ଅଜଣା ଜଗତର ଡାକ (୨୯)


ଶୋଭନା ସମୁଦ୍ରକୂଳକୁ ଅନାଇଲେ । ଠିକ ତାଙ୍କ ବାଡା ଧାରରୁ କିଛି ଫୁଟ ତଳେ କୂଳ ଥିଲା । ସେଇଠି ବିଭିନ୍ନ ଆକାରର ପଥର ପଡିଛି । ସେ ଭିତରେ ବହୁ କୋରାଲର ଭଙ୍ଗା ଖଣ୍ଡ ମଧ୍ୟ ପଡିଥିଲା । ଛୋଟ ବଡ ସବୁ ଆକାରର କିଛି ଗେଣ୍ଡା ( ହର୍ମିଟ କ୍ରାବ ଜାତୀୟ ଛୋଟ କଙ୍କଡା ବା ଗେଣ୍ଡା କୁହାଯାଇପାରେ) ଏକ ଜାଗାରେ ଏକାଠି ହୋଇଯାଇଥିଲେ । ଛୋଟମାନେ ତ ବଡଙ୍କ ଉପରେ ଚଢିଯାଉଥିଲେ । କିଛି ତଳକୁ ଖସି ପଡୁଥିଲେ, ପୁଣି ଚାଲି ସେହି ଯାଗାକୁ ପହଞ୍ଚôବାକୁ ଚେଷ୍ଟା ଚଲେଇଥିଲେ । କେଉଁ ବି ଜୀବ ହେଉ, ଏମିତି କି ମଣିଷ ବି ହେଉ, ସବୁଠି ଛୋଟମାନେ ମୁଣ୍ଡ ଗଳାଇ ଆଗ କିଛି ଦେଖିବାକୁ ବ୍ୟସ୍ତ ହୁଅନ୍ତି । ସେଇଟା ଏଇ ଗେଣ୍ଡାମାନଙ୍କ କ୍ଷେତ୍ରରେ ମଧ୍ୟ ହେଉଥିଲା । ସେମାନଙ୍କର ପାଉଁଶିଆ ସବୁଜିଆ ମୋଟ ଖୋଳପା ମୁଣ୍ଡକୁ ମୁଣ୍ଡ ଲଗାଇ କିଛି ଖୋଜୁଥିଲା । ଲାଲ କଳା ଗୋଡମାନ ହଲହଲ ହେଉଥିଲା । ଜାଗାଟା ପାଣି ନପହଁଞ୍ଚôବାର ଧାରରୁ କିଛି ଫୁଟ ଦୂରରେ, ଏକଦମ କୂଳରେ । ପାଣି ଆସିଲେ ଏମାନେ ଗୋଡକୁ ନିଜ ଖୋଳପାରେ ପୁରାଇଦେଇ ଚୁପ ହୋଇ ପଡିରହିବେ ଆଉ ପାଣି ସେମାନଙ୍କୁ କିଛି ଦୂର ଠେଲିଦେବ । ତା’ପରେ ପାଣି ଛାଡିଲା ପରେ ପୁଣି ଜୀବନର ଲୀଳାଖେଳା ଆରମ୍ଭ ହୋଇଯିବ । 
ଏମିତି ସେମାନେ ବହୁସମୟ ଉପରେ ବସି ତଳେ ଗେଣ୍ଡାଙ୍କର(ହର୍ମିଟ କ୍ରାବ) ଲୀଳାଖେଳା ବାଲକୋନୀରୁ ଦେଖିବା ଭଳି ଦେଖିଲେ । ହେଉ ପଛେ କିଛି ବି ପ୍ରାଣୀ । କିନ୍ତୁ ସେମାନଙ୍କର ଗତି, ସେମାନଙ୍କର ରୂପ ଭଲକରି ମନଦେଇ ଦେଖିଲେ ମନକୁ ଆଉ କେଉଁ ଚିନ୍ତା ଆସିବନି । ଏ ଭିତରେ ଜୁଆର କମି ଯାଉଥିଲା ଆଉ ସମୁଦ୍ରକୂଳ କିଛି କିଛି ଖାଲି ହୋଇଯାଉଥିଲା । ପାଣି ବାଦେ ପଥର ଆଉ ବାଲି ଉପରକୁ ସ୍ପଷ୍ଟ ଉଠିଆସିଲା । ଶୋଭନା ସମୁଦ୍ରକୂଳରେ ଟିକେ ବୁଲିବାକୁ ଚାହିଁଲେ । ବାଲି ଅଂଶ ବେଶି ନଥିଲା । ତା’ପରେ ଏକ ବଡ ପଥର । ସେହି ପଥରକୁ କିଏ ସାଉଁଳି ସାଉଁଳି ବେଶ ପାଲିସ କରିଦେଲା ପରି ଲାଗୁଥିଲା । ଶୋଭନାଙ୍କୁ ଲାଗିଲା ସେ ଟିକେ ସେତିକି ଦୂର ଚାଲିଯାଆନ୍ତେ ଆଉ ପଥରକୁ ସାଉଁଳାନ୍ତେ । ତାଙ୍କ ପାଖେ ଏକ ଛୋଟ କପଡା ଥିଲା । ତା’କୁ ସେ ବାପଘରୁ ଧରି ନିଜ ଯୈ÷ାତୁକରେ ଆଣିଲା ପରି ଆଣିଥିଲେ । ତା’କୁ ସେ ସ୍ନେହରେ ସାଉଁଳାନ୍ତି ଆଉ ସେହି କପଡାକୁ ଧରିଲେ ତାଙ୍କୁ ଆପେ ନିଦ ମାଡିଆସେ । ସେ ସେହି ପଥର ପାଖକୁ ଚାଲିଚାଲି ଗଲେ । ପଥରଟା ତାଙ୍କ ଭାବିବା ହିସାବରୁ ବେଶ ବଡ ଥିଲା । ଏକଦମ ଧାରଟା ଯାହା ଦୂରରୁ ଛୋଟ ଲାଗୁଥିଲା ତାହା ତ ତାଙ୍କ ଆକାର ଠାରୁ ବଡ, ପ୍ରାୟ ଏକ କାନ୍ଥ ଭଳି ଥିଲା । ତଳେ କିଛି ପାଣି । ସେ ପାଣିରେ ଠିଆହୋଇ ସେହି ପଥରକୁ ଟିକେ ସାଉଁଳେଇଲେ ।  ଏ ଭିତରେ ପାଣି ଆହୁରି ଖସିଗଲା । ଶୋଭନା ପାଣି ବାଦେ ଦେଖାଯାଉଥିବା ପଥରଗୁଡିକ ଉପରେ ଧୀରେ ଚାଲିବାକୁ ଲାଗିଲେ । ଶିଉଳି ହେତୁ ଖସିଯିବାର ଭୟ ବି ଥିଲା । କିନ୍ତୁ ସେ ପାଦ ଚିପିଚିପି ଚାଲୁଥିଲେ । ତାଙ୍କୁ ବଳାଏ ପାଣି କେଉଁଠି କେଉଁଠି ହେଉଥିଲା । ଏତେ ବଡ ବଡ ଲହଡି କରି ଡରାଉଥିବା ସମୁଦ୍ର ଆଶ୍ଚର୍ଯ୍ୟଭାବେ ପାଣିକୁ ଧରି ଅନେକ ଦୂରକୁ ହଟିଯାଇଥିଲା । ସେ ବୁଲି ଅନାଇଲେ । କିଛି ଦୂରରେ ଅସୀମ ଠିଆହୋଇ ତାଙ୍କୁ ଅନାଉଛନ୍ତି । ଅସୀମଙ୍କ ଡାହାଣକୁ ସମୁଦ୍ରକୂଳରେ କେଓଡା ଆଉ ଅନ୍ୟ ହରିତ ଗଛର ଜଙ୍ଗଲ ଥିଲା । ସେହି ଗଛଗୁଡାକର ଅଗ ବେଶ ସବୁଜ ଆଉ ମଝିରେ ମଝିରେ ଗଣ୍ଡି ଆଉ ଡାଳମାନ ମୋଟା ମୋଟା ପାଉଁଶିଆ ସ୍କେଚ ପରି ଲାଗୁଥିଲା ।  