ପୁରୀ ସାହିଯାତ ଓ ନାଗାନୃତ୍ୟ 

ପ୍ରସନ୍ନ କୁମାର ମିଶ୍ର  : ରାମ ନବମୀ ଦିନ  ଶ୍ରୀରାମ ମନ୍ଦିର ମନ୍ଦିର ଆଦି ଦେବସ୍ଥାନ ଓ ଅନୁଷ୍ଠାନ ତରଫରୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମୋତ୍ସବ, ଯଜ୍ଞ, ପୂର୍ଣ୍ଣାହୁତି ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳିତ ହୋଇଥାଏ  । ଏହାସହିତ ୧୧ ଦିନ ବ୍ୟାପୀ ପୁରୀରେ ପ୍ରସିଦ୍ଧ ସାହିଯାତ ବା ଲୋକସଂସ୍କୃତିର ମହାନ ଉତ୍ସବ ଆରମ୍ଭ ହୋଇଥାଏ  । ଏହା ଶ୍ରୀଜଗନ୍ନାଥଙ୍କ ସହ ସହବନ୍ଧିତ, ଲୋକକଳା ଓ ସମର କଳାର ମିଳିତ ପ୍ରଦର୍ଶନ  । ଲୋକସଂସ୍କୃତିର ଏହି ମହନୀୟ ଧାରା ଅନ୍ୟତ୍ର ବିରଳ  । ରାମାୟଣ ଉପରେ ଆଧାରିତ ପ୍ରମୁଖ ଲୀଳା ଗୁଡ଼ିକ ହେଉଛି ଯଜ୍ଞରକ୍ଷା, ସୀତା ବିବାହ, ହରଧନୁଭଙ୍ଗ, ପରଶୁରାମ ଲୀଳା, ବନବାସ, ମାୟାମୃଗ, ଲଙ୍କାପୋଡ଼ି ହନୁମାନ, ସେତୁବନ୍ଧ, ରାବଣ ବଧ ଓ ଶେଷରେ ରାମାଭିଷେକ  । ସାହିଯାତ୍ରାର ଲୀଳାଗୁଡ଼ିକ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଏବଂ “ଶ୍ରୀକ୍ଷେତ୍ର ନନ୍ଦିଗ୍ରାମ’ ରୂପେ ପରିଚିତ ଏବଂ ଶ୍ରୀଜଗନ୍ନାଥଙ୍କ ଉଦ୍ୟାନ (ଶ୍ରୀ ଜଗନ୍ନାଥ ବଲ୍ଲଭ)ଠାରେ ଅନୁଷ୍ଠିତ ହୋଇଥାଏ । ଏଥି ମଧ୍ୟରୁ କେବଳ ଗୋଟିଏ ଲୀଳା  ରାବଣଦ୍ୱାରା ‘ସେତୁବନ୍ଧ ପ୍ରତିଷ୍ଠା’ ଗୌଡ଼ବାଡ଼ ସାହିର  ଯମ୍ବେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ହୋଇଥାଏ  ।
ସାହିଯାତର ଅନ୍ୟତମ ଆକର୍ଷଣ ମେଢ଼ ପରମ୍ପରା  । ଏହା ଦୁଇ ପ୍ରକାର ମୁଖାଯୁକ୍ତ ଓ ମୁଖାହୀନ  । ଉଭୟେ ଦେବଦେବୀଙ୍କ ଚିତ୍ର ଓ ଶରୀର ବିଭିନ୍ନ ଅଳଙ୍କାର ଶୋଭିତ  । ମେଢ଼ ପଛପାଖେ ଟାହିଆ ଓ କିରିଟି ଥାଏ  । ମେଢ଼ ନୃତ୍ୟ ମାଧୁର୍ଯ୍ୟଯୁକ୍ତ ନୃତ୍ୟ  । ପୁରୁଷମାନେ ସ୍ତ୍ରୀ ବେଶ ହୋଇଥା’ନ୍ତି  । ସାହିଯାତ୍ରାରେ ସାଧାରଣତଃ ଦୁର୍ଗା ମେଢ଼, ମଙ୍ଗଳା ମେଢ଼, କାଳୀ ମେଢ଼, ଗାୟତ୍ରୀ ମେଢ଼ , ଶିବ ମେଢ଼, ନୃସିଂହ ମେଢ଼, ଗଣେଶ ମେଢ଼ ଇତ୍ୟାଦି ରହିଥାଆନ୍ତି  । ଏଥିରେ ସମରକଳା ସହିତ ବାଘ ଓ ଭାଲୁ ନୃତ୍ୟ ଏବଂ ରାମଲୀଳାର ଚରିତ୍ର ମାନଙ୍କ ଅଭିନୟ ସହିତ ପୁରୀର ଲୋକକଳା