ସଚେତନତାର ଘୋର ଅଭାବ
ଆମ ଦେଶରେ ଲୋକମାନଙ୍କର ବିଭିନ୍ନ ପ୍ରକାରର ଆଇନ୍କାନୁନ୍ ପାଳନ କରିବା କ୍ଷେତ୍ରରେ ଯେତିକି ଜ୍ଞାନ ନାହିଁ, ସେସବୁର ଉଲଙ୍ଘନ କରିବା କ୍ଷେତ୍ରରେ ବୁଦ୍ଧି ପ୍ରବଳ । କୌଣସି ଗୋଟିଏ ଭୁଲ୍ କରି ସାରିବା ପରେ ସେହି ଭୁଲ୍ଟି ଭବିଷ୍ୟତରେ ଆଉ କିପରି ନ ହେବ, ସେ ଦିଗରେ ସତର୍କ ହେବା ପରିବର୍ତ୍ତେ ବାରମ୍ବାର ଭୁଲ୍ ହେଉଥିଲେ ମଧ୍ୟ ସେହି ଭୁଲ୍ ଗୁଡ଼ିକ ପୁଣିଥରେ ଘଟେ ଏବଂ ଏହିସବୁ ଭୁଲ୍ ପାଇଁ କେହି କେବେ ହେଲେ ନିଜକୁ ଦାୟୀ କରି ଭବିଷ୍ୟତରେ ସୁଧୁରିଯିବା ପାଇଁ ଚେଷ୍ଟା କରୁଥିବା ଦେଖାଯାଏ ନାହିଁ । ଏ ପ୍ରକାରର ନାଗରିକ ସଚେତନତା ସମ୍ପର୍କିତ ଜ୍ଞାନ ଆମ ଦେଶରେ ଲୋକମାନଙ୍କ ଠାରେ ଅଭାବ ରହିଛି । ଖାଲି ତ ଅଭାବ ନାହିଁ, ଘୋର ଅଭାବ ଅଛି ବୋଲି ସ୍ପଷ୍ଟ ଭାବେ ଆମେ କହିପାରିବା ।
ଉଦାହରଣ ଭାବେ ଗୋଟିଏ ପ୍ରସଙ୍ଗ ନେବା । ଯେଉଁ ସ୍ଥାନରେ ଦୁର୍ଘଟଣା ଘଟୁଛି ଏବଂ ବାରମ୍ବାର ଦୁର୍ଘଟଣା ଘଟୁଛି ସେ ସ୍ଥାନରେ କଣ କଲେ ଆଉ ଭବିଷ୍ୟତରେ ଦୁର୍ଘଟଣା ଘଟିବ ନାହିଁ ସେ ଦିଗରେ କେହିଁ ଚିନ୍ତା କରିବା ପାଇଁ କି ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ଭାବନ୍ତି ନାହିଁ । ଯେଉଁ ସ୍ଥାନରେ ବାରମ୍ବାର ତ୍ରୁଟି ଘଟୁଛି ସେହି ସ୍ଥାନ ଗୁଡ଼ିକରେ ସ୍ଥାୟୀ ଭାବରେ ତ୍ରୁଟି ସଜାଡ଼ିବା ପାଇଁ କେହି ଆଗ୍ରହ ପ୍ରକାଶ କରନ୍ତି ନାହିଁ । କେବଳ କାମ ସରିଗଲେ ସରିଗଲା ବୋଲି ସମସ୍ତେ ଭାବନ୍ତି । ଏକ କାମଚଳା ବ୍ୟବସ୍ଥା ଭିତରେ ଆମ ଦେଶରେ ନାଗରିକମାନଙ୍କର ଜୀବନ ଅତିବାହିତ ହେଉଥାଏ । ରାସ୍ତାରେ କାଦୁଅ ହୋଇଛି "ଇଟା ଖଣ୍ଡେ ପକେଇ ମୁଁ ଡେଇଁଗଲେ ପରବର୍ତ୍ତୀ ଲୋକଟିର ଅବସ୍ଥା କଣ ହେବ, ସେଇଟା ଚିନ୍ତା କରିବା ମୋ ଦାୟିତ୍ୱ ନୁହଁ' ବୋଲି ଲୋକମାନେ ଭାବନ୍ତି । ଆମ ଦେଶରେ ଲୋକେ ନିଜ କାମରେ ଏତେ ବ୍ୟସ୍ତ ଯେ ଭିକାରୀ ପାଖରେ ମଧ୍ୟ ସମୟ ନଥାଏ । କିନ୍ତୁ ରାସ୍ତାରେ କେହି ମାର୍ପିଟ୍ ହେଲେ କିମ୍ବା ଦୁର୍ଘଟଣା ଘଟିଲେ ଦର୍ଶକ ହେବା ପାଇଁ କିମ୍ବା ସେଲ୍ଫି ଉଠେଇବା ପାଇଁ ସେମାନଙ୍କ ସମୟ ଦେବାକୁ ପ୍ରସ୍ତୁତ ହୋଇଯାନ୍ତି । ଦେଖିବାକୁ ଗଲେ ଏହା ଏକ ନାଗରିକ ଦାୟିତ୍ୱବୋଧ ଏବଂ ଜ୍ଞାନର ଅଭାବ । ଏଠି କାହାକୁ ବ୍ୟକ୍ତିଗତ ଭାବରେ କୁହାଯାଇପାରିବ ନାହିଁ କିମ୍ବା ସୁଧାରି ହେବ ନାହିଁ ।
