ଏ ପଥର କଥା କହେ
ମାୟାଧର ନାୟକ : ଏ ପଥର କଥା କହେ : ମୁଁ ପଥର । ମୋ ଉପରେ ମଣିଷ, ଜୀବଜନ୍ତୁମାନେ କେତେ ଯେ ଅତ୍ୟାଚାର କରିଛନ୍ତି, ଲା‚ନା-ଅବମାନନା-ଅଭିଶାପ ଦେଇଆସିଛନ୍ତି, ସବୁକିଛି ମୁଁ ସହି ଆସିଛି । ଇଂଚେ ମାଟି ସୃଷ୍ଟି କରିବା ପାଇଁ ପୃଥିବୀକୁ ହଜାର ହଜାର ବର୍ଷ ଲାଗିଛି । ଥରେ ମାତ୍ର ଭାବି ଦେଖ ତ ପଥରଖଣ୍ଡେ ସୃଷ୍ଟି ହେବା ପାଇଁ କେତେ ଲକ୍ଷ ବର୍ଷ ଲାଗିଥିବ । ସେଇ ପଥରର ଆତ୍ମା ଆଜି କାନ୍ଦୁଛି । ତା’ର ଭାଇବଂଧୁପରିଜନ ଆଇରନ୍ ଓର, କ୍ରୋମାଇଟ, କୋଇଲା, ନିକେଲ, ବକ୍ସାଇଟ୍, ମାଙ୍ଗାନିଜଠାରୁ ଆରମ୍ଭ କରି ସୁନା, ହୀରା, ମୋତିମାଣିକ ପର୍ଯ୍ୟନ୍ତ ନାନା ଜାତି-ପ୍ରଜାତିର ଛୋଟବଡ଼ ପଥର ଧୀରେଧୀରେ ପଳାଇ ଯାଉଛନ୍ତି କାହିଁ କୁଆଡ଼େ । ପ୍ରକୃତିର ଏହି ଅମୂଲ୍ୟ ରନôକୁ ନବ୍ୟସଭ୍ୟ ଶିକ୍ଷାପ୍ରାପ୍ତ ମୁହୂର୍ତ୍ତବାଦୀ ମଣିଷ ଲୁଣ୍ଠନ କରିଚାଲିଛି । ଏହି ଖଣିଜପଦାର୍ଥ ଅସରନ୍ତି ନୁହେଁ । ଦିନେ ଏହା ସରିଯିବ । ଯାନ୍ତ୍ରିକ ମଣିଷମାନେ ଏ ଧରିତ୍ରୀମାତାକୁ କେତେ ଦୁଃଖ ପହଂଚାଉଛନ୍ତି । କେତେ ବେଇମାନ ହେଲେ ଯାଇ ମଣିଷ ପ୍ରକୃତିକୁ ନଷ୍ଟ କରେ!
ମୁଁ ବି ମଣିଷ, ଜୀବଜନ୍ତୁ ଭଳି ସଂପର୍କ, ସୌହାର୍ଦ୍ଦ୍ୟ କଥା ବୁଝୁଥିଲି । ମାଟି, ବାଲିଗରଡ଼ା ସହିତ ବନ୍ଧୁତା ବାନ୍ଧିଥିଲି । ବାଲିଗରଡ଼ାକୁ ମନେପ୍ରାଣେ ମୋର ସାନସଂଗାତ ମଣୁଥିଲି । ମୋତେ ଛାଡ଼ି ସେ ବାଲିଗରଡ଼ା କୁଆଡ଼େ ପଳାଇଗଲା । ତା ସତା-ପତା ଖୋଜି ଖୋଜି ପାଉନି । ମୁଁ ମୋ ସାନସଂଗାତ ବାଲିଗରଡ଼ାକୁ ଖୋଜିଖୋଜି ପର୍ବତରୁ ଗଡ଼ିଗଡ଼ି ଆସିଲାବେଳେ ମୋ ଆକାରପ୍ରକାର ଭାଙ୍ଗିଚୂରି ଟୁକୁରା ଟୁକୁରା ହୋଇଗଲା; ଯାହା ମଂଜଟି