତ ହୁଏ । କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଯାଏ । ବାର ମାସ ମଧ୍ୟରୁ ଭଗବାନ ମହାଦେବଙ୍କ ପ୍ରିୟର ମାସ ହେଉଛି କାର୍ତ୍ତିକ । କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଦିନ ପ୍ରାୟ ଲୋକେ ଉପବାସ ପାଳନ କରିଥାନ୍ତି । ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବରର ଶେଷ ଓ ନଭେମ୍ବର ମାସର ପ୍ରଥମ ଭାଗରେ ଏହି ବ୍ରତ ପାଳନ କରାଯାଏ । ବ୍ରତ କରୁଥିବା ଶ୍ରଦ୍ଧାଳୁଙ୍କ ମନରେ ଏକ ଆଧ୍ୟାତ୍ମିକ ଧାରଣା ଆସେ ଯେ, ଭଗବାନ ବିଷ୍ଣୁ ଏବଂ ମହାଦେବ ଏକ ଅଟନ୍ତି । ତେଣୁ ଏହି ମାସରେ ବିଷ୍ଣୁ ଅଥବା ଶିବଙ୍କୁ ପୂଜାର୍ଚ୍ଚନା କଲେ ଧର୍ମୀୟ ସୌଭାଗ୍ୟ ମିଳେ ବୋଲି ବିଶ୍ୱାସ କରାଯାଏ । ଏହି ମାସରେ ବିଷ୍ଣୁ ସହସ୍ର ନାମ ଅବା ଶିବ ସହସ୍ର ନାମ, ଶିବସ୍ତୋତ୍ର ଆଦି ଶ୍ରଦ୍ଧାଳୁ ବେଶ୍ ଭକ୍ତିର ସହ ଜପ କରିଥାନ୍ତି । କାର୍ତ୍ତିକ ମାସରେ ଥିବା ସମସ୍ତ ଧର୍ମ ବା ରୀତିନୀତିକୁ କଠୋର ଭାବରେ ପାଳନ କରିବା ଜଣେ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ । ପୁରାଣ କଥାବସ୍ତୁ ଅନୁସାରେ, ଭଗବାନ ବିଷ୍ଣୁ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ନିଦ୍ରା ଯାଇ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଜାଗ୍ରତ ହୁଅନ୍ତି । କଥିତ ଅଛି, ଭଗବାନ ଶିବ କାର୍ତ୍ତିକ ପୂର୍ଣ୍ଣିମା ଦିନ ତ୍ରିପୁରାସୁରକୁ ବଧ କରି ବ୍ରହ୍ମାଣ୍ଡକୁ ରକ୍ଷା କରିଛନ୍ତି । ଏ ମାସରେ ଦେବୀ ଗଙ୍ଗା ବା ଗଙ୍ଗାନଦୀ ସମସ୍ତ ନଦୀ, କେନାଲ, ପୁଷ୍କରିଣୀ ଆଦିରେ ପ୍ରବେଶ କରିଥାନ୍ତି । ତେଣୁ ଗଙ୍ଗାନଦୀ ଭଳି ଏମାନେ ବି ପବିତ୍ର ହେବାର ସୁଯୋଗ ଲାଭ କରନ୍ତି । ପୁଣ୍ୟ ମାସ କାର୍ତ୍ତିକରେ ନଦୀରେ ସ୍ନାନ କରି ଭକ୍ତମାନେ ଶିବଙ୍କର ଉପାସନା କରିଥାନ୍ତି । ଯାହାକୁ କି କାର୍ତ୍ତିକ ସ୍ନାନ କୁହାଯାଏ । ହିନ୍ଦୁ ପରମ୍ପରାରେ କାର୍ତ୍ତିକ ସ୍ନାନର ଏକ ସ୍ୱତନ୍ତ୍ରତା ରହିଛି । କାର୍ତ୍ତିକ ମାସରେ ଜଳ ପୃଥିବୀ ପୃଷ୍ଠକୁ ଅଧିକ ଚୁମ୍ବକୀୟ ଶକ୍ତି ସଂଗ୍ରହ କରିଥାଏ । ଏହା ସୂର୍ଯେ୍ୟାଦୟ ଆଗରୁ ଘଟେ ବୋଲି କେତେକ ବୈଜ୍ଞାନିକ କାରଣ ରହିଛି । ଫଳତଃ କାର୍ତ୍ତିକ ମାସରେ ସୂର୍ଯେ୍ୟାଦୟ ଆଗରୁ ସ୍ନାନ କରିବା ବିଧେୟ । ପ୍ରବାହିତ ହେଉଥିବା କୌଣସି ଏକ ଜଳାଶୟରେ କାର୍ତ୍ତିକ ମାସରେ ୧୫ ମିନିଟ୍ ଗାଧୋଇଲେ ପେଟ ସମ୍ବନ୍ଧୀୟ ସମସ୍ୟା, ଲିଭର ସମସ୍ୟା ଭଳି ରୋଗରୁ ମଣିଷ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରେ । ଏହା ଚୁମ୍ବକୀୟ ଥେରାପି ହେତୁ ହୋଇଥାଏ ବିଶ୍ୱାସ କରାଯାଏ ।
କାର୍ତ୍ତିକ ମାସରେ ଦେବ ମନ୍ଦିର ପ୍ରାଙ୍ଗଣରେ "ସପ୍ତା' ବସି ଭାଗବତ ପାଠ ମଧ୍ୟ ଲୋପ ପାଇବାକୁ ବସିଲାଣି  । ସାତଦିନ ଧରି ଏ ଉତ୍ସବ ଚାଲେ  । ନଡ଼ିଆ ପତ୍ର ଘେରା ଆବଦ୍ଧ ସ୍ଥାନ ମଧ୍ୟରେ ଗୋଟିଏ କଣକୁ ବର୍ଗାକାର ଗର୍ତ୍ତଟିଏ ଖୋଳାଯାଏ  । ଦିବାରାତ୍ରି, ସେଠାରେ ଧୁନି ଲାଗିଥାଏ  । ବକ୍ତା ବା ପୂଜକ ଭାଗବତ ପାଠ କରନ୍ତି  । ଗ୍ରାମ ମଧ୍ୟରୁ ଜଣେ ଧର୍ମପରାୟଣ ମୁଖ୍ୟ ବ୍ୟକ୍ତି କର୍ତ୍ତା ହୋଇଥାନ୍ତି  । ସେ ଶ୍ରୋତାର କାମ କରନ୍ତି  । ଗୋଟିଏ ବେଳା ପ୍ରସାଦ ସେବନ  । ସାତଦିନ ପର୍ଯ୍ୟନ୍ତ ଏହା ଚାଲେ  । ଉଦ୍ୟାପନ ଦିବସରେ ଗ୍ରାମବାସୀମାନଙ୍କ ପକ୍ଷରୁ ଚାନ୍ଦା ସଂଗୃହୀତ ହୋଇ ସମସ୍ତଙ୍କୁ ପଂକ୍ତି ଭୋଜନରେ ଅପ୍ୟାୟିତ କରାଯାଏ  । କାର୍ତ୍ତିକ ମାସର ପୂର୍ଣ୍ଣାହୁତି ପର୍ବ କାର୍ତ୍ତିକ ପୂର୍ଣ୍ଣିମା  । ମାସଟିଯାକର ଅନ୍ତିମ ଦିନ  । ସତର୍କତା ସହ ଶୁଦ୍ଧପୁତ ଭାବରେ ଉକ୍ତ ଦିନଟି ପାଳନ କରାଯାଏ ଆବାଳ ବୃଦ୍ଧ ବନିତାଙ୍କ ଉପାସ୍ୟ ଆଶୁତୋଷଙ୍କ ପୂଜାରେ  । 
କାର୍ତ୍ତିକ ମାସକୁ ରାଈ ଦାମୋଦର ମାସ ବି କୁହାଯାଏ । କାରଣ ଏହି ମାସରେ ବିଷ୍ଣୁଙ୍କର ଆରାଧନା କରାଯାଇଥାଏ । ଯେଉଁମାନେ ତିରିଶ ଦିନ ଯାକ ପୂଜାବିଧି କରିନପାରନ୍ତି ସେମାନେ ଅତି କମ୍ରେ ଦଶ ଦିନ ନିଷ୍ଠାର ସହ ଭଗବାନଙ୍କୁ ସ୍ମରଣ କରନ୍ତି । କାର୍ତ୍ତିକ ମାସ ଭଳି ଧର୍ମୀୟ ମାସ ଆଉ ନଥିବା କଥା ପୁରାଣରେ ବର୍ଣ୍ଣିତ । ଉଭୟ ଦେବତାଙ୍କର ଏହା ଅତି ପ୍ରିୟ ମାସ । ସମଗ୍ର କାର୍ତ୍ତିକ ମାସଟି କେବଳ ଓଡ଼ିଆ ଜାତି କାହିଁକି ହିନ୍ଦୁମାନଙ୍କ ଲାଗି ଏକ ଧର୍ମର ମାସ  । ଦୀପାବଳି ସହ ମା' କାଳୀଙ୍କ ପୂଜା ଅନୁଷ୍ଠିତ ହୁଏ  । ଦଶହରାରେ ମା' ଆଦ୍ୟାଶକ୍ତି ଦୁର୍ଗାଙ୍କର, କୁମାର ପୂର୍ଣ୍ଣିମାରେ ମା' ଲକ୍ଷ୍ମୀଙ୍କର