ସାଉଦି ଆରବକୁ ଭିକାରି ମନା
ବିଭିନ୍ନ ଧର୍ମରେ ଧାର୍ମିକ କାର୍ଯ୍ୟକଳାପ ସହିତ ଗରିବ ଲୋକଙ୍କୁ ଦାନ ଦେଇ ପୁଣ୍ୟ ଅର୍ଜନର ଏକ ଚଳଣି ରହିଛି । ମୁସଲମାନ୍ ଧର୍ମର ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟରେ ବା ରମ୍ଜାନ୍ ମାସରେ ଧାର୍ମିକ ଶ୍ରଦ୍ଧାଳୁମାନେ ସାଉଦି ଆରବର ମକ୍କା ଏବଂ ମଦିନା ସହରକୁ ହଜ୍ ଯାତ୍ରା କରିବା ଉଦେ୍ଦଶ୍ୟରେ ଯାଇଥାନ୍ତି । ହଜ୍ ଯାତ୍ରା ହେଉଛି ମୁସଲମାନ୍ ଧର୍ମର ସବୁଠାରୁ ପବିତ୍ର କାର୍ଯ୍ୟ । ଏହି ସମୟରେ ସାଉଦି ଆରବକୁ ସାରା ପୃଥିବୀରୁ କୋଟି କୋଟି ଶ୍ରଦ୍ଧାଳୁ ହଜ୍ ଯାତ୍ରାରେ ଆସିଥାନ୍ତି । କିନ୍ତୁ ହଜ୍ ଯାତ୍ରାକୁ ଭିକ୍ଷା ମାଧ୍ୟମରେ ରୋଜଗାର କରିବାକୁ କିଛି ଲୋକ ସୁଯୋଗ ବୋଲି ଭାବନ୍ତି । ହଜ୍ ଯାତ୍ରୀ ଭାବରେ ସେମାନେ ବିଭିନ୍ନ ଦେଶରୁ ଭିସା ପାଇ ସାଉଦି ଆରବରେ ଆସି ପହଞ୍ଚନ୍ତି । ଭିସାରେ ଯଦିଓ ତୀର୍ଥଯାତ୍ରୀ ବୋଲି ଲେଖନ୍ତି, ହେଲେ ପ୍ରକୃତରେ ସେମାନେ ହେଉଛନ୍ତି ଭିକାରି । ଏହି ଭିକାରିମାନଙ୍କ ସଂଖ୍ୟା ହଜ୍ ଯାତ୍ରା ସମୟରେ ଏତେ ପରିମାଣରେ ବଢ଼ିଯାଉଛି ଯେ ତାହା ସାଉଦି ଆରବ ପାଇଁ ଏକ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହି ଭିକାରୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସାଉଦି ଆରବ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ବୋଧହୁଏ ପାକିସ୍ତାନ୍ର ସର୍ବାଧିକ ଭିକାରୀ ସାଉଦି ଆରବକୁ ଯାଉଥିବାରୁ ହଜ୍ ଯାତ୍ରା ନାମରେ ଭିକାରୀଙ୍କୁ ନ ପଠାଇବା ପାଇଁ ପାକିସ୍ତାନ୍କୁ ଚେତାବନୀ ଦିଆଯାଇଛି । ପୂର୍ବରୁ ଅନେକ ବାର ଏହିଭଳି ଘଟଣା ଘଟିଲାଣି । ବିପୁଳ ସଂଖ୍ୟାରେ ଭିକାରୀମାନେ ସାଉଦି ଆରବକୁ ଯାଇ ବିପୁଳ ଅର୍ଥ ଉପାର୍ଜନ କରୁଛନ୍ତି । ଅନ୍ୟପକ୍ଷରେ ଏହି ଭିକାରୀମାନଙ୍କର ସାଉଦି ଆରବରେ ସାମୟିକ ଭାବରେ ଥଇଥାନ କରାଯିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି ।
