ଧର୍ମ ନିରପେକ୍ଷତା ଓ ସର୍ବୋଚ୍ଚ ଅଦାଲତ

ଗୋପାଳ ମହାପାତ୍ର : ରାଜନୀତିରେ ଧର୍ମନିରପେକ୍ଷ ଶବ୍ଦକୁ ରାଜନୈତିକ ଦଳମାନେ ନିଜ ନିଜ ଅନୁସାରେ ବ୍ୟବହାର କରୁଛନ୍ତି ଯେଉଁଥିପାଇଁ ଏହି ଶବ୍ଦର ବାସ୍ତବିକ ଅର୍ଥ ଏବଂ ଭାବନାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ । ଦେଶର ସର୍ବୋଚ୍ଚ ଅଦାଲତ ଗତ ଅକ୍ଟୋବର ୨୧ ତାରିଖରେ ସମ୍ବିଧାନର ୪୨ତମ ସଂଶୋଧନ କୁ ଚାଳେଞ୍ଜ କରି ଦାଏର କରାଯାଇଥିବା ଏକ ମାମଲାକୁ ବିଚାର କରି ଧର୍ମନିରପେକ୍ଷତାକୁ ଭାରତୀୟ ସମ୍ବିଧାନର ଆଧାରଭୁତ ସଂରଚନାର ଅଂଶ ବୋଲି କହିଛନ୍ତି ଏବଂ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ ଧର୍ମନିରପେକ୍ଷତାକୁ ୟୁରୋପୀୟ ଦେଶରୁ ଆମଦାନି କରାଯାଇଥିôବା ଶବ୍ଦର ଦୃଷ୍ଟିରେ ନ ଦେଖି ଭାରତୀୟ ସମ୍ବିଧାନର ଆତ୍ମା ଭାବରେ ଦେଖିବା ଆବଶ୍ୟକ । ଧର୍ମ ନିରପେକ୍ଷତାକୁ ଭାରତୀୟ ସମ୍ବିଧାନର ମୂଳ ବିଶେଷତା ବୋଲି କହିବା ସହ କୋର୍ଟ କହିଛନ୍ତି ଯେ ସମ୍ବିଧାନରେ ବର୍ଣ୍ଣିତ ସମାନତା ଏବଂ ବନ୍ଧୁତ୍ୱ ଏହି ଭାବନାରୁ ସୃଷ୍ଟି । ଧର୍ମନିରପେକ୍ଷତା ଭାରତୀୟ ଗଣତନ୍ତ୍ରର ଅପରିହାର୍ଯ୍ୟ ବିଶେଷତା ଏବଂ ଏହା ସମାଜରେ ବ୍ୟାପକ ଦୃଷ୍ଟି ବାଲା ଉଦାର ମାନସିକତାକୁ ବିକଶିତ କରିବାରରେ ସହାୟକ ଅଟେ । ଧର୍ମ ନିରପେକ୍ଷତା ବିନା ସୁସ୍ଥ ଗଣତନ୍ତ୍ରର କଳ୍ପନା କରାଯାଇପାରେ ନାହିଁ ଯାହା  ରାଷ୍ଟ୍ରୀୟ ଏକତା ପାଇଁ ମଧ୍ୟ ଆବଶ୍ୟକ ବୋଲି କହିଛନ୍ତି ମାନବର କୋର୍ଟ । ୪୨ ତମ ସମ୍ବିଧାନ  ସଂଶୋଧନ ପରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନାରେ ‘ପନ୍ଥ ନିରପେକ୍ଷ’ ଶବ୍ଦ ଯୋଡ଼ାଯାଇଛି କିନ୍ତୁ ‘ପନ୍ଥନିରପେକ୍ଷ’ ଶବ୍ଦର ପ୍ରୟୋଗ ଭାରତୀୟ ସମ୍ବିଧାନର କୌଣସି ଅନ୍ୟ ଭାଗରେ କରାଯାଇନାହିଁ । ସମ୍ବିଧାନରେ ଏମିତି ଅନେକ ଅନୁଛେଦ ରହିଛି ଯାହାର ଆଧାରରେ ଭାରତକୁ ଏକ ଧର୍ମ ନିରପେକ୍ଷ ଦେଶ ବୋଲି କୁହାଯାଏ କାରଣ ଭାରତର ସମ୍ବିଧାନ ଦେଶର ନାଗରିକ ମାନଙ୍କ ସହ ଧର୍ମର ଆଧାରରେ କୌଣସି ଭେଦଭାବ କରିବାକୁ ଅନୁମତି ଦିଏ ନାହିଁ । ସମ୍ବିଧାନରେ ଭାରତର କୌଣସି ନିର୍ଦ୍ଦଷ୍ଟ ଧର୍ମ ଘୋଷଣା କରାଯାଇ ନାହିଁ । କୌଣସି ନିର୍ଦ୍ଦିଷ୍ଟ ଧର୍ମର ସମର୍ଥନ କରାଯାଇ ନାହିଁ । ଏହିକାରଣରୁ ଭାରତରେ ଅନେକ ଧର୍ମ ଏବଂ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ଏଣୁ ସମ୍ବିଧାନ ନିର୍ମାତାମାନେ ଭାରତକୁ ଏକ ଧର୍ମ ନିରପେକ୍ଷ ଦେଶ ଭାବେ ସ୍ୱୀକାର କରିଛନ୍ତି । ଭାରତୀୟ ସମାଜର ବହୁଧର୍ମ ଓ ବିଭିନ୍ନ ସଂସ୍କୃତି ଏହାର ଅପରିହାର୍ଯ୍ୟତାକୁ ଦର୍ଶାଇଥାଏ । ନିଶ୍ଚିତ ରୂପରେ ଏହିପ୍ରସଙ୍ଗରେ ନିଜର ସୁବିଧା ପାଇଁ ଯେଉଁ ରାଜନେତା ମାନେ ଧର୍ମକୁ ରାଜନୀତି ପାଇଁ ବ୍ୟବହାର କରୁଛନ୍ତି ସେମାନଙ୍କୁ ଆଇନା ଦେଖାଇଛନ୍ତି ମାନ୍ୟବର କୋର୍ଟ । ପୂର୍ବତନ ରାଷ୍ଟ୍ରପତି ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନମ୍ ଧର୍ମ ନିରପେକ୍ଷତା ଶବ୍ଦର ବ୍ୟାପକ ଅର୍ଥକୁ ସ୍ପଷ୍ଟ କରି କହିଛନ୍ତି - ଧର୍ମନିରପେକ୍ଷ ହେବାର ଅର୍ଥ ଅଧର୍ମୀ ହେବା ଅଥବା ସଙ୍କୁଚିତ ଧାର୍ମିକତା ନେଇ ଚଳିବା ନୁହେଁ ବରଂ ଏହାର ଅର୍ଥ ପୂର୍ଣ୍ଣତଃ ଆଧ୍ୟାତ୍ମିକ ହେବା । ନିରପେକ୍ଷର ଅର୍ଥ ହେଉଛି ଯେ ରାଷ୍ଟ୍ରପକ୍ଷରୁ କୌଣସି ଧର୍ମ ବିଶେଷର ପ୍ରଚାର- ପ୍ରସାର ନ କରାଯିବା । ସବୁ ଧର୍ମ ପ୍ରତି ସମାନ ବ୍ୟବହାର କରିବା । ଭାରତର ଗଣତନ୍ତ୍ର ଏବଂ ସମ୍ବିଧାନର ବିଶେଷତା ହେଉଛି କୌଣସି ଏକ ଧର୍ମକୁ ମାନ୍ୟତା ନଦେଇ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା । ଏବେ ଧର୍ମନିରପେକ୍ଷତାକୁ  ନେଇ ଚାଲୁଥିବା ଚର୍ଚ୍ଚାରେ ଅନେକ ସମୟରେ ଯେମିତି ତର୍ଜମା କରାଯାଉଛି ତାକୁ ଦେଖିଲେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଭିନ୍ନ ଭିନ୍ନ ଦୁଇଟି ରାୟ ବା ନିଷ୍ପତ୍ତି ଧର୍ମ ନିରପେକ୍ଷତାର ଗୁରୁତ୍ୱକୁ ରେଖାଙ୍କିତ କରୁଛି । ଗୋଟିଏ ମାମଲାରେ ସର୍ବୋଚ୍ଚ ଅଦାଲତ ଧର୍ମ ନିରପେକ୍ଷତାକୁ ସମ୍ବିଧାନର ମୂଳ ଢ଼ାଞ୍ଚାର ଅଂଶ ବୋଲି କହିଥିବା ବେଳେ ଅନ୍ୟ ମାମଲାରେ ଏହାର ସଂକୀର୍ଣ୍ଣ ବ୍ୟାଖ୍ୟା କାରଣରୁ ଉପୁଜୁଥିବା ଅବ୍ୟବସ୍ଥାକୁ ଦୂର କରିଦେଇଛନ୍ତି ।
ଗୋଟିଏ ମାମଲା ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରା ଉତ୍ତର ପ୍ରଦେଶ ବୋର୍ଡ ଅଫ ମଦ୍ରାସା ଏଜୁକେଶନ ଆକ୍ଟ ୨୦୦୪କୁ ରଦ୍ଧ କରାଯିବା ସହ ସମ୍ପର୍କିତ ଥିଲା ଓ ଏହି ମାମଲାର ରାୟକୁ ଅକ୍ଟୋବର ୨୨ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ଭୁଲ ବୋଲି କହିଛନ୍ତି । ଆହ୍ଲାବାଦ ହାଇକୋର୍ଟ ୨୦୨୪ର ଏହି ଆଇନ୍କୁ ଧର୍ମନିରପେକ୍ଷତା ସିଦ୍ଧାନ୍ତ ବିରୋଧୀ ବୋଲି କହିଥିଲେ । ଧର୍ମନିରପେକ୍ଷତାର ଏହି ସଂକୀର୍ଣ୍ଣ ବ୍ୟାଖ୍ୟା କାରଣରୁ ଉତ୍ତରପ୍ରଦେଶର ୧୩ ହଜାରରୁ ଅଧିକ ମଦ୍ରାସାରେ ପଢ଼ୁଥିବା ୧୨ ଲକ୍ଷରୁ ଅଧିକ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ଏହିମାମଲାର ବିଚାର କରି ମଦ୍ରାସା ଗୁଡିକୁ ବ୍ୟାନ କରିବା ପରିବର୍ତ୍ତେ ମୁଖ୍ୟଧାରାରେ ସାମିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏ ପ୍ରସଙ୍ଗରେ ଏକ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଯେ କ’ଣ ମଦ୍ରାସା ମୁଖ୍ୟଧାରାରେ ସାମିଲ ହେବା ପାଇଁ ପ୍ରସ୍ତୁତ? କ’ଣ ମଦ୍ରାସା ଏକ ନିର୍ଦ୍ଦିଷ୍ଟ ଧର୍ମ ସହ ଜଡିତ ମାମଲା