ଭିଏତନାମରେ ମାଇ ସନ୍ ମନ୍ଦିର ବୁଲିଲେ ରାଜ୍ୟପାଳ
ଭୁବନେଶ୍ୱର : ଭାରତରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ଏବେ ଭିଏତନାମ ଗସ୍ତରେ ଅଛନ୍ତି ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି । ଏ ଅବସରରେ ରବିବାର ରାଜ୍ୟପାଳ କ୍ୱାଙ୍ଗ୍ ନାମ୍ ପ୍ରଦେଶର ପ୍ରସିଦ୍ଧ ମାଇ ସନ୍ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜ୍ୟପାଳଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି । ମାଇ ସନ୍ ଭିଏତନାମର ସବୁଠାରୁ ମହତ୍ୱପୂର୍ଣ୍ଣ ସାଂସ୍କୃତିକ ସ୍ଥଳ ମଧ୍ୟରୁ ଅନ୍ୟତମ ଏବଂ ଏହାର କେତେକ ହିନ୍ଦୁ ମନ୍ଦିର ଚତୁର୍ଥ ଶତାଦ୍ଦୀର । ଏହି ପୁରୁଣା ମନ୍ଦିରଗୁଡ଼ିକ ଚମ୍ପା ରାଜ୍ୟ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଦକ୍ଷିଣ ପୂର୍ବ ଏସିଆର ସହଭାଗୀ ସାଂସ୍କୃତିକ ଅତୀତର ପ୍ରମୁଖ ପ୍ରତୀକ ଭାବେ ଦେଖାଯାଏ ।
ରାଜ୍ୟପାଳ ଏହି ପରିଦର୍ଶନ ସମୟରେ ଭାରତର ସହାୟତାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ । ସଂପୃକ୍ତ ଅଧିକାରୀମାନେ ଏହି ସ୍ଥାନର ପ୍ରାଚୀନ ଢାଂଚାକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ସ୍ୱତନ୍ତ୍ର କୌଶଳ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଏହା ସପ୍ତମରୁ ତ୍ରୟୋଦଶ ଶତାଦ୍ଦୀ ମଧ୍ୟରେ ଚମ୍ପା ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରଭାବରେ ବିଦିତ ଥିଲା । ଓଡିଶାର ରାଜ୍ୟପାଳଙ୍କ ଏହି ଗସ୍ତ ଭାରତ ଏବଂ ଭିଏତନାମ ମଧ୍ୟରେ ଘନିଷ୍ଠ ସାଂସ୍କୃତିକ ଏବଂ ସହଭାଗୀ ଐତିହ୍ୟକୁ ସୁରକ୍ଷା ଦେବାରେ ଭାରତର ଭୂମିକାକୁ ସୂଚାଉଛି ।