ନସୁଧୁରିଲେ ସିଧା ଗୁଳି


ରାଜ୍ୟରେ ଦିନକୁ ଦିନ ଅପରାଧର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏ କ୍ଷେତ୍ରରେ ସବୁଠାରୁ ଉଦ୍ବେଗର କାରଣ ହେଲା ରାଜ୍ୟ ବାହାରର ଅପରାଧୀମାନେ ଓଡ଼ିଶାକୁ ଆସି ବିଭିନ୍ନ ପ୍ରକାରର ଅପରାଧ ଘଟାଉଛନ୍ତି ଏବଂ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି । ତେଣୁ ସେମାନଙ୍କୁ ଧରିବା କ୍ଷେତ୍ରରେ ପୁଲିସ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏଣେ ଅପରାଧୀ ଧରା ନପଡ଼ିଲେ ପୁଲିସ୍ ସମାଲୋଚନାର ଶରବ୍ୟ ହେଉଛି । ବାହାର ରାଜ୍ୟରୁ ଆସି ଭୁବନେଶ୍ୱରରେ ବିଭିନ୍ନ ଅପରାଧ ଘଟାଇ ସୁରୁଖୁରୁରେ ଏଠାରୁ ଚାଲି ଯାଉଥିବାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ଏକ ପ୍ରକାରର ଅସମ୍ଭବ ହୋଇପଡୁଛି । ଏପରିକି ସିସିଟିଭି ଫୁଟେଜ୍ରେ ଚେହେରା ଧରାପଡୁଥିଲେ ମଧ୍ୟ ସେମାନେ ରାଜ୍ୟର ବାସିନ୍ଦା ହୋଇନଥିବାରୁ ତାଙ୍କୁ ଧରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ଇତିମଧ୍ୟରେ କମିଶନ୍ରେଟ୍ ପୁଲିସ୍ ରାଜଧାନୀରୁ ଏକ ବିହାରୀ ଏଟିଏମ୍ ଲୁଟେରାକୁ ଏନ୍କାଉଣ୍ଟର୍ କରିବା ପରେ ତାହା ଠାରୁ ବାହାର ରାଜ୍ୟର ବିଶେଷ କରି ବିହାରର ଅପରାଧୀମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ମିଳିଛି । ଗତମାସ ୧୭ ତାରିଖରେ ମଧ୍ୟ ପ୍ରଦେଶର ଜଣେ ପେଶାଦାର୍ ଆପାର୍ଟ୍ମେଣ୍ଟ୍ ଲୁଟେରାକୁ ପୁଲିସ୍ ଗୁଳି କରି ଆହତ କରିବା ପରେ ତାକୁ ଧରିବାରେ ସକ୍ଷମ ହୋଇଥିଲା । ଗତ ରବିବାର ବିହାରର ଏକ କୁଖ୍ୟାତ ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ସହିତ କମିଶନ୍ରେଟ୍ ପୁଲିସ୍ର ଗୁଳି ବିନିମୟ ହୋଇଥିଲା । ଏଥିରେ ବିହାରର ନୱାଡ଼ା ଜିଲ୍ଲାର ଜଣେ ଅପରାଧୀ ଘାଇଲା ହୋଇଛି । ଏହି ଗ୍ୟାଙ୍ଗ୍ର ଅନ୍ୟ ଦୁଇ ଜଣଙ୍କୁ କାବୁ କରି ପୁଲିସ୍ ଧରିଛି । ପୁଲିସ୍ ସେମାନଙ୍କ ଠାରୁ ଦେଶୀ ସେମି ଅଟୋମେଟିକ୍ ପିସ୍ତଲ, ଗୁଳି, ଖୋକା, ଦାମୀ କାର୍, ନଗଦ ଟଙ୍କା, ମୋବାଇଲ୍ ଫୋନ୍, ବାରଟି ଏଟିଏମ୍ କାର୍ଡ୍, ଛୁରୀ ଆଦି ଜବତ୍ କରିଛି । ଗୋଟିଏ ମାସ ମଧ୍ୟରେ ଭୁବନେଶ୍ୱର କମିଶନ୍ରେଟ୍ ପୁଲିସ୍ ରାଜ୍ୟ ବାହାରର ଅପରାଧୀଙ୍କୁ ଦୁଇଥର ଏନ୍କାଉଣ୍ଟର କରି ସତର୍କ କରାଇ ଦେଇଛି ଯେ ସୁଧୁରି ଯାଅ, ନହେଲେ ଗୁଳି ଖାଅ । 
ସମ୍ଭବତଃ ଏପରି ଏକ କାର୍ଯ୍ୟାନୁଷ୍ଠାନ ଓଡ଼ିଶା ପୁଲିସ୍ ତଥା କମିଶନ୍ରେଟ୍ ପୁଲିସ୍ ବହୁ ଆଗରୁ ନେବାର ଥିଲା । ବର୍ତ୍ତମାନ ଅପରାଧୀମାନେ କୌଣସି ପ୍ରକାରର ଏକ ଅପରାଧ କରିବା ପୂର୍ବରୁ ନିଶ୍ଚୟ ଅନେକ ଥର ଚିନ୍ତା କରିବେ । କାରଣ ଘଟଣାସ୍ଥଳରେ ଧରା ନପଡ଼ିଲେ ମଧ୍ୟ ଅନ୍ୟ ଯେଉଁଠି ବି ଧରା ପଡ଼ିବେ ଜୀବନ ଯିବାର ସମ୍ଭାବନା ଅଛି । ବର୍ତ୍ତମାନ ଏଟିଏମ୍ ଗୁଡ଼ିକ ଉପରେ ପୁଲିସ୍ର ନଜର ରହିଛି ଏବଂ ବିଳମ୍ବିତ ରାତ୍ରୀରେ ଏଟିଏମ୍ରୁ ଟଙ୍କା ଲୁଟି ନେବା ଘଟଣାକୁ ଗୁରୁତର ସହ ନେଇଛି । ଭୁବନେଶ୍ୱରରେ ନାଗରିକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବହୁତ କମ୍ ରହୁଥିବାରୁ ଏବଂ ପଡ଼ୋଶୀମାନଙ୍କ ସହ ଚିହ୍ନା  ପରିଚୟ ହେଉନଥିବାରୁ ରାଜ୍ୟ ବାହାରର ଅପରାଧୀ ତଥା ରାଜ୍ୟର ଅପରାଧୀମାନେ ଏଠାରେ ବିଭିନ୍ନ ପ୍ରକାରର ଅପରାଧ, ଏଟିଏମ୍ ତାଡ଼ିବା, ଆପାର୍ଟମେଣ୍ଟ୍ରୁ ଚୋରି କରିବା, ବିଭିନ୍ନ ଲୋକଙ୍କ ଘରେ ପଶି ସିନ୍ଧି ଚୋରି କରିବା ଆଦି କ୍ଷେତ୍ରରେ ସଫଳ ହୋଇ ବାହାରକୁ ଚାଲି ଯାଉଛନ୍ତି । ସେମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ କେହି ଲୋକ ମିଳୁନାହାନ୍ତି । କେବଳ ସିସିଟିଭି ଫୁଟେଜ୍ ଆଧାରରେ ଏବଂ ରାତିରେ ପୁଲିସ୍ ପଇଁତରାକୁ କଡ଼ାକଡ଼ି କରାଯାଉଥିବାରୁ କିଛି ଅପରାଧୀ ଧରା ପଡ଼ିଛନ୍ତି । ଧରା ପଡ଼ିଥିବା ଅପରାଧୀମାନଙ୍କ ଠାରୁ ଜବତ୍ ହେଉଥିବା ଅସ୍ତ୍ରଶସ୍ତ୍ର ସୂଚାଇ ଦେଉଛି ଯେ ଅପରାଧୀମାନେ ସମସ୍ତେ ଚୋରା ଆଗ୍ନେୟାସ୍ତ୍ର ବ୍ୟବହାର କରୁଛନ୍ତି । ଲୋକମାନଙ୍କୁ ଭୟଭୀତ କରୁଥିବା ବେଳେ ପୁଲିସ୍ ଉପରକୁ ମଧ୍ୟ ଗୁଳି ଚଳାଇବାକୁ ପଛାଉନାହାନ୍ତି । ପୁଲିସ୍ ଟାର୍ଗେଟ୍ରେ ରାଜ୍ୟ ବାହାରର ଅପରାଧୀ ଥିବାରୁ ଏବଂ ଦୁଇଟି ଏନ୍କାଉଣ୍ଟର ଘଟଣା ଘଟିଯାଇଥିବାରୁ ଏଣିକି ଅପରାଧୀମାନେ ଭୁବନେଶ୍ୱରରେ କିମ୍ବା ରାଜ୍ୟର କୌଣସି ସ୍ଥାନରେ ଅପରାଧ ଘଟାଇବାକୁ ଆଉ ଏତେ ସହଜ ବୋଲି ଭାବିବେ ନାହିଁ ।