ଏକ ମହାର୍ଘ୍ୟ ଜୀବନ  


ଡା.ଉମେଶ ଚନ୍ଦ୍ର ପାତ୍ର : ମଣିଷର ଜୀବନ ଅନେ ଅନେକ ଅସରନ୍ତି ସ୍ମୃତି, ଅଭୁଲା କୃତି ଓ ବିସ୍ମୃତିରେ ଭରା । ଜୀବନର ଚଲାବାଟରେ ପଦପାତ କରୁଥିଲାବେଳେ ସେ ଭେଟେ ଅଜସ୍ର ବ୍ୟକ୍ତିତ୍ୱମାନଙ୍କୁ, ଅସଂଖ୍ୟ ଚିହ୍ନା-ଅଚିହ୍ନା ମୁହଁ ମାନଙ୍କୁ । ପଦଚାରଣ କଲାବେଳେ ଜୀବନର ଯାତ୍ରା ପଥରେ କେଉଁ ଜଣା ଅଜଣା ମୁହଁମାନେ ତାକୁ ଭଲ ଲାଗନ୍ତି, କେହି ହସରେ, ଖୁସିରେ ଚାହିଁ ଦେଇଯାଏ, କିଏ ଆନନ୍ଦରେ ଆଗ୍ରହରେ ପଦେ ଦି'ପଦ କଥା ହୁଏ ତ କିଏ ପୁଣି ମୁହଁ ଫେରେଇ ନିଏ ଏ ବସ୍ତୁବାଦୀ ଦୁନିଅାଁରେ । ସମୟର ଅସରନ୍ତି ଛନ୍ଦପତନର ଏହା ହିଁ ବୋଧହୁଏ ଅଲିଖିତ ନିୟମ ।  ଯିଏ ଧର୍ମକୁ ଆଶ୍ରୟ କରେ ସିଏ ସତ୍ୟନିଷ୍ଠ ହୁଏ । ଧର୍ମ ମନୁଷ୍ୟକୁ ଶୁଦ୍ଧ ମନୁଷ୍ୟରେ ପରିଣତ କରେ ତା ଭିତରେ ଥିବା କ୍ଷୁଦ୍ରତା ଓ ସଂକୀର୍ଣ୍ଣତାକୁ ଦୂରେଇଦିଏ । ଯିଏ ଅହଂକାରୀ ହୁଏ ଏବଂ ଆପଣାର ନିୟନ୍ତ୍ରିତ ହୋଇ କାର୍ଯ୍ୟ କରେ ସେ ଅନ୍ୟର ଉପକାର କରିପାରେ ନାହିଁ । ଅହଂକାରୀ ବ୍ୟକ୍ତି କହେ ମୁଁ ସବୁର କର୍ତ୍ତା । ଅନ୍ୟର କଲ୍ୟାଣ ବା ପରୋପକାର ଭଗବାନଙ୍କର ବିଚିତ୍ର ଲୀଳା ବା ଇଛା ଅନୁସାରେ ନାନାରୂପ ଧାରଣ କରିଥାଏ । ସେହିପରି ବିନୀତ ଓ ହୃଦୟବାନ ମନୁଷ୍ୟ ପ୍ରତି ଭଗବାନଙ୍କର କରୁଣା ସର୍ବଦା ଥାଏ । ସେଥିପାଇଁ ସେ ଜୀବନର ସବୁ ସ୍ତରରେ ନିଜର ସଫଳ ମଣିଷ ଭାବରେ ନିଜକୁ ପ୍ରମାଣିତ କରିଥାଏ । ଏହି ଭାବ ଧାରଣ କରି ବିଶିଷ୍ଟ ଜନନେତା ସ୍ୱର୍ଗତଃ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶାକୁ ବିଜେପିର ସଫଳତାର ସିଡ଼ିରେ ଶୀର୍ଷରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । 
ଡାକ୍ତରୀ ପେସା ପରି ଏକ ଉତ୍ସର୍ଗୀକୃତ ସେବା ଜୀବନର ନିଷ୍ଠାପର ବୃତ୍ତି ସମ୍ପାଦନ ଭିତରେ ରାଜନୀତି ସହ ସମ୍ପୃକ୍ତ ରହିବା ଏବଂ ବେଶ ନିଷ୍ଠାର ସହିତ ଗୋଟିଏ ଦଳକୁ ସଫଳତାର ଶ୍ରେୟରେ ପହଞ୍ଚାଇବାର ନୈପଥ୍ୟ ଅବଦାନ ରଖିପାରୁଥିବା କ୍ୱଚିତ ବ୍ୟକ୍ତିତ୍ୱଙ୍କ ଭିତରେ ସ୍ୱର୍ଗତଃ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ନାମ ଆସିବ । ୧୯୬୧ ମସିହାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରୁ ଏମବିବିଏସରେ ନାମ ଲେଖାଇ ଥିଲେ ଏବଂ ୧୯୬୬ରେ ଏମବିବିଏସରୁ ଉତ୍ତୀର୍ଣ୍ଣ ହୋଇ ହାଉସ ସର୍ଜନ ଶିକ୍ଷା ଆରମ୍ଭ କରିଥିଲେ । ୧୯୬୭ ମସିହା ସେପ୍ଟେମ୍ବର ମାସରେ ଡାକ୍ତର ଭାବରେ ଡେରାକୋଲିଆରି ହସ୍ପିଟାଲରେ ଯୋଗ ଦେଇଥିଲେ । ୧୯୭୩ ପର୍ଯ୍ୟନ୍ତ ସରକାରୀ ଡାକ୍ତରୀ ଚାକିରି କରି ସ୍ୱେଚ୍ଛାକୃତ ଅବସର ନେଇଥିଲେ । ୧୯୮୦ରେ ରାଜନୈତିକ ଜୀବନ ଆରମ୍ଭ କରି ସେହି ବର୍ଷ ଜୁନ ୧୦ ତାରିଖରେ ବିଜେପିରେ ଯୋଗ ଦେଇଥିଲେ । ସାଙ୍ଗଠନିକ ଦକ୍ଷତା ଓ ଜଣେ ଲୋକପ୍ରିୟ ଡାକ୍ତର ହୋଇଥିବାରୁ ଦଳ ତାଙ୍କୁ ବେଶ ଗୁରୁତ୍ୱ ଦେଇଥିଲା । ୧୯୮୪ରେ ପ୍ରଥମ ନିର୍ବାଚନ ଲଢ଼ିଥିଲେ ଦେବଗଡ଼ ଲୋକସଭା ଆସନରୁ । ତେବେ ମାତ୍ର ୩୦ ହଜାର ଭୋଟ ପାଇଥିଲେ ମଧ୍ୟ ତାଙ୍କ ମନୋବଳ କିନ୍ତୁ ଦୃଢ଼ ଥିଲା । ସାଙ୍ଗଠନିକ କାର୍ଯ୍ୟରେ ଦଳ ତାଙ୍କ ଉପରେ ବେଶ ଖୁସି ଥିଲା ଏବଂ ତାଙ୍କୁ ସଭାପତି ପଦ ମଧ୍ୟ ମିଳିଥିଲା । ୧୯୯୬ ନିର୍ବାଚନରେ ଦେବଗଡ଼ରୁ ଲଢ଼ି ୧ଲକ୍ଷ ୭୫ ହଜାର ଭୋଟ ପାଇଥିଲେ ତେବେ ବିଜୟ କିନ୍ତୁ ତାଙ୍କୁ ମିଳିନଥିଲା । ୧୯୯୮ ନିର୍ବାଚନରେ ସେ ପ୍ରଥମ ଥର ଦ୍ୱାଦଶ ଲୋକସଭାକୁ ନିର୍ବାଚିତ ହେଲେ ଓ କେନ୍ଦ୍ରରେ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । 
ଓଡ଼ିଶା ରାଜନୀତିରେ ତାଙ୍କ ବ୍ୟକ୍ତିତ୍ୱ ଏପରି ଥିଲା ଯେ ସେ ସବୁ ଦଳର ସମସ୍ତ ନେତାଙ୍କ ସହ ଅତ୍ୟନ୍ତ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ରକ୍ଷା କରିପାରିଥିଲେ । ଓଡ଼ିଶା ବିଜେପିର ପ୍ରମୁଖ ବିନ୍ଧାଣି ଓ କହିବାକୁଗଲେ ସେ ହିଁ ମୁଖ୍ୟ ବିଶ୍ୱକର୍ମା କହିଲେ ଅତୁ୍ୟକ୍ତି ହେବନି । ଦଳ ପ୍ରତି ତାଙ୍କ ନିଷ୍ଠା, ଆଦର୍ଶ ଓ ସମର୍ପଣ ଦ୍ୱାରା ଆଜି ରାଜ୍ୟରେ ବିଜେପି ଅଭୂତପୂର୍ବ ସଫଳତା ପାଇଛି । ତାଙ୍କ ଜୀବନଟି ଥିଲା ସମ୍ପୂର୍ଣ୍ଣ ଏକ କର୍ମମୟ ଓ ଦଳ ପ୍ରତି ସମର୍ପିତ ଜୀବନ । ଦଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ କର୍ମୀ ମାନଙ୍କୁ ଏକଜୁଟ କରି ଦଳୀୟ ଭାବଧାରାରେ ଉଦବୁଦ୍ଧ କରିପାରୁଥିଲେ । ତାଙ୍କ ଜୀବନ ଜନସେବା ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଥିଲା । ସେ କେବଳ ନିଜ ନିର୍ବାଚନ ମଣ୍ଡଳୀରେ ନୁହେଁ ଓଡ଼ିଶା ଓ ଭାରତ ବର୍ଷ ପାଇଁ ଯେଉଁପରି କାର୍ଯ୍ୟ କରିଛନ୍ତି ତାହା ବାସ୍ତବିକ ସ୍ମରଣୀୟ ନିଶ୍ଚୟ । ବିଜେପିକୁ ଓଡ଼ିଶାରେ ଏକ ଶକ୍ତିଶାଳୀ ଓ ସାମର୍ଥ୍ୟବାନ କରି ଗଢ଼ି ତୋଳିବାରେ ତାଙ୍କ ଭୂମିକା ସ୍ମରଣୀୟ । ବାସ୍ତବିକ ତାଙ୍କ ବିୟୋଗ ଏକ ପ୍ରକାର ଯୁଗାବସାନ କହିଲେ ଅତୁ୍ୟକ୍ତି ହେବନାହିଁ । ତୃଣମୂଳ ସ୍ତରରୁ ଯାଇ ଶିଖରରେ ପହଞ୍ଚô ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଆଜି ବିଜେପି ରାଜ୍ୟରେ ସରକାର କରିବା ପଛରେ ଥିବା ତାଙ୍କର ଅବିଶ୍ରାନ୍ତ ପରିଶ୍ରମ ଓ ନିଷ୍ଠା । କଥାରେ ଅଛି ଯାହାର ଯେମିତି ବୃତ୍ତି ତାଙ୍କର ସେମିତି କୀର୍ତ୍ତି ସ୍ଥାପନ ହୁଏ । ଶେଷରେ ଏହା ସୁକୀର୍ତ୍ତିରେ ପରିଣତ ହୁଏ । ଡାକ୍ତର ପ୍ରଧାନ ଏହାର ଉଦାହରଣ । ପ୍ରଥମେ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ବୃତ୍ତିରେ ଲୋକଙ୍କ ସେବା କଲେ । ପରେ ଦଳର କାର୍ଯ୍ୟକର୍ତ୍ତା, ରାଜ୍ୟ ସଭାପତି ଓ କେନ୍ଦ୍ର ପରିବହନ ମନ୍ତ୍ରୀ ଭାବେ କାମ କରି ସେ ବହୁ ସ୍ୱୀକୃତି ପାଇଛନ୍ତି । ସେ ଜଣେ ନିଷ୍ଠାପର ଜନସେବକ ଥିଲେ । ସେଥିପାଇଁ ସେ ସମସ୍ତଙ୍କ ସମ୍ମାନ ଓ ପ୍ରେରଣାର ପ୍ରତୀକ ହୋଇ ରହିଛନ୍ତି ।  ଭଗବାନ ତାଙ୍କ ଅମର ଆତ୍ମାର ସଦଗତି ପ୍ରଦାନ କରନ୍ତୁ ଏବଂ ଓଡ଼ିଶାର ଜଣେ ଏପରି କୃତୀ ପୁରୁଷଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ।  ରକ୍ତ ମାଂସର ଶରୀର ଚିରସ୍ଥାୟୀ ନୁହେଁ । ମାତ୍ର ଜୀବଦଶାରେ ସିଏ ଯାହା ଯାହା କରି ଯାଇଥାଏ ତାହା ଅମ୍ଳାନ ହୋଇ ରହିଥାଏ ଯୁଗ ଯୁଗକୁ । ଚନ୍ଦ୍ର, ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ତାଙ୍କ ତ୍ୟାଗ, ସମର୍ପଣ ଓ ନିଷ୍ଠା ଅମ୍ଳାନ ହୋଇ ରହିଥିବ । 
ମୋ : ୯୪୩୭୦୫୧୯୫୭