ଥିଲା ସେ ଦେହକୁ ନେଇ ମୁଁ ରାସ୍ତା ଉପରେ ପଡ଼ିଗଲି । ରାସ୍ତାରେ କେତେ ଯେ ମାଡ଼ଗାଳି, ଗୋଇଠା ଖାଇଛି, ତା’ର ହିସାବ ନାହିଁ । ମୋ ହୀନିମାନିଆ କପାଳକୁ ନିନ୍ଦିବାକୁ ଲାଗିଲି । ମୋ ସାନସଂଗାତ ସିନା ମୋତେ ଛାଡ଼ି ଚାଲିଗଲା, ଏଣେ ରାସ୍ତାରେ ଖାଲି ମାଦଳ ଭଳି ଗଡ଼ିଲି ସିନା ହେଲେ କେହି ମୋତେ ପଚାରିଲେ ନାହିଁ । ଏଇ ଗଡ଼ାଗଡ଼ି ଭିତରେ ମୋ ଦେହରେ ଯେଉଁ ଖାଦ ଥିଲା, ମଳି ଥିଲା, ସବୁ ଛାଡ଼ି ଯାଇଥିଲା । କେବଳ ଧୂଳିମଳିରେ ଟିକେ କୋତରା ଦେଖାଯାଉଥିଲି । କେଉଁଠି ଥିଲା କେଜାଣି କଳାହାଣ୍ଡିଆ ମେଘଟା ବର୍ଷିଗଲା ଯେ ମୋ ଦେହ ପୂରା ସଫା ହୋଇଗଲା । ମୁଁ ଚିକ୍ ଚିକ୍ ଦେଖାଗଲି । ସେଇ ରାସ୍ତାରେ ଧଳା ଲୋକଟାଏ ଘୋଡ଼ାରେ ଚଢ଼ି ଯାଉଥିଲା ।
ତା’ ଚିଲା ଆଖି ମୋ ଚକ୍ଚକିଆ ମଂଜଦେହ ଉପରେ ଲାଖି ରହିଲା । ଘୋଡ଼ାରୁ ଓହ୍ଲାଇ ମୋତେ ଉଠାଇ ନେଇ ପୋଛାପୋଛି କରି ଅତି ଆଦରଯତ୍ନରେ ତା’ ବ୍ୟାଗ ଭିତରେ ପୂରାଇ ଘୋଡ଼ା ଛୁଟାଇ ଅନ୍ତର୍ଦ୍ଧାନ ହୋଇଗଲା । ମହାଗିରି ପର୍ବତର ପାଦଦେଶରେ ସେଇ ଧଳା ଲୋକଟି ଏବଂ ଆଉ ଚାରିପାଞ୍ଚଜଣ ତମ୍ବୁ ପକାଇ ରହୁଥିଲେ । ବ୍ୟାଗ ଭିତରୁ ମୋତେ ବାହାର କରି ତା’ ଟେବୁଲରେ ରଖିଲା । ସମସ୍ତେ ମୋତେ ନିରୀକ୍ଷଣ କରି ଓଲଟପାଲଟ କଲେ । ଯତ୍ନରେ ଆଣିଥିବା ଘୋଡ଼ାଚଢ଼ାଳି ଟେବୁଲ ଉପରେ ମୋତେ ଦୁଇ ତିନିଥର କଚଡ଼ାକଚଡ଼ି କଲା । ମୋର ଅବଶ୍ୟ ଆଉ ଧୂଳିମଳି ନ ଥିଲା । ମୁଁ ମଧ୍ୟ ବିଶେଷ କଷ୍ଟ ପାଇଲି ନାହିଁ । ମୋତେ ଟିକିଏ କୁତୁକୁତୁ ଲାଗୁଥାଏ । କିଛି ମଣିଷ ମୋତେ ଗୋଇଠା ମାରୁଥିଲେ- ଏମାନେ ମୋତେ ଯତ୍ନରେ ଆଣି ଟେବୁଲ ଉପରେ ଥୋଇ ଟିକେ ଗେହ୍ଲା କରୁଛନ୍ତି । ସେମାନଙ୍କ ଭିତରେ କ’ଣ ଟୁପୁର ଟାପୁରୁ ହେଲେ କେଜାଣି ମୋତେ ନେଇ କାଚପାତ୍ରରେ ବନ୍ଦୀ କଲେ । ଦୁଇ ଦିନ ପରେ ବିନା ପାସ୍ପୋର୍ଟରେ ବିମାନ ଯାତ୍ରା କରି ଇଂଲଣ୍ଡରେ ପହଂଚିଗଲି । ଇଂଲଣ୍ଡର ଏକ ବିରାଟ ଲାବୋରେଟୋରୀରେ ମୋତେ ରଖାଗଲା । ପ୍ରଥମେ ଇଂଲଣ୍ଡର ବୈଜ୍ଞାନିକ, ଇଞ୍ଜିନିୟର, ଭୂତତ୍ତ୍ୱବିତ୍ ପ୍ରମୁଖ ଆସି ପହଂଚି ଅଣୁବୀକ୍ଷଣ ଯନ୍ତ୍ରରେ ମୋତେ ପରୀକ୍ଷା ନିରୀକ୍ଷା କଲେ । ପ୍ରାୟ ପନ୍ଦର ଦିନ କାଳ ବିଭିନ୍ନ ଦେଶର ବିଶେଷଜ୍ଞମାନେ ଆସି ମୋତେ ଦେଖିଲେ । ଓଲଟପାଲଟ ଯେ କେତେଥର ହୋଇଛି- ତା’ର ହିସାବ ରଖିନି । ତା’ପରେ ସେମାନେ ଶେଷ ସିଦ୍ଧାନ୍ତରେ ପହଂଚିଲେ - ମୋର ଜନ୍ମସ୍ଥାନକୁ ଯାଇ ମୋ ଭାଇବନ୍ଧୁ କୁଟୁମ୍ବମାନଙ୍କୁ ଠାବ କରିବେ । ମୋ ଭଳି ପଥର କାଳେ ପୃଥିବୀରେ ବିରଳ । ହଜାର ହଜାର ବର୍ଷ ଧରି ପାହାଡ଼ ପର୍ବତ ଜଙ୍ଗଲ ଭିତରେ ମାଟି ତଳେ ଆମେମାନେ ବସବାସ କରୁଛୁ । ତା’ର ସନ୍ଧାନ ମଣିଷ ଜାତି ପାଇ ନ ଥିଲେ । ମୋ’ ସାନସଂଗାତ ବାଲିଗରଡ଼ାକୁ ଖୋଜିବାକୁ ଯାଇ ରାସ୍ତାକୁ ଓହ୍ଲାଇ ଆସିଥିଲି ସିନା, ଏବେ ଆମର ବଂଶକୁ ମଣିଷମାନେ ବିରାଟକାୟ ଯନ୍ତ୍ର ସାହାଯ୍ୟରେ ଉଠାଇ ଆଣିବେ । ଆମକୁ କାଳେ ମଣିଷ ଆଉ ଜୀବଜନ୍ତୁମାନଙ୍କର ବିକାଶ ପାଇଁ ବ୍ୟବହାର କରାଯିବ । ସେମାନେ ଆମ ଜନ୍ମସ୍ଥାନକୁ ଯାଇ ପହଂଚିଗଲେ । ଆମ ଜନ୍ମସ୍ଥାନ ପାହାଡ଼ ପର୍ବତ ଜଙ୍ଗଲ ଭିତରେ । ସେତେବେଳେ ସାମନ୍ତବାଦୀ ସାଆନ୍ତ ରାଜାମାନେ ସେସବୁ ଅଂଚଳର ମାଲିକ । ଖବର ଖୁବରା ନେଇ ଆମ ଗହଳିଆ ଜନ୍ମସ୍ଥାନକୁ ଭୂତତ୍ତ୍ୱ ସର୍ଭେ କରିବା ପାଇଁ ଜଙ୍ଗଲ ମାଲିକ ରଜାଙ୍କୁ ଯାଇ ଅନୁରୋଧ କଲେ ଏବଂ ପ୍ରସ୍ତାବ ଦେଲେ ରଜା ଭାଗୀଦାର ରହନ୍ତୁ । ରଜା କିନ୍ତୁ ରାଜି ହେଲେନି । କହିଲେ- ମୋତେ ଟଙ୍କା ଆଉ ଗୋଟିଏ ମଟରଗାଡ଼ି ଦିଅ । ଧଳା ଲୋକମାନେ ଏ ପ୍ରସ୍ତାବରେ ରାଜି ହୋଇ କେତେହଜାର ଟଙ୍କା ଏବଂ ଇଂଲଣ୍ଡ ପ୍ରସ୍ତୁତ ସୁନ୍ଦରିଆ ମଟର ଗାଡ଼ିଟିଏ ଉପହାର ଦିଅନ୍ତେ ସଙ୍ଗେସଙ୍ଗେ ରଜା ଅନୁମତି ଦେଇ ସେ ଜଙ୍ଗଲକୁ ବିକ୍ରି କରିଦେଲେ ।
ଧଳା ଲୋକମାନେ ତମ୍ବୁ ମାରି ଶହେ ମିଟର ପର୍ଯ୍ୟନ୍ତ ପାଇପ୍ ପୂରାଇଲେ । ଆମ ଜନ୍ମସ୍ଥାନ ଭାରି ଗହଳିଆ । ୧୦ ମିଟରରୁ ଆରମ୍ଭ କରି ୧୦୦ ମିଟର ମଧ୍ୟରେ ଆମେମାନେ ବାସ କରୁଥିଲୁ । ଧଳାଲୋକସବୁ ଅନୁସନ୍ଧାନ ଅଭିଯାନକୁ ସଫଳ କରିବା ପାଇଁ ଆଖପାଖ ମଣିଷମାନଙ୍କୁ ଡାକି ମାଟି ଖୋଳିଲେ । ବଡ଼ ବଡ଼ ମେସିନ ଆଣିଲେ । ବହୁତ ଟ୍ରକ୍ ମଧ୍ୟ ଆସି ଗଦା ହେଲେ । ମାତ୍ର କେଇଟା ଦିନ ଭିତରେ ସବୁ ବଦଳିଗଲା । ଗହଳି ଚହଳି । ଥାଟ ପଟାଳି । ଟ୍ରକ୍ ପରେ ଟ୍ରକ୍ ଆସି ଭିଡ଼ ଜମେଇଲେ । ଦୋକାନ ବଜାର ଖୋଲିଗଲା । ଦେଖାଦେଖି ଅନ୍ୟ କମ୍ପାନୀମାନେ ଆସି ଆମ ଅଂଚଳକୁ ଖଣ୍ଡେ ଖଣ୍ଡେ ବାଂଟି ନେଲେ । ରାତିଦିନ ମାଟି ଖୋଳି ଆମକୁ ପଦାକୁ ବାହାର କରି ଟ୍ରକ୍ରେ ବନ୍ଦର ପାଖକୁ ଆଉ କଳକାରଖାନାକୁ ପଠାଇବା ଆରମ୍ଭ କରିଦେଲେ । ଆମେ ପଥର ଜାତିଟା ଅନେକ କିସମର । ମଣିଷ ଭିତରେ ଯେମିତି ଗୋରା-କଳା, ଜୀବଜନ୍ତୁ ଭିତରେ ଯେମିତି ମଶା ମାଛିଟାରୁ ଆରମ୍ଭ କରି ସାପନେଉଳ ପର୍ଯ୍ୟନ୍ତ ଅଛନ୍ତି- ଆମେ ମଧ୍ୟ ସିଂହ, ଶୃଗାଳ, ମାଙ୍କଡ଼, ଠେକୁଆ ଠାରୁ ହାତୀ, ଗୟଳ, ବାଘ, ଭାଲୁ ଭଳି ପଥର ଅଛୁ । ଜନ୍ତୁ ଏବଂ ନିର୍ବୁଦ୍ଧିଆ ମଣିଷମାନଙ୍କୁ ଯେପରି ବିଭିନ୍ନ କାମରେ ଲଗାଯାଏ- ଆମେମାନେ ମଧ୍ୟ ବିଭିନ୍ନ କାମରେ ଲାଗୁ । ଏ ପୃଥିବୀରେ କିସମକିସମର