ସାଂସ୍କୃତିକ ପୁନର୍ଜାଗରଣର ବିରୋଧୀ ତତ୍ତ୍ୱ
ଡ. ସମନ୍ୱୟ ନନ୍ଦ : ଉତ୍ତର ପ୍ରଦେଶର ପବିତ୍ର ନଗରୀ ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା କୁମ୍ଭ ମେଳା ଇତିମଧ୍ୟରେ ସମାପ୍ତ ହୋଇସାରିଛି । ୧୩ ଜାନୁଆରୀ ଠାରୁ ଆରମ୍ଭ ହୋଇଥିବା ଓ ୪୫ ଦିନ ଧରି ଚାଲିଥିବା ଏହି କୁମ୍ଭ ମେଳା ବାସ୍ତବରେ ଭବ୍ୟ ଓ ଦିବ୍ୟ ଥିଲା । ଏଥିରେ ସାରା ଭାରତ ଓ ଭାରତ ବାହାରୁ ୬୦ କୋଟିରୁ ଊଦ୍ଧ୍ୱର୍ ଲୋକ ଆସି ଗଙ୍ଗା- ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । ସାରା ବିଶ୍ୱରେ ଏଭଳି ଆୟୋଜନ କେଉଁ ଠାର ଆଉ ହେବା ସମ୍ଭବ ନୁହେଁ ଯେଉଁଠାରେ ଏତେ କମ ଦିନ ମଧ୍ୟରେ ୬୦ କୋଟିରୁ ଊଦ୍ଧ୍ୱର୍ ଏକାଠି ହୋଇ ପାରିବେ ।
ତେବେ କୁମ୍ଭ ମେଳା ଏତେ ଭବ୍ୟ ଓ ଦିବ୍ୟ ହୋଇଥିବା ସତ୍ତ୍ୱେ ହିନ୍ଦୁ ବିରୋଧୀ ମାନଙ୍କର ଆକ୍ରମଣରୁ ଏହା ବର୍ତ୍ତି ପାରିନାହିଁ । ହିନ୍ଦୁ ବିରୋଧୀ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି କୁମ୍ଭ ମେଳାକୁ ନେଇ ଅନେକ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି । କେବଳ ସେତିକି ନୁହେଁ ବିଦେଶୀ ମାନଙ୍କ ବିଚାରରେ ଅନୁପ୍ରାଣିତ ଲେଫ୍ଟ ଲିବରାଲ ବର୍ଗର ବୁଦ୍ଧିଜୀବୀ, ଏକାଡେମିସିଆନ ତଥା ଇସଲାମିଷ୍ଟମାନେ ମଧ୍ୟ କୁମ୍ଭ ବିରୁଦ୍ଧରେ ମନ୍ତବ୍ୟ ଦେବା ଦେଖିବାକୁ ମିଳିଥିଲା ।
କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କୁମ୍ଭ ମେଳାର ସର୍ବପ୍ରଥମେ ଔଚିତ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ କୁମ୍ଭ ମେଳାରେ ବୁଡ ପକାଇଲେ କଣ ଲୋକ ମାନଙ୍କର ଦାରିଦ୍ର୍ୟ ହ୍ରାସ ପାଇବ । କୋଟି କୋଟି ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଉପରେ ସେ ସିଧା ସଳଖ ଆକ୍ରମଣ କରିବାକୁ ପଛାଇନଥିଲେ । କୋଟି କୋଟି ଲୋକଙ୍କ ଆସ୍ଥା ସହ ଜଡିତ ହୋଇଥିବା କାରଣରୁ ଉତ୍ତର ପ୍ରଦେଶର ବିରୋଧୀ ଦଳ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ପ୍ରତ୍ୟକ୍ଷ ଭାବେ ଖଡଗେଙ୍କ ପରି ବିରୋଧ ତ କରି ପାରିନଥିଲେ ହେଲେ ସେ ଏହି ମେଳାରେ ଅବ୍ୟବସ୍ଥା ଥିବା ପ୍ରସଙ୍ଗ ଉଠାଇଥିଲେ । ହେଲେ ତାଙ୍କ ଦଳର ସାଂସଦ ଜୟା ବଚ୍ଚନ କୁମ୍ଭ ମେଳା ସମ୍ପର୍କରେ ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ଦ୍ୱାରା ସେ ସମସ୍ତଙ୍କୁ ପାର କରିଯାଇଥିଲେ । ସେ ସଂସଦ ଭବନ ପରିସରରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ କୁମ୍ଭ ମେଳାର ପାଣି ସର୍ବାଧିକ ଦୂଷିତ । ସେ କହିଥିଲେ ଯେ, ‘ବର୍ତ୍ତମାନ ସବୁଠାରୁ ଦୂଷିତ ପାଣି କେଉଁଠାରେ ଅଛି । ସେଠାରେ ଘଟିଥିବା ଦଳାଚକଟା କାରଣରୁ ଯେଉଁ ଲୋକ ମାନଙ୍କର ମୃତ୍ୟୁ ହେଲା ସେମାନଙ୍କର ଶବକୁ ନଦୀରେ ଫିଙ୍ଗି ଦିଆଯାଇଛି । ଏହି କାରଣରୁ ସେଠାକାର ପାଣି ଖୁବ ଦୂଷିତ ହୋଇଯାଇଛି । ’ ସେ ଆହୁରି କହିଥିଲେ ଯେ ‘କୁମ୍ଭରେ ଆସୁଥିବା ସାଧାରଣ ଲୋକମାନଙ୍କୁ କୌଣସି ବିଶେଷ ସୁବିଧା ପ୍ରଦାନ କରାଯାଉ ନାହିଁ । ତାଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନାହିଁ । କୋଟି କୋଟି ଲୋକ ଆସୁଛନ୍ତି ବୋଲି ମିଛ କୁହାଯାଉଛି । ଏତେ ସଂଖ୍ୟାରେ ଲୋକ ମାନେ ଗୋଟିଏ ସମୟରେ କିପରି ଏକତ୍ରିତ ହୋଇ ପାରିବେ ?’
ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ଗୋଟିଏ ପାଦ ଆଗକୁ ଚାଲି ଯାଇଥିଲେ । ସେ କୁମ୍ଭକୁ ମୃତ୍ୟୁର କୁମ୍ଭ ବୋଲି କହିଥିଲେ । ହିନ୍ଦୁ ଆସ୍ଥା, ମାନ୍ୟତା ପ୍ରତି ସେ କେତେ ସମ୍ବେଦନଶୀଳ ତାକୁ ସେ ସ୍ପଷ୍ଟ କରି ଦେଇଥିଲେ ।
କେବଳ ସେତିକି ନୁହେଁ ଲେଫ୍ଟ – ଲିବରାଲ ଓ ଇସଲାମିଷ୍ଟ ଶକ୍ତି ମାନଙ୍କ ପକ୍ଷରୁ କୁମ୍ଭ ବିରୁଦ୍ଧରେ ବ୍ୟାପକ ଅପ ପ୍ରଚାର କରାଗଲା । ବିଭିନ୍ନ ଖବର କାଗଜରେ କୁମ୍ଭ ବିରୋଧୀ ଓ ହିନ୍ଦୁ ଧର୍ମ ବିରୋଧୀ ଲେଖାମାନ ପ୍ରକାଶିତ ହେଲା । ଗୋଟିଏ ଲେଖାର ଉଦାହରଣ ଦେଲେ ଯଥେଷ୍ଟ ହେବ । ଏକ ଇଂରାଜୀ ସମ୍ବାଦପତ୍ରରେ ଡ. ସବିତା ଝାଙ୍କ ନାମରେ ଏକ ଲେଖା ପ୍ରକାଶିତ ହେଲା ଯାହାର ଶୀର୍ଷକ ଥିଲା, “ ମହାକୁମ୍ଭ ସୋୱଜ ହାଉ ହିନ୍ଦୁଇଜିମ ଇଜ ଲୁଜିଂ ଇଟ ପ୍ଲୁରାଲିଷ୍ଟିକ କ୍ୟାରେକ୍ଟର " । ଅର୍ଥାତ କୁମ୍ଭରେ କୋଟି କୋଟି ସଂଖ୍ୟାରେ ହିନ୍ଦୁ ମାନେ ଏକତ୍ରିତ ହୋଇ ବୁଡ ପକାଇବା ଦ୍ୱାରା ହିନ୍ଦୁ ଧର୍ମ ତାର ବହୁଳତାବାଦୀ ଚରିତ୍ରକୁ ହରାଉଛି । ଲେଖିକାଙ୍କ ମନରେ କଷ୍ଟ ଥିଲା ଯେ ହିନ୍ଦୁ ସମାଜ ଜାତି – ଭାଷା- ରାଜ୍ୟ ଆଦିରେ ବିଭାଜିତ । ସେମାନେ କେବେ ବି ଏକାଠି ହୋଇ ପାରନ୍ତି ନାହିଁ । ସେମାନେ କିପରି ଏକାଠି ହେଉଛନ୍ତି ? ଏହା ଦ୍ୱାରା ହିନ୍ଦୁ ଧର୍ମ ପ୍ରତି ବିପଦ ସୃଷ୍ଟି ହୋଇଛି । ଲେଖିକା ଜଣେ ଏକାଡେମିସିଆନ ଓ ତାଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରିବା ପରେ ଜଣା ପଡିଲା ଯେ ତାଙ୍କର ବାସ୍ତବିକ ନାମ ସବିତା ଝା ନୁହେଁ ବରଂ ସବିତା ଝା ଖାନ । କିଛି ଲେଫ୍ଟ ଲିବରାଲ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯେଉଁ ମାନେ ବେଶୀ କିଛି କରି ପାରୁ ନ ଥିଲେ ସେମାନେ ତାଙ୍କର ସୋସିଆଲ ମିଡିଆରେ କୁମ୍ଭକୁ ନେଇ ଉପହାସ କରୁଥିବା ଦେଖିବାକୁ ମିଳୁଥିଲା ।
ତେବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଧାନସଭାରେ କୁମ୍ଭକୁ ନେଇ ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ସମ୍ପୂର୍ଣ ଠିକ ବୋଲି ମନେ ହୁଏ । ସେ ବିଧାନସଭାରେ ତାଙ୍କର ଉଦବୋଧନରେ କହିଥିଲେ ଯେ “କୁମ୍ଭ ମେଳାରେ ଯିଏ ଯେଉଁ ବିଷୟ ଖୋଜିଲା ସେ ତାକୁ ସେଇଆ ମିଳିଲା । ଶାଗୁଣାକୁ ଶବ ମିଳିଲା । ଘୁସୁରୀ ମାନଙ୍କୁ ମଇଳା ମିଳିଲା । । ସମ୍ବେଦନଶୀଳ ଲୋକ ମାନଙ୍କୁ ସମ୍ପର୍କର ସୁନ୍ଦର ଚିତ୍ର ମିଳିଲା । ଆସ୍ଥାବାନ ମାନଙ୍କୁ ପୁଣ୍ୟ ମିଳିଲା । ସଜ୍ଜନ ମାନଙ୍କୁ ସଜ୍ଜନତା ମିଳିଲା । ଗରିବ ମାନଙ୍କୁ ରୋଜଗାର ମିଳିଲା । ବ୍ୟବସାୟୀମାନଙ୍କୁ ବେପାର ମିଳିଲା । ଭକ୍ତ ମାନଙ୍କୁ ସଫା ସୁତୁରା ବ୍ୟବସ୍ଥା ମିଳିଲା । ପର୍ଯ୍ୟଟକ ମାନଙ୍କୁ ସୁନ୍ଦର ବ୍ୟବସ୍ଥା ମିଳିଲା । ସଦଭାବନା ଚାହୁଁଥିବା ଲୋକ ମାନଙ୍କୁ ଜାତି ବିହୀନ ବ୍ୟବସ୍ଥା ମିଳିଲା । ଭକ୍ତ ମାନଙ୍କୁ ଭଗବାନ ମିଳିଲେ । ”
ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଏଥିରୁ ସ୍ପଷ୍ଟ ଯେ ସମସ୍ତେ ନିଜ ନିଜ ସ୍ୱଭାବ ଓ ଚରିତ୍ର ଅନୁସାରେ ଜିନିଷ ଗୁଡିକୁ ଦେଖିଲେ । ଗୋଟିଏ ଘାଟରେ ସମସ୍ତ ତୀର୍ଥ ଯାତ୍ରୀ ବିନା ଭେଦଭାବରେ ସ୍ନାନ କରିବାରେ ଲାଗିଥିଲେ ।
କୁମ୍ଭକୁ ନେଇ ଏତେ ଘୃଣା ଓ ଏତେ ବିଷ ବାନ୍ତି କରାଯିବାର କାରଣ କଣ ? ଭାରତ ବିରୋଧୀ ବାମପନ୍ଥୀ- ଲିବରାଲ- ଇସଲାମିଷ୍ଟ ଓ ସୋରୋସ ସମର୍ଥôତ ତତ୍ତ୍ୱ ମାନେ ବର୍ଷ ବର୍ଷ ଧରି ହିନ୍ଦୁ ସମାଜ ସମ୍ପର୍କରେ ଏକ ବିଶେଷ ଚିତ୍ର ଦେଖାଇବାକୁ ଚେଷ୍ଟା କରି ସୁନିୟୋଜିତ ଭାବେ କାର୍ଯ୍ୟ କରି ଆସିଛନ୍ତି । ଏହି ‘ନ୍ୟାରେଟିଭ’ଟି ହେଲା ଯେ ହିନ୍ଦୁ ସମାଜରେ ଅନେକ ବିଭାଜନ ରହିଛି । ତେଣୁ ହିନ୍ଦୁ ମାନେ କେବେ ହେଲେ ଏକାଠି ହୋଇ ପାରିବେ ନାହିଁ । ଏହି ବର୍ଗର ଲୋକ ମାନେ ହିନ୍ଦୁ ସମାଜ ସମ୍ପର୍କରେ ଏହି ବିଶେଷ ପ୍ରକାରର ନ୍ୟାରେଟିଭକୁ ସ୍ଥାପିତ କରିବାକୁ ବହୁ ପରିଶ୍ରମ କରି ଆସିଛନ୍ତି । ଏହି