‘ଡବଲ ଇଞ୍ଜିନ୍‌’ ଲାଇନ୍‌ଚ୍ୟୁତ 

‘ଡବଲ ଇଞ୍ଜିନ୍‌’ ଲାଇନ୍‌ଚ୍ୟୁତ 


ଭୁବନେଶ୍ୱର : ଆଜ୍ଞା ହଁ  । ରାଜ୍ୟର ଡବଲ ଇଞ୍ଜିନ ଲାଇନଚ୍ୟୁତ ହୋଇଯାଇଛି  । ଆମେ କେନ୍ଦ୍ରର ମୋଦି ସରକାର କି ରାଜ୍ୟର ମୋହନ ସରକାରଙ୍କ କଥା କହୁନାହୁଁ  । ଆମେ କହୁଛୁ ବିଜେପିର ଡବଲ ଇଞ୍ଜିନ୍‌ କଥା  । ମାନେ ଦଳ ଓ ସରକାରଙ୍କ କଥା  । ମୋଦି ଓ ମୋହନ ସିନା ଠିକ୍‌ରେ ଚାଲିଛନ୍ତି ହେଲେ ମନମୋହନ ଆଉ ମୋହନ କିନ୍ତୁ ଠିକ୍‌ରେ ଚାଲୁନାହାନ୍ତି ବୋଲି ବିଜେପି ଅଳିନ୍ଦରେ ଚର୍ଚ୍ଚା ହେଉଛି  । ଡବଲ ଇଞ୍ଜିନ୍‌ ଲାଇନଚ୍ୟୁତ୍‌ ହୋଇ ଯାଇଥିବାରୁ ବିଜେପି ନେତା ଓ କର୍ମୀଙ୍କ ମନରେ ଏକ ନେଗେଟିଭ୍‌ ଭାଇବ୍ସ ସୃଷ୍ଟିକରିଛି  ।
ଅତୀତର ଭୁଲ୍‌ରୁ ଶିଖିବା ଏକ ସାଧାରଣ କଥା  । କିନ୍ତୁ ବିଜେପି ଅତୀତର ଭୁଲରୁ ଶିଖି ପାରୁନାହିଁ  । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଦଳ ସରକାରରେ ଥିଲା  । କିନ୍ତୁ ମେଣ୍ଟ ଭାଙ୍ଗିବା ପରେ ବିଜେଡ଼ି ସେଞ୍ଚୁରୀ ମାରି ସରକାର ଗଢ଼ିଥିଲେବି ବିଜେପି କିନ୍ତୁ ମାଟି କାମୁଡ଼ିଥିଲା  । ତାହାର କାରଣ ହେଉଛି, ସେତେବେଳେ ବିଜେପିର ଅନେକ ମନ୍ତ୍ରୀ ସଂଗଠନ ଉପରେ ଆଦୌ ଗୁରୁତ୍ୱ ଦେଇନଥିଲେ  । ଯେଉଁଥିପାଇଁ ବହୁ ବଡ଼ ବଡ଼ ମନ୍ତ୍ରୀ, ସାଂସଦ ଓ ବିଧାୟକ ବି ୨୦୦୯ ନିର୍ବାଚନରେ ଚିତ୍‌ପଟାଙ୍ଗ ମାରିଥିଲେ  ।
ସେବେଠାରୁ ଦୀର୍ଘ ୧୫ ବର୍ଷ ଧରି ବିଜେପି ବିରୋଧୀ ଦଳରେ ଥିଲା  । ସେତେବେଳେ ଦଳ ଭିତରେ ସାମାନ୍ୟ ତୁ ତୁ ମେଁ ମେଁ ଥିଲେବି ଦଳ ତା’ ବାଟରେ ଆଗେଇ ଚାଲିଥିଲା  । କେନ୍ଦ୍ରରେ ମୋଦି ସରକାର ଆସିଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ହୋଇଥିଲେ  । ମୁଖ୍ୟମନ୍ତ୍ରୀ ହେବା ଆଶାରେ ଧର୍ମେନ୍ଦ୍ର ରାଜ୍ୟ ବିଜେପିକୁ ଚଳଚଞ୍ଚଳ କରିଥିବାବେଳେ ମୋଦି ଓ ଅମିତ୍‌ ଶାହା ବି ସବୁରକମ ସହାୟତା ଯୋଗାଇ ଦେଇଥିଲେ  । ଯାହାର ଫଳସ୍ୱରୂପ ୨୦୨୪ରେ ବିଜେଡ଼ିକୁ ଚକମା ଦେଇ ଦଳ ସରକାର ଗଢ଼ିଛି  ।  ହେଲେ ୧୦ ମାସରୁ ଉଦ୍ଧ୍ୱର୍ ସମୟ ହେଲା ସରକାର ଆସିଥିଲେବି ଦଳର ତୁଙ୍ଗ ନେତାମାନଙ୍କ କ୍ଷମତା ଟିକିଏ ବି ବଢ଼ିନାହିଁ  । ବିଜେଡ଼ି ଅମଳରେ ସେମାନେ ଯେଉଁ ସ୍ଥିତିରେ ଥିଲେ ଏବେବି ସେହି ସ୍ଥିତିରେ ଅଛନ୍ତି  ।
ମନ୍ତ୍ରୀ ପଦ ହେଉକି ନିଗମ ଅଧ୍ୟକ୍ଷ, କମିଶନ ସଦସ୍ୟ ହେଉକି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ସବୁ ଏବେ ଫାଙ୍କା  । ଏହାର କାରଣ ହେଉଛି ଦଳ ଓ ସରକାର ଭିତରେ ସମନ୍ୱୟ ନାହିଁ  । ଦଳ ଓ ସରକାରରେ ପାୱାରକୁ ନେଇ ଏବେ ଛକାପଞ୍ଝା ଆରମ୍ଭ ହୋଇଯାଇଛି  । ଧର୍ମେନ୍ଦ୍ର ବି ଆଉ ଆଗଭଳି ରାଜ୍ୟ ବିଜେପି ରାଜନୀତିରେ ସକ୍ରିୟ ଥିବା ଦେଖିବାକୁ ମିଳୁନାହିଁ  । ଏବେ ସେ ବିକାଶ ମୂଳକ କାମ ଓ ସମ୍ବଲପୁର ଉପରେ ହିଁ ଫୋକସ୍‌ କରୁଛନ୍ତି  । ଯାହାର ପ୍ରତିକୂଳ ପ୍ରଭାବ ଏବେ ସଂଗଠନ ଉପରେ ପଡ଼ିବା ଆରମ୍ଭ କଲାଣି  ।  ଏବେଠୁ ବିଜେପି ନଚେତିଲେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ଥୟ  ।