ନୁହେଁ କି? ମାନ୍ୟବର ସୁପ୍ରିମ କୋର୍ଟଙ୍କ ମତ ହେଉଛି ମଦ୍ରାସା ଗୁଡିକୁ ବ୍ୟାନ/ବନ୍ଦ କରିବା ପରିବର୍ତ୍ତେ ମଦ୍ରାସାର ପାଠ୍ୟକ୍ରମକୁ ସମୟର ଆବଶ୍ୟକତା ଏବଂ ରାଷ୍ଟ୍ରୀୟ ବିଚାରଧାରାର ଅନୁରୂପ କରାଯିବା ଆବଶ୍ୟକ । ଏପରିକି ଏସବୁ ସମ୍ବିଧାନର ମୂଳ ଭାବନାର ଅନୁରୁପ ହେବା ଆବଶ୍ୟକ । ଏହା ହେଲେ ମଦ୍ରାସାରେ ପଢ଼ୁଥିବା ଛାତ୍ର ମାନଙ୍କର ବ୍ୟାପକ ଦୃଷ୍ଟିକୋଣ ବିକଶିତ ହୋଇ ପାରିବ । କିନ୍ତୁ ଏହା କ’ଣ ସମ୍ଭବ ହୋଇପାରିବ? କ’ଣ ମଦ୍ରାସା ତାର ପାଠ୍ୟକ୍ରମକୁ ସଂକୀର୍ଣ୍ଣତାରୁ ମୁକ୍ତ କରି ବ୍ୟାପକ ପରିବେଶକୁ ନୂଆ ରୂପ ଦେଇପାରିବ? ଏଭଳି ହୋଇ ପାରିଲେ ମାନ୍ୟବର କୋର୍ଟଙ୍କ ମାନସିକତା ଅନୁସାରେ ଭାରତର ଏକତା ଏବଂ ଅଖଣ୍ଡତା ବଜାୟ ରହିପାରିବ । କୋର୍ଟ ଏ ପ୍ରସଙ୍ଗରେ କହିଛନ୍ତି ଯେ କୌଣସି ପ୍ରକାରରେ ଧର୍ମ ନିରପେକ୍ଷତାର ଅବଧାରଣା ଦୁର୍ବଳ ହୋଇ ପଡିଲେ ଅନ୍ତତଃ ଏହାର ପ୍ରଭାବ ସମାଜ ଓ ଦେଶ ଉପରେ ପଡିଥାଏ । ଭାରତୀୟ ସମାଜରେ ହଜାର ହଜାର ବର୍ଷ ହେବ ଏମିତି ଏକ ସଂସ୍କୃତି ବିକଶିତ ହୋଇଛି ଯେ ସବୁ ଧର୍ମ ଏବଂ ସଂପ୍ରଦାୟକୁ ସମାନତାରେ, ବନ୍ଧୁତ୍ୱ ଭାବନାରେ ଏବଂ ଉଦାରତା ରେ ହିଁ ଦେଖାଯାଇଥାଏ ।
ଏବେ ଧର୍ମ ନିରପେକ୍ଷତା ଶବ୍ଦକୁ ନେଇ ରାଜନେତା ଏବଂ ରାଜନୀତି ଦୁଇ ଭାଗରେ ବାଣ୍ଟି ହୋଇ ଯାଇଛି । ସମାଜ ମଧ୍ୟ ଦୁଇ ଭାଗରେ ବାଣ୍ଟି  ହୋଇଯାଇଛି । ଦେଶ ସ୍ୱାଧୀନ ହେବା ସମୟରେ ଏବଂ ସମ୍ବିଧାନ ପ୍ରଣୟନ କରିବା ବେଳେ ଇଂରେଜୀ ଶବ୍ଦ ‘ସିକୁ୍ୟଲାର’ର ଅର୍ଥ ଧର୍ମ ବୋଲି କୁହାଯିବା ଭ୍ରାମକ ନିଶ୍ଚୟ । ସେବେଠାରୁ ଧର୍ମ ନିରପେକ୍ଷ ଶବ୍ଦ କାରଣରୁ ବିଦ୍ୟାଳୟ ମାନଙ୍କରେ ଧାର୍ମିକ ଶିକ୍ଷା ଦିଆଯାଏ ନାହିଁ । ଏହି କାରଣରୁ ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ ବ୍ୟକ୍ତିତ୍ୱ ନିର୍ମାଣ ସମ୍ଭବ ହୋଇପାରୁନାହିଁ । ଏହି ଶବ୍ଦକୁ ନେଇ ଏବେ ବ୍ୟାପକ ଚର୍ଚ୍ଚା ହେଉଛି ଯେଉଁଥିପାଇଁ ବିଭିନ୍ନ ଧର୍ମର ଲୋକମାନଙ୍କ ମଧ୍ୟରେ ଥିବା ପୂର୍ବର ସୌହାର୍ଦ୍ୟ କମିବାରେ ଲାଗିଛି । କେବଳ ରାଜନେତା ନୁହଁନ୍ତି ଧର୍ମଗୁରୁ, ସାହିତି୍ୟକ ଏବଂ ଗଣମାଧ୍ୟମରେ ଏହି ଶବ୍ଦକୁ ନେଇ ଅନେକେ ଭିନ୍ନ ଭିନ୍ନ ବ୍ୟାଖ୍ୟା କରୁଛନ୍ତି । ଗଣତାନ୍ତ୍ରିକ ରାଷ୍ଟରେ କୌଣସି ସଂପ୍ରଦାୟ ଅଥବା ପନ୍ଥର ଆଧିପତ୍ୟ ବଢିଲେ ଏହା ଗଣତାନ୍ତ୍ରିକ ସ୍ୱରୂପକୁ ସୁରକ୍ଷିତ ରଖିପାରେ ନାହିଁ । ଏଇଥିପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରକୁ ସଂପ୍ରଦାୟ ଅଥବା ପନ୍ଥ ନିରପେକ୍ଷ ହେବା ଅନିବାର୍ଯ୍ୟ ଅଟେ । ସଂପ୍ରଦାୟିକ କଠୋରତାରେ ସହିଷ୍ଣୁତା ନଥାଏ ଏଣୁ ରାଜନୀତି କୌଣସି ସଂପ୍ରଦାୟ ବିଶେଷ ଅବଧାରଣାରେ ସଞ୍ଚାଳିତ ହେବା ଉଚିତ ନୁହେଁ । ଏଇଥିପାଇଁ ସମ୍ବିଧାନରେ ଧର୍ମ ନିରପେକ୍ଷ ସ୍ଥାନରେ ସମ୍ପ୍ରଦାୟ ନିରପେକ୍ଷ, ଧର୍ମ ନିରପେକ୍ଷ ଅଥବା ପନ୍ଥ ନିରପେକ୍ଷ ଶବ୍ଦର ପ୍ରୟୋଗ ହେବା ଉଚିତ୍ । ସଂପ୍ରଦାୟ ନିରପେକ୍ଷ ହେବାର ଅର୍ଥ ଧର୍ମ ନିରପେକ୍ଷ, ଧର୍ମ ହୀନ ବା ଧର୍ମବିରୋଧୀ ନୁହେଁ । ଧର୍ମ ନିରପେକ୍ଷ ଶବ୍ଦ ପାଇଁ ରାଜନୈତିକ ଦଳମାନେ ଭିନ୍ନ ଭିନ୍ନ ଗୋଷ୍ଠୀ ବାଣ୍ଟିି ହୋଇ ଯାଇଛନ୍ତି । ଏହା ଦ୍ୱାରା ଧର୍ମ ବିଶେଷକୁ ନେଇ ରାଜନୈତିକ ଦଳମାନେ ଭୋଟ ରାଜନୀତି କରିବାରେ ଲାଗିଛନ୍ତି । ଏହି କାରଣରୁ ଜଣେ ସନ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଏବଂ ପିଭି ନରସିଂହାରାଓଙ୍କୁ ପରାମର୍ଶ ଦେଇ ଏ ସନ୍ଦର୍ଭରେ ଅଧିକ ଚର୍ଚ୍ଚା କରାଯିବା ଆବଶ୍ୟକ ବୋଲି କହିଥିଲେ । ସନ୍ଥ ଜଣକ କହିଥିଲେ “ଯେ ପର୍ଯ୍ୟନ୍ତ ସିକୁଲାର ଶବ୍ଦର ସଠିକ୍ ଅର୍ଥ ବାହାର କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଏବଂ ନୈତିକ ମୂଲ୍ୟର ସମସ୍ୟା ସମାଧାନ ହୋଇପାରିବ ନାହିଁ । 
