ବ୍ୟକ୍ତିର ବଂଶବୃକ୍ଷ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ସ୍ୱାଭିମାନ ଓ ବ୍ୟକ୍ତିର ବଂଶବୃକ୍ଷକୁ ନେଇ କିଛି ମଞ୍ଜକଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । 
ଯେକୌଣସି ବ୍ୟକ୍ତିର ପରିଚୟ ହେଉଛି ତାର ବଂଶ, ପିତାମାତା । ଏହି ପରିଚୟ ହେଉଛି ତାର ସ୍ୱାଭିମାନ । ପ୍ରତ୍ୟେକ ବ୍ୟକ୍ତିର ପାରିବାରିକ ସ୍ୱାଭିମାନ ରହିଛି । ପୂର୍ବପୁରୁଷମାନେ ଛାଡ଼ି ଯାଇଥିବା କୃତୀତ୍ୱ ଭବିଷ୍ୟତ ପୀଢ଼ିର ସ୍ୱାଭିମାନ । 
ଆମେ ଯେତେବେଳେ ଓଡ଼ିଆର ଜାତୀୟତା ସମ୍ପର୍କରେ ଆଲୋଚନା କରୁ ସେତେବେଳେ ଆମ ପୂର୍ବପୁରୁଷମାନେ କେମିତି ଭାଷାଭିତ୍ତିକ ଏକ ରାଜ୍ୟ ଗଠନ କରିବା କ୍ଷେତ୍ରରେ ଅନେକ ସଂଘର୍ଷ କରି ଏହି ରାଜ୍ୟଟିର ଭୌଗୋଳିକ ସୀମା ଆମକୁ ଦେଇ ଯାଇଛନ୍ତି ତାହା ଅନୁଭବ କରୁ । ଏଇଟା ହେଉଛି ଆମର ସ୍ୱାଭିମାନ । ଭାଷାଭିତ୍ତିକ ଏହି ଭୌଗୋଳିକ ସୀମାକୁ ସୁରକ୍ଷିତ ରଖିବା ହେଉଛି ଆମର କର୍ତ୍ତବ୍ୟ । ପୂର୍ବପୁରୁଷଙ୍କ କୃତୀତ୍ୱ ସ୍ୱାଭିମାନ ହୋଇଥିବା ବେଳେ ବର୍ତ୍ତମାନର ପୀଢ଼ି ସେହି ସ୍ୱାଭିମାନକୁ ସୁରକ୍ଷିତ ରଖିବାର ଦାୟିତ୍ୱ ନିଜ କାନ୍ଧକୁ ନିଏ । ସ୍ୱାଭିମାନକୁ ସୁରକ୍ଷିତ ରଖିନପାରିଲେ କୃତୀତ୍ୱ ବୋଲି ଆଉ କିଛି ରହେନାହିଁ । ବ୍ୟକ୍ତିତ୍ୱ ଏଇଠି ହାରିଯାଏ ।  ପ୍ରତ୍ୟେକ ବ୍ୟକ୍ତିର ଏକ ବଂଶବୃକ୍ଷ ରହିଛି । ପିତା ଏବଂ ମାତାଙ୍କର ଅଲଗା ଅଲଗା ପରିବାର ପିତାମାତାଙ୍କ ନୂଆ ପରିବାରଟିଏ ଗଠନ କରେ । ଦୁଇଟି ପରିବାରର ସ୍ୱାଭିମାନ ଗୋଟିଏ ପରିବାର ହୋଇଯାଏ । ଦେଶ କ୍ଷେତ୍ରରେ, ଜାତି କ୍ଷେତ୍ରରେ, ଭାଷା କ୍ଷେତ୍ରରେ, ପରିବାର କ୍ଷେତ୍ରରେ, ଧର୍ମ କ୍ଷେତ୍ରରେ, ସମ୍ପ୍ରଦାୟ କ୍ଷେତ୍ରରେ ଏବଂ ଆହୁରି ଅନେକ କ୍ଷେତ୍ରରେ ଅତୀତର ସ୍ୱାଭିମାନଟିଏ ରହିଛି । ଏହି ସ୍ୱାଭିମାନକୁ ନେଇ ବର୍ତ୍ତମାନର ପୀଢ଼ି ଗର୍ବ କରେ ।   ସବୁବେଳେ ଇତିହାସ ଆମ ଇଚ୍ଛାରେ ଚାଲେ ନାହିଁ; ବରଂ ଇତିହାସର ଘଟଣାବଳୀ ଆମ ଭବିଷ୍ୟତ ଜୀବନକୁ ଗଢ଼ିବା ପାଇଁ ସାହାଯ୍ୟ କରେ । ଇତିହାସରେ କୌଣସି ଅଦଳବଦଳ କେବଳ ପୁସ୍ତକର କାଗଜଖଣ୍ଡିଏର ଅଦଳବଦଳ । ପୁସ୍ତକର କାଗଜ ବା ପୃଷ୍ଠା ବଦଳିଗଲେ ଇତିହାସର କିଛି ସେଥିରେ ପ୍ରଭାବ ପଡ଼େ ନାହିଁ । ଠିକ୍ ସେହିଭଳି ଆମର ଶୃଙ୍ଖଳିତ ଜୀବନ ଆବଶ୍ୟକ, ସ୍ୱାଭିମାନ ଆବଶ୍ୟକ । ଏତିକି ନହେଲେ ନିଜର ପରିଚୟ ସମାଜ ଭିତରେ ହଜିଯିବ ।  ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।