ଦାବିରେ ସୀମିତ ରେଳ ୱାଗନରେ ପାଲଭିଡା ପ୍ରସଙ୍ଗ : ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

 ତାଳଚେର :  ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ବିଗତ ଦିନ ମାନଙ୍କରେ ତାଳଚେରର ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣକୁ ରୋକିବା ସହ କୋଇଲା ପରିବହନ କରୁଥିବା ରେଳୱାଗନ ଗୁଡିକ ପାଲ ନ ଭିଡି ଯାତାୟାତ କରୁଥିବା ସମ୍ବନ୍ଧରେ ବାରମ୍ବାର ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ରେଳବାଇ କର୍ତ୍ତୃପକ୍ଷଙ୍କୁ ଦାବି କରାଯାଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହେଉନଥିବା ସଂଘ ପକ୍ଷରୁ ଅଭିଯୋଗ ହେଉଛି । ଫଳରେ ପୁନଃ ଏହି ସମସ୍ୟା ନେଇ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । 
ସୂଚନାଯୋଗ୍ୟ, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ୨୦୧୭-୧୮ମସିହାରୁ ଅଦ୍ୟାବଧି ବିଭାଗୀୟ ଅଧିକାରୀମାନଙ୍କୁ ବାୟୁ ପ୍ରଦୂଷଣକୁ ରୋକିବାକୁ ପଦକ୍ଷେପ ନେବାକୁ ନିବେଦନ କରାଯାଉଛି । ଗତ ୧୩ ଜାନୁଆରୀ ୨୦୨୧ ମସିହାରେ ଏଥିପାଇଁ ଶାନ୍ତିପୂର୍ଣ୍ଣ ଭାବେ ୟୁନିଅନ ତରଫରୁ ଗଣଧାରଣା ଦିଆଯାଇଥିଲା । ମାତ୍ର ଏମ୍ସିଏଲ କର୍ତ୍ତୃପକ୍ଷ ମିଥ୍ୟା ଅଭିଯୋଗ କରି ସଂଘର କର୍ମକର୍ତ୍ତା ମାନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ । ଭାରତ ସରକାରଙ୍କର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ରେଳ ୱାଗାନ ଗୁଡିକ କୋଇଲା ପରିବହନ ବେଳେ ପାଲ ଭିଡି ଯାତାୟତ କରିବାକୁ ଗେଜେଟ ନୋଟିଫିକେସନ ଜାରି କରିଛନ୍ତି । ଫଳରେ ରେଳୱେ ବୋର୍ଡ ଇଷ୍ଟକୋଷ୍ଟ ରେଲୱେକୁ ରେଳୱାଗାନ ଗୁଡିକ କୋଇଲା ପରିବହନ ବେଳେ ପାଲ ଭିଡି ଯାତାୟତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏସବୁ ସତ୍ତ୍ୱେ ଏମସିଏଲର ବିଭିନ୍ନ କୋଇଲାଖଣିରୁ ଦେଶର ବିଭିନ୍ନ ପ୍ରାନ୍ତକୁ ରେଳୱାଗନ ଯୋଗେ କୋଇଲା ପଠାଯାଉଥିବା ସମ୍ୱନ୍ଧରେ ବରିଷ୍ଠ ନାଗରିକ, ଶ୍ରମିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଓ ପରିବେଶବିତ୍ମାନେ ଏମସିଏଲର ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ୱାର ଅବଗତ କରାଯାଉଥିଲେ ମଧ୍ୟ ପାଲ ଭିଡା ନେଇ କୌଣସି ପଦେକ୍ଷେପ ନିଆଯାଉନାହିଁ । ଏ ନେଇ ଗତ ଜାନୁଆରୀ ୨୨ ତାରିଖରେ ତାଳଚେର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ରେଳବାଇ ବିଭାଗ ଓ ଏମସିଏଲ ପାଲଭିଡିବା ପାଇଁ ସହମତି ପ୍ରକାଶ କରିଥିଲେ । ଫଳରେ ଗତ ଫେବୃୟାରୀ  ୪ ତାରିଖରେ  ଉପ ଜିଲ୍ଲାପାଳ ଏହାକୁ କାର୍ଯ୍ୟକାରୀ କରିବାକୁ ପତ୍ର ମାଧ୍ୟମରେ ବିଭାଗ ଗୁଡିକୁ ଜଣାଇଲେ । ଏହାସହ ସଂଘ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମଧ୍ୟ ଏ ନେଇ ଦାବିପତ୍ର ଦିଆଯାଇଥିଲା । ଫଳରେ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ଗତ ଏପ୍ରିଲ ୨୯ ତାରିଖରେ ତାଳଚେର ଏଆରଏମ, ତାଳଚେର ଷ୍ଟେସନ ସୁପରିଟେଣ୍ଡଣ୍ଟ, ରେଳବାଇ ଷ୍ଟେସନ ମ୍ୟାନେଜର, ସିଏମଆଇ, ସିଜିଏସ ତାଳଚେରଙ୍କୁ ଖୋର୍ଦ୍ଧା ଡିଭିଜନ ଏଡିଆରଏମ ଏକ ପତ୍ର ମାଧ୍ୟମରେ ୱାଗନରେ କୋଇଲା ପରିବହନ ବେଳେ ପାଲ ଭିଡିବାକୁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ଏହାସହ ଭଲ ମାନର ତାରପୋଲିନ ଓ ଦୌଡ଼ି ଦ୍ୱାରା ୱାଗନ ଗୁଡ଼ିକ ବାନ୍ଧିବା ସହ ସେଥିପାଇଁ ଅତିରିକ୍ତ ୧ ଘଣ୍ଟା ଦିଆଯିବ ବୋଲି ଚିଠି ମାଧ୍ୟମରେ ଜଣାଇଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ରେଳବାଇ ଅଧିକାରୀ ଓ ଏମ୍ସିଏଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପାଲ ଭିଡା ନେଇ  କୌଣସି ପଦକ୍ଷେପ ନିଆଯାଉନଯିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ତାଳଚେର କୋଇଲା ଖଣି ଶ୍ରମିକ କଂଗ୍ରେସ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।