ବାରବାଟୀ ଦୁର୍ଗର ଇତିହାସ

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର: ଓଡ଼ିଆ ଜାତିର ସ୍ୱାଭିମାନ ହେଉଛି ବାରବାଟୀ ଦୁର୍ଗ । ଓଡ଼ିଆ ଜାତିର ଉତ୍ଥାନ, ପତନ, ବୀରତ୍ୱ, ଶୋ÷ର୍ଯ୍ୟ, ଗୋ÷ରବ, ସମର କାହାଣୀ, ବିପର୍ଯ୍ୟୟ ପ୍ରଭୃତିର ମୂକସାକ୍ଷୀ ବାରବାଟୀ । ବାରବାଟୀ ଦୁର୍ଗ ଦେଖିଲେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣରେ କମ୍ପନ ସୃଷ୍ଟି ହୁଏ, ବୀରଗାଥା, ବୀର କବିତା ଓ ଋଣ ଦୁନ୍ଦୁଭି କର୍ଣ୍ଣ ଗହ୍ୱରରେ ନିନାଦିତ ହୁଏ । ଗୋପବନ୍ଧୁଙ୍କ ଭାଷାରେ ‘ବାରବାଟୀ’ ହେଉଛି ଓଡ଼ିଆ ଜାତିର ଶକ୍ତିଶ୍ମଶାନ । ରାଧାନାଥଙ୍କ ଭାଷାରେ :-
ଉକ୍ରଳର ପୂର୍ବ କୀର୍ତ୍ତି ସ୍ମୃତି ପୂତ, ବାରବାଟୀ ଆଜି ସାଜେ ସଜ୍ଜୀଭୂତ ।
ଐତିହାସିକ ଏ ଦୁର୍ଗ ବାରବାଟୀ, ବୀର ରକ୍ତ ପିଣ୍ଡେ ଗଢା ଯାର ମାଟି ।
ସୋମବଂଶର ରାଜାଗଣ ଚୋ÷ଦ୍ୱାରଠାରେ ଗୋଟିଏ ·ରିଦୁଆର ବିଶିଷ୍ଟ ରାଜପ୍ରାସାଦ ନିର୍ମାଣ କରି ନିବାସ କରୁଥିଲେ । ଗଙ୍ଗମାନେ ଉକ୍ରଳ ଜୟ କରି ବିଶାଳ ଓଡ଼ିଶା ସାମ୍ରାଜ୍ୟ ଗଠନ ପରେ ପ୍ରାଥମିକ ଅବସ୍ଥାରେ ଚୋ÷ଦ୍ୱାରରେ ରହିଲେ । ଏହି ବଂଶର ତୃତୀୟ ଅନଙ୍ଗ ଭୀମଦେବ ୧୨୧୧ ଖ୍ରୀଷ୍ଟାବ୍ଦରୁ ୧୨୩୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାକୁ ଶାସନ କରିଥିଲେ । ତାଙ୍କ ରାଜତ୍ୱରେ ଉତ୍ତର ଦିଗରୁ ବଙ୍ଗର ମୁସଲମାନ ରାଜା ଓ ପଶ୍ଚିମରୁ କଳଚୁରୀମାନେ ବରାବର ଓଡ଼ିଶାକୁ ଆକ୍ରମଣ କରୁଥିଲେ । ତେଣୁ ଅନଙ୍ଗ ଭୀମ ଦେବ ଚୋ÷ଦ୍ୱାରରୁ କଟକକୁ ରାଜଧାନୀ ଉଠାଇ ଆଣିବାକୁ ମନସ୍ଥ କଲେ । କାରଣ ଚୋ÷ଦ୍ୱାର ଅପେକ୍ଷା ମହାନଦୀ ଓ କାଠଯୋଡି ମଧ୍ୟଭାଗରେ ଅବସ୍ଥିତ କଟକ ଅଧିକ ସୁରକ୍ଷିତ ସ୍ଥାନ ଥିଲା । କଟକ ତୁଳସୀପୁରରେ ସୋମବଂଶର ପୂର୍ବରୁ ଗୋଟିଏ ଦ୍ୱିତୀୟ ରାଜପ୍ରାସାଦ ଥିଲା । ସୋମବଂଶୀ ମର୍କତ କେଶରୀ ୯୮୭ ଖ୍ରୀଷ୍ଟାବ୍ଦରେ ତୁଳସୀପୁର ଗ୍ରାମର ବାରବାଟୀ ବା ଦୁଇଶତ ଚାଳିଶ ଏକର ପରିମିତ ସ୍ଥାନ ରାଜପ୍ରସାଦ ନିମିତ୍ତ ଚିହ୍ନଟ କରିଥିଲେ ହେଁ ପ୍ରଥମେ ଗୋଟିଏ ଛୋଟ ପ୍ରାସାଦ ନିର୍ମାଣ କରି ସାମୟିକ ନିବାସ କରୁଥିଲେ ଏବଂ ଗୋଟିଏ ତ୍ରିତଳ ରାଜପ୍ରାସାଦ ନିର୍ମାଣର ପରିକଳ୍ପନା କରିଥିଲେ । ସ୍ୱଳ୍ପକାଳ ପରେ ଚୋଡଗଙ୍ଗ ଦେବ ଉକ୍ରଳ ଅଧିକାର କରିଥିବାରୁ ବାରବାଟୀରେ ତ୍ରିତଳ ପ୍ରାସାଦ ନିର୍ମାଣ ଅଧୁରା ରହିଥିଲା ।
ତୃତୀୟ ଅନଙ୍ଗ ଭୀମ ଦେବ ସେହି ଚିହ୍ନିତ ହୋଇଥିବା ବାରବାଟୀରେ ନୂତନ ପ୍ରାସାଦ ନିର୍ମାଣ କରିଥିଲେ । ଏ ସଂପର୍କରେ ମାଦଳା ପାଞ୍ଜିରେ ଲେଖାଅଛି, “ଏ ରାଜା ମହାନଦୀ ପାର ହୋଇ ଆସି ଏ ନଦୀର ଦକ୍ଷିଣ ତୀରରେ ଦେଖିଲେ କୋଦଣ୍ଡା ଦଣ୍ଡପାଟ ବାରବାଟୀ ଗ୍ରାମ ବିଶ୍ୱେଶ୍ୱର ଦେବଙ୍କ ସାନ୍ନିଧ୍ୟ ଶ୍ୟାମଳାପକ୍ଷୀକୁ ବଗ ମାଡିବସିଛି । ଏହା ଦେଖି ରାଜା ବଡ଼ ଆଶ୍ଚର୍ଯ୍ୟ ହୋଇ ଶୁଭଯୋଗ ଦିନରେ ବାରବାଟୀ ଗ୍ରାମରେ ଶୁଭ ଦେଇ ନଅର ତୋଳାଇଲେ । କଟକର ନାମ ବାରାଣସୀ କଟକ ନାମଦେଇ ନଗର କଟକ ଚୋ÷ଦ୍ୱାର ଛାଡି ଆସ ଏ କଟକେ ରହିଲେ । ଥୋକାଏ ବର୍ଷ ଗଲା ଉତ୍ତାରୁ ଏକ ଦିନରେ ରାତ୍ରିରେ ପରମେଶ୍ୱରଙ୍କୁ ସ୍ୱପ୍ନରେ ଦେଖିବାରୁ ପରମେଶ୍ୱର ଦର୍ଶନକୁ ବିଜେ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଛାମୁରେ ଶାଢୀ ପ୍ରସାଦ ଲାଗିି ହୋଇ ଶ୍ରୀନବରେ ବିଜେ କରି ମୁଦଲ କରାଇଲେ ।” ଏଥିରୁ ପ୍ରମାଣିତ ହୁଏ, ତୃତୀୟ ଅନଙ୍ଗଭୀମ ଦେବ ଚୋ÷ଦ୍ୱାର ପରିବର୍ତ୍ତେ କଟକକୁ ଅଧିକ ସୁରକ୍ଷିତ ମଣି ସେଠାରେ ରାଜଧାନୀ ସ୍ଥାପନା କରିଥିଲେ । ସମ୍ଭବତଃ ମର୍କତକେଶରୀ ନିର୍ମାଣ କରିଥିବା ବାରବାଟୀ ରାଜପ୍ରାସାଦକୁ ଅନଙ୍ଗଭୀମଦେବ ସୁଦୃଢ କରିଥିଲେ ତଥା ସୈନ୍ୟସାମସ୍ତ ଅଶ୍ୱ, ହସ୍ତୀ ଓ ଯୁଦ୍ଧ ସାମଗ୍ରୀ ରଖିବା ନିମିତ୍ତ ଅଧିକ ଗୃହ ନିର୍ମାଣ କରିଥିଲେ । ପୂର୍ବୋକ୍ତ ୨୪୦ ଏକର ମଧ୍ୟରୁ ୧୦୨ ଏକର ଜମିରେ ଅନଙ୍ଗ ଭୀମଦେବ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ । ଦୁର୍ଗର ସୁଉଚ୍ଚ ପ୍ରାଚୀର ଓ ଜଳ ପରିପୂର୍ଣ୍ଣ ପରିଖା ମଧ୍ୟ ତାଙ୍କ ଦ୍ୱାରା ନିର୍ମିତ । ଚଣ୍ଡୀଙ୍କ ମନ୍ଦିର ଭାଙ୍ଗି ଯାଇଥିବାରୁ ସେ ଏହାକୁ ପୁନଃନିର୍ମାଣ କଲେ ଏବଂ ଦେବୀଙ୍କୁ ‘ଗଡଚଣ୍ଡୀ’ ନାମିତ କରି ଦୁର୍ଗର ରକ୍ଷୟିତ୍ରୀ ଭାବରେ ନିତ୍ୟ ନୈମିତ୍ତିକ ପୂଜାର ସୁବନେ୍ଦାବସ୍ତ କରାଇଥିଲେ । ମହାନଦୀର ଦକ୍ଷିଣ ପାଶ୍ୱର୍ରେ ଥିବା ବିଶ୍ୱେଶ୍ୱର ଓ ଉତ୍ତର ପାଶ୍ୱର୍ରେ ଥିବା ଚିତ୍ରେଶ୍ୱରଙ୍କର ମନ୍ଦିର ମଧ୍ୟ ନିର୍ମାଣ କରାଇଥିଲେ । ବିଶ୍ୱେଶ୍ୱର ସଂପ୍ରତି ଗଡଗଡିଆ ମହାଦେବ ନାମରେ ପରିଚିହ୍ନିତ ।
ବାରବାଟୀ ଦୁର୍ଗ ମଧ୍ୟରେ ଅନଙ୍ଗଭୀମ ଦେବ ପୁରୁଷୋତ୍ତମ ଜଗନ୍ନାଥଙ୍କର ଏକ ସୁରମ୍ୟ ମନ୍ଦିର ନିର୍ମାଣ କରାଇଥିଲେ । ଏହି ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ମଣିବିଗ୍ରହ ପ୍ରତିଷ୍ଠା ହୋଇଥିଲା । ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ହୋଇଥିଲା ବୋଲି ନାଗରୀ ତମ୍ବାପଟ୍ଟାରୁ ଉପଲବ୍ଧ ହୁଏ । ଫୁଲ ନଖରା ନିକଟସ୍ଥ ପ୍ରତାପନଗରୀ ଓ ନାଗରୀ ଗ୍ରାମରୁ ମିଳିଥିବା ତାମ୍ରପତ୍ର ବର୍ଣ୍ଣନାନୁଯାୟୀ ଏହି ମନ୍ଦିର ପ୍ରତିଷ୍ଠା ସମୟରେ ତୃତୀୟ ଅନଙ୍ଗଭୀମଦେବ ମହାନଦୀରେ ସ୍ନାନାନ୍ତେ ୧୧୫୧ ଶତାବ୍ଦୀ ବା ୧୨୨୯ ଖ୍ରୀଷ୍ଟାବ୍ଦ ଚୈତ୍ରମାସ ମୀନ ସଂକ୍ରାନ୍ତି ଶନିବାରେ ବିଦ୍ୱାନ ପଣ୍ଡିତ ସଙ୍କର୍ଷଣ ନନ୍ଦଶର୍ମ୍ମାଙ୍କୁ ସାଇଲୋ ବିଷ ଅନ୍ତର୍ଗତ ପୁରଣ ଗ୍ରାମରେ କୋଡିଏ ବାଟି ଅର୍ଥାତ୍ ଚାରିଶହ ଏକର ଜମି ଦାନ ଦେଇଥିଲେ । ଏହି ଦାନ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଳରେ ଠାକୁରଙ୍କ ପ୍ରୀତ୍ୟର୍ଥେ କରାଯାଇଥିଲା । ତତ୍ପରବର୍ଷ ଅର୍ଥାତ୍ ୧୨୩୦ ଖ୍ରୀଷ୍ଟାବ୍ଦରେ ସେ ପୂର୍ବୋକ୍ତ ପଣ୍ଡିତ ସଙ୍କର୍ଷଣ ନନ୍ଦଶର୍ମ୍ମାଙ୍କୁ ସାଇଲେ ବିଷର ଜୟନଗର ଗ୍ରାମରେ ଅଠରବାଟି ବା ତିନିଶହ ଷାଠିଏ ଏକର, ପଣ୍ଡିତ ରୁଦ୍ରପାଣି ଶର୍ମ୍ମାଙ୍କୁ ପୁରଣ ଗ୍ରାମରେ ପାଞ୍ଚବାଟି ବା ଏକଶହ ଏକର, ସୋମପାଳ ଶର୍ମ୍ମାଙ୍କୁ ପୁରଣ ଗ୍ରାମରେ ଏକ ଶହ ଏକର ଓ ଆଚାର୍ଯ୍ୟ ଚନ୍ଦ୍ରକର ଶର୍ମ୍ମାଙ୍କୁ ପୁରଣ ଗ୍ରାମରେ ଦୁଇବାଟି ବା ଚାଳିଶ ଏକର ଜମି ଦାନ କରିଥିଲେ । ସେ ମଧ୍ୟ ବିଳାସପୁର ଗ୍ରାମରେ ପଣ୍ଡିତ ଦେବଧର ଶର୍ମାଙ୍କୁ ଚାରିବାଟି ଆଠମାଣ ବା ଅଠାଅଶୀ ଏକର ଜମି ଓ ଅନ୍ୟ କେତେକଙ୍କ ବ୍ରାହ୍ମଣଙ୍କୁ ପାଞ୍ଚବାଟି ବା ଏକଶହ ଏକର ଜମି ଦାନ ଦେଇଥିଲେ । ଏହି ସବୁ ଦାନ ମହାନଦୀର ଉତ୍ତର ପାଶ୍ୱର୍ ଅର୍ଥାତ୍ ବିରୂପା ନଦୀର ଉତ୍ପତ୍ତି ସ୍ଥଳରେ ବିରାଜିତ ଚିତ୍ରେଶ୍ୱର ଓ ମହାନଦୀର ଦକ୍ଷିଣ ପାଶ୍ୱର୍ ବାରବାଟୀ ଗ୍ରାମରେ ବିରାଜିତ ବିଶ୍ୱେଶ୍ୱରଙ୍କ ମଧ୍ୟସ୍ଥଳରେ ପ୍ରବାହିତ ମହାନଦୀ ବକ୍ଷରେ ଦାନ କରାଯାଇଥିଲା । ଅନେକ ଏହି ତାମ୍ରପତ୍ର ପୁରୀର ପୁରୁଷାତ୍ତମ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଳରେ ଦାନ କରାଯାଇଥିଲା ବୋଲି ବିବେଚନା କରିଥାନ୍ତି । ପ୍ରକୃତରେ ଏହି ଦାନ ତୃତୀୟ ଅନଙ୍ଗ ଭୀମଦେବ ବାରବାଟୀ ଦୁର୍ଗ ମଧ୍ୟରେ ନିର୍ମିତ ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମୟରେ କରାଯାଇଥିଲା । ଦୁଃଖର ବିଷୟ, ବାରବାଟୀ ଦୁର୍ଗରେ ତୃତୀୟ ଅନଙ୍ଗଭୀମ ଦେବ ନିର୍ମାଣ କରିଥିବା ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ତୃତୀୟ ଭାନୁଦେବଙ୍କ ଶାସନ କାଳରେ ୧୩୬୦ ଖ୍ରୀଷ୍ଟାବ୍ଦରେ ଫିରୋଜ ସାହ ତେଗଲକ ଧ୍ୱଂସ କରି ଦେଇଥିଲେ । ଫିରୋଜ ସାହ ମଧ୍ୟ ପାଷାଣ ବିଗ୍ରହଙ୍କ ଧ୍ୱଂସ କରି ଦେଇଥିଲେ ।
ଅନଙ୍ଗ ଭୀମ ଦେବ ବାରବାଟୀ ଦୁର୍ଗରୁ ବଙ୍ଗନବାବ ଓ କଳଚୁରୀମାନଙ୍କ ବିରୋଧରେ ଯୁଦ୍ଧଯାତ୍ରା କରିଥିଲେ । ତାଙ୍କ ଯୁଦ୍ଧ କାହାଣୀ ଓ ବିଜୟ ଚାଟେଶ୍ୱର ମନ୍ଦିରସ୍ଥ ଶିଳାଲେଖରେ ଉଲ୍ଲିଖିତ । ବାରବାଟୀ ଦୁର୍ଗରେ ରହି ଅନଙ୍ଗଭୀମ ଦେବ ଓଡ଼ିଶାର ପ୍ରଥମ ଭୂବନେ୍ଦାବସ୍ତ କରାଇଥିଲେ । ଏହି ବାରବାଟୀ ଦୁର୍ଗରେ ତୃତୀୟ ଅନଙ୍ଗଭୀମ ଦେବ ସ୍ୱରାଜତ୍ୱର ୧୫ ଅଙ୍କ ଫାଲ୍ଗୁନ ଶୁକ୍ଳଦଶମୀ ତକ୍ରାଳ ଏକାଦଶୀ ଗୁରୁବାର ଗୋଟିଏ ରାଜକୀୟ ଉଦ୍ଘୋଷଣା କରିଥିଲେ, ଯାହା ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ସେହି ଘୋଷଣାପତ୍ରଟି ମାଦଳାପାଞ୍ଜିରେ ଅନଙ୍ଗ ଭୀମଦେବଙ୍କ ମୁଦଲ ଭାଷା ଭାବରେ ବର୍ଣ୍ଣିତ । ଘୋଷଣା ପତ୍ରଟିରେ ତକ୍ରାଳୀନ ଓଡ଼ିଶାର ଏକ ସ୍ଥୂଳ ଚିତ୍ର ଅଙ୍କିତ । ସେ ସମଗ୍ର ଓଡ଼ିଶା ସାମ୍ରାଜ୍ୟକୁ ଶ୍ରୀଜଗନ୍ନାଥଙ୍କ ପାଦତଳେ ସମର୍ପଣ କରି ରାଜ୍ୟକୁ ରାଉତ ପଣେ ଶାସନ କରୁଥିଲେ । ତଦୀୟ ପୁତ୍ର ଲାଙ୍ଗୁଳା ନରସିଂହଦେବ ବାରବାଟୀ ଦୁର୍ଗରୁ ଯୁଦ୍ଧଯାତ୍ରା କରି ୧୨୪୦ରେ କାକତୀୟ ରାଜା ଗଣପତିଙ୍କୁ ପରାସ୍ତ କରିଥିଲେ । ୧୨୪୨ ଓ ୧୨୪୪ରେ ଦୁଇଥର ବଙ୍ଗନବାବ ତୁଘାନ ଖାଁଙ୍କୁ ଦୁଇଥର ପରାସ୍ତ କରିଥିଲେ । ଏହି ବିଜୟୋଲ୍ଲାସରେ ନରସିଂହଦେବ କପିଳାସର ଶିଖରେଶ୍ୱର ବା ଚନ୍ଦ୍ରଶେଖର ମନ୍ଦିର, ରେମୁଣାର ଗୋପୀନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ ।
ଗଙ୍ଗବଂଶ ରାଜତ୍ୱ ପରେ ସୂର୍ଯ୍ୟବଂଶୀ ଗଜପତିମାନେ ଓଡ଼ିଶାର ଶାସକ ହେଲେ ଏବଂ ବାରବାଟୀ ଦୁର୍ଗରେ ନିବାସ କରୁଥିଲେ । ଗଜପତି କପିଳେନ୍ଦ୍ର ଦେବ ବାରବାଟୀରୁ ଯୁଦ୍ଧଯାତ୍ରା କରି ଦକ୍ଷିଣର ବହୁ ରାଜ୍ୟ ଜୟ ପୂର୍ବକ ଷୋହଳଗୋଟି ହାତୀରେ ସ୍ୱର୍ଣ୍ଣ, ହୀରା, ଲୀଳା ଓ ବୈଡୁର୍ଯ୍ୟ ପ୍ରଭୃତି ଆଣି ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ପରିପୂର୍ଣ୍ଣ କରିଥିଲେ । ଗଜପତି ପୁରୁଷୋତ୍ତମ ଦେବ ବାରବାଟୀରୁ ଯୁଦ୍ଧ ଯାତ୍ରା କରି କାଞ୍ଚô ବିଜୟ କରିଥିଲେ ଓ ସେଠାରୁ ସାକ୍ଷୀଗୋପାଳଙ୍କୁ ଆଣି ବାରବାଟୀ ଦୁର୍ଗରେ ଏକ ସୁରମ୍ୟ ମନ୍ଦିରରେ ରଖି ପୂଜାର୍ଚ୍ଚନାର ବନେ୍ଦାବସ୍ତ କରିଥିଲେ । ସାକ୍ଷୀଗୋପାଳ ସଂପ୍ରତି ସତ୍ୟବାଦୀ ନିକଟସ୍ଥ ଫୁଲଅଳସୀ ଗ୍ରାମରେ ଏକ ଭବ୍ୟ ମନ୍ଦିରରେ ପୂଜିତ । ୧୫୧୦ରେ ଶ୍ରୀଚୈତନ୍ୟ ବାରବାଟୀ ଦୁର୍ଗରେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଥିଲେ ଏବଂ ଗୋପାଳଜୀ ମନ୍ଦିରରେ ରାଧାରାଣୀଙ୍କୁ ପ୍ରତିଷ୍ଠା କରିଥିଲେ । ସୂର୍ଯ୍ୟବଂଶୀ ଗଜପତିଙ୍କ ରାଜତ୍ୱରେ ଅମରେଶ୍ୱର ମନ୍ଦିର ନିର୍ମାଣ କରାଯାଇଥିଲା । ୧୫୬୮ରେ ମୁକୁନ୍ଦଦେବ ଗୋହିରାଟିକିରୀ ଯୁଦ୍ଧରେ ନିହତ ହେବା ପରେ ଆଫଗାନମାନେ ଓଡ଼ିଶା ଅଧିକାର କଲେ । ତତ୍ ପୂର୍ବରୁ ମୁକୁନ୍ଦଦେବ ବାରବାଟୀକୁ ନବତଳ ପ୍ରାସାଦରେ ପରିଣତ କରି ସାରିଥିଲେ । ମୁକୁନ୍ଦଦେବଙ୍କ ରାଜତ୍ୱ ପର୍ଯ୍ୟନ୍ତ ସନ୍ଥ କବି ଓ ସିଦ୍ଧ ସାଧକ ଅଚୁ୍ୟତାନନ୍ଦ ଦାସ ଜୀବିତ ଥିଲେ । ସେ ଦୀର୍ଘକାଳ ଜୀବିତ ଥିଲେ ତଥା ଶହ ଶହ ଗ୍ରନ୍ଥ ରଚନା କରିଥିଲେ । ସ୍ୱରଚିତ ‘ଗରୁଡ଼ଗୀତା’ରେ ସେ ମୁକୁନ୍ଦଦେବଙ୍କ ବିଷୟରେ ଲେଖିଛନ୍ତି:-
ତେଲେଙ୍ଗା ମୁକୁନ୍ଦ ବୋଲି ରାଜା ଗଉଡ଼ ଦେଶରେ ହେବ,
ବାରବାଟୀ କିଲ୍ଲା ସେହି ତୋଳାଇବ କୀରତି ରଖିଯିବ ।
ମୁକୁନ୍ଦଦେବ ବାରବାଟୀରେ ନବତଳ ପ୍ରାସାଦ ନିର୍ମାଣ କରିବା ଦେଖି ଅଚୁ୍ୟତାନନ୍ଦ ଏହା ଲେଖିଥିଲେ । ସୁଦକ୍ଷ ଯୁଦ୍ଧ ବିଶାରଦ ମୁକୁନ୍ଦଦେବ ସାମରିକ କୋ÷ଶଳ ଓ ଯୋଜନାନୁସାରେ ବାରବାଟୀ ଦୁର୍ଗ ପୁନଃନିର୍ମିତ କରିଥିଲେ । ମୁକୁନ୍ଦ ଦେବ ନିର୍ମାଣ କରିଥିବା ବାରବାଟୀ ଦୁର୍ଗର ଚିହ୍ନବର୍ଣ୍ଣ ସଂପ୍ରତି ନାହିଁ । କେବଳ ବାରବାଟୀ ଠାରେ ଏକ ପୁରାତନ ଦରଜା ଓ ଚାରିପାଖରେ ବିସ୍ତୃତ ଗଡ଼ଖାଇ ପୋତି ହୋଇ ପଡିରହିଛି, ଯାହା ଅତୀତର ଗୋ÷ରବମୟ ଇତିହାସକୁ ସୂଚିତ କରାଉଛି । ମୁସଲମାନ ଶାସକମାନେ ବାରବାଟୀର କୀର୍ତ୍ତିରାଜି ଭାଙ୍ଗି ଦେଇଛନ୍ତି । ୧୭୧୯ରେ ସେହି ଦୁର୍ଗ ମଧ୍ୟରେ ମର୍ସିଦ କୁଲିଖାଁ ନିର୍ମାଣ କରିଥିବା ମସଜିଦ ଅଦ୍ୟାବିଧି ରହିଛି । ଆବୁଲ୍ ଫାଜଲ ବାରବାଟୀର ନବତଳପ୍ରାସାଦ ଦେଖିଥିଲେ । ତାଙ୍କ ବର୍ଣ୍ଣାନୁଯାୟୀ ପ୍ରଥମ ମହଲାରେ ହାତୀ ଓ ଘୋଡ଼ାମାନେ ରହୁଥିଲେ, ଦ୍ୱିତୀୟ ମହଲାରେ ଯୁଦ୍ଧ ସରଞ୍ଜାମ ତଥା ରକ୍ଷୀ ଓ ପରିବାର ରହୁଥିଲେ, ତୃତୀୟ ମହଲାରେ ଦୁର୍ଗ ରକ୍ଷକ ଓ ଦ୍ୱାର ରକ୍ଷକ ରହୁଥିଲେ, ଚତୁର୍ଥ ମହଲାରେ ଯୁଦ୍ଧ ସରଞ୍ଜାମ ତିଆରି କାରଖାନା, ପଞ୍ଚମ ମହଲାରେ ପାକଶାଳା, ଷଷ୍ଠ ମହଲାରେ ଅଭ୍ୟର୍ଥନା ଗୃହ, ସପ୍ତମ ମହଲା ପାରିବାରିକ ଗୃହ ରୂପେ ବ୍ୟବହୃତ ହେଉଥିଲା, ଅଷ୍ଟମ ମହଲାରେ ଦାସୀ ଓ ସ୍ତ୍ରୀ ଲୋକମାନେ ରହୁଥିଲେ ଏବଂ ନବମ ମହଲାରେ ରାଜା ଓ ରାଜ ପରିବାର ନିବାସ କରୁଥିଲେ । ୧୫୯୨ରେ ମୋଗଲମାନେ ଓଡ଼ିଶା ଅଧିକାର କଲେ ଏବଂ ସେହି ସମୟରେ ଆବୁଲ ଫାଜଲ ଏହିସବୁ ବିବରଣୀ ଉଲ୍ଲେଖ କରିଛନ୍ତି । ୧୬୩୩ରେ ଉଇଲିୟମ ବ୍ରୁଟନ ମଧ୍ୟ ବାରବାଟୀ ଦୁର୍ଗରେ ମୁକୁନ୍ଦ ଦେବଙ୍କ ନବତଳ ପ୍ରାସାଦ ଦେଖିଥିବା କଥା ଲେଖିଛନ୍ତି । ମୁକୁନ୍ଦଦେବଙ୍କ ରାଣୀ ତେଲଙ୍ଗାବଜାର ରଘୁନାଥ ମନ୍ଦିର ନିର୍ମାଣ କରିଥିଲେ । ୧୬୩୩ରେ ଓଡ଼ିଶା ଶାସକ ଆଗା ମହମ୍ମଦ ବାରବାଟୀ ଦୁର୍ଗରେ ରାଜକାର୍ଯ୍ୟ ପରିଚାଳନା କରୁଥିଲେ । ୧୭୨୫ରେ ତକୀ ଖାଁ ଓ ଖୋରଧା ରାଜା ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି ବାରବାଟୀ ଦୁର୍ଗରେ ରଖିଥିଲେ । ୧୭୪୫ରେ ରଘୁଜୀ ଭୋଁସଲେ ବାରବାଟୀ ଦୁର୍ଗ ଅଧିକାର କଲେ ।
୧୮୦୩ରେ ଇଂରେଜମାନେ ତୋପ ଓ କମାଣରେ ବାରବାଟୀ ଦୁର୍ଗର ପ୍ରମୁଖ ଅଂଶକୁ ଭାଙ୍ଗି ଏହାକୁ ଦଖଲ କଲେ । ହାରକୋର୍ଟଙ୍କ ବିବରଣୀରୁ ଜଣାଯାଏ ଯେ ବାରବାଟୀ ଦୁର୍ଗ ଖୁବ୍ ସୁଦୃଢ ଓ ଶକ୍ତିଶାଳୀ ଥିଲା ତଥା ଏହାର ପାଶ୍ୱର୍ଦେଶ ଆବୃତ୍ତ କରି ୩୫ ଫୁଟ ପ୍ରଶସ୍ତ ଏକ ସୁଗଭୀର ପରୀଖା ଥିଲା । ଇଂରେଜମାନେ କୁଜଙ୍ଗ ରାଜା, ସୁରୁଗୁଜା ରାଜା ତଥା ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କୁ ପୁତ୍ର ସହ ବନ୍ଦୀ କରି ବାରବାଟୀ ଦୁର୍ଗରେ ରଖିଥିଲେ । ୧୮୨୮ରେ ଇଂରେଜମାନେ ଗୁପ୍ତଧନ ପାଇବା ଆଶାରେ ବାରବାଟୀ ଦୁର୍ଗର ବ୍ୟାପକ ଅଞ୍ଚଳ ଖୋଳିତାଡି ବିକୃତ କରି ଦେଇଥିଲେ, ଫଳରେ ବାରବାଟୀ ଏକ ମାଟିସ୍ତୁପରେ ପରିଣତ ହୋଇଗଲା । ୧୮୨୯ରେ ବାରବାଟୀ ଦୁର୍ଗ ଭାଙ୍ଗି ଦୁର୍ଗର ପଥରରେ ଇଂରେଜମାନେ କଟକର କେତୋଟି ରାସ୍ତା ନିର୍ମାଣ କଲେ । ୧୮୫୫ ବନ୍ୟାରେ ମହାନଦୀ ଓ କାଠଯୋଡିର ପଥରବନ୍ଧ ଭାଙ୍ଗିଯିବାରୁ ବାରବାଟୀ ଦୁର୍ଗ ପଥରରେ ପୁନଃନିର୍ମାଣ କରାଗଲା । ୧୮୫୭ ସିପାହୀ ବିଦ୍ରୋହ ସମୟରେ ଇଂରେଜମାନେ ଦୁର୍ଗର ପୂର୍ବ ପାଶ୍ୱର୍ରୁ ପଥର ଖୋଳାଇ ଗୋଟିଏ ଅସ୍ତ୍ରାଗାର ନିର୍ମାଣ କଲେ । ୧୮୭୩ରେ ବାରବାଟୀ ଦୁର୍ଗର ପଥରରେ ଡାକ୍ତରଖାନା ନିର୍ମାଣ ହେଲା । ଏହି ସମୟରେ ଇଂରେଜମାନେ ସର୍ବସାଧାରଣଙ୍କୁ ବାରବାଟୀ ଦୁର୍ଗର ପଥର ବିକ୍ରୟ କରିଥିଲେ । ଏହିପରି ଭାବରେ ଆଫଗାନ ଶାସନ ଠାରୁ ଇଂରେଜ ଶାସନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବାରବାଟୀ ଦୁର୍ଗର କ୍ଷତି ସାଧନ କରା ହୋଇଥିଲା । ୧୯୧୫ରେ ବାରବାଟୀ ଦୁର୍ଗ ସଂରକ୍ଷିତ ପ୍ରତ୍ନବିଭବ ସ୍ୱରୂପରେ ଉଦ୍ଘୋଷିତ ହେଲା । ପରବର୍ତ୍ତୀ କାଳରେ ବାରବାଟୀ ଦୁର୍ଗର ଭୂଖନନ ଓ ପ୍ରତ୍ନସର୍ବେକ୍ଷଣ ବହୁବାର ହୋଇଅଛି, ଯାହା ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ ।
ଓଡ଼ିଶା ଇତିହାସର ମୂକସାକ୍ଷୀ ହେଉଛି ବାରବାଟୀ । ଓଡ଼ିଆ ଜାତିର ଗର୍ବ, ଗୋ÷ରବ, ବିଜୟ ପରାଜୟ, ମାନ, ଅପମାନ, ବାଦ, ବିବାଦ ଓ ବିସମ୍ବାଦର ସ୍ମୃତି ବହନ କରି ବାରବାଟୀ ଆଜି ମୃତପାହାଡ ସଦୃଶ ପ୍ରତୀୟମାନ । ଗୋପବନ୍ଧୁଙ୍କ ଭାଷାରେ :-
“ବାରବାଟୀ ଦୁର୍ଗେ ବାଜୁ ନାହିଁ ବାଜା, ନାହିଁ ଦରବାର ଉଡୁନାହିଁ ଧ୍ୱଜା ।
ଶୁଭୁନାହିଁ ଆଉ ବୀରଙ୍କ ହୁଙ୍କାର, ବାରବାଟୀ ଆଜି ନିଶ୍ଚଳ ନିଥର ।
କରପୂର ଉଡି ପଡିଅଛି କନା, ନେତ୍ର ପଥେ ପଡେ ମୁଖଶାଳା ସିନା ।
ସୁପ୍ତ ବାରବାଟୀ ମୃତ ଶୌଚପ୍ରାୟେ, କାନ୍ଦୁଛି ଗୁମୁରି ଦୁଃଖିନୀ ପରାୟେ ।”
ଆନନ୍ଦନଗର, କାଠଗଡା
ଢେଙ୍କାନାଳ, ମୋ-୮୮୯୫୨୩୦୭୨୨