କଳାଧନ ଲୁଚାଇବା ପାଇଁ ବେନାମୀ ଆକାଉଣ୍ଟ ମାଧ୍ୟମ ସାଜିଛି
(ଜିତେନ୍ଦ୍ର ସାହୁ) ଭୁବନେଶ୍ୱର, ୧୯ା୬ : କଳାଧନ ଲୁଚାଇବା ପାଇଁ ସରକାରୀ ବାବୁମାନେ ବେନାମୀ ଆକାଉଣ୍ଟକୁ ବାଛୁଛନ୍ତି । ଯେମିତି ତାଙ୍କ ଉପରେ ଭିଜିଲାନ୍ସ ଏବଂ ଆଇଟିର ନଜର ନପଡିବେ । ସେଥିଲାଗି ସେମାନେ ଅନ୍ୟନାମରେ ବେନାମୀ ଆକାଉଣ୍ଟ ଖୋଲି ସେଥିରେ ଲକ୍ଷାଧିକ ଟଙ୍କାର କଳାଧନ ଜମା କରୁଛନ୍ତି । ଯାହାର ଉଦାହରଣ ନବରଙ୍ଗରପୁର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ସେ ବସ୍ ଡ୍ରାଇଭର ବୃନ୍ଦାବନ ସ୍ୱାଇଁ ଏବଂ ରାସନକାର୍ଡ ଆବେଦନକାରୀ ନିବେଦିତା ଜେନାଙ୍କ ନାମରେ ଆକାଉଣ୍ଟ ଖୋଲିଥିଲେ । ସେଥିରେ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଜମା କରୁଥିଲେ । ଏହି ଦୁଇଟି ଆକାଉଣ୍ଟ ନୁହେଁ ସେ ଏକାଧିକ ବେନାମୀ ଆକାଉଣ୍ଟ ଖୋଲିଥିବା ଭିଜିଲାନ୍ସ ସନେ୍ଦହ କରିଛି । କେବଳ ଏହି ଜଣେ ସରକାରୀବାବୁ ନ୍ୁହେଁ ପୂର୍ବରୁ ଆହୁରୀ ବହୁ ଏଭଳି ଭାବେ ବେନାମି ଆକାଉଣ୍ଟ ଖୋଲିଥିବା ଜଣାପଡିଥିଲା । ନିକଟରେ ମଧ୍ୟ ବାଲିଅନ୍ତା ତହସିଲଦାର ଏବଂ ଅନ୍ୟ ଧରାପଡିଥିବା ଅଧିକାରୀ ମଧ୍ୟ ଅନ୍ୟ ନାମରେ ବେନାମୀ ଆକାଉଣ୍ଟ ଖୋଲି କଳାଧନ ରଖିଥିଲେ । ଏହି ସବୁ ସରକାରୀ ବାବୁ ବିଭିନ୍ନ ସରକାରୀ ଅଫିସରେ ରହୁଥିବାରୁ ଲୋକଙ୍କ ଡକୁ୍ୟମେଣ୍ଟ ଏବଂ ଦସ୍ତଖତ ସହଜରେ ପାଇ ଯାଉଛନ୍ତି । ଏହାକୁ ନେଇ ସେମାନେ ବେନାମୀ ଆକାଉଣ୍ଟ ଖୋଲୁଛନ୍ତି । କେବଳ ବେନାମୀ ଆକାଉଣ୍ଟ ନୁହେଁ, ବେନାମୀ ଜମି କିଣୁଛନ୍ତି । ଏହି ବେନାମୀ ଆକାଉଣ୍ଟ ଏବଂ ଜମି ଏବେ ଭିଜିଲାନ୍ସ ପାଇଁ ସମସ୍ୟା ପାଲଟିଛି । କାରଣ ଭିଜିଲାନ୍ସ କୋର୍ଟରେ ପ୍ରମାଣ କରିବା ସମୟରେ କାଠିକର ହେଉଛି । ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି ଯେ, ବେନାମୀ ଆକାଉଣ୍ଟ ପ୍ରମାଣ କରିବା କଷ୍ଟ । ଯଦି ଧରାପଡିଥିବା ସରକାରୀ ବାବୁଙ୍କ ଘରୁ ବ୍ୟାଙ୍କ୍ ପାସ୍ବୁକ୍ ଏବଂ ରସିଦ୍ ଜବତ ହୁଏ, ତେବେ କୋର୍ଟରେ ପ୍ରମାଣ କରିବା ସହଜ ହୁଏ । ଏହା ପରେ ଏହି ବେନାମୀ ଆକାଉଣ୍ଟକୁ ଫ୍ରିଜ୍ କରାଯିବା ସହ ସେଥିରେ ଥିବା ଟଙ୍କା ସରକାରୀ ଖାଜାନାକୁ ଚାଲିଯାଇଛନ୍ତି । କିନ୍ତୁ ଯଦି ଗିରଫ ହୋଇଥିବା ସରକାରୀ ବାବୁଙ୍କ ଘରୁ ବ୍ୟାଙ୍କ୍ ପାସ୍ବୁକ୍ ଏବଂ ରସିଦ୍ ଜବତ ନୁହେଁ, ତେବେ ଉକ୍ତ ଆକାଉଣ୍ଟକୁ ଫ୍ରିଜ୍ କରିବା କଷ୍ଟକର ହୁଏ । ଏହି ବେନାମି ଆକାଉଣ୍ଟ ଯାହା ନାମରେ ଥିବ ସେ ଏହି ଟଙ୍କାର ମାଲିକ ହୋଇଯିବ । ତେଣୁ ଭିଜିଲାନ୍ସ ତଦନ୍ତ କରିବା ସମୟରେ ଏହି ବେନାମୀ ଦିଗକୁ ଅଧିକ ଗୁରୁତ୍ୱ ଦେଇ ତଦନ୍ତ କରିଥାଏ । ସେହିପରି ବେନାମୀ ଜମି ମଧ୍ୟ ହୋଇଥାଏ । ଗିରଫ ଅଭିଯୁକ୍ତ ଘରକୁ ଯଦି ଜମିର ପଟା ଏବଂ ଅନ୍ୟ ଦସ୍ତାବିଜ୍ ଜବତ ହୁଏ, କୋର୍ଟରେ ପ୍ରମାଣ କରିବା ସହଜ ହୁଏ । ନହେଲେ ଏହି ଜମିର ମାଲିକ ଅନ୍ୟ ବ୍ୟକ୍ତି ହୋଇଯିବ । ଯାହାକୁ ଜବତ କରିବା ଭିଜିଲାନ୍ସ ପକ୍ଷରୁ କାଠିକର ହୋଇଥାଏ । ତେଣୁ ଏହି ବେନାମୀ ଉପରେ ତଦନ୍ତକାରୀଙ୍କୁ ଏକ ସ୍ପେଶାଲ ଟ୍ରେନିଂ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ ହେବା ପରେ ଭିଜିଲାନ୍ସ ତାର ଗୁଇନ୍ଦାକୁ ଅଧିକ ସକ୍ରିୟ କରିଥିଲା । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଏହି ଗୁଇନ୍ଦା ନଜର ରଖିଛି । ଯଦି କୌଣସି ସରକାରୀ ଅଧିକାରୀ ଲାଞ୍ଚ ନେଉଥିବ ଏନେଇ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ଖବର ପହଞ୍ଚିବ । ଏହାପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥାଏ ।