ସଂଗ୍ରାମୀ ଆନିବେସାନ୍ତ
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଦୃଢ଼ ସମର୍ଥକ ଭାବେ ଆନିବେସାନ୍ତ ସୁପରିଚିତା । ମହିଳାଙ୍କ ସ୍ୱାର୍ଥରକ୍ଷା ପାଇଁ ସେ ସଦାସର୍ବଦା ଚେଷ୍ଟିତ ଥିଲେ । ବି୍ରଟେନ୍ରେ ଜନ୍ମିତା ଆନିବେସାନ୍ତ ଏକାଧାରରେ ଥିଲେ ଜଣେ ବ୍ରହ୍ମବିଦ୍ୟା ବିଶେଷଜ୍ଞ, ଜାତୀୟତାବାଦୀ, ଲେଖିକା ତଥା ସମାଜ ସୁଧାରିକା । ଭାରତ ସମେତ ଆୟାର୍ଲ୍ୟାଣ୍ଡ ସ୍ୱାଧୀନତା ସଂଗ୍ରାମର ମଧ୍ୟ ସେ ସମର୍ଥକ ଥିଲେ । ୧୮୪୭ ଅକ୍ଟୋବର ୧ ତାରିଖ ଆଜିର ଦିନରେ ଲଣ୍ଡନର କ୍ଲାପହାମ୍ ଠାରେ ତାଙ୍କ ଜନ୍ମ । ସେ ଜାତୀୟ ଧର୍ମନିରପେକ୍ଷ ସମାଜ ନାମକ ଏକ ସଂଘର ବକ୍ତା ଭାବେ କାର୍ଯ୍ୟ କରିଥିଲେ । ପରେ ସେ ମହିଳାଙ୍କ ଅଧିକାର ପାଇଁ ଲଢ଼ିବା ଆରମ୍ଭ କରିଥିଲେ । ସେତେବେଳେ ସେ ଲଣ୍ଡନର ଦିଆସିଲି କାଠି ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ମହିଳାଙ୍କ ସମର୍ଥନ କରିଥିଲେ ।
ଯେଉଁ ସମୟରେ ମହିଳାଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଥିଲା ସେଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆନିବେସାନ୍ତ ନିର୍ବାଚନ ଲଢ଼ିଥିଲେ । ସର୍ବାଧିକ ଭୋଟ ପାଇ ସେ ଲଣ୍ଡନ ସ୍କୁଲବୋର୍ଡ଼ରୁ ନିର୍ବାଚିତ ହୋଇଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସେ ଥିଲେ ପ୍ରଥମ ବିଦେଶୀ ମହିଳା । ବ୍ରହ୍ମବିଦ୍ୟାର ସମର୍ଥକ ହେବା ପରେ ଆନିବେସାନ୍ତ ୧୮୯୩ ମସିହାରେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ । ବାରଣାସୀରେ ସେ କେନ୍ଦ୍ରୀୟ ହିନ୍ଦୁ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହାପରେ ଆନିବେସାନ୍ତ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧି ଓ ଜବାହାରଲାଲ ନେହେରୁଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିବା ପରେ ଆନିବେସାନ୍ତ ଭାରତରେ ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାକୁ ଆସିଥିଲେ । ବିଶ୍ୱଯୁଦ୍ଧ ସମୟରେ ସେ ହୋମ ରୁଲ୍ ଲିଗ୍ ଅଭିଯାନ ଚଳାଇବାରେ ସାହାଯ୍ୟ କରିଥିଲେ । ୧୯୧୭ରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଆନିବେସାନ୍ତଙ୍କ ପାରିବାରିକ ଜୀବନ ବହୁ ଦୁଃଖଦ ପୂର୍ଣ୍ଣ ଥିଲା । ପ୍ରେମ ବିବାହ କରିଥିଲେ ମଧ୍ୟ ଆନିବେସାନ୍ତଙ୍କ ବୈବାହିକ ଜୀବନ ଖୁବ୍ କମ୍ ଦିନ ଭଲରେ ବିତିଥିଲା । ଦୁଇଟି ସନ୍ତାନ ପରେ ସ୍ୱାମୀଙ୍କ ଠାରୁ ଦୂରେଇ ଯାଇଥିଲେ ସେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିଥିଲେ । ୧୯୩୩ ସେପ୍ଟେମ୍ବର ୨୦ରେ ମାଡ୍ରାସର ଆଦ୍ୟାରଠାରେ ତାଙ୍କ ଦେହାନ୍ତ ହୋଇଥିଲା । ଆନିବେସାନ୍ତଙ୍କ ରଚନାଗୁଡ଼ିକ ମଧ୍ୟରେ ଦ ପଲିଟିକାଲ ଷ୍ଟାଟସ୍ ଅଫ୍ ଓମେନ୍, ଖ୍ରୀଷ୍ଟିଆନିଟି, ଦ ଲ ଅଫ୍ ପପୁଲେସନ, ମାଇଁ ପାଥ୍ ଟୁ ଆଥେଇଜିମ୍, ଦ ଆଥେଲେଟିକ୍ ପ୍ଲାଟଫର୍ମ : ୧୨ ଲେକଚର, ହ୍ୱାଇ ଆଇ ଆମ୍ ଏ ସୋସିଆଲିଷ୍ଟ ଆଦି ପ୍ରମୁଖ ।
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