ସେ ଜଙ୍ଗଲକୁ ଏକ ସପ୍ରଶଂସ ଦୃଷ୍ଟିରେ ଦେଖିବାକୁ ଲାଗିଲେ । ତା’ପରେ ସବୁ ଚିତ୍ର ତାଙ୍କୁ ଅପୂର୍ବ ଲାଗିଲା । ତଳେ ଧଳାବାଲି । ଆଉ କିଛି କାଳିଚିଆ ପଥର ଚଟାଣ । ତା’ପରେ ଗଭୀର ସମୁଦ୍ରର ନୀଳ ପାଣି ଥିଲା । ଅସୀମଙ୍କ ବହୁତ ପଛରେ ଉଦୟରାଜ ତିଆରି ହଟ୍ ପଥୁରିଆ ଚଟାଣ ଉପରେ ଦିଶୁଥିଲା । ହଟ୍ର ଉପର ଏକ ଗୋଲିଆ ଟୋପି ପରି ଲାଗୁଥିଲା ଆଉ ବସିବା ଜାଗା ଏକ ବଡ ବାରଣ୍ଡା ପରି ବାହାରକୁ ଲମ୍ବି ଆସିଥିଲା । ଅସୀମଙ୍କ ବାମପଟେ, ଦିଗବଳୟରେ ପାଣିର କିଛି ଉପରେ ସୂର୍ଯ୍ୟ ଦେଖାଯାଉଥିଲା । ଗୋଲ ସୂର୍ଯ୍ୟ ଆଉ କିଛି ସମୟପରେ ତଳକୁ ବୁଡିଯିବ । ସେ ନିଜ ଭିତରେ ଏକ ଏକ ଫ୍ରେମିଂ କରୁଥିଲେ । ଟିକିଏ ମୁଣ୍ଡ ବୁଲାଇଲେ ଆଉ ଏକ ଅପୂର୍ବ ଫ୍ରେମିଂ ବାହାରି ଆସୁଥିଲା । ତାଙ୍କୁ ତାଙ୍କ ଦେଖା ଚିତ୍ରମାନ କେଉଁବି ବିଖ୍ୟାତ ଚିତ୍ରକରର ଅତୁଳନୀୟ ପେଣ୍ଟିଙ୍ଗ ଭଳି ଲାଗୁଥିଲା । ତାଙ୍କୁ ଇଚ୍ଛା ହେଉଥିଲା ଯେ ସେ ସେହି ପେଣ୍ଟିଙ୍ଗକୁ ନିଜ ଭିତରେ ଚିରଦିନ ପାଇଁ ଟାଙ୍ଗିଦେବେ । ସେ ନିଜକୁ ନିଜେ କହିବେ-”ଅସୀମଙ୍କ ସହ ଏ ଚିତ୍ର କେବେ ମଳିନ ନପଡୁ ।” 
ତାପରେ ସେ ଭାବିଲେ ମଣିଷ କ’ଣ ଏକ ଏକ ଚିତ୍ରକୁ ସବୁବେଳେ ସାଇତି ଦିଏନି କି? ସବୁ ମଣିଷର ମନ ଏକ ବଡ ଡ୍ରଇଂରୁମ । ସେଇଠି କେତେ ସୁନ୍ଦର ଚଉକିମାନ ପଡିଛି, ଟେବୁଲମାନ ପଡିଛି, ଘର ଭିତରର ଗଛମାନ ଯତ୍ନରେ ସଜାଇ ରଖାଯାଇଛି । କେତେ ଚିତ୍ର ଅତି ଯତ୍ନରେ କାନ୍ଥରେ ଟଙ୍ଗାଇ ଦିଆଯାଇଛି, ଟେବୁଲ ଉପରେ ସଜାଇ ଦିଆଯାଇଛି । ପ୍ରତି ଚିତ୍ରର ଫ୍ରେମ ଅତୁଳନୀୟ । କେହି ଏମିତିଆ ଫ୍ରେମ କେବେ କରିପାରିବନି । ମନେପକାଇଲା ବେଳେ ସେଇ ଚିତ୍ରରୁ ଲାଗିଥିବା ସବୁ ଧୂଳିମଳି ଝାଡି ହୋଇଯାଉଛି । ସମୟ ଗଡିଗଲେ ସେଥିରେ ଧୂଳିର ପରସ୍ତ ପଡିଯାଏ । ପୁଣି ଦିନେ ମନେପଡେ ଆରେ ଚିତ୍ରଗୁଡାକୁ ସଫା କରିବା ଦରକାର । ମନଆଗରେ ଚିତ୍ରମାନ ପୁଣି ଆସିଯାଆନ୍ତି । ମଣିଷ ନିଜ ହାତରେ ଏକ ଅତି ନରମ କପଡାରେ ପ୍ରତି ଚିତ୍ରକୁ ସାଉଁଳୁଥାଏ । ଭାବୁଥାଏ, ଏ ଚିତ୍ର କେବେ ମଇଳା ନହେଉ, କେବେ ଟିକେ ମଳିନ ନପଡୁ । ସବୁବେଳେ ଲାଗୁଥାଉ ଅପୂର୍ବ, ଅତୁଳନୀୟ । ନିଜ ମନ ତିଆରି ଚିତ୍ର ବିଶ୍ୱର ସବୁଠାରୁ ପ୍ରଖ୍ୟାତ ଚିତ୍ରକରର ଚିତ୍ରକଳାଠାରୁ ଶତଗୁଣ ଶ୍ରେଷ୍ଠ । ଶୋଭନା ଟିକେ ହସିଦେଲେ । 
ଶୋଭନା ତା’ପରେ ପାଖ ପଥରକୁ ଚାହିଁଲେ । ପଥର ଦେହରେ କେତେ ରେଖା, କେତେ ଅଦ୍ଭୁତ ଜ୍ୟାମିତିକ ପ୍ୟାଟର୍ଣ ଥିଲା । ଏ ପ୍ରାକୃତିକ ବସ୍ତୁମାନଙ୍କରେ ନିଜକୁ ନିଜେ ଏତେ ଜ୍ୟାମିତିକ ରେଖାମାନ କେମିତି ତିଆରି ହୋଇଯାଏ? କିଛି ଯନ୍ତ୍ର ନାହିଁ, କିନ୍ତୁି କି କି ସୁନ୍ଦର ରେଖାମାନ ତିଆରି ହୋଇଯାଇଛି, ଭିନ୍ନ ଭିନ୍ନ କୋଣରୁ ପଥର କିଛି ଅଂଶରେ କ୍ଷୟ ହୋଇଯାଇଥିଲା, କ୍ରମାଗତ ପାଣି ଆଘାତରେ ବେଶ ଚିକଣିଆ ଦିଶୁଥିଲା । ଉପରଆଡକୁ କିଛି ଛୋଟ ଗଛ ପଥର ଉପରକୁ ମାଡି ଆସିଥିଲା । ପଥର ଉପରେ ଲମ୍ବା ଗୋଡଥିବା ଅତି ପତଳା କଙ୍କଡାମାନେ ( ଘୋଷ୍ଟ କ୍ରାବ) ଚାଲୁଥିଲେ । ସେମାନଙ୍କର ଦେହ ପଥରର ରଙ୍ଗ ସହ ପ୍ରାୟ ମିଶିଯାଉଥିଲା । ସବୁଠି ଜୀବନ ଅଛି । ଜୀବନର ରଙ୍ଗ ଖୋଜିନେଲେ ମନ ଆପେ ଆହ୍ଲାଦିତ ହୋଇଯାଏ । ଜୀବନରେ ଏକ ଏକ ହାଲୁକା ରଙ୍ଗର ଛୋଟ ଶେଡ । ଆଜିକାଲି ବେପାର ଦୁନିଆରେ ରଙ୍ଗ କମ୍ପାନୀମାନେ ନିଜ ରଙ୍ଗରେ ସାମାନ୍ୟ ଶେଡ ବା ଛୋଟ ମିଶ୍ରଣ ଆଣି ପ୍ରଚାର କରି ବିକିଚାଲିଛନ୍ତି । ଲୋକେ ସେତିକି ଦେଖି ଏକ ନୂଆ ଆବିଷ୍କୃତ ଜିନିଷ ତାଙ୍କ ଆଗକୁ ଆସିଗଲା ଭାବି ରୋମାଞ୍ଚôତ ହୋଇଯାଉଛନ୍ତି । 