ପ୍ରଦର୍ଶିତ ହୋଇଥାଏ  । ବାଙ୍କ, ଛଡ଼ି, ପଟା, ପିରାମିଡ଼୍ ଇତ୍ୟାଦି ଖେଳ ସହିତ ବିଭିନ୍ନ ସୁଆଙ୍ଗ, ବ୍ୟଙ୍ଗଗୀତ, ଢଗ ଢମାଳି ଓ ବଚନିକା ମଧ୍ୟ ପଟୁଆରରେ ପ୍ରଦର୍ଶିତ ହୋଇଥାଏ  । ସାହିଯାତ୍ରାରେ ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ‘ନାଗାନୃତ୍ୟ’  । ନାଗା ବୀରତ୍ୱ ,ଦମ୍ଭ ଓ ଗାମ୍ଭୀର୍ଯ୍ୟର ପ୍ରତୀକ  । ବ୍ୟବହୃତ ବାଦ୍ୟ ହେଉଛି ଚାଙ୍ଗୁ ଓ ଚାଚେଡ଼ୀ  । ଏହି ନୃତ୍ୟ ସର୍ବଜନ ଆଦୃତ  । ନାଗାମୁରାଟ ହେଉଛି ବୀରତ୍ୱ ବ୍ୟଞ୍ଜକ ଭଙ୍ଗୀ ଓ ନାଗା ଚାଲି ହେଉଛି ଆତ୍ମବିଶ୍ୱାସର ଚାଲି  । ଏହାଙ୍କର ବେଶ ସ୍ୱତନ୍ତ୍ର  ।
ନାଗା ନୃତ୍ୟ ବୀରତ୍ୱ, ଦମ୍ଭ ଓ ଗାମ୍ଭୀର୍ଯ୍ୟର ପ୍ରତୀକ  । ନାଗାର ଠାଣି, ଚାହାଣି ଓ ପାହୁଲ ସ୍ୱତନ୍ତ୍ର  । ନାଗାମାନେ ହେଉଛନ୍ତି ଉଡ଼୍ର ଓ କଳିଙ୍ଗ ସୈନ୍ୟ ବାହିନୀର ଶକ୍ତି  । ଏହି ସଂସ୍କୃତି ବହୁ ପୁରାତନ  । ଭାରତରେ ମୁସଲମାନ ଶାସନ ସମୟରେ ନାଗା ସଂସ୍କୃତିର ସୃଷ୍ଟି  । ଆକ୍ରମଣକାରୀ ମୁସଲମାନଙ୍କୁ ପ୍ରତିହତ କରିବାପାଇଁ  ଦେଶରେ ନାଗା ଆଖଡ଼ାମାନ ସୃଷ୍ଟି କରାଯାଇଥିଲା  । ଏହି ନାଗା ସନ୍ନ୍ୟାସୀମାନେ ହିନ୍ଦୁଦେବ ପୀଠ ଗୁଡ଼ିକର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଉଥିଲେ  । ଐତିହାସିକ ବିବରଣୀ ଅନୁଯାୟୀ ନାଗା ସନ୍ନ୍ୟାସୀମାନେ ୧୩ଶ ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ଆସିଥିଲେ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ରକ୍ଷକ ଭାବରେ ସେହି ସମୟରୁ ପୁରୀର ଆଖଡ଼ା, ଜାଗା, ଗଡ଼ ଓ କୋଟ ଗୁଡ଼ିକର ସାମରିକ ଅଭ୍ୟାସ ସହିତ ଜଡ଼ିତ ହୋଇ ପୁରୀରେ ରହିଯାଇଥିଲେ । ସେହି ନାଗା ସଂସ୍କୃତିକୁ ଧରି ରଖିଥିଲେ ବାଲି ସାହି ଓ ହରଚଣ୍ଡୀ ସାହିର ଜାଗା, ଆଖଡ଼ା, ଗଡ଼ ଓ କୋଟ ଗୁଡ଼ିକ  । ସେମାନେ ନିଜ ନିଜ ସାହିରେ ନାଗା ମୂର୍ତ୍ତି ଗଢ଼ି ବୀରତ୍ୱର ପ୍ରତୀକ ଭାବେ “ନାଗା ପୂଜା’ ଆରମ୍ଭ କରିଦେଇଥିଲେ  । ପରେ ଏହି ମୂର୍ତ୍ତିଗୁଡ଼ିକ ଦୁର୍ଗା ପୂଜାରେ ସାମିଲ ହୋଇଯାଇଥିଲେ  । ସେହି ନାଗାବୀର ମାନଙ୍କର ସ୍ମୃତିରେ ଏବେବି ସାହି ମାନଙ୍କରେ “ନାଗା ମୂର୍ତ୍ତି’ ଗଢ଼ାଯାଇ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଉଛି  । ନାଗା ମୂର୍ତ୍ତିର ପ୍ରତୀକ ହେଉଛି ନାଗା ମେଢ଼ ଓ ନାଗା ନୃତ୍ୟ  । ଶ୍ରୀକ୍ଷେତ୍ର ସେଥିପାଇଁ ଗର୍ବିତ  । ନାଗା ସଂସ୍କୃତି ପୁରୁଷୋତ୍ତମ କ୍ଷେତ୍ର ବା ସଂସ୍କୃତିର ଏକ ଅଙ୍ଗ  ।
ପୁରୀ ସାହିଯାତ୍ରାରେ ବାହାରୁଥିବା ନାଗା ମାନଙ୍କର ବେଶବିନ୍ୟାସ ଅଦ୍ଭୂତ କିନ୍ତୁ ଆକର୍ଷଣୀୟ  । ପୁରୀ ନାଗାମାନଙ୍କୁ ୧୫ ପ୍ରକାରର ବେଶରେ ସଜାଇ ଦିଆଯାଇଥାଏ  । ଏମାନଙ୍କ ବେଶ ପରିପାଟି ସ୍ୱତନ୍ତ୍ର  । ନାଗା ଶରୀରରେ ରାମରଜ ଓ ତିଳକ, ପିନ୍ଧାଲୁଗା ପାଟକାଛେଣି ଓ ଉତ୍ତରୀୟ, ମୁହଁରେ ଓସାରିଆ ନିଶଦାଢ଼ି ଓ କପାଳରେ ସିନ୍ଦୂର କଲି ରହିଥାଏ  । ମୁଣ୍ଡରେ ଶିରସ୍ତ୍ରାଣ ଓ ନାଗାଚୂଳ  । ପୁରୀ ଭାଷାରେ ଏହାକୁ “ହାଣ୍ଡିଆ” କୁହାଯାଏ ।  ଗଳାରେ ବାଘନଖ ଝୁଲୁଥିବା ସୁନା ଓ ପୋହଳା ମାଳ , କାନ୍ଧରେ ଧନୁ ଓ ପଟି, ବାହୁରେ ଏରା ପକ୍ଷୀର ପର “କଲିଙ୍ଗି” । ହାତରୁ କଚଟି ଯାଏ ଓଳମାଳ ଓ ଓସାରିଆ ବାହୁଟି  । ମଣି ବନ୍ଧରେ ବାଘ ଛାଲର ପଟି ଓ  ଦେହରେ ବାଘ ଛାଲ, ପିଠିରେ ଧନୁ ଓ ନାଗାତାଟି, ଏଥିରେ କାଣ୍ଡ, ତି୍ରଶୂଳ, ବର୍ଚ୍ଛା ଓ ପତାକା ଥାଏ  । ଅଂଟାରେ କମରପଟି ଓ ବାଙ୍କଛୁରୀ ଥାଇ ଢାଲ  । ଦୁଇ ଜଙ୍ଘ ଉପରକୁ ଝୋବା , ଜଙ୍ଘରେ ଘଂଟି ଓ ଗୋଡ଼ରେ ବଜ୍ର ଚଉଁରୀ (ଚମରୀ ଗାଈ ଲୋମରେ ତିଆରି ଦଉଡ଼ି), ହାତରେ ମହିଁଷି ଶିଙ୍ଘରେ ତିଆରି ତୁରୀ ଓ ଗଣ୍ଠିଆ (ବନ୍ଧୁକ) ରହିଥାଏ  । ଏ ହେଲା ନାଗାର ବେଶ ବା ସାଜ  । ନାଗା ଧାରଣ କରିଥିବା ୨୨ ପ୍ରକାରର ଅସ୍ତ୍ରଶସ୍ତ୍ର ହେଉଛି - ତରବାରୀ, କଟାରୀ, ବାଙ୍କଛୁରୀ, ବନ୍ଧୁକ, ରଂଜକଦାନି, ନଳୀ, ଠୁଙ୍କା, ଶିଙ୍ଗଡ଼ା (ଶିଙ୍ଗ), ହାତଢ଼ାଲ, ପେଟିଢ଼ାଲ, ପିଠିଢ଼ାଲ, କୁନ୍ତ, ବାଡ଼ି, ଧନୁ ଓ ଢେଣୁ, ଧନୁଶର, ତେଣ୍ଟା, ଚକ୍ର, ଛୁରୀ, ତି୍ରଶୂଳ, ବର୍ଚ୍ଛା, ବଲ୍ଲୀ ଓ ଗଡା  । ନାଗା ମେଢ଼ର ସଂସ୍କୃତି ଆଜି ସମଗ୍ର ବିଶ୍ୱରେ ଆମ ଓଡ଼ିଶାର ପ୍ରତିନିଧିତ୍ୱ କରୁଅଛି  । ନାଗା ନୃତ୍ୟ ପୁରୀବାସୀଙ୍କର ଗର୍ବ ଓ ଗୌରବର ପ୍ରତୀକ  ।     
  ପୁରୀ
 ମୋ: ୮୦୧୮୮୭୫୩୩୫