ଅଣସର ଓ ଅଲାରନାଥ


ସ୍ନାନ ଉତ୍ସବରେ ଅଧିକ ଗାଧୋଇବା ଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ହୁଏ । ଚଉଦ ଦିନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଅଣସର ବିଜେ ହୁଅନ୍ତି ଏବଂ ବିଧି ମୁତାବକ ସେବା ନୀତି ଅନୁଷ୍ଠିତ ହୁଏ । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ, ଜଗନ୍ନାଥ ଭକ୍ତମାନେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରନ୍ତି । ଶ୍ରୀ ଅଲାରନାଥଙ୍କ କମନୀୟ ରୂପକାନ୍ତି ଦର୍ଶନ, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହିତ ସମାନ ଓ ପୁଣ୍ୟପ୍ରାପ୍ତି ହେଉଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ବିଶ୍ୱାସ । କିମ୍ବଦନ୍ତୀ ଅନୁସାରେ ଏମିତି ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ନପାଇ, ଭକ୍ତ ଆଲବାନ୍ଦାଚାର୍ଯ୍ୟ ମନ ଦୁଃଖରେ ଫେରିଯାଉଥିଲେ । ଶ୍ରୀମନ୍ଦିରର ଦକ୍ଷିଣକୁ ସାତ କୋଶ ଦୂର ବ୍ରହ୍ମଗିରି ଠାରେ ଚତୁର୍ଭୁଜ ନାରାୟଣ ମୂର୍ତ୍ତି ଦେହରେ ଦର୍ଶନ ଦେବେ ବୋଲି ପ୍ରଭୁ ନିର୍ଦେଶ ଦେଇଥିଲେ । ଭକ୍ତ ଅଲବନ୍ଦାରାଚାର୍ଯ୍ୟଙ୍କ ନାମାନୁସାରେ ସେହି ନାରାୟଣ ମୂର୍ତ୍ତି କ୍ରମେ ଅଲାରନାଥରେ ନାମିତ ହୋଇଥିବା ଜଣଯାଏ । ମାଦଳା ପାଞ୍ଜି ଅନୁସାରେ, ଗଙ୍ଗବଂଶକ ନରପତି ରାଜା ମଦନ ମହାଦେବଙ୍କ ରାଜତ୍ୱ ସମୟରେ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ମନ୍ଦିରଟି ପ୍ରତିଷ୍ଠିତ । ସିଂହାସନ ଆରୂଢ଼ ପ୍ରଭୁ ଅଲାରନାଥ ପୀତାମ୍ବର ବସ୍ତ୍ର, ଅଙ୍ଗରେ ଅଳଙ୍କାର, ଚତୁର୍ଭୁଜରେ ଶଙ୍ଖ-ଚକ୍ର-ଗଦା-ପଦ୍ମ ଦ୍ୱାରା ସୁଶୋଭିତ । ଅଲାରନାଥଙ୍କ ଭୋଗ, ପୂଜା ଓ ନୀତିକାନ୍ତି ବୈଷ୍ଣବୀୟ ପରମ୍ପରାରେ ସଂପାଦିତ ହୁଏ । ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସହିତ ଏହି ପୀଠରେ ଭାଗବତ ସଂପର୍କ ରହିଛି । ଅଲାରନାଥଙ୍କ ଠାରେ ଜଗନ୍ନାଥଙ୍କୁ ଦର୍ଶନ କରି ସେ ଖୁସିରେ ଗଡ଼ିଯାଇଥିଲେ । ଶ୍ରୀ ଅଲାରନାଥଙ୍କ ଖିରି ଭୋଗ ପ୍ରସିଦ୍ଧ ।
