ବିପଦ ବେଳେ ଚୀନରୁ ବନ୍ଧୁଡାକ

ଉତ୍ତର-ପୂର୍ବାଞ୍ଚଳରେ ଚୀନ୍ର ସୀମାକୁ ଲାଗି ରହିଥିବା ଭାରତ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅନେକ ଥର ମୁହାଁମୁହିଁ ହେବା, ହାତାହାତି ହେବାଭଳି ଘଟଣା ଘଟିଯାଇଛି । ଭାରତ ସୀମାରେ ପଶିଚୀନ୍ ସୈନ୍ୟମାନେ କେତୋଟି ଗାଁର ନାଁକୁ ବଦଳାଇଥିବା ମଧ୍ୟ ଖବରରେ ପ୍ରକାଶ ପାଇଛି । ଚୀନ୍ର ବିସ୍ତାରବାଦ ନୀତି ଯୋଗୁଁ ସୀମାରେ ଉତ୍ତେଜନା ସୃଷ୍ଟି ହେଉଥିବା କେବଳ ଭାରତ ସହିତ ନୁହେଁ; ବରଂ ଚୀନ୍ ସୀମାକୁ ଲାଗି ରହିଥିବା ଅନୂନ୍ୟ ୮ଟି ରାଷ୍ଟ୍ରରେ ଚୀନ୍ ଏ ପ୍ରକାରର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛି ।
ଟ୍ରମ୍ପ୍ ଆମେରିକାର ଅର୍ଥନୀତିକୁ ସୁଧାରିବା ପାଇଁ ଚେଷ୍ଟା କରିବାବେଳେ ଆମେରିକା ଆମଦାନୀ କରୁଥିବା ବିଭିନ୍ନ ଦ୍ରବ୍ୟ ଉପରେ ଶୁଳ୍କବୃଦ୍ଧିର ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନର ବିଶ୍ୱରେ ପ୍ରତ୍ୟେକ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରମାନଙ୍କ ଠାରୁ କିଛି ନା କିଛି ଦ୍ରବ୍ୟ ଆମଦାନୀ କରୁଛନ୍ତି । ଆର୍ନ୍ତଜାତିକ ବାଣିଜ୍ୟ ଦେଶ-ଦେଶ ମଧ୍ୟରେ ବନ୍ଧୁତା ସ୍ଥାପନ କରିବା ସହିତ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଛି । ଆର୍ନ୍ତଜାତିକ ବାଣିଜ୍ୟରେ ଏ ପ୍ରକାରର ବ୍ୟବସ୍ଥା ଭିତରେ ଟ୍ରମ୍ପ୍ ଅନ୍ୟ ଦେଶର ରପ୍ତାନୀ କରାଯାଉଥିବା ଦ୍ରବ୍ୟ ଉପରେ ଶୁଳ୍କ ବଢ଼ାଇ ଦେଇଛନ୍ତି । ଅର୍ଥାତ୍ ଆମେରିକାକୁ ଆସୁଥିବା ଦ୍ରବ୍ୟ ଗୁଡ଼ିକ ଉପରେ ଅଧିକ ଶୁଳ୍କ ବଢ଼ିବା ଯୋଗୁଁ ସେହିସବୁ ଦ୍ରବ୍ୟକୁ ଆମେରିକାର ଉତ୍ପାଦକମାନେ ଉତ୍ପାଦନ କରିବା ପାଇଁଲାଗି ପଡ଼ିବେ ଏବଂ ଏହା ଫଳରେ ଆମେରିକାର ଅର୍ଥନୀତି ସୁଦୃଢ ÿହେବ ବୋଲି ଟ୍ରମ୍ପ୍ ବିଶ୍ୱାସ କରୁଛନ୍ତି । ହେଲେ ଟ୍ରମ୍ପ୍ ଏଭଳି ଏକ ପଦକ୍ଷେପ ନେବା ପରେ ଚୀନ୍ ସମେତ କେତୋଟି ରାଷ୍ଟ୍ର ଆମେରିକା ରପ୍ତାନୀ କରୁଥିବା ଦ୍ରବ୍ୟଉପରେ ମଧ୍ୟ ପାଲଟା ଶୁଳ୍କ ଲଗାଇ ଦେଇଛନ୍ତି । ଏହା ଫଳରେ ଆମେରିକା ଏକପାଖିଆ ଭାବରେ ଯାହା ଭାବୁଥିଲା ସେଭଳି କିଛି ହେବାର ସମ୍ଭାବନା ନାହିଁ । ଏ ବାବଦରେ ଗତକାଲିର ସମ୍ପାଦକୀୟରେ ଆମେ ଆଲୋଚନା କରିଥିଲୁ । 
