ଚାଲୁ ରହୁ ଆହାର କେନ୍ଦ୍ର


ରାଜ୍ୟରେ ବିଦାୟୀ ସରକାର ଅମଳରେ ଗରିବ ଲୋକଙ୍କୁ ୫ ଟଙ୍କାରେ ମିଲ୍ ଯୋଗାଇ ଦେବା ପାଇଁ ଏକ ନୂଆ ବ୍ୟବସ୍ଥାର ଆରମ୍ଭ କରାଗଲା । ତାହା ହେଲା ଆହାର ଯୋଜନା । ନିର୍ଦ୍ଦିଷ୍ଟ କେତେକ କେନ୍ଦ୍ର ଖୋଲାଯାଇ ଏଠାରେ ଲୋକଙ୍କୁ ୫ ଟଙ୍କାରେ ଆହାର ମିଲ୍ ଲୋକଙ୍କୁ ଯୋଗାଇ ଦିଆଗଲା । ଅନେକ ଲୋକଙ୍କ ପାଇଁ ଏହି ଯୋଜନା ଏକ ବରଦାନ ସଦୃଶ ହୋଇଥିଲା । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର କିଭଳି ଭାବରେ ଆର୍ଥôକ ପରିଚାଳନା କରୁଥିଲେ ତାହା ସର୍ବସାଧାରଣଙ୍କୁ ଜଣାନାହିଁ । ତେବେ ଏବେ ସରକାର ବଦଳିଯାଇ ନୂଆ ସରକାର ଆସିବା ପରେ ଆହାର ଯୋଜନାକୁ ବନ୍ଦ କରିବା ପାଇଁ ଚିନ୍ତା କରୁଛନ୍ତି ବୋଲି ଲୋକଙ୍କ ଭିତରେ ଏକ ଗୁଜବ ସୃଷ୍ଟି ହେଲା । କିନ୍ତୁ ଏହି ଆହାର କେନ୍ଦ୍ର ଗୁଡ଼ିକରେ ୫ ଟଙ୍କିଆ ମିଲ୍ ଯୋଗାଇବା ବାବଦରେ ବର୍ଷକୁ ସରକାର ୬୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବୋଲି ଜଣାପଡ଼ିଛି । ବର୍ତ୍ତମାନ ରାଜ୍ୟରେ ମୋଟ୍ ୧୬୯ଟି ଆହାର କେନ୍ଦ୍ର ଅଛି । ଏଥିମଧ୍ୟରୁ ୫୬ଟି ଆହାର କେନ୍ଦ୍ରରେ ମଧ୍ୟାହ୍ନ  ଭୋଜନ ଏବଂ ରାତ୍ରି ଭୋଜନ ଦୁଇବେଳା ଖାଦ୍ୟ ପରିବେଷଣର ବ୍ୟବସ୍ଥା ଅଛି । ଏହି ବ୍ୟବସ୍ଥାରେ ପ୍ରତିଦିନ ଦିନବେଳେ ପ୍ରାୟ ୮୦ ହଜାର ଲୋକ ଏବଂ ରାତିରେ ପ୍ରାୟ ୧୫ ହଜାର ଲୋକଙ୍କୁ ଆହାର ଯୋଜନା ମାଧ୍ୟମରେ ଖାଦ୍ୟ ଯୋଗାଇ ଦିଆଯାଉଛି । ପୂର୍ବ ସରକାରଙ୍କର ଏହି ଯୋଜନାକୁ ବନ୍ଦ ନକରି ବରଂ ଏହାକୁ ଚଳାଇ ରଖିବା ପାଇଁ ସରକାର ଚିନ୍ତା କରିଲେଣି । ରାଜ୍ୟର ୮୬ଟି ଡ଼ାକ୍ତରଖାନାରେ ଏହି ଯୋଜନାରେ ଖାଦ୍ୟ ଯୋଗାଇ ଦେବା ପାଇଁ ନୂଆ ସରକାର ଚିନ୍ତା କରୁଛନ୍ତି । ଏହି ଆହାର କେନ୍ଦ୍ର ଗୁଡ଼ିକର ପରିଚାଳନା କ୍ଷେତ୍ର ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି, କର୍ପୋରେଟ୍ ଜଗତର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଉଦେ୍ଦଶ୍ୟରେ ଥିବା ଅର୍ଥ ଏବଂ ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ଅଣାଯାଇ ଖର୍ଚ୍ଚ କରାଯାଉଛି । ବିଭିନ୍ନ ଜିଲ୍ଲାର ବଡ଼ ବଡ଼ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ଚଳାଇ ରୋଗୀମାନଙ୍କୁ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇପାରିବ । ସେହିଭିଳି ଖଣି କାରବାର ହେଉଥିବା ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଡିଷ୍ଟ୍ରିକ୍ଟ ମିନେରାଲ୍ ପାଣ୍ଠି ବିପୁଳ ପରିମାଣରେ ଆଦାୟ ହେଉଛି । ଏହି ଅର୍ଥରେ ନିର୍ବିଘ୍ନରେ ଆହାର କେନ୍ଦ୍ର ଗୁଡ଼ିକ ଚାଲିପାରିବ । କେବଳ ଖଣି ଓ ଶିଳ୍ପ କ୍ଷେତ୍ରରୁ ମିଳୁଥିବା ଅନୁଦାନରେ ଜିଲ୍ଲା ଗୁଡ଼ିକରେ ଆହାର କେନ୍ଦ୍ର ନିର୍ବିଘ୍ନରେ ଚାଲିପାରିବ । ଏହା ଏକ ଜନକଳ୍ୟାଣକାରୀ ଯୋଜନା । ବର୍ତ୍ତମାନ କେବଳ ସହରାଞ୍ଚଳର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଏହି ୫ ଟଙ୍କିଆ ଆହାର ମିଲ୍ ମିଳିପାରୁଛି । ରାଜ୍ୟ ସରକାର ଆଉ କିଛି ନୂଆ ନୂଆ ସୂତ୍ରରୁ ଅର୍ଥ ଆଣି ଏହି ବ୍ୟବସ୍ଥାକୁ ସମ୍ପ୍ରସାରଣ କରି ଚଳାଇବା ପାଇଁ ଉଦ୍ୟମ କରିଲେ ବହୁ ଗରିବ ଲୋକ ଉପକୃତ ହୋଇପାରିବେ । ଏପରିକି ରାଜ୍ୟକୁ ଭିକାରୀଶୂନ୍ୟ କରିବା ଦିଗରେ ଆହାର ଯୋଜନା ଏକ ଉତ୍ତମ ପଦକ୍ଷେପ ହୋଇପାରିବ । ସବୁ ସହରାଞ୍ଚଳ ଗୁଡ଼ିକରେ ଅନୂନ୍ୟ ଗୋଟିଏ ଗୋଟିଏ ଆହାର କେନ୍ଦ୍ର ଖୋଲା ଗଲେ ଅନେକ ପ୍ରକାରର ସାମାଜିକ ସମସ୍ୟା ମଧ୍ୟ ଦୂର ହୋଇଯିବ । ଆହାର ମିଲ୍ ପ୍ରସ୍ତୁତି କ୍ଷେତ୍ରରେ ବୈଜ୍ଞାନିକ ପ୍ରଣାଳୀ ପ୍ରୟୋଗ କରାଯାଇ ରୋଷେଇ କରାଯାଉଛି ଏବଂ ଖାଦ୍ୟର ଗୁଣବତ୍ତା ମଧ୍ୟ ରହୁଛି । 
ହୋଟେଲ୍ ଗୁଡ଼ିକରେ ସର୍ବନିମ୍ନ ୬୦ ଟଙ୍କା ନହେଲେ ଗୋଟିଏ ସାଧାରଣ ମିଲ୍ ମିଳୁ ନାହିଁ । ଏପରି ସ୍ଥଳେ ଆହାର ମିଲ୍ଟି ମାତ୍ର ୫ ଟଙ୍କାରେ ମିଳୁଛି । ଗରିବ ଜନସାଧାରଣ ଏପରିକି ବିଭିନ୍ନ ମେସ୍ରେ ରହି ପାଠ ପଢୁଥିବା ଛାତ୍ର ସମାଜ ମଧ୍ୟ ଏହି ଆହାର ଯୋଜନାରୁ ଲାଭ ପାଇପାରିବେ । ଏହାକୁ ଦୃଷ୍ଟିରେ ରଖି ଏ ଯୋଜନା ଏକ ସ୍ଥାୟୀ ଯୋଜନାରେ ପରିଣତ ହେବା ଆବଶ୍ୟକ ।