ସାବିତ୍ରୀ-ସତ୍ୟବାନ ଉପାଖ୍ୟାନ
ମହାଭାରତର ବନ ପର୍ବରେ ସାବିତ୍ରୀ ସତ୍ୟବାନ ଉପାଖ୍ୟାନ ବର୍ଣ୍ଣନା କରାଯାଇଛି । ସ୍କନ୍ଧ ପୁରାଣ, ଭବିଷ୍ୟ ପୁରାଣରେ ଏହି ବ୍ରତର ମହିମା ବର୍ଣ୍ଣିତ । ଏକାଦଶ ଶତାବ୍ଦୀରେ ସ୍ମୃତିକାର ଗଦାଧର ରାଜଗୁରୁଙ୍କ ଗ୍ରନ୍ଥରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ । ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ଏହି ବ୍ରତ ପାଳିତ ହୋଇଥାଏ । କୁହାଯାଏ ଯେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପତ୍ନୀ ସାବିତ୍ରୀ ପ୍ରଥମେ ଏହି ବ୍ରତ ପାଳନ କରିଥିଲେ । ସେ ଏହି ବ୍ରତରେ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା କରିଥିଲେ । ମହାଭାରତରେ ବର୍ଣ୍ଣିତ ସାବିତ୍ରୀ ଉପାଖ୍ୟାନ ଅନୁସାରେ ଏକଦା ଧର୍ମରାଜ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ - "ହେ ମାଧବ, ସଂସାରରେ କେଉଁ ବ୍ରତ ନାରୀମାନଙ୍କ ପାଇଁ ଶ୍ରେଷ୍ଠ ? ଭଗବାନ ଶ୍ରୀକୃଷ୍ଣ ସାବିତ୍ରୀ ବ୍ରତର ମହିମା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସତ୍ୟ ଯୁଗରେ ଅଶ୍ୱପତି ନାମରେ ଜଣେ ରାଜା ଥିଲେ । ତାଙ୍କ ପରି ଧନୀ, ପ୍ରଜାବତ୍ସଳ, ଧାର୍ମିକ ଓ ଯଶ୍ୱସୀ ରାଜା କେହି ନଥିଲେ । ରାଜକୀୟ ବିଳାସବ୍ୟସନରେ ଥାଇ ସୁଦ୍ଧା ତାଙ୍କର ଗୋଟିଏ ଅଭାବ ଥିଲା । ତାଙ୍କର କୌଣସି ପୁତ୍ର କନ୍ୟା ନଥିଲେ । ସେଥିପାଇଁ ରାଜା ଅଶ୍ୱପତି ଗଭୀର ଦୁଃଖ ମଧ୍ୟରେ ଜୀବନଯାପନ କରୁଥିଲେ । ଏକଦା ଜଣେ ଋଷି ତାଙ୍କରି ଆତିଥ୍ୟ ଗ୍ରହଣ କରି ପରମତୃପ୍ତି ଲାଭ କଲେ । ସେ ଧ୍ୟାନ ବଳରେ ରାଜାଙ୍କର ଦୁଃଖ ଜାଣିପାରିଲେ । ତାଙ୍କ ଭାଗ୍ୟରେ ପୁତ୍ର ସନ୍ତାନ ଯୋଗ ନଥିବାରୁ ଋଷିଜଣଙ୍କ କନ୍ୟାପ୍ରାପ୍ତି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିବା ସହ ସାବିତ୍ରୀ ମନ୍ତ୍ର ଜପ କରିବାର ଉପାୟ ବତାଇଦେଲେ । ଏହି ମନ୍ତ୍ରର ପ୍ରଭାବରେ ରାଜା ଅଶ୍ୱପତିଙ୍କ ଔରସରୁ ପରମ ରୂପସୀ, ଗୁଣବତୀ, ସର୍ବଗୁଣସମ୍ପନ୍ନା କନ୍ୟା ଜନ୍ମ ହେଲା । ସାବିତ୍ରୀ ମନ୍ତ୍ରର ପ୍ରଭାବରେ କନ୍ୟା ରତ୍ନଟି ଜନ୍ମଲାଭ କରିଥିବାରୁ ତାର ନାମ ସାବିତ୍ରୀ ରଖାଯାଇଥିଲା । କ୍ରମେ ସାବିତ୍ରୀ ଯୌବନାବସ୍ଥାରେ ପାଦ ଦେଲେ । ତାଙ୍କ ବିବାହ ଲାଗି ସ୍ୱୟଂବରର ଆୟୋଜନ କରାଗଲା । ହେଲେ କୌଣସି ରାଜକୁମାର ସାବିତ୍ରୀଙ୍କ ପସନ୍ଦ ଯୋଗ୍ୟ ହେଲେନାହିଁ । ଏକଦା ସେ ବନ ଭ୍ରମଣରେ ଯାଇଥିବା ବେଳେ ଜଣେ ଋଷି କୁମାରଙ୍କୁ ଦେଖି ସାବିତ୍ରୀ ବିମୋହିତ ହୋଇପଡ଼ିଲେ । ମନେ ମନେ ତାଙ୍କୁ ପତି ରୂପରେ ବରଣ କରିନେଲେ । ଥରେ ଦେବର୍ଷି ନାରଦ ଅଶ୍ୱପତିଙ୍କ ରାଜ ଦରବାରକୁ ଯାଇଥାଆନ୍ତି । ସାବିତ୍ରୀ ତାଙ୍କୁ ବନ ମଧ୍ୟରେ ଦେଖିଥିବା ଋଷି କୁମାରଙ୍କ ସମ୍ପର୍କରେ ପଚାରିଲେ । ନାରଦ କହିଲେ ଋଷି କୁମାର ଜଣଙ୍କ ହେଉଛନ୍ତି ଶାଲ୍ୱ ଦେଶର ରାଜା ଦୁ୍ୟମତସେନଙ୍କ ପୁତ୍ର ସତ୍ୟବାନ । ରାଜା ଦୁ୍ୟମତସେନ ନିଜ ରାଜ୍ୟରୁ ବିତାଡ଼ିତ ହୋଇ ସପରିବାର ଅରଣ୍ୟରେ ବାସ କରୁଛନ୍ତି । କିନ୍ତୁ ସତ୍ୟବାନଙ୍କ ଆୟୁଷ ଆଉ ମାତ୍ର ଏକ ବର୍ଷ ବାକି ଅଛି । ହେଲେ ସାବିତ୍ରୀ ତାଙ୍କୁ ବିବାହ କରିବେ ବୋଲି ଜିଦ୍ ଧରିଲେ । ସେ ନାରଦଙ୍କୁ କହିଲେ ଯେ ଥରେ ମନ ଅନ୍ୟ ଜଣଙ୍କ ପ୍ରତି ଆକୃଷ୍ଟ ହୋଇଗଲା ପରେ ପୁଣି ମନ ବଦଳାଇବା ସତୀତ୍ୱ ବିରୁଦ୍ଧ ।