ଅନ୍ୟପକ୍ଷରେ ଭାରତର ଜନସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱରେ ଏକ ବୃହତ୍ବଜାର । ତେଣୁ ଭାରତ ଭଳି ଦେଶ ସହିତ ଆର୍ନ୍ତଜାତିକ ବାଣିଜ୍ୟର ସମ୍ପର୍କ ସ୍ଥାପନ କରିବା ପାଇଁ ବିଶ୍ୱର ସମସ୍ତ ଦେଶ ଆଗ୍ରହୀ । ଏବେ ଚୀନ୍ ଉପରେ ଟ୍ରମ୍ପଙ୍କ ଅର୍ଥନୀତିକ କଟକଣା ଜାରି ହେବା ପରେ ଚୀନ୍ ଆମେରିକା ଉପରେ ଅର୍ଥନୀତିକ କଟକଣା ଲଗାଇ ଭାରତ ସହିତ ବନ୍ଧୁତାର ହାତ ବଢ଼ାଇଛି । ପୂର୍ବରୁ ଭାରତ ସହିତ ବିଶ୍ୱାସଘାତକତା କରିବାରେ ଚୀନ୍ କୌଣସି ବି ଅବସର ଛାଡ଼ି ନାହିଁ । ଚୀନ୍ ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ଏଠାରେ ବନ୍ଧୁତାର ହାତ ବଢ଼ାଇଥିବା ବେଳେ ଫେରିଯିବା ପରେ ପୁଣିଥରେ ସୀମାରେ ଉତ୍ତେଜନା ପ୍ରକାଶ ପାଇଥିଲା । ହେଲେ ବର୍ତ୍ତମାନ ଆମେରିକା କଟକଣା ଜାରି କରିବା ପରେ ଭାରତ ଭଳି ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ନିଜର ବ୍ୟବସାୟିକ ମନୋବୃତ୍ତିକୁ ରଖି ଭାରତରେ ଅବସ୍ଥାପିତ ଚୀନ୍ ଦୂତାବାସ ଓ କନସୁଲେଟ୍ ପକ୍ଷରୁ ଅପ୍ରେଲ୍ ୯ ତାରିଖସୁଦ୍ଧା ୮୫ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କୁ ଭୀସା ପ୍ରଦାନ କରାଯାଇଛି । ଏହି ଭିସା ଚୀନ୍ ବୁଲିଯିବା ପାଇଁ ଭାରତୀୟ ନାଗରିକମାନଙ୍କ ନିମିତ୍ତ ଉଦ୍ଦିଷ୍ଟ । ସିଧା ଭାବରେ କହିଲେ ଚୀନ୍ର ପର୍ଯ୍ୟଟନ କ୍ଷେତ୍ରକୁ ଭାରତୀୟ ନାଗରିକମାନଙ୍କୁ ଆକୃଷ୍ଟ କରିବା ପାଇଁଏଭଳି ଏକ ନୀତି ଗ୍ରହଣ କରିଛି । କେବଳ ସେତିକିି ନୁହେଁ, ଚୀନ୍ରେ ରାଷ୍ଟ୍ରଦୂତ ମଧ୍ୟ ଅଧିକରୁ ଅଧିକ ଭାରତୀୟ ନାଗରିକ ଚୀନ୍କୁ ବୁଲିଯିବା ପାଇଁ ନିବେଦନ କରିଛନ୍ତି । ଏହି ଅବସରରେ ସେକହିଛନ୍ତି ଯେ ଚୀନ୍କୁ ଆସିବାକୁ ଚାହୁଁଥିବା ଭାରତୀୟ ବନ୍ଧୁମାନଙ୍କୁ ସ୍ୱାଗତ । ପ୍ରଥମ ଥର ପାଇଁଚୀନ୍ ପକ୍ଷରୁ ଭାରତୀୟଙ୍କୁ ବନ୍ଧୁ ଭାବରେ ସ୍ୱାଗତ କରାଯାଇଛି । 
କିଛିମାସ ପୂର୍ବେମାଳ ଦ୍ୱୀପର ରାଷ୍ଟ୍ରପତି କୌଣସି ପ୍ରକାରର ଉତ୍ତେଜନା ନଥାଇ ଭାରତ ବିରୁଦ୍ଧରେ କିଛି ମନ୍ତବ୍ୟ ଦେଇଥିଲେ ଏବଂ ଏହି ମନ୍ତବ୍ୟର ସୁଯୋଗ ନେଇ ମାଳଦ୍ୱୀପର ନାଗରିକମାନଙ୍କୁ ଖୁସି କରାଇବା ପାଇଁ ଚୀନ୍ର ପର୍ଯ୍ୟଟକମାନେ ମାଳଦ୍ୱୀପକୁ ବହୁ ସଂଖ୍ୟାରେ ଆସିବାକୁ କହିଥିଲା । ମାତ୍ର ଏଭଳି ଏକ ଘଟଣାଘଟିବା ପରେ ଚୀନ୍ର ପର୍ଯ୍ୟଟକମାନେ ମାଳଦ୍ୱୀପକୁ ଗଲେ ନାହିଁ । ପରବର୍ତ୍ତୀ ପରିସ୍ଥିତିରେ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ହ୍ରାସ କରାଇବା ପାଇଁ ଚୀନ୍, ମାଳଦ୍ୱୀପକୁ ଅନେକ ପ୍ରକାରର ସହାୟତା ଦେବାର ଘୋଷଣା କରିଥିଲା । ଏବେ ଆମେରିକା ଚୀନ୍ଉପରେ ଅର୍ଥନୀତିକ କଟକଣା ଲଗାଇବା ଆରମ୍ଭ କରିବା ପର ଠାରୁ ଭାରତୀୟଙ୍କୁ ଚୀନ୍ ବନ୍ଧୁ ଭାବରେ ସମ୍ବୋଧନ କରୁଛି । ଏ ପ୍ରକାରର ଏକ ରାଷ୍ଟ୍ରକୁ ସହଜରେ ବିଶ୍ୱାସ କରାଯାଇନପାରେ ।