ବାବଦରେ ବିଦେଶୀ ଶକ୍ତି ମାନେ ଭାରତରେ ଥିବା ସେମାନଙ୍କର ବୌଦ୍ଧିକ କୁଲି ମାନଙ୍କ ଜରିଆରେ ବିପୁଳ ଧନ ରାଶି ଖର୍ଚ୍ଚ କରିଛନ୍ତି । ଏକାଡେମିକ ଜଗତରେ ଏହି ନ୍ୟାରେଟିଭକୁ ସ୍ଥାପିତ କରିବାକୁ ସେମାନେ ଅନେକ ପୁସ୍ତକ ରଚନା କରିବା ସହ ଅନେକ ସେମିନାର ଆୟୋଜନ କରି ଆସିଛନ୍ତି । ଅନେକ ସମ୍ବାଦପତ୍ରରେ ସମ୍ପାଦକୀୟ ପୃଷ୍ଠାରେ ଏହି ନ୍ୟାରେଟିଭକୁ ସ୍ଥାପିତ କରାଇବାକୁ ଅନେକ ଲେଖା ଲେଖାଇଛନ୍ତି । ହେଲେ ପ୍ରୟାଗରାଜର ଏହି କୁମ୍ଭ ଲେଫ୍ଟ- ଲିବରାଲ- ଇସଲାମିଷ୍ଟ ଓ ବିଦେଶୀ ଶକ୍ତି ମାନଙ୍କର ଏହି ନ୍ୟାରେଟିଭକୁ ଧ୍ୱସ୍ତ କରି ଦେଇଛି ।
ପ୍ରୟାଗରାଜର କୁମ୍ଭରେ ୬୦ କୋଟିରୁ ଊଦ୍ଧ୍ୱର୍ ହିନ୍ଦୁ ତ୍ରିବେଣୀ ସଂଗମ ଠାରେ ସ୍ନାନ କରିଛନ୍ତି । ଏକାଠି ସ୍ନାନ କରିବା ବେଳେ ଓ ଏକାଠି ବୁଡ ପକାଇବା ବେଳେ କିଏ କେଉଁ ଜାତିର କେଉଁ ସମ୍ପ୍ରଦାୟର ତାହା କେହି ପଚାରି ନାହାନ୍ତି । କାହାକୁ ଜାଣିବାର ମଧ୍ୟ କୌଣସି ପ୍ରକାର ଆଗ୍ରହ ମଧ୍ୟ ନାହିଁ । ସମସ୍ତେ ତ୍ରିବେଣୀ ସଂଗମରେ ବୁଡ ପକାଇ ନିଜର ସନାତନ ସଭ୍ୟତା ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାକୁ ପ୍ରଦର୍ଶିତ କରିଛନ୍ତି । ଏହା ଲେଫ୍ଟ- ଲିବରାଲ- ଇସଲାମିଷ୍ଟ ଓ ବିଦେଶୀ ଶକ୍ତି ମାନଙ୍କୁ ଖୁବ କଷ୍ଟ ଦେଇଛି । ତାଙ୍କ ଦ୍ୱାରା ସ୍ଥାପିତ ନ୍ୟାରେଟିଭ ଖୋଲାଖୋଲି ଭାବେ କୁମ୍ଭରେ ଧ୍ୱସ୍ତ ହୋଇଛି ।
ତାଙ୍କର କଷ୍ଟ ଏଇଥି ପାଇଁ ଅଧିକ ହେଉଛି ଯେ, ଭାରତୀୟ ମାନଙ୍କର ମଧ୍ୟରେ ସାଂସ୍କୃତିକ ପୁନର୍ଜାଗରଣ ହେବାରେ ଲାଗିଛି । କୁମ୍ଭ ମେଳାରେ ଏକାଠି ହୋଇ ୬୦ କୋଟି ହିନ୍ଦୁ ସ୍ନାନ କରିବା ଭାରତର ସାଂସ୍କୃତିକ ପୁନର୍ଜାଗରଣର ପ୍ରତୀକ । ଭାରତର ପୁନର୍ଜାଗରଣ ହେଉଛି । ଭାରତ ତାର ମୂଳକୁ ଫେରୁଛି । ଏହା ହିଁ ଏହି ବର୍ଗକୁ ଗଭୀର ଭାବେ କଷ୍ଟ ଦେଉଛି । ଏହି କଷ୍ଟ କାରଣରୁ ସେମାନେ ଏଭଳି ବ୍ୟବହାର କରୁଛନ୍ତି । ଏହାକୁ ବୁଝିବାକୁ ପଡିବ ।
ଭୁବନେଶ୍ୱର