ଭୁଶୁଡ଼ିଲା କୋଠା :୧୧ ମୃତ, ଫସିଛନ୍ତି ୨୨ରୁ ଊଦ୍ଧ୍ୱର୍
ନୂଆଦିଲ୍ଲୀ : ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଏକ ୪ମହଲା କୋଠା ଭୁଶୁଡ଼ି ୧୧ଜଣଙ୍କ ମୃତୁ୍ୟ ହୋଇଛି । ଏହାସହ ୨୨ରୁ ଊଦ୍ଧ୍ୱର୍ ଲୋକ କୋଠା ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ସମେତ ପୁଲିସ୍ ଏବଂ ଏନ୍ଡିଆର୍ଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚô ସେମାନଙ୍କୁ ଉଦ୍ଧାର କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରଥମ ପର୍ଯ୍ୟାୟରେ ୧୪ଜଣଙ୍କୁ ଉଦ୍ଧାର କରି ଜିଟିବି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ୭ଜଣଙ୍କ ମୃତୁ୍ୟ ହୋଇଥିଲା ।
ଡିଭିଜନାଲ ଫାୟାର ଅଫିସର ରାଜେନ୍ଦ୍ର ଅଟୱାଲ କହିଛନ୍ତି ଯେ ଶୁକ୍ରବାର ରାତିରେ ଦିଲ୍ଲୀର ପାଗ ହଠାତ୍ ପରିବର୍ତ୍ତନ ହୋଇଥିଲା । ପ୍ରବଳ ବର୍ଷା ଏବଂ ଝଡ଼ ଯୋଗୁଁ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ଏହି କାରଣରୁ ମୁସ୍ତାଫାବାଦ କୋଠା ମଧ୍ୟ ଭୁଶୁଡ଼ି ପଡ଼ିଥିବା ବିଶ୍ୱାସ କରାଯାଉଛି । ଉପବାଚସ୍ପତି ଏବଂ ମୁସ୍ତାଫାବାଦର ବିଧାୟକ ମୋହନ ସିଂହ ବିଷ୍ଟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ଦିଲ୍ଲୀ ମୁନିସିପାଲ୍ର ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି । ତେବେ ନିର୍ବାଚନ ଜିତିବା ପରେ ଏହି କୋଠାକୁ ସେ (ବିଧାୟକ) ବିପଦପୂର୍ଣ୍ଣ ଘୋଷଣା କରିବା ସହ ଏଲ୍ଜି ଏବଂ ଏମ୍ସିଡିକୁ ଏ ଦିଗପ୍ରତି ଦୃଷ୍ଟି ଦେବାକୁ ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଦିଲ୍ଲୀରେ ଆଜି ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିଛି ବୋଲି ସେ କହିଛନ୍ତି । ଅପରପକ୍ଷେ ମୃତକଙ୍କ ପରିବାର ପାଇଁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ଏହାର ଏକ ସପ୍ତାହ ପୂର୍ବରୁ ଏପ୍ରିଲ ୧୧ରେ ଦିଲ୍ଲୀର ମଧୁ ବିହାରରେ ମଧ୍ୟ ଏକ ନିର୍ମାଣାଧୀନ କୋଠାର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ ।