ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମାନେଶ୍ୱର ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁ (ଓଆରଏସ୍) ଜମି କିଷମ ପରିବର୍ତ୍ତନ ପାଇଁ ଜଣେ ଜମି ମାଲିକଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତିି । ତାଙ୍କ ନାମରେ ଭିଜିଲାନ୍ସ ଥାନା ମାମଲା ସଂଖ୍ୟା ୯ରେ ଏକ ମାମଲା ରୁଜୁ କରାଯାଇଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଏବଂ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ମଧ୍ୟ ଅତିରିକ୍ତ ତହସିଲଦାରଙ୍କ ୩ଟି ଠିକଣାରେ ଚଢଉ କରାଯାଇଛି । ପ୍ରକାଶ ଯେ, ମାନେଶ୍ୱର ତହସିଲ ଅନ୍ତର୍ଗତ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଅଣକୃଷି (ଘରବାରି) କରିବା ପାଇଁ ଆବେଦନ କରିଥିଲେ । ଏଥିପାଇଁ ତାଙ୍କୁ ହରଇରାଣ କରାଯାଇ ଉକ୍ରୋଚ ମଗାଯାଇଥିଲା । ପ୍ରାଥମିକ ଭାବେ ଅଭିଯୋଗକାରୀକୁ ୧୦ହଜାର ଟଙ୍କା ଦାବି କରାଯାଇଥିଲା । ମାତ୍ର ବୁଝାମଣା ପରେ ଅଭିଯୋଗକାରୀ ୬ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ଅତିରିକ୍ତ ତହସିଲଦାର ଏହି ଟଙ୍କା ନପାଇଲେ ଫାଇଲ ଉପରେ ପଦକ୍ଷେପ ନେବେ ନାହିଁ ବୋଲି ଜମି ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଥିଲେ । ଏହି କ୍ରମରେ ଉକ୍ତ ଅତିରିକ୍ତ ତହସିଲଦାର ଅଭିଯୋଗକାରୀଙ୍କ ଠାରୁ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଧରା ପଡିଥିଲେ । ତାଙ୍କ ଠାରୁ ଉକ୍ତ ୬ହଜାର ଟଙ୍କା ଜବତ କରାଯାଇଥିବା ଜଣାପଡିଛି ।