ଈଂରାଜୀରେ ପ୍ରବାଦଟିଏ ଅଛି "ଏଭି୍ରବଡ଼ିସ୍ ବିଜିନେସ୍ ଇଜ୍ ନୋବଡ଼ିସ୍ ବିଜିନେସ୍ ।' ଏହାର ଅର୍ଥ ହେଲା ଯେଉଁଟା ସମସ୍ତଙ୍କର ଦାୟିତ୍ୱ ସେଥିରେ ବ୍ୟକ୍ତିଗତ ଭାବରେ କେହି ଦାୟୀ ନୁହଁନ୍ତି । ଏହି କାରଣରୁ ସାମୂହିକ ଦାୟିତ୍ୱ ସବୁବେଳେ ଦାୟିତ୍ୱହୀନତାକୁ ସୂଚିତ କରେ । ଆମ ସମ୍ବିଧାନରେ ନାଗରିକର ଦାୟିତ୍ୱ ଏବଂ ଅଧିକାର ସମ୍ପର୍କରେ ଅଲଗା ଅଲଗା ଦୁଇଟି ବିଭାଗରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଲୋକମାନେ କେବଳ ଅଧିକାର କଥା ଚିନ୍ତା କରି ଦାୟିତ୍ୱବୋଧ କଥା ଭୁଲିଯାଆନ୍ତି । ସେତେବେଳେ ନାଗରିକମାନେ ସାମୂହିକ ଭାବରେ ନିଜର ଦାୟିତ୍ୱ ପ୍ରତି ସଚେତନ ହେବେ ସେତିକି ବେଳେ ଦେଶର ଅନେକ ଅବ୍ୟବସ୍ଥା ଆପେ ଆପେ ସୁଧୁରିଯିବ । ତେବେ ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିପାରିବା ନାହିଁ । ନାଗରିକମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଯିବା ସହିତ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ମଧ୍ୟ ସଚେତନ କରାଯିବା ଉଚିତ୍ । ଯେଉଁ ବ୍ୟକ୍ତିର ସମୟ ଏତେ ଅଭାବ ଯେ ରାସ୍ତାରେ ୪୦ କିଲୋମିଟର ବେଗରେ ଯିବା ବଦଳରେ ୮୦ କିଲୋମିଟର ବେଗରେ ଯାଏ, ସେହି ବ୍ୟକ୍ତିଟି କେଉଁ ମାନସିକତା ନେଇ ଦୁର୍ଘଟଣା, ମାର୍ପିଟ୍-କଳିକଜିଆ ଆଦି ହେଲେ ସେଇଠି ଅଟକି ରହି ନିରର୍ଥକ ଭାବରେ ନିଜର ସମୟକୁ ନଷ୍ଟ କରିପାରେ । ଏ କଥାରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ନାଗରିକମାନେ ନିଜର ଦାୟିତ୍ୱବୋଧ ପ୍ରତି ସଚେତନ ନୁହଁନ୍ତି । ଏବେ ନାଗରିକଙ୍କ ଭିତରେ ଦାୟିତ୍ୱବୋଧ ସୃଷ୍ଟି କରାଯିବାର ଆବଶ୍ୟକତା ଅଛି ।