ଶରୀରରୂପୀ ରଥ
ଆତ୍ମା ହେଉଛି ଶରୀର ରୂପୀ ରଥର ପ୍ରଭୁ । ଶରୀର ହେଉଛି ରଥ, ଅନୁଷଦ ହେତୁ ହେଉଛି ସାରଥି ଏବଂ ମନ ହେଉଛି ନିୟନ୍ତ୍ରକ । ଅଶ୍ୱଗୁଡ଼ିକ ଇନ୍ଦ୍ରିୟ ଏବଂ ସେମାନେ ଦଉଡୁଥିବା ପଥ ହେଉଛି କାମନା । ରଥ, ସାରଥି, ମନ ଓ ଅଶ୍ୱ ପ୍ରଭୁଙ୍କର ପୂର୍ଣ୍ଣ ନିୟନ୍ତ୍ରଣରେ ରହିଲେ, ରଥ ଆରାମରେ ଆଗକୁ ଆଗକୁ ଗଡ଼େ । ଠିକ୍ ସେହିପରି ଶରୀର, ମନ ଏବଂ ଇନ୍ଦ୍ରିୟଗୁଡ଼ିକ ଆତ୍ମାର ନିୟନ୍ତ୍ରଣରେ ରହିଲେ, ଜୀବନ ଆନନ୍ଦଦାୟକ ଓ ସୁଖପ୍ରଦ ହୁଏ । ରଥର ପ୍ରଭୁ ନିୟନ୍ତ୍ରଣ ହରାଇଲେ ଅଶ୍ୱଗୁଡ଼ିକ ଅମାନିଆ ହୋଇ ଇଆଡ଼େ ସିଆଡ଼େ ଦଉଡନ୍ତି । ଆଉ ଠିକ୍ ସେହିପରି ଶରୀର, ମନ ଓ ଇନ୍ଦ୍ରିୟ ଆତ୍ମା ନିୟନ୍ତ୍ରଣରେ ନରହିଲେ ମଣିଷ ଦୁଃଖ ଯନ୍ତ୍ରଣା ଭୋଗେ । କାମନା ଇନ୍ଦ୍ରିୟମାନଙ୍କର ପଥ ପ୍ରଦର୍ଶକ । ଇନ୍ଦ୍ରିୟମାନେ ମନକୁ ସୂଚନା ଦେଇ ପ୍ରଭାବିତ କରନ୍ତି । କେବଳ ଆତ୍ମା ଦ୍ୱାରା ପରିଚାଳିତ ହେଲେ, ଜୀବନ ସଫଳ ହୁଏ । ମନ ଓ ଇନ୍ଦି୍ରୟ ଆଦିଙ୍କୁ ତାଲିମ ଦେଇ ଆତ୍ମାର ନିୟନ୍ତ୍ରଣରେ ରଖାଯାଇପାରିବ । ଧ୍ୟାନ୍ ମାଧ୍ୟମରେ ମନ ଓ ଇନ୍ଦ୍ରିୟ ଆଦିଙ୍କୁ ଚେତନାର ଉପର ସ୍ତରକୁ ନେଇହେବ ।
ନିଜର ଆଧ୍ୟାତ୍ମିକ ଉନ୍ନତି ପାଇଁ ଆମ୍ଭେମାନେ କ'ଣ କରୁଛେ? ଏପରି ଅନେକ ପ୍ରଶ୍ନ ଅନେକଙ୍କ ଭିତରେ ଆନେ୍ଦାଳିତ ହୋଇଥାଏ । ମୂଳ କଥାଟି ହେଉଛି ତଥାକଥିତ ତେଲଲୁଣ ଧାଁ ଧଉଡ଼ର ଯାବତୀୟ ସାଂସାରିକ ଜଞ୍ଜାଳରେ ନିଜକୁ ବୁଡ଼ାଇ ଅନେକ ଜୀବନଟିକୁ ଏକ ପ୍ରକାର ଯନ୍ତ୍ରବତ ଆଚ୍ଚରଣ ପ୍ରଦର୍ଶନ ଭିତରେ ସୀମିତ ରଖିଥାନ୍ତି । ଜୀବନ ଯେମିତି ଦିଗହୀନ ଭାବେ ଚାଲୁଛି ତାକୁ ସେମିତି ଛାଡ଼ିଦେବା ଉଚିତ ବୋଲି ସେମାନେ ବିଚାର କରିଥାନ୍ତି ତାହା ଆଦୌ ଠିକ ନୁହେଁ । ଜଣେ ଚାହିଁଲେ ଜୀବନ ପ୍ରତି ଥିବା ତାଙ୍କର ଏହି ଆଭିମୁଖ୍ୟକୁ ପରିବର୍ତ୍ତନ କରିପାରିବେ । ଯାନ୍ତ୍ରିକ ଜୀବନକୁ ଛାଡ଼ି ଏକ ମହତ୍ତ୍ୱପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ ଜୀବନ ଜୀଇଁପାରିବେ । ତେବେ ସେଥିପାଇଁ ଜଣଙ୍କୁ ଉପଯୁକ୍ତ ଆଧ୍ୟାତ୍ମିକ ଗୁରୁଙ୍କ ସନ୍ଧାନ କରିପାରିବାକୁ ପଡ଼ିବ । ଆଉ ପ୍ରତି ମୁହୂର୍ତ୍ତରେ ଗୁରୁଙ୍କ ଉପଦେଶ ଓ ତଥା ଶିକ୍ଷାକୁ ସ୍ମରଣ କରି କାର୍ଯ୍ୟରେ ପରିଣତ କରିବାକୁ ପଡ଼ିବ । ଜୀବନକୁ ସୃଜନଶୀଳ ଭାବେ ଅନ୍ୟ ମାନଙ୍କ ପାଇଁ ଉତ୍ସର୍ଗୀକୃତ କରି ଗୁରୁଙ୍କ ପାଦପଦ୍ମରେ ସଦାସର୍ବଦା ସମର୍ପଣ ପୂର୍ବକ ଧ୍ୟାନ ଓ ଲୟ ରଖି ଜୀଇଁବାର କଳା ହେଉଛି ଅସଲ ଜୀବନ ତତ୍ତ୍ୱ ଯାହାଦ୍ୱାରା ଯନ୍ତ୍ରବତ ଜୀବନର ଆଭିମୁଖ୍ୟ ବଦଳିଯିବ । ଅହଂଭାବ ପ୍ରଦର୍ଶନ ଦ୍ୱାରା ବ୍ୟକ୍ତି ମଧ୍ୟରେ ଭଗବାନଙ୍କ ସତ୍ତା ରହିପାରିବ ନାହିଁ ଏହାକୁ ତୁରନ୍ତ ତ୍ୟାଗ କରି ଜୀବନର ମଧୁରତାକୁ ଆନନ୍ଦମୟ କରନ୍ତୁ ଯାହା ଜଣଙ୍କୁ ସମସ୍ତଙ୍କ ପାଖରେ ପ୍ରିୟପାତ୍ର କରାଇ ଭଗବାନଙ୍କ ଦିବ୍ୟ ରାସ୍ତାରେ ଆମ୍ଭ ମାନଙ୍କୁ ମାର୍ଗ ଦେଖାଇ ଏକ ଦିବ୍ୟ ଜୀବନ ଅଭିବୃଦ୍ଧି କରିପାରିବ ।
ସ୍ୱାମୀ ବ୍ରହ୍ମନିଷ୍ଟାନନ୍ଦ ସରସ୍ୱତୀ,ମୋ: ୯୪୩୯୪୯୬୪୯୦