କେଣେ ମନ ଦୁର୍ଯେ୍ୟାଧନ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା କେଣେ ଦୁର୍ଯେ୍ୟାଧନକୁ ନେଇ କିଛି ସାରଗର୍ଭକ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଆମ ଗର୍ବ, ଅହଙ୍କାର, ଦର୍ପ-ଏସବୁ ତୁଟିବା ପାଇଁ ବେଶୀ ସମୟ ଲାଗେ ନାହିଁ । ଗୋଟିଏ ମୁହୂର୍ତ୍ତରେ ସବୁକିଛି ଚୁର୍ମାର ହୋଇଯାଏ, ଧୂଳିସାତ୍ ହୋଇଯାଏ ।
ମନୁଷ୍ୟ ନିଜର ଶକ୍ତି, କ୍ଷମତା, ଟଙ୍କା, ଜନବଳ, ବାହୁବଳ ଆଦିକୁ ନେଇ ଗର୍ବ କରେ । ଅହଙ୍କାର କ୍ଷେତ୍ରରେ ଆମେ ଦୁର୍ଯେ୍ୟାଧନଙ୍କର ଉଦାହରଣ ଦଉ । କଥାରେ କହୁନେ "କାହିଁକିରେ ଏମିତି ଦୁର୍ଯେ୍ୟାଧନ ଭଳି ହଉଚୁ?'' ମାନେ ଏ ପ୍ରକାର ଅହଙ୍କାର କେଣେ ଦେଖଉଚୁ? ପ୍ରତ୍ୟେକ ବ୍ୟକ୍ତି ଭିତରେ କିଛି ନା କିଛି ଅହଙ୍କାର ଅଛି । ଏହି ଅହଙ୍କାରକୁ ନେଇ କିଛିଲୋକ ନିରୀହ ଏବଂ ଦୁର୍ବଳ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର କରିବା ସହିତ ଅଯଥାରେ ବା ବିନା କାରଣରେ ସେମାନଙ୍କ ଉପରେ ନିଜର କର୍ତ୍ତୃତ୍ୱ ଦେଖାନ୍ତି କିମ୍ବା ଅପମାନିତ କରିଥାନ୍ତି । ନିଜ ଆଖିରେ ଦେଖିଥିବା ପୃଥିବୀକୁ ସବୁଠାରୁ ବଡ ବୋଲି ଭାବନ୍ତି ଆଉ ଏ ପୃଥିବୀଟା କେବଳ ତାଙ୍କ ପାଇଁ ନିଜର ବୋଲି ଗର୍ବ ମଧ୍ୟ କରନ୍ତି । ପୃଥିବୀର ବିଶାଳତା ଏବଂ ପୃଥିବୀର କ୍ଷଣଭଙ୍ଗୁର ସ୍ଥିତିକୁ ଅହଙ୍କାରୀ ଏବଂ ଗର୍ବୀମାନେ ଦେଖିନଥାନ୍ତି । ଅନ୍ୟମାନଙ୍କ ତୁଳନାରେ ଖୁବ୍ କମ୍ ସମୟରେ ନିଜେ କୌଣସି ସଫଳତା ପାଇ ଯାଇଥିବାରୁ ସେମାନେ ଦୁର୍ଯ୍ୟୋଧନ ରଜା ଭଳି ହୁଅନ୍ତି । ଦୁର୍ଯେ୍ୟାଧନ ଭଳି ହେଉଥିବା ମଣିଷଟା କିନ୍ତୁ ଭାବିପାରେନି ଯେ, ଦୁର୍ଯେ୍ୟାଧନ ନିଜର ଶେଷ ମୁହୂର୍ତ୍ତରେ ନିଜ ଅହଙ୍କାରକୁ ନେଇ କିଛି ପାଇନାହିଁ ବୋଲି । ଅହଂ ହିଁ ଦୁର୍ଯେ୍ୟାଧନ ଚରିତ୍ର ପତନର କାରଣ ।
ଅଳ୍ପ ସମୟ ମଧ୍ୟରେ ଯେଉଁ ସଫଳତା ଅନ୍ୟମାନଙ୍କୁ ମିଳେ ନାହିଁ, ସେହି ସଫଳତା କିଛି ଲୋକଙ୍କୁ ମିଳିଯାଉଥିବାର ଅନେକ ଘଟଣା ଅଛି । ଏଭଳି ପରିସ୍ଥିିତିରେ ଗର୍ବୀମାନେ ନିଜକୁ ସବୁଠାରୁ ଜ୍ଞାନୀ, ସବୁଠାରୁ ଦକ୍ଷ ଏବଂ ନିଜକୁ ଏକମାତ୍ର ଯୋଗ୍ୟ ବୋଲି ବାହାରକୁ ଦେଖେଇ ହୁଅନ୍ତି । କେହି ନ ଦେଖିଥିବା ଅନ୍ଧକାରରେ କାହା ଗୋଡ ଧରି କିମ୍ବା ପଦଲେହନ ଏ ସଫଳତା ମିଳିଛି, ସେକଥା ସେମାନେ ନିଜେ ହିଁ ଖୁବ୍ ଭଲ ଭାବରେ ଜାଣନ୍ତି । ଅନ୍ୟମାନେ କେହି, କିଛି ଜାଣିନାହାନ୍ତି ବୋଲି ଭାବନ୍ତି ।
କୌରବ ସାମ୍ରାଜ୍ୟ ଏକ ବିରାଟ ଅନୁଷ୍ଠାନ । ମାତ୍ର ଅଠର ଦିନର ଯୁଦ୍ଧରେ "ଆହା'' ବୋଲି କହିବାକୁ କେହି ବଞ୍ଚିଲେ ନାହିଁ । ଏହି ଘଟଣାଗୁଡିକ ଧର୍ମ ଗ୍ରନ୍ଥ ଆକାରରେ ଲୋକମାନଙ୍କୁ ଚେତାଇ ଦେବା ପାଇଁ ଲିପିବଦ୍ଧ । ହେଲେ ଆମ ବୁଝିଲେ ତ ?
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।