ପୁଲିସ ଡିଜିଙ୍କ ରଥଯାତ୍ରାରେ ସମୀକ୍ଷା :  ଫୋକସ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ

 କଟକ : ଆସନ୍ତା ଜୁନ ୨୭ରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଡିଜିପି ରଥଯାତ୍ରାକୁ ଶୃଙ୍ଖଳିତ କରିବା  ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ  ନିଦେ୍ର୍ଦଶ ଦେଇଥିଲେ । ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ମଧ୍ୟରେ ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା, ୨୬ରେ  ନବଯୌବନ ଦର୍ଶନ, ୨୭ରେ ରଥଯାତ୍ରା ଠାରୁ ଆରମ୍ଭ କରି କ୍ରମାନ୍ୱୟରେ ବିଭିନ୍ନ ନୀତିକାନ୍ତି ଓ ଶେଷରେ ୮ ରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ । ଏହି ସମୟରେ ଲକ୍ଷାଧିକ ଭିଡ଼କୁ ଆଖିଆଗରେ ରଖି ସୁରକ୍ଷାକୁ କଡ଼ାକଡ଼ି କରିବାକୁ ଡିଜିପି ସମସ୍ତ ପୁଲିସ୍ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ସେହିପରି ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ  ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ୍ ଡିଭାଇଡର, ଡିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସମୁଦ୍ର କୂଳରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି ଓ ଅସ୍ଥାୟୀ ପୁଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଆରପିଏଫ୍ ପକ୍ଷରୁ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଆଦି  ରେଳ  ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ  ଆଲୋଚନା ହୋଇଥିଲା । ଆରପିଏଫ ସହ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ । ଏହା ସହ ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ  ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ, ହୋଟେଲ ଏବଂ ଲଜ ଗୁଡିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, କ-୯ ସ୍କ୍ୱାର୍ଡ ମୁତୟନ, ଦଳା ଚକଟା ଭଳି ପରିସ୍ଥିତିକୁ ଏଡାଇବା ନିମନ୍ତେ ସଜାଗ ତଥା ସ୍ୱତନ୍ତ୍ର ବ୍ୟବସ୍ଥା,  ଅତି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ୍, ପୁଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ଇତ୍ୟାଦି ସମ୍ପର୍କରେ ଡିଜିପି ବିସ୍ତୃତ ଆଲୋଚନା କରିଥିଲେ ।
ବୈଠକରେ  ଆଭାସୀ ମାଧ୍ୟମରେ ନିଦେ୍ର୍ଦଶକ (ଗୁଇନ୍ଦା) ଆର ପି କୋଚେ,  ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ  ମହାନିଦେ୍ର୍ଦଶକ (ରେଳ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ  ମହାନିଦେ୍ର୍ଦଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର , ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (କମୁ୍ୟନିକେସନ) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଏସଏପି) ରାଜେଶ କୁମାର, ଆଇଜି (କେନ୍ଦ୍ରାଞ୍ଚଳ) ଏସ ପ୍ରବୀଣ କୁମାର, ଆଇଜି (ଅପରେସନ) ଡ. ଦୀପକ କୁମାର, ଆଇଜି (ବିପିଏସପିଏ) ଅନୁପ ସାହୁ, ଆଇଜି (କ୍ରାଇମବ୍ରାଞ୍ଚ) ଡ. ସାର୍ଥକ ଷଡଙ୍ଗୀ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (ଏସଆଇଡବ୍ଲୁ) ଡ. କନୱାର ବିଶାଳ ସିଂ, ଡିଆଇଜି (ଏସଟିଏଫ) ପିନାକ ମିଶ୍ର, ଏସ୍ପି (ରେଲୱେ) ବିବେକାନନ୍ଦ ଶର୍ମା, ପୁରୀ ଏସପି ଭିନୀତ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।