ଶ୍ରମ ଶକ୍ତିର ବିକାଶ ହେଉ


ଶ୍ରମିକ, ଯେଉଁମାନେ ନିର୍ମାଣ କରିଥାନ୍ତି ବିଶ୍ୱକୁ । ରାତି ଦିନ ଏକ କରି ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି । ଖରା, ବର୍ଷା, ଶୀତ ହେଉ ଅବା କାକର କାହାର ବି ପ୍ରଭାବ କାଟୁ କରି ନଥାଏ ଏମାନଙ୍କୁ । ସମାଜର ତଳସ୍ତରରେ ରହି ସମାଜ ଗଠନରେ ଏକ ଗୁରୁ ଦାୟିତ୍ୱ ନେଇଥାନ୍ତି ଏହି ଶ୍ରମିକମାନେ । ଶ୍ରମିକମାନେ ହେଲେ ଆଧୁନିକ ଯୁଗର ବିଶ୍ୱକର୍ମା । ଏମାନଙ୍କ ବିନା ସୃଷ୍ଟିର କଳନା କରିବା ବୃଥା । ହେଲେ ଦୁନିଆକୁ ଗଢ଼ୁଥିବା ଏହି ଶ୍ରମିକର ମୁଣ୍ଡ ଗୁଞ୍ଜିବାକୁ ବି ନଥାଏ ନିଜସ୍ୱ ଏକ ଘର ।  ଶ୍ରମିକମାନେ ସମାଜର ମୂଲ୍ୟବାନ ସମ୍ପତ୍ତି ଓ ନୂଆ ସମାଜ ଗଠନର ଆଧାରଶୀଳା । ବାସ୍ତବିକ କୌଣସି ରାଷ୍ଟ୍ର ଶ୍ରମଶକ୍ତିଙ୍କ ବିନା ଅଭିବୃଦ୍ଧି ପଥରେ ଅଗ୍ରସର ହୋଇପାରି ନଥାଏ ।  ରାଜ୍ୟ ବାହାରକୁ କେତେ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି ତାହା ଆଜି ପର୍ଯ୍ୟନ୍ତ ପଞ୍ଜିକୃତ କରାଯାଇନାହିଁ ।  ଶ୍ରମିକ କ୍ଷେତ୍ର ଏକ ବୃହତ କ୍ଷେତ୍ର । ଓଡ଼ିଶାରେ ଏକ କୋଟିରୁ ଊଦ୍ଧ୍ୱର୍ ଅଣ ସଂଗଠିତ ଶ୍ରମିକ ଓ ସଂଗଠିତ ଶ୍ରମିକ ଅଛନ୍ତି । ସେମାନଙ୍କ ଭିତରୁ ନିର୍ମାଣ ଶ୍ରମିକଙ୍କ ସଂଖା ଢ଼େର ବେଶି ହେଲେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜୀକରଣ କରାଯାଇପାରି ନାହିଁ । ଓଡ଼ିଶାରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ସ୍ଥାଣୁ ପାଲଟି ଯାଇଛି । ଆଗରୁ ମିଳୁଥିବା ଅନେକ ସହଯୋଗ ଯୋଜନା କାର୍ଯ୍ୟକାରୀ ହେଉନାହିଁ । କେବଳ ରାଜନୀତିକ ଭାଷଣରେ ସୀମିତ ନରହି  ନିର୍ମାଣ ଶ୍ରମିକଙ୍କ ସହିତ ଅନ୍ୟ ଶ୍ରମିକମାନଙ୍କୁ ମଧ୍ୟ ତୁଳନାତ୍ମକ ବିଚାର ସହିତ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବା ନିତାନ୍ତ ଆବଶ୍ୟକ । ଶ୍ରମିକର ଉନ୍ନତି ହେଲେ ସାମଗ୍ରିକ ଭାବେ ଦେଶର ଉନ୍ନତି ଘଟିବା ସ୍ୱାଭାବିକ ।
ଯୁଧିଷ୍ଠିର ମହାରଣା,କଟକ