ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଆବଶ୍ୟକତା

ନାରାୟଣ ଚନ୍ଦ୍ର ବିଶ୍ୱାଳ : କେନ୍ଦ୍ର ସରକାର କେତେକ ଜୀବନରକ୍ଷାକାରୀ ଔଷଧର ମୂଲ୍ୟ ବୃଦ୍ଧି କରିଛନ୍ତି । ସେସବୁ ମଧ୍ୟରେ ରହିଛି ଶ୍ୱାସ (ଆଜମା), ଯକ୍ଷ୍ମା, ଥାଲାସେମିଆ, ଗ୍ଲୁକୋମା, ମାନସିକ ଅବସାଦ ଆଦି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଆଠଟି ଔଷଧ । କଞ୍ଚାମାଲ ଦାମ ବୃଦ୍ଧି ଯୋଗୁଁ ଏହିସବୁ ଔଷଧର ମୂଲ୍ୟ ବୃଦ୍ଧି କରିବାକୁ ପଡ଼ିଲା ବୋଲି ସରକାରୀ ଭାବେ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ ଯେଉଁସବୁ ଔଷଧର ମୂଲ୍ୟ ବୃଦ୍ଧି ପାଇଛି ତାହାର ବଜାର ଦର ଅତି କମ ରହୁଥିବାରୁ ଦର ବୃଦ୍ଧି ପାଇଲେ ମଧ୍ୟ ଲୋକଙ୍କ ପକେଟକୁ ବିଶେଷ ବାଧିବ ନାହିଁ । ଅପରପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ୱର ମୋଟ ଯକ୍ଷ୍ମା ସଂକ୍ରମିତଙ୍କ ମଧ୍ୟରୁ ୨୬% ଭାରତରେ ଅଛନ୍ତି ଏବଂ ଯକ୍ଷ୍ମାଜନିତ ସଂକ୍ରମଣ ଓ ମୃତୁ୍ୟର ଭୟାବହତା କୋଭିଡ ୧୯ ଠାରୁ ମଧ୍ୟ ଅଧିକ । ଏଭଳି ପରିସ୍ଥିତିରେ କଞ୍ଚାମାଲ ଦର ବୃଦ୍ଧି ଆଳରେ ଜୀବନରକ୍ଷାକାରୀ ଔଷଧର ମୂଲ୍ୟ ବୃଦ୍ଧି କରିବା କେତେ ଯୁକ୍ତିଯୁକ୍ତ ତାହା ବିଚାରସାପେକ୍ଷ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ଔଷଧ କିଣା ଖର୍ଚ୍ଚ ଆସୁନଥିବାରୁ ଗରିବ ଲୋକେ ହନ୍ତସନ୍ତ ହେଉଛି ଏବଂ ଦର ବୃଦ୍ଧି ପଛରେ ବ୍ୟବସାୟୀ ପ୍ରଭାବ କାମ କରୁଛି ବୋଲି କେତେକ ମହଲରୁ ଅଭିଯୋଗ ଆସିଛି । ଆହୁରି ବିଡ଼ମ୍ବନା ହେଉଛି ବଜାରରେ ଜରୁରୀ ଔଷଧର ଦରଦାମ ନିୟନ୍ତ୍ରଣ ପାଇଁ ଗଠିତ ଜାତୀୟ ଔଷଧ ଦର କର୍ତ୍ତୃପକ୍ଷ ହିଁ ଏହିସବୁ ଔଷଧର ୫୦% ପର୍ଯ୍ୟନ୍ତ ଦରବୃଦ୍ଧିକୁ ସୁପାରିସ କରିଛି । ଏହି ଘଟଣା ପ୍ରଥମ ନୁହେଁ । ଏନପିପିଏ ଦ୍ୱାରା ୨୦୧୯ରେ ୧୨ଟି ଏବଂ ୨୦୨୧ରେ ଆଉ ତିନୋଟି ଜୀବନରକ୍ଷାକାରୀ ଔଷଧର ୫୦% ଯାଏ ମୂଲ୍ୟ ବୃଦ୍ଧି ଅନୁମୋଦିତ ହୋଇଥିଲା ।
ନାଗରିକମାନଙ୍କୁ ନିରୋଗ ଓ ସୁସ୍ଥ ସବଳ ରଖିବା ଜନମଙ୍ଗଳ ରାଷ୍ଟ୍ରର ପ୍ରଥମ କର୍ତ୍ତବ୍ୟ ଏବଂ ସାମ୍ବିଧାନିକ ଦାୟିତ୍ୱ । ଏଥିପାଇଁ କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ବିବିଧ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି । ସମସ୍ତଙ୍କୁ ମୌଳିକ ତଥା ସୁଲଭ ମୂଲ୍ୟର ଚିକିତ୍ସା ସେବା ଯୋଗାଇ ସୁସ୍ଥ ଭାରତର ସହସ୍ରାଦ୍ଦୀ ଲକ୍ଷ୍ୟ ପୂରଣ ଦିଗରେ ଭାରତ ଅଗ୍ରସର ହେଉଥିବା କେନ୍ଦ୍ର ସରକାର କହୁଥିବା ପୃଷ୍ଠଭୂମିରେ ଜୀବନରକ୍ଷାକାରୀ ଔଷଧକୁ ସମ୍ପୂର୍ଣ୍ଣ ସୁଲଭ କରିବା ପରିବର୍ତ୍ତେ ଦର ବୃଦ୍ଧି କରିବା ଅସମାଚୀନ ନୁହେଁ କି? ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ଭାରତରେ ଉଭୟ ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗ ବଢ଼ୁଛି । ଯେଉଁମାନେ ଏସବୁ ରୋଗର ଚିକିତ୍ସା ପାଇଁ ସରକାରୀ ସୁବିଧା ସୁଯୋଗ ପାଉନାହାଁନ୍ତି, ସେମାନଙ୍କ ସଂଖ୍ୟା ବହୁ ଅଧିକ । କର୍କଟ, ଯକ୍ଷ୍ମା, ଶ୍ୱାସ, ହୃଦରୋଗ, ମଦୁମେହ, ଉଚ୍ଚରକ୍ତଚାପ ଆଦି ସେଥିମଧ୍ୟରୁ ଅନ୍ୟତମ । ଏଥିପାଇଁ ରୋଗୀ ଓ ସେମାନଙ୍କ ପରିବାରକୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ । ପରୀକ୍ଷା ନିରୀକ୍ଷା ବାବଦ ଖର୍ଚ୍ଚ ମଧ୍ୟ ରୋଗୀର ପକେଟ ସୀମାର ବହୁ ଉଦ୍ଧ୍ୱର୍ରେ । ସରକାରୀ ବୀମା ସୁବିଧା ପାଉନଥିବା ଜନସଂଖ୍ୟାର ଏକ ବିଶାଳ ବର୍ଗ ପାଇଁ ସ୍ୱାସ୍ଥ୍ୟ ସେବା ବା ଚିକିତ୍ସା ଏକ ବିରାଟ ବୋଝ । ଯେଉଁମାନେ ନିଜସ୍ୱ ସମ୍ବଳ ଓ ଖର୍ଚ୍ଚରେ ସ୍ୱାସ୍ଥ୍ୟ ଓ ଜୀବନ ବୀମା କରୁଛନ୍ତି ସେମାନଙ୍କ ଉପରେ ହାସ୍ୟାସ୍ପଦ ଭାବେ ଜିଏସଟି କଷି ଦିଆଯାଉଛି । ବସ୍ତୁତଃ ଭାରତରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା ସରକାରଙ୍କ ମୌଳିକ କର୍ତ୍ତବ୍ୟରୁ ବହୁ ଊଦ୍ଧ୍ୱର୍କୁ ଉଠି ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇସାରିଛି ।
ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଟିଳ ଓ ଦୁରାରୋଗ୍ୟ ବ୍ୟାଧିର ଉପଚାର ପାଇଁ ବ୍ୟବହୃତ ଔଷଧର ଏକ ଜାତୀୟ ତାଲିକା ପ୍ରସ୍ତୁତ କରାଯାଏ । ସେଥିରେ ଅତ୍ୟାବଶ୍ୟକ ଓ ଜୀବନ ରକ୍ଷାକାରୀ ଔଷଧ ଗୁଡ଼ିକୁ ତାଲିକାଭୁକ୍ତ କରି ତାହାର ମୂଲ୍ୟ କମ ରଖିବା ପାଇଁ ଏକାଧିକ ନିୟାମକ ସଂସ୍ଥା ଗଠିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କାର୍ଯ୍ୟକାରୀ ହେଉଛି । ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା ପରେ ଔଷଧର ପ୍ରଚଳନ ଓ ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ । କିନ୍ତୁ ସରକାରୀ ବାବୁମାନେ ଯେଉଁ ସ୍ତରରେ ବସି ଆଲୋଚନା କରନ୍ତି ତାହାଠାରୁ ଢ଼େର ଦୂରରେ ଥାଏ ବାସ୍ତବତା । ଏହାକୁ ହୃଦୟଙ୍ଗମ ନକରିବା ପର୍ଯ୍ୟନ୍ତ ବା ବାବୁମାନେ ତୃଣମୂଳସ୍ତର ସହିତ ଜଡ଼ିତ ନହେବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଓ ଔଷଧ ଚିକିତ୍ସା ଖର୍ଚ୍ଚ ସମାବେଶୀ ହୋଇପାରିବ ନାହିଁ ।