ପ୍ରଜାତି ଆମର । ନାନା ଜାତିର ପଥରକୁ ନେଇ କାହିଁ କେଉଁ କାଳୁ ଗଢ଼ିଉଠିଛି ଗୋଟାଏ ବିରାଟ ଶିଳାସମାଜ । କିଏ କହେ ଆମର ପ୍ରାଣ ନାହିଁ - ଆମେ ହେଉଛୁ ନିଷ୍ପ୍ରାଣ ପାଷାଣ ? ଯିଏ କହେ, ସିଏ ମହାମୂର୍ଖ । ଏକବାରେ ଅଜ୍ଞ । ଆମ ପଥର ଦେହ ଭିତରେ ବି ମନ ଅଛି, ପ୍ରାଣ ଅଛି, ଆତ୍ମା ଅଛି - ଖାଲି ଅନୁଭବ କରିବାକୁ ଅଲଗା ଆଖି ଦରକାର । ଆମ ଦେହ ସହିତ ଦେହ ମିଶାଇ ଅରଣ୍ୟର ମାଟି ତଳୁ ଯେତେବେଳେ ମଥା ଟେକିଥାନ୍ତି ନାନା ଔଷଧୀୟ ବୃକ୍ଷଲତାଗୁଳ୍ମ, ଆମେ ସେମାନଙ୍କ ମାର୍ଫତ ପୃଥିବୀକୁ ପଠାଇଦେଇଥାଉ ଆମ ଜୀବନୀଶକ୍ତିର କିଛି ଅଂଶ । ରସରୁ ରକ୍ତକୁ ସଂଚରିଯାଏ ସେ ଶକ୍ତି । ନୀରୋଗ ହୁଅନ୍ତି ମନୁଷ୍ୟ, ପଶୁପକ୍ଷୀ, ଜୀବଜଗତ । ପରଶମଣି ନାଆଁ ଶୁଣିଥିବ । ତାକୁ ଛୁଆଁଇଦିଅ ନିଜଠି, ଦେଖିବ ରହସ୍ୟମୟ ରୂପାନ୍ତର ।
ମନୁଷ୍ୟ ନିଜ ଆତ୍ମାକୁ ମଣିଥାଏ ପରମାତ୍ମାଙ୍କର ଏକ ଅଂଶ । ସେ ପରମାତ୍ମା କାଳେ ପୁରୁଷ । ଆମ ପଥରମାନଙ୍କର ପରମାତ୍ମା କିନ୍ତୁ ନାରୀ - ସେ ପ୍ରକୃତି । ଭାଗବତରେ ନାହିଁ ‘ଆତ୍ମାକୁ ସ୍ତିରୀବେଶ’ କରିବା କଥା ? ଏ ‘ଆତ୍ମାର ସ୍ତିରୀବେଶ’ ହେଲା ଅସଲ ଅର୍ଥରେ ଏଇ ପ୍ରସାରିତ ପ୍ରକୃତି । କିଏ ବୁଝିବ ଆଉ ବୁଝାଇବ ମୋ ଭଳି ପଥରର ଏ ମର୍ମବାଣୀ ? ଯଦି କେହି ବୁଝୁଥାନ୍ତେ, ତାହା ହେଲେ କ’ଣ କହୁଥାନ୍ତେ ପଥର ହେଉଚି ପ୍ରାଣହୀନ ପଦାର୍ଥ, ଆତ୍ମାହୀନ ଉପକରଣ ? ଆମକୁ ନାନା ଉପାୟରେ ଉପକରଣ କରିଛି କିଏ? ପଦାର୍ଥରେ ପରିଣତ କରିଛି କିଏ? ଏ ମଣିଷ । ସେ ଅ-ସଭ୍ୟ ଥିବା ବେଳେ ତା’ ହାତରେ ଆମେ ଥିଲୁ ଅସ୍ତ୍ର, ସଭ୍ୟ ହେଲା ପରେ ସେ ଆମକୁ କରିଛି କେତେ କିସମର ଉପକରଣ ! ସ୍ୱାର୍ଥର ସାମଗ୍ରୀ ପାଲଟିଛୁ ଆମେ ପଥରମାନେ ଏ ମଣିଷ ହାତରେ । ମଣିଷର ବୁଦ୍ଧି ତା’ ନିଜ ପାଇଁ ଯେଉଁ ନିୟମ ତିଆରି କରେ, ନିଜେ ପୁଣି ସେଇ ନିୟମକୁ ଭାଂଗିଦେବାକୁ ବି ଲଜ୍ଜାବୋଧ କରେନା । ସେଥିପାଇଁ ମୋ ଭଳି ପଥରମାନେ ଅଜସ୍ରବର୍ଷ ରହିଆସିଲୁ ଅଜ୍ଞାତବାସରେ । ମାତ୍ର ମଣିଷର ଶାଣିତ-ତୀର୍ଯ୍ୟକ୍ ଦୃଷ୍ଟିଭଂଗି । ଭିନ୍ନ ଦୃଷ୍ଟି । ସେ ଦୃଷ୍ଟିଭଂଗିଟି ଶ୍ୱେନଦୃଷ୍ଟିଠାରୁ ସୁଦ୍ଧା ତାହା ତୀକ୍ଷ୍ଣତର । ତା’ ନଜରର ନାରାଚରୁ କିଏ ବା ନିସ୍ତାର ପାଇବ ? ସ୍ୱର୍ଗମର୍ତ୍ୟପାତାଳ - ସବୁ ତା’ ଗୁପ୍ତ ଅାଁ’ର ଆହାର ! ଅନ୍ୟ ଗ୍ରହରେ ଆଗ୍ରହ ତାର ଯେମିତି ମହାକାଶବ୍ୟାପୀ, ଏ ଗ୍ରହର ଖଣିରୁ ମଣି ଲୁଟିବାର ଲୋଭ ବି ତା’ର ସେମିତି ପାତାଳଭେଦୀ !
ଏତେ କଥା କହିଯାଉଛି ଖଣ୍ଡେ ପଥର ହୋଇ । ପଥରର ଭାଷା ନାହିଁ ଭାବୁଥିବା ବୁଦ୍ଧିଆ ମଣିଷମାନଙ୍କୁ ପଚାରୁଛି ଗୋଟିଏ ପ୍ରଶ୍ନ - ଭାଷା କହିଲେ କ’ଣ ବୁଝ ? କିଛି ଧ୍ୱନି, କିଛି ଶବ୍ଦ, କିଛି ଲିଖନଭଂଗୀର କୁଶଳୀ କସରତ ? ତୁମ ମଣିଷମାନଙ୍କ ଭାଷା ତ ଜଟିଳ - ପ୍ରବଂଛନାପୂର୍ଣ୍ଣ - ଗୋଟିଏ କଥା କହିଲା ଭିତରେ ଚାପାପଡ଼ିରହିଥାଏ ଆଉ ଗୋଟିଏ ଉଦେ୍ଦଶ୍ୟ ! ଦିନରେ ମିଠା କଥା କହି ରାତିରେ ଛୁରୀ ଚଳାଇବାର ଯୋଜନାରେ ତିଆରି ହୋଇଛି ତୁମର ତାଲିମପ୍ରାପ୍ତ ଭାଷା । ପଥରର ଭାଷା କିନ୍ତୁ ଭିନ୍ନ । ସେ ଭାଷା ହେଉଛି ନୀରବତା - ଯାହା ଧରିରଖିଥାଏ ‘ଅନନ୍ତ ବକ୍ତବ୍ୟ’ । କେବେ ଯାଇ ବୁଝିବ ଏ କଥା ? ମୁଁ ସାରା ମଣିଷଜାତିକୁ ଗୋଟିଏ କଥା ମନେପକାଇଦେବାକୁ ଚାହେ । ଆଗେଇଯିବାର ଉନ୍ମାଦ ଅଭିଯାନ ମଧ୍ୟରେ ସେମାନେ ଟିକିଏ କେଇଦଣ୍ଡ ପାଇଁ ଛିଡ଼ାହୋଇ ପଛକୁ ଚାହିଁବେ କି ? ପଛରେ ପୁରାଣ । ପ୍ରାଚୀନ କଥାକାହାଣୀର ପ୍ରସାରିତ ପରମ୍ପରା । ସେଇ ପୁରାଣ ଆଉ ପରମ୍ପରା ଭିତରେ ଅଳ୍ପଟିକିଏ କାନେଇପାରିଲେ ସେମାନେ ଶୁଣିବେ କେତେ ଶୀତଳ ନିଃଶ୍ୱାସପତନର ସ୍ୱରଶବ୍ଦ! ଆଜି ବି ପବନରେ ସେ ନିଃଶ୍ୱାସର ସ୍ପର୍ଶ । ଅନୁଭବ କଲେ ହେଲା । କେତୋଟି କଥାର ଖିଅ ଧରାଇଦେବାକୁ ଇଚ୍ଛା ହେଉଛି । ଯାହା ବୁଝିବା କଥା ବୁଝିନିଅ । ଦିନେ ଅଯୋଧ୍ୟାର ଯୁବରାଜ ଶ୍ରୀରାମଚନ୍ଦ୍ରଙ୍କ ପାଦସ୍ପର୍ଶରେ ଅଦ୍ଭୁତ ଘଟଣା ଘଟିଥିଲା । ଅଗନାଗ୍ନି ବନସ୍ତର ଖଣ୍ଡେ ପଥର ହଠାତ୍ ପରିଣତ ହୋଇଉଠିଲା ରକ୍ତମାଂସର ଦିବ୍ୟରୂପସୀ ରୂପରେ । ସେ ଅହଲ୍ୟା । ଅଭିଶପ୍ତା ଋଷିପତ୍ନୀ । ନାରୀ ହେବା ପାଇଁ ସେ ପଥରଖଣ୍ଡିକର ଅପେକ୍ଷା ଥିଲା କେତେ ଯୁଗ, କେତେ କାଳ, କେତେ ମନ୍ୱନ୍ତର?-କେଜାଣି ? ମୋର କିନ୍ତୁ ଏବେ ବି ବିଶ୍ୱାସ ଯେ ଏଇ ପଥର ଭିତରେ ଅଛି ସୂକ୍ଷ୍ମଜୀବନୀସତାର ଗୁପ୍ତତତ୍ତ୍ୱ । ହୁଏତ ଏହା ବି ସଂଭବ, ସୁଦୂରତମ ମହାଭବିଷ୍ୟକାଳକୁ ଏ ସୃଷ୍ଟି ଦିନେ ଅଂଗେ ନିଭାଇବ ଏକ ଅଭୂତପୂର୍ବ କାୟାକଳ୍ପର କୁହୁକ - ଯେଉଁଦିନ ପଥରମାନେ ପରିବର୍ତ୍ତିତ ହୋଇସାରିଥିବେ ଧ୍ୟାନମୁଦ୍ରାରେ ଆସୀନ ଗୋଟିଏ ଗୋଟିଏ ଅଲୌକିକ ମହାପ୍ରାଣୀରେ । ସେମାନେ ସେଦିନ ଉନ୍ମୋଚନ କରିବେ ମହାଜୀବନର ରହସ୍ୟ ... ଜ୍ଞାନ ଓ ବିଜ୍ଞାନର ଅପହୁଂଚ ସ୍ତରରେ ଲୁକ୍କାୟିତ ପ୍ରଜ୍ଞାନର ପ୍ରଭାମଣ୍ଡଳ ... ରୂପାନ୍ତର ପ୍ରକି୍ରୟାମୁଖୀ ମୃତୁ୍ୟରହିତ ଜୀବନର ମହାସତ୍ୟ । ଜଡ଼ ଲାଭ କରିବ ଜୀବନ - ଯେମିତି ବିବର୍ତ୍ତନର ବୈଚିତ୍ର୍ୟରେ ଜେଲିମୀନରୁ ମଣିଷର କ୍ରମପରିଣାମ ।(କ୍ରମଶଃ)
ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