ନିଶୀଥେ ବରଦା ଲକ୍ଷ୍ମୀଃ 

ସୌନ୍ଦର୍ଯ୍ୟ, ଧନ ଓ ଉତ୍ପାଦନର ଦେବୀ ଲକ୍ଷ୍ମୀଙ୍କର ଅନେକ ରୂପ ଅଛି  । ଯେମିତି ମା'ଦୁର୍ଗାଙ୍କର ନ'ଟି ରୂପ, ସେମିତି ମା'ଲକ୍ଷ୍ମୀଙ୍କର ଆଠଟି ରୂପ  । ସେମାନଙ୍କୁ ଅଷ୍ଟଲକ୍ଷ୍ମୀ କୂୁହାଯାଏ  । ପୁରାଣରେ ବର୍ଣ୍ଣନା ଅଛି ମା'ଲକ୍ଷ୍ମୀ ପ୍ରଦାନ କରୁଥିବା ଧନ ୧୬ ପ୍ରକାରର  । ଏହି ଷୋଡ଼ଶ ଧନ ହେଉଛି - ଜ୍ଞାନ, ବୁଦ୍ଧିମତ୍ତା, ଶକ୍ତି, ବୀରତ୍ୱ, ସୌନ୍ଦର୍ଯ୍ୟ, ପରାକ୍ରମ, ଖ୍ୟାତି, ଅଭିଳାଷା, ନୈତିକତା, ସ୍ୱର୍ଣ୍ଣ, ଶସ୍ୟ, ଖୁସି, ପରମାନନ୍ଦ, ସ୍ୱାସ୍ଥ୍ୟ, ଆୟୁଷ ଓ ପରାକ୍ରମୀ ସନ୍ତାନ  । ଲକ୍ଷ୍ମୀଙ୍କର ଅଷ୍ଟସ୍ୱରୂପ ମନୁଷ୍ୟ ନିମନ୍ତେ ଆବଶ୍ୟକ ଏହି ଷୋଡ଼ଶ ଧନର ଆବଶ୍ୟକତା ପୂରଣ କରନ୍ତି  । ମା'ଲକ୍ଷ୍ମୀଙ୍କର ଏହି ଆଠ ରୂପ ହେଉଛି -  ଆଦି ଲକ୍ଷ୍ମୀ ବା ମହାଲକ୍ଷ୍ମୀ, ଧନ ଲକ୍ଷ୍ମୀ ବା ଐଶ୍ୱର୍ଯ୍ୟ ଲକ୍ଷ୍ମୀ, ଧାନ୍ୟ ଲକ୍ଷ୍ମୀ, ରଜ ଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀ, ବୀରଲକ୍ଷ୍ମୀ ବା ଧୈର୍ଯ୍ୟ ଲକ୍ଷ୍ମୀ, ବିଦ୍ୟା ଲକ୍ଷ୍ମୀ, ବିଜୟଲକ୍ଷ୍ମୀ ବା ଜୟଲକ୍ଷ୍ମୀ  ।
    ଓଡ଼ିଆ ଚିନ୍ତା ଚେତନାରେ କୁମାର ଉତ୍ସବ ବା କୁମାର ପୁର୍ଣ୍ଣିମା ଅନ୍ୟତମ  । ଆଶ୍ୱିନ ମାସ ପୂର୍ଣ୍ଣିମୀ ତିଥିରେ ଏହି ପର୍ବଟି ପାଳିତ ହୁଏ  । ଏହି ଦିନ ଜଗତ୍ମାତା ବା ଲକ୍ଷ୍ମୀ ଦେବୀଙ୍କ ପୂଜା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା କୁହାଯାଏ  । ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଶ୍ରୀ ଲକ୍ଷ୍ମୀ  । ଶାରଦୀୟ ପୂର୍ଣ୍ଣିମାରେ ଲକ୍ଷ୍ମୀ ଦେବୀଙ୍କର ଆରାଧାନା କରିବା ତ ସ୍ୱାଭାବିକ କଥା  । ଶରତର ଶେଷ ସହିତ ହେମନ୍ତର ଆଗମନ  । ଶସ୍ୟ ସବୁଜିମାରେ ପରିପୂର୍ଣ୍ଣ ଧରିତ୍ରୀ କେଉଁଠି କେମିତି ପାଚିଲା ଧାନକିଆରୀର ସୁନେଲି ଆଡ଼ମ୍ବର  । ବର୍ଷାଋତୁତ ଧରାପୃଷ୍ଠରୁ ବିଦାୟ ନେଇ ସାରିଥାଏ ତେଣୁ ନିର୍ମଳ ଆକାଶ, ନଦୀ, ପୁଷ୍କରିଣୀର ଜଳରାଶି ଅନାବିଳ  । ସତେଯେପରି ମାଆ ଧରିତ୍ରୀ ହସୁଛନ୍ତି  । ଏହି ସମୟରେ ଗଜପୃଷ୍ଠରେ ଲକ୍ଷ୍ମୀ ଦେବୀଙ୍କର ହୁଏ ପଦାର୍ପଣ  । ଭକ୍ତିପୂତ ହୃଦୟର ନିବେଦନ ଶୁଣି ମହାଲକ୍ଷ୍ମୀ ରାତ୍ରୀ ସମୟରେ ଭକ୍ତ ଗୃହରେ ଉପସ୍ଥିତ ହୋଇ କୁହନ୍ତି "ନିଶୀଥେ ବରଦା ଲକ୍ଷ୍ମୀଃ କୋ ଜାଗର୍ତ୍ତୀ ଭାଷିନୀ, ତସ୍ମୈ ବିତଂ ପ୍ରୟଚ୍ଛାମିସ୍ମ÷ଃ ଅତ୍ରେୀଡ଼ାଂ କରୋତି ଯଃ'  । ଯିଏ ରାତ୍ର ଉଜାଗର ରହି ପଶାଖେଳରେ ନିଯୁକ୍ତ ରହେ ତାହାକୁ ହିଁ ଲକ୍ଷ୍ମୀ ଦେବୀ ବରପ୍ରଦାନ କରନ୍ତି  । ମୃତୁ୍ୟର କରାଳ କବଳରେ ନବଜାତକ ଅକସ୍ମାତ ପତିତ ହେବା କିମ୍ବା ପୌଷର ଶୁଷ୍କପତ୍ର ତୁଲ୍ୟ ବୃଦ୍ଧଗଣ ମୃତୁ୍ୟ ପ୍ରତୀକ୍ଷାରେ ଅତିଷ୍ଠ ହୋଇ ଉଠିବା - ଏତ ସଂସାରର ନିୟମ  । ଏହାର ବ୍ୟଞ୍ଜନାତ୍ମକ ଅଭିବ୍ୟକ୍ତ ହେଉଛି ପଶାଖେଳ  । ତେଣୁ କୁମାର ପୂର୍ଣ୍ଣମୀରେ ପଶାଖେଳର ପ୍ରଚଳନ - ଏଇ ସାଂସାରିକ ତତ୍ତ୍ୱର ଉପଲବ୍ଧି ପାଇଁ  । 
ସନ୍ଧ୍ୟାର ପୂଜା ଉତ୍ସବ ବେଳେ ମଧ୍ୟ ଆକାଶରୁ ଗୋଧୂଳିର ରକ୍ତିମା ଲିଭି ନଥାଏ କିମ୍ବା ପୂର୍ଣ୍ଣମୀ ଜହ୍ନ ତାର ସମୁଦାୟ କାନ୍ତି ପ୍ରକାଶ କରିନଥାଏ  । ଏହିପରି ମଧୁର ସନ୍ଧିବେଳାରେ ଚନ୍ଦ୍ର ପୂଜାର ଆୟୋଜନ ହୁଏ  । ତେଣୁ ଏମାନେ ଏକକାଳୀନ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟର ପୂଜା କରି ନିଜର ସୌଭାଗ୍ୟ କାମନା କରିଥାନ୍ତି  । କୁମାରୀମାନେ କୌତୁକ କ୍ରୀଡ଼ାକରି କୁମାର ପୂର୍ଣ୍ଣମୀ ରାତି୍ରଟି ଉଜାଗରରେ କଟାଇ ଦିଅନ୍ତି  । ଏହି ପର୍ବ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏବଂ ଏ ଦିନ ଓଡ଼ିଶାବାସୀ ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି  । 
ଯଶସ୍ୱିନୀ ପଟ୍ଟନାୟକ