ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ : ବିଜେଡି

ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ  : ବିଜେଡି

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ମିଛୁଆ ଥିଲେ ଏକଥା ଓଡିଶାବାସୀ ଜାଣିଥିଲେ ।ଏବେ ତାଙ୍କର ପ୍ରମୋସନ୍‌ ହୋଇ ସେ ସୁପର ମିଛୁଆ ହୋଇସାରିଛନ୍ତି, ଏହା ପୁଣି ପ୍ରମାଣିତ ହୋଇଛି ।  ମହାପ୍ରଭୁଶ୍ରୀଜଗନ୍ନାଥଙ୍କ ନବକଳେବରବେଳେ କେନ୍ଦ୍ରୀୟ ସହାୟତା ନେଇ ସେ ୩ ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମିଛ କହିଥିଲେ, ଯାହା ଧରାପଡିଯାଇଛି ବୋଲି ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀସ୍ୱୟଂପ୍ରକାଶ ମହାପାତ୍ର ।


ଶ୍ରୀମହାପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀଶ୍ରୀ ପ୍ରଧାନ କହିଥିଲେ, କେନ୍ଦ୍ର ସରକାର ରାଜ୍ୟ ଟ୍ରେଜେରୀକୁ ନବକଳେବର ପାଇଁ ୫୦ କୋଟି ଟଙ୍କା ଦେଇଥିଲେ ।ସତ କଥା ହେଲା, ୫୦ କୋଟି ନୁହେଁ ଆଇଟିଡିସି ଜରିଆରେ ୧୦ କୋଟିଟଙ୍କା କେନ୍ଦ୍ରସରକାର ଦେଇଥିଲେ, ଏଥିରୁ ୬ କୋଟି ୫୦ ଲକ୍ଷଟଙ୍କା ଖର୍ଚ୍ଚହୋଇଥିଲା । ଅର୍ଥାତ୍‌, ନବକଳେବର ପାଇଁ କେନ୍ଦ୍ରସରକାରଙ୍କ ଅବଦାନ ଥିଲା ସାଢେ ୬ କୋଟିଟଙ୍କା ।
ସେ ଆହୁରି ମଧ୍ୟ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି, ନିଜ ବ୍ୟକ୍ତିଗତ ରାଜନୈତିକସ୍ୱାର୍ଥ ରକ୍ଷା ପାଇଁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ମିଛକହିବାକୁ ପଛାଉ ନାହାନ୍ତି ଶ୍ରୀ ପ୍ରଧାନ ।ସଂସ୍କୃତି, ପରମ୍ପରା, ଐତିହ୍ୟ ଜପି ହେଉଥିବା ଲୋକଟି ଏଭଳି ମିଛ କିପରି କହିପାରେ? ଅସଲ କଥା ହେଲା, ଶ୍ରୀ ପ୍ରଧାନଙ୍କ ଭଳି ରାଜନେତା, ନିଜସ୍ୱାର୍ଥ ପାଇଁ ମହାପ୍ରଭୁଙ୍କ ନାଁକୁ ନେଇ ମଧ୍ୟ ମିଛ କହିପାରନ୍ତି ।ଠିକ୍‌ ଯେମିତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମିଛ କହି ବିଭ୍ରାନ୍ତିସୃଷ୍ଟି କରିଥିଲେ ।
ଆରମ୍ଭ ଦିନରୁ ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିଲେ ଶ୍ରୀ ପ୍ରଧାନ । ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଫେରିବା ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରାଇଥିଲେ ।କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ସେ ନିଜେ କହିଥିଲେ, ପରିକ୍ରମା ପ୍ରକଳ୍ପକୁ ସେ ବିରୋଧ କରୁଛନ୍ତି ।
ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ପରିକ୍ରମା ପ୍ରକଳ୍ପ ପଛରେ ସେମାନଙ୍କର ସମର୍ଥନ ରହିଥିଲା ।ଏଭଳି ଦୋମୁହାଁ ଚରିତ୍ରହିଁ ଧର୍ମେନ୍ଦ୍ର ପ୍ରଧାନଙ୍କର ଅସଲ ମାନସିକତାକୁ ପଦାରେ ପକାଉଛି ।ଶ୍ରୀଯୁକ୍ତ ପ୍ରଧାନ ବୋଧହୁଏବୁଝିପାରୁନାହାନ୍ତି, ସେ କ’ଣ କରୁଛନ୍ତି ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀମହାପାତ୍ର କହିଛନ୍ତି ।