ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ମାନ୍ଦାବସ୍ଥା
ଜନସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଥିବା ବେଳେ ବାସଗୃହ ଚାହିଦା ମଧ୍ୟ ବଢ଼ି ଚାଲିଛି । ପ୍ରାୟ ୩୦ ବର୍ଷ ପୂର୍ବେ ଏବଂ ତାହା ଆଗରୁ ଲୋକମାନେ ନିଜ ପାଇଁ ନିଜେ ବାସଗୃହ ନିର୍ମାଣ କରୁଥିଲେ । ବର୍ତ୍ତମାନ ସେ ସମୟ ଆଉ ନାହିଁ । ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ନିଜେ ବାସଗୃହ ନିର୍ମାଣ କରିବା ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଆଉ ସମ୍ଭବ ହେଉନାହିଁ । ବାସୋପଯୋଗୀ ଜମି ମଧ୍ୟ ମିଳିବା ଆଉ ସହଜ ନୁହେଁ । ତେଣୁ ସହରାଞ୍ଚଳ ଗୁଡ଼ିକ ଆୟତନରେ ବଢ଼ିବା ଅପେକ୍ଷା ଉଚ୍ଚତାରେ ବଢ଼ିବାରେ ଲାଗିଲାଣି । ଗତ ୧୫ ବର୍ଷ ମଧ୍ୟରେ ବହୁ ତଳ ବିଶିଷ୍ଟ କୋଠା ନିର୍ମାଣ ଏବଂ ଆପାର୍ଟ୍ମେଣ୍ଟରେ ରହିବା ଭଳି ମାନସିକତା ଲୋକମାନଙ୍କ ଭିତରେ ସୃଷ୍ଟି ହୋଇ ସାରିଲାଣି । ଏହା ସତ୍ତ୍ୱେ କେଉଁଠି ଲୋକମାନଙ୍କର ଚାହିଦାକୁ ମେଣ୍ଟାଇ ହେଉନାହିଁ ତ ଆଉ କେଉଁଠି ନିର୍ମିତ ଗୃହ ବିକ୍ରି ନ ହୋଇ ପଡିରହୁଛି । ସମଗ୍ର ଦେଶରେ ଏହି ଅବସ୍ଥା ।
ଗୃହ ନିର୍ମାଣ କରି ବିକ୍ରି କରୁଥିବା ବ୍ୟବସ୍ଥାକୁ ରିଅଲ୍ ଇଷ୍ଟେଟ୍ ବ୍ୟବସ୍ଥା କୁହାଯାଉଛି । ବର୍ତ୍ତମାନ ସମଗ୍ର ଦେଶରେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖା ଦେଇଛି । ଦେଶର ୮ଟି ବଡ଼ ବଡ଼ ସହରରେ ଗୃହ ବିକ୍ରୀ ପରିମାଣ ୫ ଶତାଂଶ କମିଯାଇଛି । ରିଅଲ ଇଷ୍ଟେଟ୍ ବ୍ରୋକର୍ ପ୍ଲାଟ୍ଫର୍ମ୍ ବ୍ରୋପ୍ଟାଇଗର୍.କମ୍ ନାମକ ଏକ ସଂସ୍ଥା ପକ୍ଷରୁ ଏଇ ନିକଟରେ ଦେଶର ରିଅଲ୍ ଇଷ୍ଟେଟ୍ ବଜାର ଉପରେ ଏକ ତଥ୍ୟ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ ଜୁନ୍ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ୯୬ ଲକ୍ଷ ୫୪୪ ୟୁନିଟ୍ ଘର ବିକ୍ରୀ ହୋଇଥିଲା । ୨୦୨୩ ମସିହାରେ ଏହି ସମୟରେ ୧ ଲକ୍ଷ ହଜାର ୨୨୧ ୟୁନିଟ୍ ଘର ବିକ୍ରି ହୋଇଥିଲା । ତାହା ତୁଳନାରେ ଏହା ୫ ପ୍ରତିଶତ କମ୍ । ସେହିଭଳି ଗୃହ ନିର୍ମାଣ କ୍ଷେତ୍ରରେ ୮ଟି ବଡ଼ ବଡ଼ ସହରରେ ବାର୍ଷିକ ୧ ଲକ୍ଷ ୨୩ ହଜାର ୮୦ ୟୁନିଟ୍ ନିର୍ମାଣରୁ ୨୫ ପ୍ରତିଶତ ହ୍ରାସ ପାଇ ୯୧ ହଜାର ୮୬୩ ୟୁନିଟ୍କୁ ଖସି ଆସିଛି । ନିର୍ମିତ ହୋଇଥିବା ଗୃହର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଉଥିବାରୁ ଗ୍ରାହକମାନେ ଏ ଦିଗରେ ଅନାଗ୍ରହ ପ୍ରକାଶ କରୁଛନ୍ତି । ଲୋକମାନଙ୍କର କ୍ରୟ କରିବାର କ୍ଷମତା ହ୍ରାସ ପାଉଥିବାରୁ ଭବିଷ୍ୟତରେ ଆଉ ରିଅଲ୍ ଇଷ୍ଟେଟ୍ ନିବେଶକମାନେ ମନଇଚ୍ଛା ଘର ତିଆରି କରିବେ ନାହିଁ । ଇତିମଧ୍ୟରେ ଗୃହର ମୂଲ୍ୟ ହାରାହାରି ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହି କାରଣରୁ ଅହମ୍ମଦାବାଦରେ ୯ ପ୍ରତିଶତ, ବେଙ୍ଗାଲୁରୁରେ ୧୧ ପ୍ରତିଶତ, ଚେନ୍ନାଇରେ ୮ ପ୍ରତିଶତ, ହାଇଦ୍ରାବାଦରେ ୧୯ ପ୍ରତିଶତ ଏବଂ କୋଲକାତାରେ ୨୨ପ୍ରତିଶତ ବିକ୍ରୀ ହ୍ରାସ ପାଇଛି । ମୁମ୍ବାଇରେ ୩୦ ପ୍ରତିଶତ ହ୍ରାସପାଇଥିବା ବେଳେ ପୁଣେର ୩ ପ୍ରତିଶତ ହ୍ରାସ ପାଇଛି । ଗୃହ ନିର୍ମାଣ କ୍ଷେତ୍ରରେ ଏ ପ୍ରକାରର ପରିସ୍ଥିତି ଲାଗି ରହିଲେ ଭବିଷ୍ୟତରେ କ୍ରେତାମାନଙ୍କ ଠାରୁ ଅର୍ଥ ନେଇ ଘର ନିର୍ମାଣ କରାଯିବ । କୌଣସି ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ନିଜର ଅର୍ଥକୁ ଲଗାଇ ଆଉ ଘର ତିଆରି କରିବେ ନାହିଁ । ମନୁଷ୍ୟର ଜୀବନଧାରଣ କ୍ଷେତ୍ରରେ ବାସଗୃହ ଏକ ଅତ୍ୟାବଶ୍ୟକୀୟ ଉପାଦାନ ହୋଇଥିବାରୁ ସହରାଞ୍ଚଳରେ ଭଡ଼ା ଘରଗୁଡ଼ିକର ଚାହିଦା ଅଧିକ ବୃଦ୍ଧି ପାଇବ । ଲୋକଙ୍କର ଆବଶ୍ୟକତା ଏବଂ ଅର୍ଥାଭାବ ମଝିରେ ସମନ୍ୱୟ ରକ୍ଷା କରାଯିବା ଭଳି କୌଣସି ବ୍ୟବସ୍ଥା ଅନ୍ତତଃପକ୍ଷେ ବାସଗୃହ କ୍ଷେତ୍ରରେ ହେବା ସମ୍ଭବ ନୁହେଁ । ତେଣୁ ଲୋକେ ବାଧ୍ୟ ହୋଇ ଜୀବନସାରା ଭଡ଼ା ଘରେ ରହିବାକୁ ମାନସିକ ଭାବରେ ପ୍ରସ୍ତୁତ ହୋଇଯିବେ ।
ଲୋକଙ୍କର ଆର୍ଥôକ କ୍ଷମତାକୁ ଦୃଷ୍ଟିରେ ନରଖି ମନଇଚ୍ଛା ବାସଗୃହର ଦର ବୃଦ୍ଧି କରାଗଲେ ଭବିଷ୍ୟତକୁ ହୁଏତ ଆଉ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ସେତେ ଅଧିକ ଲାଭଜନକ ବ୍ୟବସାୟ ସାବ୍ୟସ୍ତ ହେବ ନାହିଁ । ତେଣୁ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କ୍ଷେତ୍ରରେ ବିଲ୍ଡର ସଂସ୍ଥାମାନେ ଅତ୍ୟଧିକ ଲାଭ ଆଶା ନରଖି ଲୋକମାନଙ୍କୁ ସୁହାଇଲା ଭଳି ଦର ଧାର୍ଯ୍ୟ କରିଲେ ଏହି ବ୍ୟବସାୟ ଆଗକୁ ଚାଲୁ ରହିବ ।