ସିଏମଓରେ ହଲଚଲ
ଭୁବନେଶ୍ୱର : ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ନିଆରା ଢଙ୍ଗରେ ପ୍ରଶାସନକୁ ଚଳଚଞ୍ଚଳ କରିଥିଲେ । ରାତି ୧୨ଟା ପର୍ୟ୍ୟନ୍ତ ଅଫିସରଙ୍କୁ ସେ ଶୁଆଇ ଦେଉନଥିଲେ । କିନ୍ତୁ ସିଏମଓରେ ବାରବାର ହଲଚଲ ଦେଖିବାକୁ ମିଳୁଛି । କାହାକୁ ବିଶ୍ୱାସକୁ ନେବେ ମୁଖ୍ୟମନ୍ତ୍ରୀ ତାହା ବୁଝିପାରୁନାହାନ୍ତି । ପ୍ରଥମେ ଆସିବା ସିଏମଓ ଦପ୍ତରର ସରକାରୀ ଅଧିକାରୀମାନଙ୍କ ପାଖକୁ । ସିଏମଓରେ ଦିନା କେତେ ଅରିନ୍ଦମ ଡାକୁଆ ମାମଲତି କରୁଥିଲେ । କିନ୍ତୁ ପରେ ପରେ ନିକୁଞ୍ଜ ଧଳ ଆସିଲେ । ନିକୁଞ୍ଜଙ୍କ ସହ କୁଆଡେ଼ ଅରିନ୍ଦମଙ୍କର ଭଲ ପଡ଼ିଲାନି ବୋଲି ଅରିନ୍ଦମ ନିଜ ଆଡ଼ୁ ସିଏମଓ ଛାଡ଼ିବାକୁ ଚାହିଁଲେ । ନିକୁଞ୍ଜ ବି ବେଶ୍ ଆକ୍ଟିଭ ହୋଇ ସିଏମଓର ହାନିଲାଭ ବୁଝୁଥିଲେ । ଏବେ ସେ କେନ୍ଦ୍ରକୁ ଯିବା ନିଶ୍ଚିତ ହୋଇଯାଇଛି । ଆଗକୁ ସିଏମଓରେ ମୁଖ୍ୟମନ୍ତ୍ରୀ ଆଉ ଜଣଙ୍କୁ ନିଯୁକ୍ତି ଦେବା ନିଶ୍ଚିତ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବା ସହ ତାଙ୍କର ହାନିଲାଭ ବୁଝିବାକୁ କିଛି ଦଳୀୟ ନେତା ଆଗକୁ ବାହାରିଥିଲେ । ଏଥିରେ ସର୍ବାଗ୍ରେ ଥିଲେ ଗୋଲକ ମହାପାତ୍ର । ଗୋଲକ ବିଜେପିର ଜଣେ ଟାଣୁଆ ନେତା । ଧର୍ମେନ୍ଦ୍ରଙ୍କ ଗୋଷ୍ଠୀରେ ତାଙ୍କର ବେଶ୍ ଦବଦବା ବି ରହିଛି । କିନ୍ତୁୁ ଗୋଲକ ମୁଖ୍ୟମନ୍ତ୍ରୀଙ୍କ ପାଖେପାଖେ ରହି ସବୁ ଦେଖାଶୁଣା କରୁଥିଲେବି ତାଙ୍କର କାର୍ୟ୍ୟକଳାପ ମୋହନଙ୍କୁ ପସନ୍ଦ ଆସିଲେନି । କୁହାଯାଉଛି, କ୍ୟାବିନେଟ୍ ବୈଠକରେ ବି ଗୋଲକ ବସି ଯାଇଥିଲେ । ଗୋଲକଙ୍କ ନାମରେ ନୂଆଦିଲ୍ଲୀରେ ମୋହନ ଫେରାଦ ବି ହୋଇଥିବା କୁହାଯାଉଛି । ସେ ଯାହାହେଉନା କାହିଁକି ଅନେକ ଦିନ ହେଲା ପାୱାର କରିଡ଼ରରେ ଓ ମୁଖ୍ୟମନ୍ତ୍ରୀଙ୍କ ଆଖପାଖରେ ଗୋଲକଙ୍କୁ ଦେଖିବାକୁ ମିଳୁନାହିଁ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପଛପଟେ ସବୁବେଳେ ଛାଇ ହୋଇ ରହୁଥିଲେ ଠାକୁର ରଣଜିତ୍ ଦାସ । ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍ ତାଙ୍କ ହାତରେ ରହୁଥିଲା । ଏମିତିକି ତାଙ୍କୁ ଧରିଲେ ମୋହନଙ୍କୁ ଭେଟିହେବ ବୋଲି ସମସ୍ତଙ୍କର ଧାରଣା ବି ଥିଲା । କିନ୍ତୁ ଏବେ ଠାକୁରଙ୍କୁ ବି ଆଉ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦେଖିବାକୁ ମିଳିନାହିଁ । ଗୋଲକଙ୍କ ଭଳି ଠାକୁରଙ୍କର ମାମଲତିକୁ ମୋହନ ଗ୍ରହଣ କରିପାରିନାହାନ୍ତି । ସେପଟେ ସିଏମଓରେ ଏବେ କେନ୍ଦୁଝର ଅଫିସର ଭର୍ତ୍ତି ହୋଇଯାଇଛନ୍ତି । କେନ୍ଦୁଝର ଜିଲ୍ଲାରେ ବିଡ଼ିଓ, ତହସିଲଦାର ଥିବା ଅଫିସରମାନେ ଏବେ ସିଏମଓ ଅଫିସରେ ନିଜର ପତିଆରା ବଢ଼ାଇ ଦେଇଛନ୍ତି । ସେପଟେ ଦଳ ଓ ସରକାର ମଧ୍ୟରେ ସମନ୍ୱୟ ବି ନାହିଁ । ଏମିତିକି ଦଳୀୟ ବୈଠକରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନେଇ ସଂକେତ ଦେଇଛନ୍ତି । ନୂଆ ସଭାପତି ଚୟନ ପରେ ହିଁ ବିଜେପି ସରକାର ଠିକ୍ ରାସ୍ତାରେ ଯିବ ବୋଲି କୁହାଯାଉଛି ।