ସର୍ବନିମ୍ନ ଖର୍ଚ୍ଚରେ ଭିକ୍ଷା ମାଧ୍ୟମରେ ସର୍ବାଧିକ ରୋଜଗାର କରିବାର ଉଦେ୍ଦଶ୍ୟ ରଖିଥିବା ଭିକାରୀମାନେ ଧାର୍ମିକ ଦୃଷ୍ଟିକୋଣରୁ ଏକ ପ୍ରକାରର ମିଛ ବା ପ୍ରତାରଣା ମଧ୍ୟ କରୁଛନ୍ତି । ଧର୍ମଦୃଷ୍ଟିରୁ ଏହା ମଧ୍ୟ ଏକ ପାପ । ତେଣୁ ଏତେ ସଂଖ୍ୟକ ଭିକାରୀଙ୍କୁ ମାସେ ପାଇଁ ସାଉଦି ଆରବରେ ସ୍ଥାନ ଦେଇ ତୀର୍ଥଯାତ୍ରୀ ନାମରେ ରଖିବା ଫଳରେ ସେମାନେ ପ୍ରକୃତ ତୀର୍ଥଯାତ୍ରୀମାନଙ୍କ ପାଇଁ ରହିବା ଖାଇବା ଆଦିର ବ୍ୟବସ୍ଥାରେ ଦୁରୁପଯୋଗ ମଧ୍ୟ କରୁଛନ୍ତି । ଥରେ କୌଣସି ଦେଶର ଭୌଗୋଳିକ ସୀମା ଭିତରକୁ ଜଣେ ପଶିଗଲେ ସେହି ଦେଶର ଉତ୍ପାଦିତ ଖାଦ୍ୟଦ୍ରବ୍ୟ ଓ ନାଗରିକମାନଙ୍କ ପାଇଁ ରହିଥିବା ଅନ୍ୟାନ୍ୟ ସୁବିଧା ସେମାନେ ଉପଭୋଗ କରନ୍ତି । ସୀମିତ ସଂଖ୍ୟକ ଲୋକଙ୍କ ପାଇଁ ରହିଥିବା ନାଗରିକ ସୁବିଧା ଗୁଡ଼ିକୁ ହଠାତ୍ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଯଦି ଭାଗ ବସାଇବାକୁ ଚେଷ୍ଟା କରନ୍ତି, ତାହା ହେଲେ ତାହା ନିଶ୍ଚିତ ରୂପେ ଏହା ପ୍ରକୃତ ହିତାଧିକାରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ସେ ଦୃଷ୍ଟିରୁ ସାଉଦି ଆରବ ପାକିସ୍ତାନ୍କୁ ଦେଇଥିବା ଚେତାବନୀର ଯଥାର୍ଥତା ରହିଛି ।
ଆଉ ଗୋଟିଏ ଦୃଷ୍ଟିରୁ ବିଶ୍ଳେଷଣ କରିଲେ ଦେଖାଯାଉଛି ଯେ ପାକିସ୍ତାନ୍ରେ ଅର୍ଥନୀତିକ ସମସ୍ୟା ଉକ୍ରଟ ହେଉଥିବାରୁ ଲୋକେ ବଞ୍ଚିବା ପାଇଁ ଭିକ୍ଷାବୃତ୍ତିକୁ ଅଧିକରୁ ଅଧିକ ଭାବରେ ଗ୍ରହଣ କରିଲେଣି । ଏହା ପାକିସ୍ତାନ୍ ପାଇଁ ମଧ୍ୟ ଏକ ଲଜ୍ଜାର ବିଷୟ । ତେଣୁ ଧର୍ମୀୟ ଦୃଷ୍ଟିକୋଣରୁ ଏବଂ ଏକ ରାଷ୍ଟ୍ରର ମର୍ଯ୍ୟାଦା ଦୃଷ୍ଟିରୁ ପାକିସ୍ତାନ୍ ହଜ୍ ଯାତ୍ରୀମାନଙ୍କ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏହା କେବଳ ଏକମାତ୍ର ପାକିସ୍ତାନ୍ କ୍ଷେତ୍ରରେ ନୁହେଁ, ଆହୁରି ଅନେକ ରାଷ୍ଟ୍ରରେ ମଧ୍ୟ ଧର୍ମଯାତ୍ରା ନାମରେ ଗରିବ ଲୋକମାନେ ସାଉଦି ଆରବକୁ ଚାଲି ଆସୁଛନ୍ତି ଏବଂ ସେଠାରେ ପହଞ୍ଚିବା ପରେ ଭିକ୍ଷାବୃତ୍ତି କରୁଛନ୍ତି । ତେଣୁ ଧର୍ମର ମହନୀୟତା ଦୃଷ୍ଟିରୁ ଏଭଳି କାର୍ଯ୍ୟକୁ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରମାନେ ମଧ୍ୟ ନିରୁତ୍ସାହିତ କରିବାର ଆବଶ୍ୟକତା ରହିଛି । ଧର୍ମ ନାମରେ ରହିଥିବା ଏକ ପ୍ରଥାକୁ ନିଜର ରୋଜଗାର ଉଦେ୍ଦଶ୍ୟରେ ବ୍ୟବହାର କରିବା କେବେ ବି ଗ୍ରହଣୀୟ ନୁହେଁ ।