ଦାଦନ ଶ୍ରମିକଙ୍କ ସମସ୍ୟା
ଦେଶରେ ଦାଦନ ଶ୍ରମିକଙ୍କୁ ନେଇ ରାଜନୈତିକ ହଟ୍ଟଚମଟ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ସେଥିରେ ବିସ୍ମିତ ହେବାକୁ ପଡୁଛି । ରିପୋର୍ଟରେ କୁହାଯାଇଛି ଯେ, ଗଲା ୨୦୧୧ ଜନଗଣନା ତଥ୍ୟ ତୁଳନାରେ ଦେଶରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୧୧.୭୮ ପ୍ରତିଶତ ହ୍ରାସ ପାଇଛି । ଅର୍ଥାତ ଦେଶରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି କୁହାଯାଇପାରିବ । ସେହିପରି ଏହି ରିପୋର୍ଟ ଆହୁରି ସଂକେତ ପ୍ରଦାନ କରୁଛି ଯେ, ଅଳ୍ପ କେତେକ ଲୋକ କାମଧନ୍ଦା ବା ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବାବେଳେ ଅନ୍ୟମାନେ ନିଜ ରାଜ୍ୟ ବା ଜିଲ୍ଲାରେ କାର୍ଯ୍ୟ କରିବାକୁ ଶ୍ରେୟ ମଣୁଛନ୍ତି । ଏହା ନିସନେ୍ଦହ ଯେ, ଏହି ପ୍ରକ୍ରିୟା ଏବେ ଆର୍ଥିକ ମାର୍ଗକୁ ପ୍ରଶସ୍ତ କରିଥିବା ବଳେ ଯେଉଁ ଅଂଚଳରେ ପରମ୍ପରାଗତ ଭାବେ ପ୍ରବାସୀ ଶ୍ରମିକଙ୍କୁ ସମସ୍ୟା ଲାଗି ରହିଛି, ସେଠାରେ ଭିତ୍ତିଭୂମିରେ ଉନ୍ନତି ଆସୁଥିବା ସଂକେତ ପ୍ରଦାନ କରେ । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡିଶା ଭଳି କେତେକ ରାଜ୍ୟରେ ଦାଦନ ଶ୍ରମିକ ସଂଖ୍ୟା ସର୍ବାଧିକ ଥିବାବେଳେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ପ୍ରବାସୀ ଶ୍ରମିକଙ୍କ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଛି । କହିବା ବାହୁଲ୍ୟ ଯେ, ଉତ୍ତରପ୍ରଦେଶ ସହ ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡିଶାରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଥିବାବେଳେ ଦାଦନ ଶ୍ରମିକ ତାଲିକାରେ ଥିବା ରାଜ୍ୟଗୁଡିକ ମଧ୍ୟରେ ଏହି ୫ଟି ରାଜ୍ୟ ସର୍ବାଗ୍ରେ ରହିଛନ୍ତି । ପଞ୍ଜାବ ଓ ହରିଆନାରେ କୃଷିକ୍ଷେତ୍ରରେ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଥିବାବେଳେ ଶିଳ୍ପକ୍ଷେତ୍ର ପ୍ରବାସୀ ଶ୍ରମିକଙ୍କ ଆକର୍ଷିତ କରିପାରୁନାହିଁ । କେବଳ ଏତିକିନୁହେଁ, ସ୍ଥାନୀୟ ଓ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଯେଉଁ ଅଂଚଳରେ ଶତ୍ରୃତା ଓ ବାଛବିଚାର ଯୋଗୁଁ ସେଠାକୁ ପ୍ରବାସୀ ଶ୍ରମିକ କାମ କରିବାକୁ ବିମୁଖ । ସେହିପରି ଗତ କିଛି ବର୍ଷ ହେଲା ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକମାନଙ୍କୁ ନିଶାଣ କରି ଆସୁଛନ୍ତି । ଫଳସ୍ୱରୂପ ମାନବ ସମ୍ବଳ ଅଭାବରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ବ୍ୟାହତ ହୋଇଥିବା କୁହାଯାଏ । ଏ ସମ୍ପର୍କରେ ନୀତି ନିର୍ଦ୍ଧାରକମାନେ ବାସ୍ତବତାକୁ ଭଲ ଭାବେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଏହା ସତ୍ୟ ଯେ, ଶ୍ରମିକ ଅଭାବରୁ ଉତ୍ପାଦନ ବାଧା ପ୍ରାପ୍ତ ହେଉଥିବା ଏବଂ ଚାହିଦା ତୁଳନାରେ ଉତ୍ପାଦନ କମ୍ ରହିବା ଯୋଗୁଁ ମୂଲ୍ୟ ବୃଦ୍ଧି ଘଟିବା ସ୍ୱାଭାବିକ । ଏହା ନିଃସନେ୍ଦହ ଯେ, କାମ ଧନ୍ଦା ଅଭାବରୁ ଆମ ରାଜ୍ୟରେ ଦାଦନ ସମସ୍ୟା ଉକôଟ ରୂପ ନେଇଛି । ଯାହାକୁ ନେଇ ଶାସକ-ବିରୋଧୀ ସର୍ବଦା ମୁହାଁମୁହିଁ । ମାତ୍ର ଦାଦନ ସମସ୍ୟା ନେଇ କେହି ଗୁରୁତର ସହକାରେ ଚିନ୍ତିତ ଥିବା ମନେହୁଏ ନାହିଁ । ରାଜ୍ୟରେ ଦାଦନ ସମସ୍ୟାର ମୁକାବିଲା ପାଇଁ କ୍ଷମତାସୀନ ବିଜେପି ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଆମ ରାଜ୍ୟରେ ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ ଜିଲ୍ଲାରୁ ପ୍ରତିବର୍ଷ ଅନ୍ୟ ରାଜ୍ୟକୁ ହଜାର ହଜାର ଲୋକ କାମ କରିବାକୁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଦକ୍ଷିଣ ଓଡିଶାର କେତେକ ଜିଲ୍ଲାର ଲୋକମାନେ ପରିବାର ସହ ଦାଦନ ଖଟିବାକୁ ଯାଉଥିବାବେଳେ ପଶ୍ଚିମ ଓଡିଶାର କେତେକ ଜିଲ୍ଲାର ଲୋକମାନେ ସେପ୍ଟେମ୍ବରରୁ ଜୁନ ମଧ୍ୟରେ ଋତୁଭିତିକ ଦାଦନ ଖଟିବାକୁ ଯାଇଥାନ୍ତି । ଯାହାକି ଏକ ନିୟମିତ ପ୍ରକ୍ରିୟାର ପରିଣତ ହୋଇଥିବା କୁହାଯାଏ । ଆମ ରାଜ୍ୟରେ ଗଲା ୨୦୨୩ରେ ୧୭ଲକ୍ଷରୁ ଅଧିକ ଲୋକ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଇଥିବା ସରକାରୀ ରିପୋର୍ଟ କହେ । ୨୦୨୩-୨୪ରେ ୮୫,୦୦୯ ଜଣ ପ୍ରବାସୀ ଶ୍ରମିକ ଭାବେ ଅନ୍ୟରାଜ୍ୟକୁ ଯାଇଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ୪୦୩ ଜଣ ଦାଦନ ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ସରକାରୀ ତଥ୍ୟ ଜଣାଯାଇଛି । ସେହିପରି ବାହାର ରାଜ୍ୟରେ ବହୁ ଶ୍ରମିକ ନିର୍ଯ୍ୟାତିତ ହେଉଥିବା ଘଟଣା ମଧ୍ୟ କିଛି କମ୍ ନୁହେଁ । କିଛି ବର୍ଷ ତଳେ ଦଲାଲ ବା ସର୍ଦ୍ଧାର କଳାହାଣ୍ଡିର ଦୁଇଜଣ ଦାଦନ ଶ୍ରମିକଙ୍କ ହାତକାଟି ଦେବା ଘଟଣା କେବଳ ଓଡିଶା ନୁହେଁ, ସମଗ୍ର ଦେଶରେ ଯୋର ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ଏହା ସତ୍ୟ ଯେ, ଦାଦନ ସମସ୍ୟାରୁ ମୁକାବିଲା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନେରଗା) ଏକ ଗେମ୍ ଚେଞ୍ଜର ସଦୃଶ ହୋଇଥିଲା । ଯେଉଁଥିରେ ଲୋକଙ୍କୁ ବାର୍ଷିକ ୧୦୦ଦିନର କାମ ଯୋଗାଇ ଦେବାର ଗ୍ୟାରେଂଟି ରହିଛି । ଗଲା ୨୦୨୦ ମସିହାରେ କରୋନା ମହାମାରୀ ବେଳେ ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବାରେ ଏହାର ଭୂମିକାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କହିବା ବାହୁଲ୍ୟ ଯେ, ଦାଦନ ଶ୍ରମିକ ରୋକିବାରେ ମନେରଗା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କେତେକାଂଶରେ ସଫଳ ହୋଇଥିବାବେଳେ ମନେରଗା ଏବେ ଅଣଦେଖାର ଶିକାର ହୋଇଛି । ଏହାର ବଜେଟ ବ୍ୟୟ ବରାଦ ପ୍ରତିବର୍ଷ ହ୍ରାସ ପାଇବାରେ ଲାଗିଛି । ଲୋକଙ୍କୁ କାମଧନ୍ଦା ଓ ରୋଜଗାର ସରକାର ଯୋଗାଇ ଦେବା ଜରୁରି ଯାହାକି ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିପାରିବ । ଏ ଦିଗରେ ରାଜ୍ୟ ସରକାରମାନେ ଧ୍ୟାନ ଦେବା ଜରୁରି ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