ଭକ୍ତିର ଶକ୍ତି ଅଧିକ ଯାହା ପଥରକୁ ବି ତରଳାଇ ଦେଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମଗିରି ଅଲାରନାଥ ପୀଠରେ । ଏହି ପୀଠରେ ପୂଜା ପାଉଛନ୍ତି ବିଷ୍ଣୁଙ୍କ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ଦେବସ୍ନାନ ପୂର୍ଣ୍ଣମୀ ପରେ ଜ୍ୱରରେ ପଡ଼ିବା ଯୋଗୁଁ ଅଲାରନାଥ ପୀଠରେ ଅଣସର ଦର୍ଶନ ଚାଲିଥାଏ । ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରୁ ଭକ୍ତ ଛୁଟିଆସନ୍ତି । କିମ୍ବଦନ୍ତୀ କୁହେ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଏହି ପୀଠ ବିଷ୍ଣୁପ୍ରେମୀଙ୍କ ପାଇଁ ବେଶ ଆଦୃତ ହୋଇପାରିଥିଲା । ୧୫ଶ ଶତାବ୍ଦୀରେ ଶ୍ରୀଚୈତନ୍ୟ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆଗମନ କରିଥିଲେ । ଠିକ୍ ସେହି ସମୟରେ ଦେବସ୍ନାନ ପୂର୍ଣ୍ଣମୀ ପରେ ଠାକୁରମାନେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥାନ୍ତି । ଯାହାଫଳରେ ଶ୍ରୀଚୈତନ୍ୟ ଠାକୁର ମାନଙ୍କୁ ଦର୍ଶନ କରି ପାରିନଥିଲେ । ଶେଷକୁ ନିଜକୁ ଧିକ୍କାର କରି ସମୁଦ୍ରରେ ପ୍ରାଣ ଝାସ ଦେବା ପାଇଁ ଯାଇଥିଲେ । କିନ୍ତୁ ଭଗବାନଙ୍କ ଲୀଳା ଭିନ୍ନ । ସେ ଭକ୍ତର ମନକଥା ଜାଣିପାରନ୍ତି । ସେଠାରେ ଶ୍ରୀଚୈତନ୍ୟଙ୍କୁ ଶୂନ୍ୟ ବାଣୀ ହୋଇଥିଲା । ତୁମେ ବ୍ରହ୍ମଗିରି ଅଲାରନାଥ ପୀଠକୁ ଯାଅ । ସେଠାରେ ମୋତେ ବିଷ୍ଣୁ ରୂପରେ ଦର୍ଶନ କର । ଶୂନ୍ୟବାଣୀ ପରେ ସମୁଦ୍ରରେ ଝାସ ନଦେଇ ଶ୍ରୀଚୈତନ୍ୟ ସମୁଦ୍ର କୂଳେ କୂଳେ ଦୀର୍ଘପଥ ଅତିକ୍ରାନ୍ତ କରି ବ୍ରହ୍ମଗିରି ଅଲାରନାଥ ପୀଠରେ ପହଞ୍ଚôଥିଲେ । ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ସେ ଏତେ ଭାବବିହ୍ୱଳ ହୋଇପଡ଼ିଥିଲେ ଯେ, ସେ ସାଷ୍ଟାଙ୍ଗ ଦଣ୍ଡବତ ହୋଇ ପ୍ରଣିପାତ କରୁଥିବା ସମୟରେ ତାଙ୍କ ଦେହରୁ ଉତ୍ତାପ ବାହାରି ପଥର ଖଣ୍ଡ ତରଳି ଯାଇ ଶ୍ରୀଚୈତନ୍ୟଙ୍କ ରୂପ ସମ ହୋଇଯାଇଥିଲା । ଏବେ ବି ଏହି ପଥର ମନ୍ଦିର ପରିସରରେ ଚୈତନ୍ୟ ପଥର ନାମରେ ନାମିତ ହୋଇ ପୂଜା ପାଇଛି । ଯାହା ଗୌଡ଼ୀୟ ସମ୍ପ୍ରଦାୟ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଅଣସର ସମୟରେ ସେମାନେ ପୀଠକୁ ଆସି ନାମ ସଂକୀର୍ତ୍ତନ କରିଥାନ୍ତି ।  
ବାଦଲ ଭୂୟାଁ,ମୋ: ୭୪୮୮୯୯୮୫୩୨