ଶାନ୍ତିକାମୀ ଲାଲ ବାହାଦୁର ଶାସ୍ତ୍ରୀ

ହିମାଂଶୁ ଶେଖର:ଇତିହାସ ପୃଷ୍ଠାରେ ଏପରି କେତେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଜାତିର ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି । ଏଇ ମାନବୀୟ ମୂଲ୍ୟବୋଧକୁ ଜୀବନରେ ମହାମନ୍ତ୍ର କରି କାର୍ଯ୍ୟ କରିପାରିଥିବା ମଣିଷ ହିଁ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି ।  । ସେହିଭଳି ଜଣେ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଶାନ୍ତିର ଶ୍ରେଷ୍ଠ ଉପାସକ, “ଜୟ ଯବାନ-ଜୟ କିଷାନ” ସ୍ଳୋଗାନର ପ୍ରବକ୍ତା  ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ । ସରଳ ଓ ନିରାଡମ୍ବର ଜୀବନ ଥିଲା ତାଙ୍କ ଚରିତ୍ରର ଅନ୍ୟତମ ବୈଶିଷ୍ଟ୍ୟ । ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ନିଜର ବାସସ୍ଥଳୀ ବ୍ୟତୀତ ଅନ୍ୟ କେଉଁଠାରେ ତାଙ୍କର ଗୁଣ୍ଠେ ମଧ୍ୟ ଜମି ନ ଥିଲା ବା ବ୍ୟାଙ୍କରେ ଟଙ୍କାଟିଏ ନ ଥିଲା । 
ଅକ୍ଟୋବର ଦୁଇ ତାରିଖ ହେଉଛି ଆମ ଦେଶ ପାଇଁ ଏକ ଚିରସ୍ମରଣୀୟ ଦିବସ । ସେହିଦିନ  ସତ୍ୟ ଓ ଅହିଂସାର ପୂଜାରୀ, ମହାମାନବ ମହାତ୍ମା ଗାନ୍ଧି  ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମଦିବସରେ ତାଙ୍କର ସମସ୍ତ ଗୁଣକୁ ଧାରଣ କରି ଲାଲବାହାଦୁର ଶାସ୍ତ୍ରୀ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ପବିତ୍ର ଗଙ୍ଗାନଦୀ କୂଳରେ ଉତ୍ତରପ୍ରଦେଶର ମୋଗଲ ସରାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସାରଦା ପ୍ରସାଦ ଶ୍ରୀବାସ୍ତବ ଓ ମାତାଙ୍କ ନାମ ରାମଦୁଲାରୀ ଦେବୀ । ତୁଳସୀ ଦୁଇ ପତ୍ରରୁ ବାସିଲାପରି ବାଲ୍ୟକାଳରୁ  ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ସେ । ପରିବାରର ଆର୍ଥିକ ସ୍ଥତି ଓ ପିତୃ ବିୟୋଗ ତାଙ୍କର ଭବିଷ୍ୟତ ଗଢିବାରେ ପ୍ରତିବନ୍ଧକ ସାଜିନଥିଲା ।ଏହି ଦୁର୍ଦ୍ଦିନରେ ମାତା ରାମଦୁଲାରୀ ପୁଅକୁ ମଣିଷ ପରି ମଣିଷଟିଏ ଗଢିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ । ଦୃଢ ଇଛାଶକ୍ତି ଓ ଅଦମ୍ୟ ସାହସ ବଳରେ ଲାଲ ବାହାଦୁର କାଶୀ ବିଦ୍ୟାପୀଠରୁ ସଂସ୍କୃତ ପଢି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ ତାଙ୍କୁ ଶାସ୍ତ୍ରୀ ଉପାଧି ମିଳିଥିଲା । ସେହିଦିନଠାରୁ ଶ୍ରୀବାସ୍ତବ ପରିବର୍ତ୍ତେ ଶାସ୍ତ୍ରୀ ସାଙ୍ଗିଆରେ ପରିଚିତ ହେଲେ ସେ ।    ୧୯୨୧ ମସିହାର କଥା । ସେତେବେଳକୁ ଗାନ୍ଧିଜୀଙ୍କର ଅସହଯୋଗ ଆନେ୍ଦାଳନର ଡାକରା ସାରା ଭାରତବର୍ଷରେ ନୂତନ ଆଲୋଡନ ସୃଷ୍ଟି କରିଥାଏ । ଲୋକମାନ୍ୟ ତିଲଙ୍କର ଗୋଟିଏ କଥା - “ସ୍ୱରାଜ ମୋର ଜନ୍ମଗତ ଅଧିକାର” ତାଙ୍କ ହୃଦୟକୁ ବେଶ୍ ପ୍ରଭାବିତ କରିଥିଲା । ଅସହଯୋଗ ଆନେ୍ଦାଳନରେ ଯୋଗଦେଇ ଲାଲବାହାଦୁର ଗିରଫ ହୋଇଥିଲେ । ଏହାପରେ   ପାଠପଢାରେ ତାଙ୍କର ଡୋରି ବନ୍ଧାହେଲା । ଏଥିସହିତ ୧୯୩୦ ମସିହା ଲବଣ ସତ୍ୟାଗ୍ରହ ଓ ୧୯୪୨ ମସିହା ଭାରତ ଛାଡ ଆନେ୍ଦାଳନରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଲାଲବାହାଦୁର ସର୍ବଦା ନିଜ କର୍ମ ଉପରେ ବିଶ୍ୱାସ କରିଥିଲେ । ନିଷ୍କାମ ସାଧନା ଯେ ମନୁଷ୍ୟକୁ ସଫଳତାର ଶିଖରରେ ପହଞ୍ଚାଇପାରେ ତାହା ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ସେଥିପାଇଁ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବହୁ ବଡବଡ ପଦବୀରେ ଅଧିଷ୍ଠିତ ହୋଇଥିଲେ । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ଲାଲବାହାଦୁର ଉତ୍ତରପ୍ରଦେଶର ନୂତନ ସରକାରରେ ମନ୍ତ୍ରୀପଦ ଗ୍ରହଣ କରିବା ସହିତ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭଳି ଗୁରୁଦାୟିତ୍ୱକୁ ସଫଳତାର ସହ ତୁଲାଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ୧୯୫୬ ମସିହାରେ କେନ୍ଦ୍ରରେ ରେଳମନ୍ତ୍ରୀ ଭାବେ ଯୋଗଦେଲେ ସେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କରି ମନ୍ତ୍ରୀତ୍ୱ କାଳରେ ତାମିଲନାଡୁର ଆରୟାଲୁର ଠାରେ ଏକ ଟ୍ରେନ୍ ଦୁର୍ଘଟଣାରେ ୧୫୦ ଜଣ ଯାତ୍ରୀ ମୃତୁ୍ୟବରଣ କରିଥିଲେ । ଏଥିରେ ମର୍ମାହତ ହୋଇ ଶାସ୍ତ୍ରୀଜୀ ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପଣ୍ଡିତ ନେହେରୁ ତାଙ୍କୁ ଇସ୍ତଫା ପତ୍ର ଫେରାଇ ନେବାକୁ ଅନୁରୋଧ କରିଥିଲେ । ମାତ୍ର ବ୍ୟଥାଭରା କଣ୍ଠରେ ସେ କହିଥିଲେ - “ପଣ୍ଡିତଜୀ ସେ ଦୁର୍ଘଟଣାର କରୁଣଦୃଶ୍ୟ ମୁଁ କେବେ ଭୁଲିପାରିବି ନାହିଁ । ମୋ ବିଭାଗର ଦୁର୍ଘଟଣା ପାଇଁ ମୁଁ ପରୋକ୍ଷରେ ଦାୟୀ ନୁହେଁ କି? ତେଣୁ, ମନ୍ତ୍ରୀମଣ୍ଡଳରେ ରହି ଲୋକଙ୍କର ବିଶ୍ୱାସଭାଜନ ହେବା ମୋର ଆଉ ନୈତିକ ଅଧିକାର ନାହିଁ ।”ତାଙ୍କର ନୂତନ ଆଦର୍ଶ ଦେଖି ପଣ୍ଡିତ ନେହେରୁ ମଧ୍ୟ ଚକିତ ହୋଇଯାଇଥିଲେ । ଏଭଳି ଚରମ ତ୍ୟାଗର ଉଦାହରଣ ପୃଥିବୀ ଇତିହାସରେ ବିରଳ କହିଲେ ଅତୁ୍ୟକ୍ତି ହେବନାହିଁ ।
ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରିୟ ଶିଷ୍ୟ, ନବ ଭାରତର ନିର୍ମାତା, ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୯୬୪ ମସିହା ସେ ମାସ ୨୭ ତାରିଖରେ ମୃତୁ୍ୟ ହେଲା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରିଲା ତାଙ୍କ ପରେ ଏ ଦେଶର ପ୍ରଧାନମନ୍ତ୍ରୀ କିଏ ହେବ? ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଲା । ୧୯୬୪ ମସିହା ଜୁଲାଇ ୮ ତାରିଖ ଦିନ ଶାସ୍ତ୍ରୀଜୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ । ପ୍ରଧାନମନ୍ତ୍ରୀ ହେବାପରେ ଭାରତରୁ ଖାଦ୍ୟ ସମସ୍ୟା ଦୂର କରିବା ଓ ଦରିଦ୍ରଲୋକଙ୍କୁ ବାସଗୃହ ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଲୋକମାନେ ଯେପରି ଦୁଇଓଳି ଶାନ୍ତିରେ ଓ ଆନନ୍ଦରେ ପେଟପୁରା ଖାଇବାକୁ ପାଇବେ ସେଥିପାଇଁ ସେ ଅଗ୍ରାଧିକାର ଦେଇଥିଲେ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଗତି ପଥରେ ଆଗେଇଥିଲା । ଆମ ଦେଶର ପ୍ରଗତିରେ ଇର୍ଷାନ୍ୱିତ ହୋଇ ପାକିସ୍ତାନ ୧୯୬୫ ମସିହାରେ ଆମ ଦେଶକୁ ଆକ୍ରମଣ କଲା । ମାତ୍ର ଶାନ୍ତିକାମୀ ଶାସ୍ତ୍ରୀଜୀ ଏଥିରେ ବିଚଳିତ ହେଲେନାହିଁ । ତାଙ୍କ ପିଞ୍ଜରା ମଧ୍ୟରେ ଶତସିଂହର ବଳ ଆତ୍ମପ୍ରକାଶ କଲା । ଆମ ଦେଶକୁ ରକ୍ଷା କରିବା ପାଇଁ ସେ ବଜ୍ର ନିର୍ଘୋଷ କଣ୍ଠରେ ଆହ୍ୱାନ ଦେଇ କହିଲେ - “ଗୁଳିର ଜବାବ ଆମେ ଗୁଳିରେ ଦେବା” । ଶେଷରେ ରୁଷିଆର ପ୍ରଧାନମନ୍ତ୍ରୀ କୋସିଜିନ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ତାସ୍କେଣ୍ଟକୁ ଆମନ୍ତ୍ରଣ କଲେ । ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଳାଲବାହାଦୁର ଓ ପାକିସ୍ତାନର ରାଷ୍ଟ୍ରପତି ଆୟୁବ୍ ଖାଁ ତାସ୍କେଣ୍ଟ ଠାରେ ମିଳିତ ହେଲେ । ଏଇ ଅବସରରେ ଶାସ୍ତ୍ରୀଜୀ କହିଥିଲେ “ମୁଁ କେବଳ ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଚାହୁଁନାହିଁ, ମୁଁ ଚାହେଁ ସାରା ପୃଥିବୀର ଲୋକମାନେ ଶାନ୍ତିରେ ରୁହନ୍ତୁ ।” ତାସ୍କେଣ୍ଟ ଠାରେ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେଲା । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେଲା । ମାତ୍ର ଶାନ୍ତିଦୂତ ଆଉ ଫେରିଆସିଲେ ନାହିଁ । ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଚିରଦିନ ପାଇଁ ଶୋଇଗଲେ ସେ । ଶାନ୍ତିବନରେ ସବୁଦିନ ପାଇଁ ତାଙ୍କ ମରଶରୀର ଚିତାରେ ଭସ୍ମ ହୋଇଗଲା । ଏହିପରି ଭାବେ ମାନବିକ ମୂଲ୍ୟବୋଧର ପ୍ରତୀକ, ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କ ଜୀବନର ଅବସାନ ଘଟିଲା । ପ୍ରଧାନମନ୍ତ୍ରୀ ଭାବରେ ୧୮ମାସର ଶାସନ କାଳ ମଧ୍ୟରେ ସେ ଯେଉଁ ପଦାଙ୍କ ଛାଡି ଯାଇଛନ୍ତି ତାହା ଏବେବି ଅନ୍ୟ ମାନଙ୍କପାଇଁ ଉଦାହରଣୀୟ ହୋଇ ରହିଛି ।
                         ଜଗତସିଂହପୁର
     ମୋ - ୯୯୩୭୧୫୧୦୫୨