ଆମ ଚିକିତ୍ସା ବ୍ୟବସ୍ଥା ଏପରି ଯେ ଗୋଟିଏ ବର୍ଗ ସବୁଠାରୁ ଉତ୍ତମ ଚିକିତ୍ସା ପାଉଥିବାବେଳେ ଆଉ ଏକ ବୃହତ୍ ବର୍ଗ ଏଥିରୁ ବଞ୍ଚôତ ହେଉଛନ୍ତି । ପୁଣି ଯେଉଁ ଔଷଧ ସର୍ବାଧିକ ବ୍ୟବହୃତ ତାହା ହିଁ ନକଲି ଓ ଭେଜାଲ ମାନସିକତାର ଶିକାର ହୁଏ । ଗରିବ ଲୋକମାନେ ସର୍ବାଧିକ ଆକ୍ରାନ୍ତ ହେଉଥିବା ଏଭଳି ଅନେକ ଔଷଧ ଓ ଇଞ୍ଜେକସନ ବିଦେଶରୁ ଆମଦାନି କରିବାକୁ ପଡ଼ୁଛି, ଯାହାର ବଜାର ମୂଲ୍ୟ ଖୁବ ଉଚ୍ଚ । ଜନଔଷଧ ଦୋକାନ ଏ କ୍ଷେତ୍ରରେ ଅସହାୟ ହୋଇପଡ଼ୁଥିବାରୁ ଗରିବ ଲୋକମାନେ ସବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଚିକିତ୍ସକମାନେ ମଧ୍ୟ ସଦ୍ୟତମ ଓ ଅଧିକ ପ୍ରଭାବଶାଳୀ ଚିକିତ୍ସା ଆଳରେ ଔଷଧ ନିର୍ମାତାଙ୍କୁ ସୁହାଇବା ପରି ଔଷଧ ବ୍ୟବହାର କରିବାକୁ ରୋଗୀଙ୍କୁ ପରାମର୍ଶ ଦିଅନ୍ତି, ଯାହା ଜନଔଷଧ ଦୋକାନରେ ତକ୍ରାଳ ଉପଲବ୍ଧ ହୁଏ ନାହିଁ କି ନିରାମୟ ବ୍ୟବସ୍ଥାରେ ମଧ୍ୟ ମିଳେ ନାହିଁ । ଜେନେରିକ ଔଷଧ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ମଧ୍ୟ ଏହାର ଗୁଣାତ୍ମକ ମାନକୁ ନେଇ ସନେ୍ଦହ ଓ ଅଭିଯୋଗ ଆସୁଛି । ତେଣୁ ରୋଗୀଟିଏ ସିଧାସଳଖ ମହଙ୍ଗା ଔଷଧ ଦ୍ୱାରା ତଳିତଳାନ୍ତ ହେବାକୁ ବାଧ୍ୟ ହେଉଛି । ଭାରତ ସ୍ୱାଧୀନତାର ୭୭ ବର୍ଷ ଅତିକ୍ରାନ୍ତ କରିସାରିଥିଲେ ମଧ୍ୟ ଏଯାବତ୍ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସମାଜର ସବୁ ସ୍ତରକୁ ଛଇଁପାରି ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ଜନହିତୈଷୀ ପଦକ୍ଷେପ ନେବା ଏବଂ ବଜେଟ ବ୍ୟୟବରାଦ ବୃଦ୍ଧି କରିବା ଆଜିର ଆବଶ୍ୟକତା ଓ ପ୍ରମୁଖ ଆହ୍ୱାନ । ସୁସ୍ଥ ଭାରତ, ସୁନ୍ଦର ଭାରତ ଓ ସୁରକ୍ଷିତ ଭାରତ ପରିକଳ୍ପନାକୁ ସାକାର କରିବାକୁ ହେଲେ ଚିକିତ୍ସା ଓ ଔଷଧ ମୂଲ୍ୟ ଗରିବଙ୍କ ପକେଟକୁ ସୁହାଇବା ଭଳି ହେବା ଉଚିତ । ଏହା ସହିତ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମ ଉପରେ ଲାଗୁ ଜିଏସଟିକୁ ପ୍ରତ୍ୟାହାର କରିବା ଆବଶ୍ୟକ । ଖୋଦ ସରକାରଙ୍କ ମନ୍ତ୍ରିମଣ୍ଡଳର କେତେଜଣ ସଦସ୍ୟ ଏ ସମ୍ପର୍କରେ ମତ ଦେଇଛନ୍ତି । ଏକ ଦେଶ ଏକ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଥିବା ସରକାର ଏକ ଦେଶ ଏକ ସ୍ୱାସ୍ଥ୍ୟ ସେବା ଦିଗରେ ବ୍ରତୀ ହେଲେ ସହସ୍ରାଦ୍ଦୀ ଲକ୍ଷ୍ୟ ପୂରଣ ହୋଇପାରିବ ।