ଗଣମାଧ୍ୟମରୁ ଶିଶୁଙ୍କ ସୁରକ୍ଷା
ଏଥିରେ ଦ୍ୱିରୁକ୍ତି ନାହିଁ ଯେ, ସାଂପ୍ରତିକ ସମୟରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ମାୟାରେ ବାୟା । ସେମାନେ ମୋବାଇଲ ପ୍ରତି ଏତେ ଆସକ୍ତ ହୋଇପଡିଛନ୍ତି ଯେ, ମୋବାଇଏ ବିନା କ୍ଷଣେ ମାତ୍ର ଚଳିପାରନ୍ତି ନାହିଁ । ଏହା ସତ୍ୟ ଯେ, ମୋବାଇଲ ହେଉଛି ଏକ ମିନି କମ୍ପୁ୍ୟଟର । ଇଂଟରନେଟ ସହାୟତାରେ ମୋବାଇଲ କିଛି ସମୟ ମଧ୍ୟରେ ଯେକୌଣସି ତଥ୍ୟ, ଜ୍ଞାନ ହାସଲ କରିବାରେ ସହାୟକ ହୋଇଥାଏ । ଆଜିକାଲି ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ମୋବାଇଲ ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ମହାମାରୀ କରୋନା ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମୋବାଇଲ ବରଦାନ ପାଲଟିଥିଲା, ବୋଧହୁଏ ଏହାକୁ କେହି ଅସ୍ୱୀକାର କରିପାରିବେ । ମହାମାରୀ କରୋନା ପ୍ରଭାବରେ ଦୀର୍ଘ ବର୍ଷ ବର୍ଷ ଧରି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଯାଇଥିବାବେଳେ ସ୍ମାର୍ଟଫୋନ୍ ଅନଲାଇନ ଶିକ୍ଷାଦାନ ଏକ ବରଦାନ ଥିଲା । ଘରେ ରହି ଅନଲାଇନରେ ସ୍ମାର୍ଟଫୋନ (ମୋବାଇଲ) ଦ୍ୱାରା ଛାତ୍ରଛାତ୍ରୀ ପାଠ ପଢିଥିଲେ । କିନ୍ତୁ ଏବେ କୋମଳମତି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ମାର୍ଟଫୋନ୍ ବା ଇଂଟରନେଟରେ ସୋସିଆଲ ମେଡିଆ ପ୍ରତି ଏତେ ଆସକ୍ତି ବଢିଯାଇଛି ଯେ, ତାହା ଏବେ ଚିନ୍ତାର କାରଣ ହୋଇଛି । ଏହା ସତ୍ୟ ଯେ ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରକ୍ରିୟା ଥିବା ଭଳି ପ୍ରତ୍ୟେକ ବସ୍ତୁର ଉପକାରିତା ପରି ଅପକାରିତା ମଧ୍ୟ ରହିଛି । ଯାହାକି ସ୍ମାର୍ଟଫୋନରେ ଏବେ କେବଳ ପରିଲକ୍ଷିତ ହେଉନାହିଁ, ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କଲାଣି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବପିଢି ବିପଥଗାମୀ ହୋଇଥିବାବେଳେ ସରକାରୀ କାର୍ଯ୍ୟବେଳେ ସାମାଜିକ ଉସôବ ବେଳେ ଏପରିକି ଜନଗହଳି ରାସ୍ତାରେ ଚାଲିଚାଲି ଯାଉଥିବାବେଳେ, ଗାଡି ଚଳାଇବା ସମୟରେ, ଖାଇବା ବେଳେ, ମୋବାଇଲ ଦେଖିବା ଦେଖାଯାଏ । ନିକଟରେ ଆମ ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣି ପ୍ରତିକାର ପାଇଁ ଏକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବହୁ ଅଫିସର ଅଭିଯୋଗ ଶୁଣିବା ପରିବର୍ତ୍ତେ ନିଜ ନିଜ ମୋବାଇଲ ଦେଖିବାରେ ବ୍ୟସ୍ତ ଥିବାର ରିପୋର୍ଟ ପ୍ରକାଶ ପାଇଛି । ଆଜିର ସମୟରେ ସ୍ମାର୍ଟଫୋନ କୋମଳମତି କିଶୋର କିଶୋରୀଙ୍କ ଠାରୁ ଆରମ୍ଭ କରି ଯୁବପିଢିଙ୍କୁ ବିପଥଗାମୀ କରିଛି । ଶିକ୍ଷା ପରିବର୍ତ୍ତେ ଅଶିକ୍ଷା ପ୍ରତି ସେମାନେ ପ୍ରବଳ ମାତ୍ରାରେ ଆସକ୍ତି ହୋଇପଡନ୍ତି । ଏହି ଆସକ୍ତି ସେମାନଙ୍କ ପାଇଁ ଦିନ ରାତି ସମାନ ହୋଇ ଗଲାଣି ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱର ପ୍ରଭାବ ପକାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି । କେବଳ ସ୍ୱାସ୍ଥ୍ୟ ନୁହେଁ, ସେମାନଙ୍କଠାରେ ଅପରାଧୀକ ପ୍ରବୃତ୍ତି, ଆତ୍ମହତ୍ୟା, ସାଇବର ଠକେଇ ଆଦି ବୃଦ୍ଧି ପାଇଛି । ଏହା କେବଳ ଅଭିଭାବକଙ୍କ ପାଇଁ ନୁହେଁ, ସମଗ୍ର ସମାଜ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ନିରାକରଣ ପାଇଁ ୧୬ ବର୍ଷରୁ କମ ବୟସର ପିଲାଙ୍କ ଲାଗି ଫେସବୁକ, ଇନ୍ଷ୍ଟାଗ୍ରାମ୍, ଟିକ୍ଟକ୍, ଏକ୍ସ ପରି ସାମାଜିକ ଗଣମାଧ୍ୟମର ବ୍ୟବହାରକୁ ନିଷିଦ୍ଧ କରିବାପାଇଁ ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ଅଷ୍ଟ୍ରେଲିଆ ସରକାର ପାର୍ଲିଆମେଂଟରେ ଆଇନ ପ୍ରଣୟନ କରିବାକୁ ପ୍ରସ୍ତାବ କରିଛନ୍ତି ଯାହା ଦ୍ୱାରା କୋମଳମତି ପିଳାଙ୍କୁ ସାମାଜିକ ଗଣମାଧ୍ୟମର କ୍ଷତିକାରକ ଉପାଦାନରୁ ସୁରକ୍ଷିତ ରଖାଯାଇପାରିବ ବୋଲି ଅଷ୍ଟ୍ରେଲିଆ ସରକାର ମନେକରନ୍ତି । ଭାରତ ସମେତ ବିଶ୍ୱବ୍ୟାପୀ ଚର୍ଚ୍ଚା ସୃଷ୍ଟି କଲାଣି । ବୟସ ଚିହ୍ନଟ ଏବଂ ପାରିବାରିକ ନିୟନ୍ତ୍ରଣ ପଦକ୍ଷେପକୁ ଆଧାର କରି ବିଶ୍ୱର ବହୁ ରାଷ୍ଟ୍ର ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ବିଶ୍ୱର ବହୁ ରାଷ୍ଟ୍ର ଚିନ୍ତା କଲେଣି । ଅଷ୍ଟ୍ରେଲିଆ ସରକାର ବାୟୋମେଟ୍ରିକ ଓ ପିଲାଙ୍କ ପରିଚୟ ପତ୍ର ତନଖି ଆଧାରରେ ନିଷେଧାଦେଶ ଲାଗୁ କରିବାକୁ ଯୋଜନା କରିଥିବା ଜଣାଯାଏ । ସାଂପ୍ରତିକ ସମୟରେ ଏହା ଏକ ଜଟିଳ ବ୍ୟାପାର ବୋଲି କୁହାଯାଇପାରେ । କାରଣ ସାମାଜିକ ଗଣମାଧ୍ୟମର ବିସ୍ତାର ଅନନ୍ତ । ସମୁଦ୍ର ଓ ଆକାଶ ପରି ବ୍ୟାପ୍ତ । ତାହାକୁ ନିୟନ୍ତ୍ରଣ କରିବା ପାଇଁ କୁଳକିନାରା ଥିବା ଭଳି ମନେହୁଏ ନାହିଁ । ଏଥିରେ ସମାଜ ବିରୋଧୀ, ରାଷ୍ଟ୍ର ବିରୋଧୀ, ସୁସ୍ଥ ମାନସିକତା ବିରୋଧୀ ଦୃଶ୍ୟ ଓ ତଥ୍ୟ ଛାଇ ହୋଇଯାଇଛି । ଯାହାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ । ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାରେ ସରକାର ମଧ୍ୟ ଏକ ପ୍ରକାର ଅସହାୟ ଥିବା ଭଳି ମନେ ହୁଏ । ଏଭଳି ଏକ ଘଡିସନ୍ଧି ସମୟରେ ଅଷ୍ଟ୍ରେଲିଆ ସରକାରଙ୍କ ପ୍ରସ୍ତାବ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଏହାକୁ ଅନ୍ୟ ରାଷ୍ଟ୍ର ଅନୁକରଣ କରିବା ଉଚିତ ବୋଲି କୁହାଯାଇପାରେ । ତେବେ ଏଭଳି ଏକ ପ୍ରସ୍ତାବକୁ ସଫଳ ଓ ଫଳପ୍ରଦ କରିବା ପାଇଁ ଶିକ୍ଷାନୁଷ୍ଠାନ, ସରକାର, ବୈଷୟିକ କମ୍ପାନୀ ଏବଂ ଅଭିଭାବକଙ୍କ ମଧ୍ୟରେ ସହଯୋଗିତା ଓ ସମନ୍ୱୟ ଜରୁରି । ସେହିପରି ସାମାଜିକ ଗଣମାଧ୍ୟମର ଲାଭକ୍ଷତି ନେଇ ବ୍ୟାପକ ସଚେତନତା ଆବଶ୍ୟକ । ଅନ୍ୟଥା ରାଷ୍ଟ୍ରର ଭବିଷ୍ୟତ ପିଢିକୁ ବିପଥଗାମୀ ହେବା ଏବଂ ମାନସିକ ଅସୁସ୍ଥତାରୁ କେହି ରକ୍ଷା କରିପାରିବେ ନାହିଁ । ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