ଏଠି ଏତେ ରଙ୍ଗର ଶେଡ, ତେଣୁ ରଙ୍ଗ କମ୍ପାନୀମାନେ ସେମାନଙ୍କ ବୈଜ୍ଞାନିକଙ୍କୁ ଏଠାକୁ ପଠାଇବା ଉଚିତ । ଶୋଭନା ଏମିତି ଦେଖିଦେଖି ଚାଲୁଥିଲେ ଆଉ ଦେଖୁଥିବା ଦୃଶ୍ୟକୁ ପ୍ରଶଂସା ମନେମନେ କରୁଥିଲେ । ଶୋଭନା ପାଖକୁ ଆସିଲାରୁ ପଥର ଉପରୁ ତାଙ୍କୁ ଲକ୍ଷ୍ୟ କରୁଥିବା କଙ୍କଡାଟିଏ ତଳକୁ ଓହ୍ଲାଇ ଲହଡି ପହଞ୍ଚୁଥିବା ପାଣି ଭିତରେ ଏକ କନ୍ଦିରେ ଛପିଗଲା । ଶୋଭନା ତାକୁ ଦେଖି ଭାବିଲେ ମଣିଷ ଯଦି ରଙ୍ଗ ଆଉ ଗତିକୁ ଖୋଜିଚାଲିବ ତେବେ ମନ ବସିଯାଇଥିବା ମନ୍ଦାଏ ପାଣି ଭଳି ସଢିଯିବନି, ସମୁଦ୍ରର ନୀଳପାଣିକୁ ଧରି ଲହଡି ତିଆରି କରୁଥିବ । କିଛି ଆଠଣି ପରି ଦେଖାଯାଉଥିବା ଆଉ ସାମାନ୍ୟ ଉଠିଆସିଥିବା ବାର୍ଣ୍ଣର୍ାକଲସ ଗେଣ୍ଡା ଜାତୀୟ ପ୍ରାଣୀ ତଳେ ପଥର ଦେହରେ ଚିପି ହୋଇରହିଥିଲେ । ସେମାନେ ଯେଉଁଠି ଚିପି ହୋଇରହିଥିଲେ, ସେମାନଙ୍କ ଚାରିପାଖେ ଏକ ଧଳା ବୃତ୍ତ ବୁଲିଯାଇଥିଲା । ପାଖରେ ଆଉ ଏକ ପ୍ରଜାତିର ଲମ୍ବା ଗୋଡଥିବା ଛାପିଛାପିକିଆ କଙ୍କଡାଟିଏ ପଥର କନ୍ଦିରେ ଛପିଥିଲା । କିଛି ଜାଗାରେ ଦୁଇଟା ପଥର ମଧ୍ୟରେ ଅଳ୍ପ ଫାଙ୍କଥିଲା । ସେ ଭିତରକୁ ପାଣି ଜୋରରେ ଯାଇ ବାଡେଇ ହୋଇ ଫେଣ ତିଆରି ହେଉଥିଲା । ସେମିତି ଓଦା ଆଉ ସାମାନ୍ୟ ଅନ୍ଧାରିଆ କଣରେ ଶିଉଳି ପଥର ଦେହରେ ଲାଗିରହିଥିଲା ।  (କ୍ରମଶଃ)
                                                        ଭୁବନେଶ୍ୱର