ଜୋଗିଘୋପା ପାର୍କ ପରିଦର୍ଶନ କଲେ ଭୁଟାନ ରାଜା
ନୂଆଦିଲ୍ଲୀ : ଭୁଟାନର ମହାମହିମ ରାଜା ଆଜି ସକାଳେ ଜୋଗିଘୋପା ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ (ଏମଏମଏଲପି) ପରିଦର୍ଶନ କରିଥିଲେ, ଯେଉଁଠାରେ ତାଙ୍କୁ ଏକ ମଡେଲ ପ୍ରଦର୍ଶନ ଏବଂ ଉପସ୍ଥାପନା ମାଧ୍ୟମରେ ପ୍ରକଳ୍ପ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଥିଲା । ଏହି ଗସ୍ତ ସମୟରେ ହୋଇଥିବା ପ୍ରସ୍ତୁତିକୁ ମହାମାନ୍ୟ ପ୍ରଶଂସା କରିଥିଲେ । ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଏନ୍ଏଚ୍ଆଇଡିସିଏଲ୍) ଦ୍ୱାରା ବିକଶିତ ଜୋଗିଘୋପା ଏମ୍ଏମ୍ଏଲପି ହେଉଛି ଭାରତର ପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ଯାହାର ପ୍ରଥମ ପର୍ଯ୍ୟାୟ ପ୍ରାୟ ପ୍ରସ୍ତୁତ ହୋଇସାରିଛି । ଏହା ମଧ୍ୟ ଉତ୍ତର-ପୂର୍ବ ଭାରତର ପ୍ରଥମ ଏମ୍ଏମ୍ଏଲପି । ଏହା ପ୍ରାୟ ୩୦୦ ଏକର ଜମିରେ ପରିବ୍ୟାପ୍ତ ଏବଂ ଏହା ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ତଥା ଘରୋଇ ତଥା ଆନ୍ତର୍ଜାତୀୟ ବାଣିଜ୍ୟକୁ ସମର୍ଥନ ବିଶେଷ କରି ଭୁଟାନ ସହିତ କାରବାର ପାଇଁ ଡିଜାଇନ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରଶାସନିକ ଭବନ, ସୀମା ଶୁଳ୍କ କାର୍ଯ୍ୟାଳୟ, ବିଦୁ୍ୟତ ଉପ-କେନ୍ଦ୍ର, ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ ଏବଂ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପର ମୋଟ ଆନୁମାନିକ ମୂଲ୍ୟ ହେଉଛି ୬୪୦.୫୭ କୋଟି ଟଙ୍କା । ଆଭ୍ୟନ୍ତରୀଣ ଜଳପଥ ଟର୍ମିନାଲ (ଆଇଡବ୍ଲୁ୍ୟଟି) ଜୋଗିଘୋପା ଏମଏମଏଲପିର ଏକ ଅଂଶ ଭାବେ ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଆବଶ୍ୟକତା ଅନୁଯାୟୀ ଏନ୍ଏଚ୍ଆଇଡିସିଏଲ୍ ଦ୍ୱାରା ଆଭ୍ୟନ୍ତରୀଣ ଜଳ ଟର୍ମିନାଲକୁ ବିକଶିତ କରାଯାଇଛି ।