କେକ୍ ରୁ କ୍ୟାନ୍ସର୍
ଏଇ ଅଳ୍ପ କିଛି ଦିନ ତଳେ କର୍ଣ୍ଣାଟକର ବାଙ୍ଗାଲୋର ସହରରେ ବିକ୍ରି ହେଉଥିବା କେକ୍ର ମାନ ନେଇ ଯାଞ୍ଚ୍ କରାଯାଇଥିଲା । ଏଥିରୁ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଲା ଯେ କେକ୍ ଗୁଡ଼ିକରେ ବିଭିନ୍ନ ପ୍ରକାରର ୧୨ଟି ଉପାଦାନ କ୍ୟାନ୍ସର ସୃଷ୍ଟି କରିପାରେ । ଏଥିମଧ୍ୟରୁ ବିଶେଷ ଭାବରେ କେକ୍କୁ ଆକର୍ଷଣୀୟ କରିବା ପାଇଁ ବ୍ୟବହାର କରାଯାଉଥିବା ରଙ୍ଗ ଅତ୍ୟନ୍ତ କ୍ଷତିକାରକ । ବିଭିନ୍ନ ପ୍ରକାରର ମାରାତ୍ମକ ଧାତୁର ଅକ୍ସାଇଡ୍ରୁ ରାସାୟନିକ ରଙ୍ଗ ପ୍ରସ୍ତୁତ କରାଯାଏ । ଏହି ରଙ୍ଗ ଗୁଡ଼ିକ କୌଣସି ବି ପରିସ୍ଥିତିରେ ଖାଦ୍ୟ ନୁହେଁ । କିନ୍ତୁ ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି । ବର୍ତ୍ତମାନ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ମିଠା ପ୍ରସ୍ତୁତି କ୍ଷେତ୍ରରେ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି । ଏହି ରଙ୍ଗ ଗୁଡ଼ିକରୁ କେବଳ କ୍ୟାନ୍ସର ନୁହଁ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ମୋଟ୍ ଉପରେ ଦେଖିବାକୁ ଗଲେ ଖାଦ୍ୟ ପଦାର୍ଥ, ମିଠା କିମ୍ବା କେକ୍, ଆଇସକ୍ରିମ୍ ଆଦିରେ ବ୍ୟବହାର କରାଯାଉଥିବା କେକ୍ ଶିଶୁ ଏବଂ ଯୁବଗୋଷ୍ଠୀଙ୍କ ଭିତରେ ବେଶ୍ ଲୋକପ୍ରିୟ । ଏହିମାନେ ହିଁ ଏ ପ୍ରକାରର ରଙ୍ଗଦିଆ ଖାଦ୍ୟ, ବେକେରୀ ଖାଦ୍ୟ ଖାଇବା ପାଇଁ ବର୍ତ୍ତମାନ ଅଧିକ ପସନ୍ଦ କରୁଛନ୍ତି । ବର୍ତ୍ତମାନ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ରଙ୍ଗିନ୍ ଖାଦ୍ୟ ଉପରେ ଖାଦ୍ୟ ନିରାପତ୍ତା ବିଭାଗର କୌଣସି ନିୟନ୍ତ୍ରଣ ନାହିଁ । କେବେ କେମିତି ଯଦି କୌଣସି ସଂସ୍ଥା ଖାଦ୍ୟର ମାନ ଯାଞ୍ଚ୍ କରୁଛି ସେତେବେଳେ ଯାଇ ଏ ସମ୍ପର୍କିତ ସ୍ୱାସ୍ଥ୍ୟଗତ ଗୁରୁତର ସୂଚନା ଲୋକଲୋଚନକୁ ଆସୁଛି । ବଜାରରେ ମିଳୁଥିବା ପ୍ୟାକେଟ୍ରେ ବିକ୍ରି ହେଉଥିବା ଖାଦ୍ୟ, ରୋଷେଇ କରି ବିକ୍ରି ହେଉଥିବା ଖାଦ୍ୟ, ବେକେରୀ ଖାଦ୍ୟ, ଛଣା ଖାଦ୍ୟ ଆଦିର ପ୍ରସ୍ତୁତ କ୍ଷେତ୍ରରେ କାହାରି ମନରେ କୌଣସି ପ୍ରକାରର ସନେ୍ଦହ ଥିଲେ ଏହାର ମାନ ପରୀକ୍ଷା କରିବା ପାଇଁ ମଧ୍ୟ ହଠାତ୍ କୌଣସି ବ୍ୟବସ୍ଥା ନାହିଁ । ଏଣେ ଗ୍ରାହକ କୌଣସି ଖାଦ୍ୟର ମାନ ପରୀକ୍ଷା କରିବାକୁ ହେଲେ ସେ ସମ୍ପର୍କିତ ସୂଚନା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇନାହିଁ । ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାରର ସେବା ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟ କ୍ଷେତ୍ରରେ ହେଲ୍ପଲାଇନ୍ ନମ୍ବରର ବ୍ୟବସ୍ଥା ରଖାଯାଇଥିବା ବେଳେ ଖାଦ୍ୟର ମାନ ଯାଞ୍ଚ୍ କରିବା ପାଇଁ କେଉଁ ପ୍ରକାରର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ନାହିଁ । ଇତିମଧ୍ୟରେ ଦେଶର କେତେକ ଧର୍ମସ୍ଥଳୀରେ ପ୍ରସ୍ତୁତ ହେଉଥିବା ପ୍ରସାଦରେ ଅପମିଶ୍ରଣର ଅଭିଯୋଗ କଥା ଉଠୁଛି । ତେବେ ଏତେ ଅପମିଶ୍ରଣକୁ ରୋକିବା ପାଇଁ ଏବଂ ସର୍ବସାଧାରଣଙ୍କୁ ଖାଦ୍ୟ ସମ୍ପର୍କିତ ସତ୍ୟ ଜାଣିବା ପାଇଁ ପରୀକ୍ଷା କରାଯିବାର ବ୍ୟବସ୍ଥା ମଧ୍ୟ ଦେଶରେ ପର୍ଯ୍ୟାପ୍ତ ଭାବରେ ନାହିିଁ । ଯେତେବେଳେ କୌଣସି ଅଭିଯୋଗ ବଡ଼ଆକାର ଧାରଣ କରୁଛି ସେତେବେଳେ ଯାଇ ସରକାରଙ୍କ ପକ୍ଷରୁ ନମୂନା ଯାଞ୍ଚ୍ କାର୍ଯ୍ୟ ହେଉଛି । ଏହି ନମୂନା ଯାଞ୍ଚ୍ କାର୍ଯ୍ୟ ମଧ୍ୟ ଏତେ ବିଳମ୍ବିତ କାର୍ଯ୍ୟ ହେଉଛି ଯେ ଲୋକମାନେ ରିପୋର୍ଟ୍ ଆସିବା ବେଳକୁ ପ୍ରଶ୍ନଟିକୁ ଭୁଲି ଯାଉଛନ୍ତି ।
ଅତଏବ, ପ୍ରତି ରାଜ୍ୟରେ ଖାଦ୍ୟର ମାନ ଯାଞ୍ଚ୍ ପାଇଁ ଉପଯୁକ୍ତ ଲାବରାଟୋରୀର ବ୍ୟବସ୍ଥା ବ୍ୟାପକ ଭାବରେ କରାଯିବା ଆବଶ୍ୟକ । ଏମିତି ବି ଦେଖାଯାଉଛି ଯେ ଖାଦ୍ୟରେ ଅପମିଶ୍ରଣ ସମ୍ପର୍କିତ ପରୀକ୍ଷା ନିମିତ୍ତ ଗୋଟିଏ ରାଜ୍ୟର ନମୂନା ଆଉ ଗୋଟିଏ ରାଜ୍ୟକୁ ପଠାଯାଉଛି । ଏତିକିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ଆମେ ବଜାରରେ ଖାଦ୍ୟର ଉପଲବ୍ଧି ସମ୍ପର୍କରେ ଯେତିକି ବ୍ୟଗ୍ର, ଖାଦ୍ୟର ମାନ ଯାଞ୍ଚ୍ ସମ୍ପର୍କରେ ସେତିକି ତତ୍ପରତା ଦେଖାଉନାହୁଁ । ଖାଦ୍ୟର ମାନ ଯାଞ୍ଚ୍ ବ୍ୟବସ୍ଥା ଲୋକମାନଙ୍କ ହାତପାହାନ୍ତାରେ ଏବଂ ତୁରନ୍ତ ହେବା ଭଳି ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଖାଦ୍ୟ ଅପମିଶ୍ରଣ ଭଳି ସମସ୍ୟାର ସମାଧାନ ସମ୍ଭବ ନୁହେଁ ।