ରାଜୀବଗାନ୍ଧି ଏ ପ୍ରସଙ୍ଗରେ ବିଶେଷଜ୍ଞ ମାନଙ୍କର ପରାମର୍ଶ ମାଗିଥିଲେ ଓ ପରାମର୍ଶ ସବୁର ବିସ୍ତୁତ ଆଲୋଚନା କରିଥିଲେ ଓ ସମ୍ବିଧାନରେ ସିକୁଲାର ଶବ୍ଦର ଅର୍ଥ ଧର୍ମ ନିରପେକ୍ଷକୁ ପରିବର୍ତ୍ତନ କରାଯାଇ ସଂପ୍ରଦାୟ ନିରପେକ୍ଷ କରାଯାଇଥିଲା । ଅର୍ଥ ବଦଳାଇଦିଆଯାଇ ଥିଲେ ମଧ୍ୟ ଧର୍ମ ନିରପେକ୍ଷ ଶବ୍ଦ ପୂର୍ବବତ୍ ରହିଲା । ଏଇଥିପାଇଁ ସମ୍ବିଧାନର ୪୨ ତମ ସଂଶୋଧନକୁ ଚାଲେଞ୍ଜ କରି ଏକ ମାମଲା ସୁପ୍ରିମକୋର୍ଟଙ୍କ ବିଚାର ପାଇଁ ଆସିଥିଲା ଓ ସଂପୃକ୍ତ ମାମଲାର ବିଚାର କରି ମାନ୍ୟବର କୋର୍ଟ ପୁନର୍ବାର ଧର୍ମନିରପେକ୍ଷତା ସମ୍ବିଧାନର ବୁନିଆଦି ଢ଼ାଞ୍ଚା ବୋଲି କହିଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟପରେ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ସମ୍ବିଧାନ ସଂଶୋଧନ ଦ୍ୱାରା ପ୍ରସ୍ତାବନାରେ ଧର୍ମନିରପେକ୍ଷ ଶବ୍ଦ ରହିବାର ଅର୍ଥ ହେଉଛି ଧର୍ମ ନିରପେକ୍ଷତା ସଂବିଧାନର ଏକ ଗୁରୂତ୍ୱପୂର୍ଣ୍ଣ ଅଂଶ । କୋର୍ଟ ଏକଥା ମଧ୍ୟ କହିଛନ୍ତି ଯେ ଧର୍ମ ନିରପେକ୍ଷତା ହେଉ ବା ସମାଜବାଦ ଏହାକୁ ୟୁରୋପୀୟ ସନ୍ଦର୍ଭରେ ଦେଖିବାର ଆବଶ୍ୟକତା ନାହିଁ । ଭାରତୀୟ ପରିବେଶରେ ଏହି ଶବ୍ଦ ମୂଲ୍ୟ, ସଂକଳ୍ପନା, ଅବଧାରଣାର ଅନୁରୁପ । ଭାରତୀୟ ସମାଜ ମଧ୍ୟ ଏହି ଶବ୍ଦକୁ ସହଜରେ ଗ୍ରହଣ କରିନେଇଛି । ଏହି କାରଣରୁ ମାନ୍ୟବର କୋର୍ଟ ଧର୍ମନିରପେକ୍ଷତା ଶବ୍ଦକୁ ଭାରତୀୟ ସମ୍ବିଧାନର ମୂଳ ସ୍ୱର ବୋଲି କହିବା ସହ ଏହାର ସଙ୍କୁଚିତ ବ୍ୟାଖ୍ୟା କରାଯିବା ଉଚିତ୍ ନୁହେଁଁ ବୋଲି କହିଛନ୍ତି ।
ରାମଚନ୍ଦ୍ର ପୁର, ରଣପୁର
ମୋ – ୯୪୩୮୪୮୫୦୯୪