କାନ ଓ ମନ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା କାନ ଓ ମନକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
କାନ ଓ ମନ-ଏ ଦୁହେଁ ନିଜ ନିନ୍ଦା ଶୁଣିବା ପାଇଁ କେବେ ମଧ୍ୟ ମଙ୍ଗନ୍ତି ନାହିଁ । କିନ୍ତୁ ନିଜ ମନ ଲଗେଇ ପରନିନ୍ଦା କରିବା ପାଇଁ ଏବଂ ନିଜ କାନରେ ପର ନିନ୍ଦା ଶୁଣିବା ପାଇଁ ଆମେ ସବୁବେଳେ ଜାଗ୍ରତ ହେଇକି ଥା’ନ୍ତି ।
ପରନିନ୍ଦା ଶୁଣିବା ହେଉଛି ମନୁଷ୍ୟର ଏକ ପ୍ରବୃତ୍ତି । ପ୍ରବୃତ୍ତି ଉପରେ ଜୟ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ପ୍ରବୃତ୍ତି ଏବଂ ନିବୃତ୍ତି ମନୁଷ୍ୟ ଜୀବନର ଗୋଟାଏ ଗଛର ଦୁଇଟି ଶାଖା । ମଣିଷ ପ୍ରବୃତ୍ତିରୁ ଯେତିିକି ଆନନ୍ଦ ପାଏ, ନିବୃତ୍ତିରୁ ସେତିକି ଆନନ୍ଦ ପାଏ ନାହିଁ । ବିଭିନ୍ନ ଧର୍ମ, ପୁରାଣ, ଶାସ୍ତ୍ର, ନୀତିବାକ୍ୟରେ ଇନ୍ଦ୍ରିୟ ସଂଯମ ପାଇଁ ସୁନ୍ଦର ସୁନ୍ଦର ସବୁ ପଢିବାକୁ ମିଳେ, ଶୁଣିବାକୁ ମିଳେ ।
ଆମର ପାଞ୍ଚ ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁ ହେଲା-ସୁନ୍ଦର ଦୃଶ୍ୟ, ସୁମଧୁର ସଙ୍ଗୀତ, ସୁଗନ୍ଧ, ସୁସ୍ୱାଦୁ ଖାଦ୍ୟ ଏବଂ କୋମଳ ସ୍ପର୍ଶ । ଏହାକୁ ସାଙ୍କ?ତିକ ଭାବରେ ପତଙ୍ଗ, ମୃଗ, ଭ୍ରମର, ମସô୍ୟ ଏବଂ ହସ୍ତୀର ଇନ୍ଦ୍ରିୟଗ୍ରାହ୍ୟ ଦୁର୍ବଳତା ଭାବରେ ପ୍ରକାଶ କରାଯାଏ । ପତଙ୍ଗର ଆଖିକୁ ଅଗ୍ନି ସୁନ୍ଦର ଦୃଶ୍ୟ ଭାବରେ ଦେଖାଯାଏ । ସିଏ ଆକୃଷ୍ଟ ହୁଏ ଏବଂ ଶେଷରେ ସେଇଥିରେ ହିଁ ଜଳିପୋଡି ମରେ । ସୁମଧୁର ସଙ୍ଗୀତରେ ଘୋର ଅରଣ୍ୟର ମୃଗ ଆକର୍ଷିତ ହୋଇ ବ୍ୟାଧର ଜାଲରେ ଫସିଯାଏ । ପୁଷ୍ପର ସୁଗନ୍ଧରେ ବିମୋହିତ ହେଇ ଭ୍ରମର ପଦ୍ମ ମଧ୍ୟରେ ଆବଦ୍ଧ ହୋଇଯାଏ ।
ଆଜ୍ଞା, ଏ ଯେଉଁ ସାଙ୍କେତିକ ପ୍ରାଣୀଗୁଡିକର ବର୍ଣ୍ଣନା ବା ଉଦାହରଣରେ ଆମେ ଯାହା ବୁଝିଲେ, ପ୍ରତି ମଣିଷ କ୍ଷେତ୍ରରେ ଏସବୁ ହିଁ ଘଟୁଛି । ଇନ୍ଦ୍ରିୟଜନିତ ସମସ୍ତ ଦୁର୍ବଳତା ମନୁଷ୍ୟ ନିକଟରେ ରହିଛି । ଇନ୍ଦ୍ରିୟକୁ ଅତିକ୍ରମ କରି ଆଗେଇ ଯିବା ମଣିଷ ପକ୍ଷ ଏତେଟା ସହଜ ନୁହଁ, କିନ୍ତୁ ଅସମ୍ଭବ ନୁହଁ ।
ଏସବୁ ମନୁଷ୍ୟ ପାଇଁ ଗୋଟିଏ ଗୋଟିଏ ସତର୍କବାଣୀ । ଇନ୍ଦ୍ରିୟ ଆସକ୍ତ ମନୁଷ୍ୟ ଅନ୍ୟ ଆଡକୁ ଅଙ୍ଗୁଳି ଦେଖାଇ ଅନ୍ୟର ଚର୍ଚ୍ଚା କରୁଥିବା ବେଳେ ନିଜ ଆଖିକୁ ଅଙ୍ଗୁଳି ଯାଏ ନାହିଁ । ପରଚର୍ଚ୍ଚା, ପରନିନ୍ଦା କରୁଥିବା ବେଳେ ନିଜର ଦୁର୍ଗୁଣକୁ ଶୁଣିପାରେ ନାହିଁ, କି ସହ୍ୟ କରିପାରେ ନାହିଁ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।