ଏବଂ କାଳୀପୂଜାରେ ମା' କାଳୀଙ୍କର ଆରାଧନା କରାଯାଇଥାଏ  । ନିଜେ ଅଜ୍ଞାନ ଅନ୍ଧକାରରୁ ଆଲୋକମୟ ପରିବେଶକୁ ଆସିବା ଲାଗି ପିତୃପୁରୁଷ ତଥା ମାମୁଘରର ପୂଜା ଏ ମାସର ବୈଶିଷ୍ଟ୍ୟ  । ତେଣୁ ଧର୍ମଶାସ୍ତ୍ର ପ୍ରମାଣ ଦେଇଛନ୍ତି, ଉକ୍ତ ମାସରେ ଆମିଷ ଭକ୍ଷଣ ମଧ୍ୟ ନିଷିଦ୍ଧ  । ହିନ୍ଦୁଧର୍ମରେ ବାର ମାସରେ ତେର ପରବ ପାଳନ କରାଯାଏ  । ବ୍ରତ ପାଳନ ଦ୍ୱାରା ସମସ୍ତ ପାପରୁ ତ୍ରାହି ମିଳେ, ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ  । ପୁରାଣ ଓ ଧର୍ମଶାସ୍ତ୍ର ଅନୁସାରେ, ଅନ୍ୟ ମାସ ଅପେକ୍ଷା କାର୍ତ୍ତିକ ମାସରେ ବ୍ରତ ଉପବାସର ମହତ୍ତ୍ୱ୍ୱ ଅଧିକ ଥାଏ  । କାର୍ତ୍ତିକରେ ବ୍ରତ ଉପବାସ କରୁଥିବା ବ୍ୟକ୍ତି ମୋକ୍ଷ ପ୍ରାପ୍ତି ହୁଏ  । ଏହି ମାସରେ ଭଗବାନ ବିଷ୍ଣୁଙ୍କ ଉପାସନା କ୍ରମ ଆରମ୍ଭ ହୋଇଥାଏ  । ଏହି ମାସରେ ସ୍ୱାମୀଙ୍କ ରକ୍ଷା ପାଇଁ କରବା ଚୌଥ୍, ରମା ଏକାଦଶୀ, ଗୌବତ୍ସ ଦ୍ୱାଦଶୀ, ଧନତେରସ୍, ନରକ ଚତୁର୍ଦ୍ଦଶୀ, ହନୁମାନ ଜୟନ୍ତୀ, ମା'ଲକ୍ଷ୍ମୀଙ୍କ ଦୀପାବଳି, ଅନ୍ନକୂଟ ମହୋତ୍ସବ, ଗୋବର୍ଦ୍ଧନ ପୂଜା, ଭାଇ ପୂଜା, ଛଟପୂଜା ଆଦି ପଡ଼ିଥାଏ  । ହିନ୍ଦୁ ପଞ୍ଜିକାରେ ୧୨ଟି ଚନ୍ଦ୍ରମାସ ରହିଛି  । କାର୍ତ୍ତିକ ଅଷ୍ଟମ ଚନ୍ଦ୍ରମାସ  । ଧର୍ମଶାସ୍ତ୍ରରେ ସବୁଠାରୁ ପୁଣ୍ୟ ମାସ ଭାବେ କାର୍ତ୍ତିକକୁ ବିବେଚନା କରାଯାଏ  । ପଦ୍ମପୁରାଣରେ ଏହି ମାସକୁ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରଦାନକାରୀ ମାସ ବୋଲି ମାନ୍ୟତା ରହିଛି  । ପୌରାଣିକ କଥାବସ୍ତୁ ଅନୁଯାୟୀ, କାର୍ତ୍ତିକ ମାସରେ ଦୀପଦାନ ଦ୍ୱାରା ମନୁଷ୍ୟର ସମସ୍ତ ପାପ ନଷ୍ଟ ହୋଇଥାଏ  । କୁହାଯାଏ, ଏହି ମାସରେ ଯେଉଁ ବ୍ୟକ୍ତି ଦେବାଳୟ, ନଦୀକୂଳ, ତୁଳସୀ ଗଛ ମୂଳରେ କିମ୍ବା ନିଜ ଶୟନ କକ୍ଷରେ ଦୀପ ଜାଳିଥାଏ, ତାକୁ ସମସ୍ତ ପ୍ରକାର ସୁଖ ପ୍ରାପ୍ତି ହୋଇଥାଏ  । ଏହି ମାସରେ ସକାଳର ସ୍ନାନକୁ ବହୁତ ଶୁଭ କୁହାଯାଏ  । କାର୍ତ୍ତିକ ମାସରେ ସୂର୍ଯେ୍ୟାଦୟ ପୂର୍ବରୁ ନଦୀ, ପୋଖରୀ, କୂଅ ଅଥବା ନଳକୂପ ଜଳରେ ସ୍ନାନ କଲେ ସୁଖ, ସମୃଦ୍ଧି, ଆୟୁ ବୃଦ୍ଧି ସହ ଆରୋଗ୍ୟ ପ୍ରାପ୍ତି ହୋଇଥାଏ  । 
ମୋ : ୯୮୬୧୦୪୭୫୭୫