ପରେ ନାରଦଙ୍କ ମଧ୍ୟସ୍ଥତାରେ ଏକ ଶୁଭଲଗ୍ନରେ ସାବିତ୍ରୀ ଓ ସତ୍ୟବାନଙ୍କ ବିବାହ ସମ୍ପନ୍ନ ହେଲା । ସାବିତ୍ରୀ ଅରଣ୍ୟରେ ଶାଶୂଶ୍ୱଶୁରଙ୍କ ସେବା କରି ରହିଲେ । ତାଙ୍କ ସ୍ୱାମୀ ସତ୍ୟବାନ ଜଙ୍ଗଲରୁ କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ । ଏମିତି ସାବିତ୍ରୀଙ୍କ ବୈବାହିକ ଜୀବନ ହସଖୁସିରେ ବିତିଗଲା । କ୍ରମେ ସତ୍ୟବାନଙ୍କ ମୃତୁ୍ୟ ଦିନ ଉପଗତ ହେଲା । ସତ୍ୟବାନଙ୍କ ମୃତୁ୍ୟ ଦିନର ତିନି ଦିନ ପୂର୍ବରୁ ସାବିତ୍ରୀ ଶାଶୂ, ଶ୍ୱଶୁରଙ୍କ ପରାମର୍ଶକ୍ରମେ ଲକ୍ଷ୍ମୀନାରାୟଣ ବ୍ରତ ପାଳନ କଲେ । ଯେଉଁ ଦିନ ସତ୍ୟବାନ କାଳ ପୂରିବ ସେଦିନ ସାବିତ୍ରୀ ସତ୍ୟବାନଙ୍କ ସହ ବନକୁ ଗଲେ । ସତ୍ୟବାନ କାଠ ହାଣୁଥିବା ବେଳେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇ ହେଲା । ସେ ସାବିତ୍ରୀଙ୍କ କୋଳରେ ଶୋଇ ସଂଜ୍ଞାହୀନ ହୋଇପଡ଼ିଲେ । ଅନ୍ୟପଟେ ଯମାଳୟରୁ ରାଜା ଯମ ନିଜ ଦୂତମାନଙ୍କୁ ସତ୍ୟବାନଙ୍କ ପ୍ରାଣଶକ୍ତିକୁ ଆଣିବା ଲାଗି ପଠାଇଲେ । କିନ୍ତୁ ଯମଦୂତମାନେ ସାବିତ୍ରୀଙ୍କ ସତୀତ୍ୱ ଶକ୍ତି ନିକଟରେ ପରାଜୟ ବରଣ କରି ଫେରିଗଲେ । ବାଧ୍ୟ ହୋଇ ଯମରାଜା ନିଜେ ମଇଁଷ ପୃଷ୍ଠରେ ବସି ସତ୍ୟବାନଙ୍କ ପ୍ରାଣଶକ୍ତିକୁ ନେବା ଲାଗି ସାବିତ୍ରୀଙ୍କ ନିକଟରେ ପହଞ୍ଚôଲେ ଏବଂ ସାବିତ୍ରୀଙ୍କ ସ୍ୱାମୀଭକ୍ତିକୁ ପ୍ରଶଂସା କଲେ । ଯମରାଜା ସତ୍ୟବାନଙ୍କ ପ୍ରାଣଶକ୍ତିକୁ ନେଇ ଯାଉଥିବା ବେଳେ ସାବିତ୍ରୀ ତାଙ୍କ ପଛରୁ ଅନୁସରଣ କଲେ । ସାବିତ୍ରୀଙ୍କ ପତିଭକ୍ତିରେ ସନ୍ତୁଷ୍ଟ ହୋଇ ଯମରାଜ ଦୁଇଟି ବର ପ୍ରଦାନ କଲେ । ସାବିତ୍ରୀ ପ୍ରଥମ ବରରେ ଶ୍ୱଶୁରଙ୍କ ଚକ୍ଷୁଲାଭ ଓ ରାଜ୍ୟ ପ୍ରାପ୍ତି ଆଦାୟ କରିନେଲେ । ଦ୍ୱିତୀୟ ବରରେ ପିତାଙ୍କର ପୁତ୍ର ଲାଭ ପାଇଁ ଆଶୀର୍ବାଦ ଭିକ୍ଷା କଲେ । ଏହା ସତ୍ତ୍ୱେ ସାବିତ୍ରୀ ନିଜ ମନକୁ ସ୍ଥିର କରି ରଖିପାରିଲେ ନାହିଁ । ସେ ମନେ ମନେ ଚିନ୍ତା କଲେ ପତି ବିନା ଜଣେ ନାରୀର ଜୀବନ ନିରର୍ଥକ । ତେଣୁ ସେ ପୁଣି ଥରେ ଯମଦେବତାଙ୍କୁ ଅନୁସରଣ କଲେ । ଯମଦେବତା ତାଙ୍କୁ ରୋକିବା ଲାଗି ବିଭିନ୍ନ ଶକ୍ତି ପ୍ରୟୋଗ କଲେ ମଧ୍ୟ ସାବିତ୍ରୀଙ୍କ ସତୀତ୍ୱ ଶକ୍ତି ନିକଟରେ ପରାଜିତ ହେଲେ । ଶେଷରେ ଯମରାଜ କହିଲେ ଜନ୍ମମୃତୁ୍ୟ ହେଉଛି ବିଧି ନିର୍ଦ୍ଦିଷ୍ଟ । ଏହାକୁ ବଦଳାଇବା ମୋ ପକ୍ଷରେ ଅସମ୍ଭବ । ତେଣୁ ସତ୍ୟବାନଙ୍କ ଜୀବନ ପରିବର୍ତ୍ତେ ଯାହା କିଛି ଆବଶ୍ୟକ ତୁମେ ଶେଷ ବର ସ୍ୱରୂପ ମାଗିନିଅ । ସାବିତ୍ରୀ ଅତି ଚତୁରତାର ସହ କହିଲେ ମୋତେ ଶତପୁତ୍ରର ଜନନୀ ହେବାର ଆଶୀର୍ବାଦ କରନ୍ତୁ । ବ୍ୟସ୍ତ ବିବ୍ରତ ଥିବା ଯମରାଜ ତଥାସ୍ତୁ ବୋଲି କହିଲେ । ସେ ତାଙ୍କ ବାହନ ମଇଁଷ ପୃଷ୍ଠରେ ବସି ଯମାଳୟକୁ ଯିବା ଲାଗି ଉଦ୍ୟତ ହୁଅନ୍ତେ ସାବିତ୍ରୀ କହିଲେ ହେ ଯମରାଜ, ପତି ବିନା ପୁତ୍ରଲାଭ ଅସମ୍ଭବ । ମୁଁ ଜନନୀ ହେବି କେମିତି ? ସାବିତ୍ରୀଙ୍କ ଠାରୁ ଏହା ଶୁଣି ଯମରାଜା ନିରୁପାୟ ହୋଇପଡ଼ିଲେ । ବାଧ୍ୟ ହୋଇ ସେ ସତ୍ୟବାନଙ୍କ ଜୀବନ ଫେରାଇଦେଲେ । ସାବିତ୍ରୀ ନିଜ ବୁଦ୍ଧିମତା ଓ ନିଷ୍ଠା ବଳରେ ନିଜ ସ୍ୱାମୀଙ୍କ ଜୀବନ ଫେରିପାଇଲେ । ପୁରାଣରେ ବର୍ଣ୍ଣନା ରହିଛି ଯେ, ସାବିତ୍ରୀଙ୍କ ଭଳି କନ୍ୟା କୌଣସି ଗୃହରେ ଜନ୍ମ ନେଇଥିଲେ ପିତୃକୁଳ, ଶ୍ୱଶୁର, ଶାଶୂ ଓ ସ୍ୱାମୀଙ୍କର କଲ୍ୟାଣ ହୋଇଥାଏ ।
ମୋଟାମୋଟି ଭାବେ ସାବିତ୍ରୀ ଉପାଖ୍ୟାନରେ ସତୀତ୍ୱର ଜୟ ଜୟକାର କରାଯାଇଛି । କେବଳ ସାବିତ୍ରୀ ନୁହଁନ୍ତି, ମହାସତୀ ସୀତା, ଅନୁସୂୟା, ଶ୍ରୀରାଧା ପ୍ରମୁଖ ନାରୀମାନେ ନିଜର ସତୀତ୍ୱ ପାଇଁ କାଳର କରାଳ ବକ୍ଷରେ ଅମର ହୋଇ ରହିଛନ୍ତି । ସାବିତ୍ରୀ ବ୍ରତ କେବଳ ସୁସ୍ୱାଦୁ ଫଳ ଭକ୍ଷଣ, ନୂଆ ଶାଢ଼ି ପିନ୍ଧିବା, ମନ୍ଦିର ଯିବା, ନିଜକୁ ସଜେଇ ହେବା ମଧ୍ୟରେ ସୀମିତ ନରଖି ଏହାର ମୂଲ୍ୟବୋଧକୁ କାର୍ଯ୍ୟକାରୀ କଲେ ଏହି ବ୍ରତର ପୂଣ୍ୟଫଳ ମିଳିଥାଏ ।
ବେହୁଲା ପଟ୍ଟନାୟକ
ତେନ୍ତୋଇ, ନାଉଗାଁ, ଜଗତସିଂପୁର