ପୁୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ

ତ୍ରେତୟା ଯୁଗର କଥା । ଭଗବାନ ରାମ ତାଙ୍କର ଲୀଳା ଖେଳା ଶେଷ କରି ପରମ ଧାମକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯୋଜନା କଲେ । ସଙ୍ଗରେ ଭାଇମାନଙ୍କୁ, ସୁଗ୍ରୀବ ଓ ବାନର ମାନଙ୍କୁ ନେବାକୁ ନିଶ୍ଚୟ କରି ଜାମ୍ବମାନ, ବିଭୀଷଣ, ହନୁମାନ, ମୈନ୍ଦ, ଦ୍ୱିବିନ୍ଦ - ଏହି ପାଞ୍ଚ ଜଣଙ୍କୁ ମର୍ତ୍ତ୍ୟରେ ଛାଡ଼ି ଦେଇ ଗଲେ । ସେ ରାକ୍ଷାସଧିସ ଲଙ୍କେଶ ବିଭୀଷଣକୁ ପାଖକୁ ଡାକି କହିଲେ, ହେ ମହାବଳୀ ରାକ୍ଷାସ ରାଜ ଯେତେ ଦିନ ପର୍ଯ୍ୟନ୍ତ ଚନ୍ଦ୍ର ଓ ସୂର୍ଯ୍ୟ ରହିଥିବେ, ସେତେଦିନ ପର୍ଯ୍ୟନ୍ତ ଏ ଧରାପୃଷ୍ଠରେ ତିଷ୍ଠି ରହିଥିବ ଓ ଯେତେଦିନ ପର୍ଯ୍ୟନ୍ତ ସଂସାରରେ ମୋ କଥା ପ୍ରଚଳିତ ଥିବ, ସେତେଦିନ ତୁମେ ରାଜୁତି କରିବ । ଏତିକି କହିସାରି ପୁଣି ସେ କହିଲେ ତୁମକୁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି । ଆମ ଈକ୍ଷାକୁ କୁଳର ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଇନ୍ଦ୍ରାଦି ଦେବତାମାନେ ତାଙ୍କୁ ନିରନ୍ତର ଆରାଧନା କରନ୍ତି । ତୁମେ ବି ସଦାସର୍ବଦା ତାଙ୍କର ପୂଜା କରୁଥିବ । "ଆରାଧୟ ଜଗନ୍ନାଥଃ ଈକ୍ଷାକୁ କୁଳଦୈବତମ୍, ଆରାଧନୀୟମନିଶଂ ଦେବୈରପି ସଦା ସବୈଃ ।' ଭଗବାନ ରାମଚନ୍ଦ୍ରଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରି ଲଙ୍କାରେ ବିଭୀଷଣ ରାଜୁତି କରିବାକୁ ଲାଗିଲେ । କିନ୍ତୁ ସେ ପ୍ରତିଦିନ ଆସି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଯାଆନ୍ତି । ସେଥିପାଇଁ ପୁରୀ ଶ୍ରୀମନ୍ଦିର ଉପରି ଭାଗରେ ଦକ୍ଷିଣ ଦିଗକୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତ୍ରିମୂର୍ତ୍ତି ଶୋଭା ପାଉଛନ୍ତି । କାରଣ ଲଙ୍କା ରାଜ୍ୟ ଭାରତର ଦକ୍ଷିଣ ଦିଗରେ ଅବସ୍ଥିତ ।
ହଜାର ହଜାର ବର୍ଷ ପୂର୍ବରୁ ମହର୍ଷି ବାଲ୍ମିକୀ ଯାହା ଲିପିବଦ୍ଧ କରିଯାଇଛନ୍ତି, ଆଜିକାଲି ବି ପୁରୀରେ ଲୋକମୁଖରେ ବିଭୀଷଣ ପ୍ରତିଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରୁଥିବାର ପ୍ରବାଦ ଶୁଣିବାକୁ ମିଳେ । ଏ ବିଷୟରେ ଏଠାରେ ଉତ୍ଥାପନ କରିବାର କାରଣ ହେଉଛି ନୀଳାଚଳନାଥ ନୀଳାଦ୍ରି ବିହାରୀ ନୀଳ ଶୈଳାଧିପତି ହେଉଛନ୍ତି ଦାରୁବ୍ରହ୍ମ ଜଗନ୍ନାଥ ମହାପ୍ରଭୁ । ସେହି ହେଉଛନ୍ତି ଈକ୍ଷାକୁ ସୂର୍ଯ୍ୟକୁଳ ଜାତ ପୁରୁଷୋତ୍ତମ ରାମଚନ୍ଦ୍ର । ସେଥିପାଇଁ ଏ କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର ବା ପୁରସ୍ତମ ବା ସଂକ୍ଷେପରେ ପୁରୀ କୁହାଯାଏ ।
ପୁୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ଯୁଗେ ଯୁଗେ ରହି ଆସିଅଛି । ନୀଳାଚଳ ହେଉଛି ପରମାତ୍ମାଙ୍କର ନିତ୍ୟ ଲୀଳାକ୍ଷେତ୍ର । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପରମ ଅବତାରୀ । ସେ ସବୁ ଅବତାର ମଧ୍ୟରେ ଶ୍ରେଷ୍ଠ । ସେ ହିଁ ସକଳ ତତ୍ତ୍ୱର ସକଳ ସତ୍ୟର ସତ୍ୟ ଓ ସକଳ ପ୍ରକାଶର ପ୍ରକାଶ । ନୀଳାଦ୍ରି ବା ପୁରୁଷୋତ୍ତମ ଧାମ ହେଉଛି ତୀର୍ଥସାର । ଜଗନ୍ନାଥ ମହାପ୍ରଭୁ ଓ ରାମଚନ୍ଦ୍ର ଉଭୟ ଇକ୍ଷାକୁ କୁଳ ସଂଭୂତ ହୋଇଥିବାରୁ ତ୍ରେତୟାର ଭଗବାନ ରାମଚନ୍ଦ୍ର ଓ କଳିର ଜଗନ୍ନାଥ ମହାପ୍ରଭୁ ଏକ ଓ ଅଭିନ୍ନ । ଏଥିରେ ସନେ୍ଦହ ନାହିଁ । ଆହୁରି ମଧ୍ୟ ସେତେବେଳେ ରାମଚନ୍ଦ୍ର ପିତୃ ଆଜ୍ଞା ପାଳନ କରି ବନ ଗମନ କରିଥିଲେ, ସେତେବେଳେ ଆଗରେ ରାମଚନ୍ଦ୍ର, ମଝିରେ ସୀତା ଓ ପଛରେ ଲକ୍ଷ୍ମଣ ଚାଲୁଥିଲେ । ସନ୍ଥ ତୁଳସୀ ଦାସଙ୍କ ଭାଷାରେ - "ଆଗେ ରାମ ଅନୁଜ ପୁନି ପାଛେଁ । ମୁନିବର ବେଶ ବନେ ଅତି କାଛେଁ । । ଉଭୟ ବୀଚ ଶ୍ରୀ ସେହଇ କୈସସୀ । ବ୍ରହ୍ମ ଜୀବ ବିଚ ମାୟା ଜୈସୀ । । ମୁନିବେଶ ଧାରଣ କରି ରାମଚନ୍ଦ୍ର ଆଗରେ, ପଛରେ ଲକ୍ଷ୍ମଣ ଓ ମଝିରେ ସୀତା । ସୀତାଙ୍କୁ ଲକ୍ଷ୍ୟ କରି ତୁଳସୀ ଦାସ କହିଛନ୍ତି - ବ୍ରହ୍ମ ଓ ଜୀବ ମଧ୍ୟରେ ସୀତା ଶୋଭା ପାଉଛନ୍ତି । ଶକ୍ତି ରୂପିଣୀ ସୀତା ମାୟା ରୂପରେ ବ୍ରହ୍ମ ଓ ଜୀବ ମଧ୍ୟରେ ସଂଯୋଗ ସ୍ଥାପନ କରୁଛନ୍ତି । ସାଧାରଣତଃ ମାୟା ଦୁଇ ପ୍ରକାର, ବିଦ୍ୟା ମାୟା, ଓ ଅବିଦ୍ୟା ମାୟା । ବିଦ୍ୟା ମାୟାକୁ ମଧ୍ୟ ଯୋଗମାୟା କୁହାଯାଏ । ବିଦ୍ୟା ମାୟା ବ୍ରହ୍ମ ଓ ଜୀବ ମଧ୍ୟରେ ସଂଯୋଗ ସ୍ଥାପନ କରି ଜୀବକୁ ଭଗବତମୁଖୀ କରାଏ । ଅପର ପକ୍ଷରେ ଅବିଦ୍ୟା ମାୟା । ଜୀବକୁ ଭଗବାନ ଠାରୁ ଦୂରେଇ ଦେଇ ତାକୁ ବିଷୟାଭିମୁଖୀ କରାଏ । କିନ୍ତୁ ଏ କ୍ଷେତ୍ରରେ ସୀତା ହେଉଛନ୍ତି ବିଦ୍ୟା ମାୟା । ଏହି ଦୃଷ୍ଟିରୁ ଆମେ ଯଦି ରତ୍ନ ସିଂହାସନ ଉପରେ ଅଧିଷ୍ଠିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଲକ୍ଷ୍ୟ କରିବା ତାହାହେଲେ ଜାଣି ପାରିବା ଜଗନ୍ନାଥ ଓ ବଳଭଦ୍ର ମଧ୍ୟରେ ଶକ୍ତି ସ୍ୱରୂପିଣୀ ସୁଭଦ୍ରା ମାତା ଅଧିଷ୍ଠିତା । ସେ ହେଉଛନ୍ତି ଜୀବ ଓ ବ୍ରହ୍ମ ମଧ୍ୟରେ ସଂଯୋଗକାରଣୀ ଆଦିଶକ୍ତି ।
ଶ୍ରୀମନ୍ଦିରକୁ ପ୍ରବେଶ କଲାବେଳେ କୁରୁମ ବେଢ଼ା ଦୁଆର ଉପରେ ରାମ ତିଳକ ଶୋଭ ପାଉଛି । ଏହା ବ୍ୟତୀତ ପ୍ରଧାନ ମନ୍ଦିର ଉପରେ ଦଧି ନଉତି ପାଖରେ ପୂର୍ବ ଦିଗକୁ ମଧ୍ୟ ରାମ ତିଳକ ଦେଖିବାକୁ ମିଳେ । ଏହି ସଂକେତରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ଜଗନ୍ନାଥ ମହାପ୍ରଭୁ ହିଁ ସ୍ୱୟଂ ରାମଚନ୍ଦ୍ର ଭଗବାନ । ଦ୍ୱାଦଶ ଶତାବ୍ଦୀରେ ବୈଷ୍ଣବାଚାର୍ଯ୍ୟ ବିଷ୍ଣୁ, ସ୍ୱାମୀ ରାମଙ୍କୁ ବିଷ୍ଣୁଙ୍କର ପୂର୍ଣ୍ଣ ଅବତାର ରୂପରେ ଗ୍ରହଣ କରିଥିଲେ । ସେ ଜଗନ୍ନାଥଙ୍କୁ ରାମଚନ୍ଦ୍ରଙ୍କର ପରିପୂର୍ଣ୍ଣ ମୂର୍ତ୍ତି ରୂପେ ପରିକଳ୍ପନା କରିଥିଲେ । ୧୪ଶ ଶତାବ୍ଦୀରେ ରାମାନନ୍ଦ ମଧ୍ୟ ରାମଙ୍କୁ ପୂର୍ଣ୍ଣ ବ୍ରହ୍ମ ରୂପେ ଗ୍ରହଣ କରିଥିଲେ । ସେ ଜଗନ୍ନାଥଙ୍କ ମଧ୍ୟରେ ରାମଙ୍କୁ ଦର୍ଶନ କରିଥିଲେ । ୧୫ଶ ଶତାବ୍ଦୀରେ ଶେଷ ଭାଗରେ ଜଗନ୍ନାଥ ମହାପ୍ରଭୁଙ୍କର ଅନନ୍ୟ ଭକ୍ତ ପଞ୍ଚସଖା ମଧ୍ୟରୁ ଅନ୍ୟତମ ବଳରାମ ଦାସ ଜଗନ୍ନାଥଙ୍କ ଠାରେ ରାମଙ୍କୁ କଳ୍ପନା କରି ଶ୍ରୀମନ୍ଦିରସ୍ଥିତ ଜଗମୋହନ ମଣ୍ଡପରେ ଦାଣ୍ଡି ବୃତ୍ତରେ ରାମାୟଣ ରଚନା କରିଥିଲେ । ଏହାକୁ ଜଗମୋହନ ରାମାୟଣ କୁହାଯାଏ । ୧୬ଶ ଶତାବ୍ଦୀରେ ସନ୍ଥ ତୁଳସୀ ଦାସ ଜଗନ୍ନାଥ ମହାପ୍ରଭୁଙ୍କୁ ରାମଚନ୍ଦ୍ରଙ୍କ ଅବତାର ମନେକରି ଦର୍ଶନ କରିବାକୁ ଚାଲି ଚାଲି ପୁରୀ ଆସିଥିଲେ । ସେ ପୁରୀରେ ପହଞ୍ଚô ପାଣି ପାଦ ହୀନ ବିକୃତ ଜଗନ୍ନାଥ ରୂପକୁ ଦେଖି ତାଙ୍କ ମନରେ ବିକାର ଉଦୟ ହେଲା । ତାଙ୍କର ସନ୍ଥ ପଥ ଶ୍ରମ ବୃଥା ହେଲା ଭାବି ମନସ୍ତାପରେ ଫେରିଯାଇ ତୁଳସୀ ଚଉଁରା ଗ୍ରାମ (ପୁରୀ ନିକଟବର୍ତ୍ତୀ)ରେ ଥିବା ଗୋଟିଏ ଚଉତରା ଉପରେ ରାତ୍ରୀ ଯାପନ କଲେ । ଅଖିଆ ଅପିଆ ସେ ଦିନ ରାତି ଅଧରେ ସିଏ ଶୋଇଥିବା ଅବସ୍ଥାରେ ସ୍ୱପ୍ନରେ ଜଣେ କିଏ ଦିବ୍ୟ ଜ୍ୟୋତିର୍ମୟ ପୁରୁଷ ତାଙ୍କୁ ବେତ ବାଡ଼ିରେ କେଞ୍ଚô ଉଠାଇଲା । ତାଙ୍କ ପାଖରୁ ସବୁ ବିବରଣୀ ଶୁଣି ତୁଳସୀ ଦାସଙ୍କୁ କହିଲେ ବାବୁ! ଏହା ନୀଳାଚଳ ଧାମ । ଏଠି ଭୋକ ଓପାସରେ କେହି ରହନ୍ତି ନାହିଁ । ପ୍ରଭୁଙ୍କ ଆନନ୍ଦ ବଜାର ସବୁବେଳେ ଖୋଲା । ଜଗନ୍ନାଥ ମହାପ୍ରଭୁଙ୍କ ଦୁଆର ସାହାଣ ମେଲା । ତୁମେ ମୋ କଥା ମାନି ପୁରୀ ଫେରିଯାଅ ମହାପ୍ରସାଦ ଗଣ୍ଡିଏ ଖାଇଦେବ । ସକାଳୁ ସକାଳୁ ନୀଳାଦ୍ରି ବିହାରୀ ନୀଳାଚଳ ନାଥଙ୍କୁ ଦର୍ଶନ କଲେ ତୁମର ମନସ୍କାମନା ପୂର୍ଣ୍ଣ ହେବ ।
ତୁଳସୀ ଦାସଙ୍କ ନିଦ ଚାଉଁକିନା ଭାଙ୍ଗିଗଲା । ନିଦରୁ ଉଠି ଚାରି ଆଡ଼କୁ ଅନେଇଲେ । ପାଖରେ କାହାକୁ ଦେଖିବାକୁ ପାଇଲେ ନାହିଁ । ବିଶ୍ୱାସ ଓ ଅର୍ଦ୍ଧବିଶ୍ୱାସରେ ସେ ଭୋରୁ ଭୋରୁ ଶ୍ରୀମନ୍ଦିର ଆଡ଼େ ପାଦ ବଢ଼ାଇଲେ । ଚୁମ୍ବକ ଟାଣିଲା ପରି ପାଦ ଆଗକୁ ଚାଲିଥାଏ । ମନ୍ଦିରରେ ମଙ୍ଗଳ ଆରତୀ ଚାଲିଛି - ଘଣ୍ଟାଧ୍ୱନି, କାହାଳୀ ତୁରୀ । ତୁଳସୀ ଦାସ ଗରୁଡ଼ ଖମ୍ବ ପାଖରେ ଠିଆ ହୋଇ ରତ୍ନ ସିଂହାସନକୁ ଦୃଷ୍ଟିପାତ କଲେ । ସେ ଦେଖିଲେ ନବ ନୀରଦ ବପୁଧାରୀ ଧନୁର୍ଦ୍ଧାରୀ ରାମ ରତ୍ନ ସିଂହାସନ ଉପରେ ଠିଆ ହୋଇ ହସୁଛନ୍ତି । ତାଙ୍କ ପାଖରେ ଜାନକୀ ଓ ଅନୁଜ ଲକ୍ଷ୍ମଣ । ଭକ୍ତ ବତ୍ସଳ ଭଗବାନ ଭକ୍ତିର ଅଳି ରଖିଲେ । ଆନନ୍ଦରେ ତୁଳସୀଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ । ଭଗବାନ ଭାବଗ୍ରାହୀ । ଭକ୍ତର ଭାବ ଅନୁସାରେ ସେ ରୂପ ଧାରଣ କରନ୍ତି । ଗୀତାରେ ଭଗବାନ କହିଛନ୍ତି - ଯେ ଯଥା ଯାଂ ତାଂସ୍ତଥୈବ ଭଜାମ୍ୟହମ । ଅତଏବ ତ୍ରେତୟାର ଭଗବାନ ରାମ ଓ କଳିର ନୀଳାଦ୍ରି ବିହାରୀ ନୀଳାଚଳ ନାଥ, ନୀଳମଣି, ନୀଳମାଧବ, ଜଗନ୍ନାଥ ମହାପ୍ରଭୁଙ୍କ ଭଗବାନ ରାମ ରୂପରେ ଦର୍ଶନ କଲାପରେ ସନ୍ଥ ତୁଳସୀ ଦାସ ଏତେ ଦୂର ପ୍ରଭାବିତ ହୋଇଯାଇଥିଲେ ଯେ ସେ ପରବର୍ତ୍ତୀ କାଳରେ ଯେତେବେଳେ ରାମ ରଚିତ ମାନସ ରଚନା କଲେ, ସେତେବେଳେ ରାମଚନ୍ଦ୍ରଙ୍କ ରୂପ ବର୍ଣ୍ଣନା କରି ଲେଖିଛନ୍ତି - "ନୀଳ ସରୋରୂହ ନୀଳମଣି ନୀଳ ନୀରଧର ଶ୍ୟାମ' ଏହିଥିରୁ ସ୍ପଷ୍ଟ ସ୍ଫୁରିତ ହୁଏ, ଜଗନ୍ନାଥ ଓ ରାମଚନ୍ଦ୍ର ଉଭୟଙ୍କର ସ୍ୱରୂପ ନୀଳ କେନ୍ଦ୍ରିକ ।
ମୋ : ୯୪୩୭୦୦୪୪୬୬